ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଘନ ଘନ ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
ହେଲେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି ଆଣିଲେ । କିନ୍ତୁ ତା’ପରେ ତାକୁ ସେ ନିଜ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତମେ ଏ ଦୂର୍ଯ୍ୟୋଗପୂର୍ଣ୍ଣ ରାତିରେ ଯେ ଏତେ କଷ୍ଟ କରୁଛ, ଏହାର ଉଦ୍ଧେଶ୍ୟ କ’ଣ? ଧର ତମ ଉଦ୍ଧେଶ୍ୟ ପୂର୍ଣ୍ଣ ହେବାର ସମ୍ଭାବନା ଦେଖାଦେବ, ସେତେବେଳେ ହଠାତ୍ ତମ ମତିଗତି ଆଉ ବଦଳିଯିବ ନାହିଁତ? ଦୁନିଆରେ ଉଦ୍ଧେଶ୍ୟ ସିଦ୍ଧି ହେବାର ସମ୍ଭାବନା ଥିବା ସତ୍ତ୍ୱେ ସେ ଦିଗରେ ଅଗ୍ରସର ନହେଲା ଭଳି ଲୋକ କେହି କେହି ଅଛନ୍ତି । ମୋ ଯୁକ୍ତି ବୁଝାଇବା ନିମନ୍ତେ ମୁଁ ତମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”
ବେତାଳ ଗପିଲା: ଶ୍ରୀପୁର ଗ୍ରାମରେ ରାମବାବୁ ଜଣେ ମାଣ୍ୟଗଣ୍ୟ ବ୍ୟକ୍ତି ଥିଲେ । ଗୋଟିଏ ବୋଲି ସନ୍ତାନ ରଖି ତାଙ୍କ ସ୍ତ୍ରୀ ମରିଯାଇଥାନ୍ତି । ରାମବାବୁ ପୁଅକୁ ଯଥେଷ୍ଟ ଆଦରରେ ତଥା ସତର୍କ ଭାବରେ ବଢାଇଥାନ୍ତି । ପୁଅ ସୁଦର୍ଶନ ଯେପରି ଆଦର୍ଶ ଚରିତ୍ରର ମଣିଷ ହେବା ପାଇଁ ସେ ଆଶା କରୁଥିଲେ, ନିଜେ ମଧ୍ୟ ଠିକ୍ ସେହିପରି ଆଦର୍ଶ ଅନୁସରଣ କରି ଚଳୁଥିଲେ । ସେ କେବେବି ମିଛ କହୁ ନଥିଲେ; ତାଙ୍କର କୌଣସି ବଦଭ୍ୟାସ ବି ନଥିଲା । ସୁଦର୍ଶନର ଆଗ୍ରହ ଓ କୌତୁହଳ ପ୍ରତି ସମ୍ମାନ ଦେଇ ସେ ଯେତେଦୂର ସମ୍ଭବ ତାକୁ ସବୁ କଥା ବୁଝାଇ ଦେଉଥିଲେ ।
ଦେଖାଗଲା, ସୁଦର୍ଶନ ଖାଲି ସବୁକଥା ଯେ ମନଯୋଗ ଦେଇ ଶୁଣୁଛି, ସେତିକି ନୁହେଁ, ସବୁକଥା ଉତ୍ତମ ଭାବରେ ସେ ମଧ୍ୟ ମନେରଖି ପାରୁଛି । ସ୍ୱଭାବ ମଧ୍ୟ ତା’ର ମଧୁର ହେବାର ଜଣାପଡିଲା । ସେ କଦାପି ମିଛ କହୁନଥାଏ କିମ୍ବା ଛଳନା ମଧ୍ୟ କରୁନଥାଏ । ଖେଳ ସାଥିମାନଙ୍କ ପ୍ରତି ସେ ଅତ୍ୟନ୍ତ ଭଲ ବ୍ୟବହାର କରୁଥାଏ । କେହି ତା’ ପ୍ରତି ଖରାପ ବ୍ୟବହାର କଲେ ସେ ତାହା ସହି ଯାଉଥାଏ । କାରଣ କଳି କଲେ ଝଗଡା ବଢିବ ଓ ସେଥିରେ ନିଜ ମନବି ଖରାପ ହେବ ବୋଲି ରାମବାବୁ ତାକୁ କହିଥାନ୍ତି ।
ସୁଦର୍ଶନ ଗ୍ରାମ ବିଦ୍ୟାଳୟରେ ପାଠପଢା ଶେଷ କଲା । ରାମବାବୁ ତାକୁ ସହରକୁ ନେଇ ସେଠାରେ ଗୋଟାଏ ବିଖ୍ୟାତ ବିଦ୍ୟାଳୟରେ ଭର୍ତ୍ତି କରିବାକୁ ସ୍ଥିର କଲେ । ସେ ବିଦ୍ୟାଳୟର ନାମ ଶୁଭଶ୍ରୀ ବିଦ୍ୟାପୀଠ । ତାକୁ ଆଚାର୍ଯ୍ୟ ବିଜୟ ଦେବ ନାମକ ଜଣେ ମହାନ ପଣ୍ଡିତ ସ୍ଥାପନ କରିଥିଲେ । ବିଜୟ ଦେବଙ୍କ ପରଲୋକ ପରେ ତାକୁ ତାଙ୍କ ପୁଅ ନାତିମାନେ ଚଳାଉଥିଲେ । ଶୁଭଶ୍ରୀ ବିଦ୍ୟାପୀଠର ସୁନାମ ଏତେ ବ୍ୟାପିଥାଏ ଯେ ସେ ବିଦ୍ୟାଳୟରୁ ଯିଏ ଉତୀର୍ଣ୍ଣ ହେବ, ସିଏ ଆଖପାଖର ଯେ କୌଣସି ରାଜ୍ୟରେ ବଡ ଚାକିରୀ ପାଇଯିବ ।
ପରଲୋକଗତ ପଣ୍ଡିତ ବିଜୟ ଦେବଙ୍କ ପ୍ରତି ରାମବାବୁଙ୍କର ପ୍ରଗାଢ ଶ୍ରଦ୍ଧା ଥିଲା । ସେ ସ୍ଥିର କରିଥିଲେ, ପୁଅ ସେଠାରେ ଭର୍ତ୍ତି ହେବା ଅବସରରେ ସେ ବିଦ୍ୟାପୀଠକୁ ପାଞ୍ଚହଜାର ଟଙ୍କା ଦାନ କରିବେ ।
ସେ ଟଙ୍କା ସଂଗ୍ରହ କଲେ ଓ ସୁଦର୍ଶନକୁ ଧରି ସହରକୁ ଯିବାକୁ ବାହାରିଲେ । କିନ୍ତୁ ଦୁର୍ଭାଗ୍ୟକୁ ସେ ହଠାତ୍ ବେମାର ପଡିଗଲେ ।
ଭଲ ହେଲେ ସୁଦର୍ଶନକୁ ନେଇଯାଇ ଶୁଭଶ୍ରୀ ବିଦ୍ୟାପୀଠରେ ଭର୍ତ୍ତି କରି ଆସିବେ, ଏହି କଳ୍ପନା କରି ସେ ନିଜ ଚିକିତ୍ସା ସକାଶେ ବୈଦ୍ୟଙ୍କୁ ଡକାଇଲେ । ବୈଦ୍ୟ ଚିକିତ୍ସା ଆରମ୍ଭ କଲେ, କିନ୍ତୁ ଦେଖାଗଲା ରାମବାବୁଙ୍କ ଅସୁଖ ଭଲ ହେଉ ନାହିଁ । ସେ ଶଯ୍ୟାଶାୟୀ ହେଲେ ।
ବୈଦ୍ୟ ନିଜେ ଦୂର ଗାଁରେ ରହୁଥିବା ତାଙ୍କ ଗୁରୁଙ୍କୁ ଡକାଇଲେ । ଗୁରୁ ସେ ଅଂଚଳରେ ସବୁଠାରୁ ବଡ ବୈଦ୍ୟ । ସେ ଗଭୀର ମନଯୋଗ ସହକାରେ ରାମବାବୁଙ୍କ ଚିକିତ୍ସା କଲେ । କିନ୍ତୁ ଫଳ କିଛିବି ହେଲେ ହେଲା ନାହିଁ ।