ରାମବାବୁ ବଡ ହତାଶ ହେଲେ । ନିଜ ଅସୁସ୍ଥତା ଅଥବା ସମ୍ଭାବ୍ୟ ମୃତ୍ୟୁକଥା ଭାବି ସେ ଯେ ହତାଶ ହେଲେ, ତାହା ନୁହେଁ, ପୁଅକୁ ଶୁଭଶ୍ରୀ ବିଦ୍ୟାପୀଠରେ ନେଇ ଭର୍ତ୍ତି କରି ତାକୁ ଉପଯୁକ୍ତ ଭାବରେ ଶିକ୍ଷିତ କରିବା ନିମନ୍ତେ ତାଙ୍କର ଯେଉଁ ସ୍ୱପ୍ନଥିଲା, ସେହି ସ୍ୱପ୍ନ ବିଫଳ ହୋଇପାରେ ଭାବି ସେ ଅତ୍ୟନ୍ତ ଭାଙ୍ଗି ପଡିଲେ । ସୁଦର୍ଶନ ଅବଶ୍ୟ ସର୍ବଦା ତାଙ୍କର ସେବା କରୁଥାଏ ଓ ସେ ନିଶ୍ଚେ ଭଲ ହୋଇଯିବେ ବୋଲି ଆଶ୍ୱାସନା ବି ଦେଉଥାଏ, କିନ୍ତୁ ସେଥିରେ ତାଙ୍କ ମନ ଆଦୌ ମାନୁ ନଥାଏ ।
ସୁଦର୍ଶନକୁ ସମସ୍ତେ ଅତ୍ୟନ୍ତ ଭଲ ପାଉଥାନ୍ତି । ଗ୍ରାମ ବିଦ୍ୟାଳୟରେ ସେ ସିନା ପାଠପଢା ଶେଷ କରିଥାଏ, ହେଲେ ସେ ନିଜେ ବିଦ୍ୟାଚର୍ଚ୍ଚା ଛାଡି ନଥାଏ । ପାଖ ଗାଁରେ ଜଣେ ପଣ୍ଡିତ ଥିଲେ । ତାଙ୍କ ପାଖକୁ ଯାଇ ସେ ଶାସ୍ତ୍ର ପଢୁଥାଏ । ଗାଁରେ ଜଣେ ଭଲ ଗାୟକ ଥିଲେ । ତାଙ୍କ ପାଖରୁ ସେ ଗୀତ ଶିଖି ତାଙ୍କଠୁଁ ବି ଅଧିକ ଭଲ ଗାଇ ପାରିଲା । ଗାଁରେ ଯିଏ ବଡ ବ୍ୟବସାୟୀ, ସିଏ ସୁଦର୍ଶନକୁ ବହୁତ ସ୍ନେହ କରୁଥିଲେ । ସୁଦର୍ଶନ ତାଙ୍କ ସହ ଗପସପ ହୋଇ ବେପାର ବଣିଜ, ହିସାବ ନିକାଶରେ ବି ଅନେକ କିଛି କଥା ଶିଖିଗଲା ।
ସୁଦର୍ଶନର ବ୍ୟବହାର ଯେପରି ନମ୍ର, ବୁଦ୍ଧି ବି ଠିକ୍ ସେହିପରି ଖୁବ୍ ପ୍ରଖର । ଯଦିଓ ସେତେବେଳେ ତା’ ବୟସ ମୋଟେ ଚଉଦ, ଗାଁ ଲୋକେ ଅନେକ ପ୍ରକାର ସମସ୍ୟା ଉପରେ ତା’ର ପରାମର୍ଶ ଲୋଡୁଥାନ୍ତି । ସୁଦର୍ଶନ ସମସ୍ତଙ୍କୁ ଏପରି ଯୁକ୍ତିଯୁକ୍ତ ପରାମର୍ଶ ଦେଉଥାଏ ଯେ ସମସ୍ତେ ସେଥିରେ ମୁଗ୍ଧ ହେଉଥାନ୍ତି ।
ରାମବାବୁଙ୍କ ଅସୁଖ ଭଲ ନ ହେବାରୁ ସୁଦର୍ଶନ ବଡ ବିଚଳିତ ବୋଧ କଲା । ସେ ଗାଁ ବୈଦ୍ୟଙ୍କଠାରେ ଥିବା ଚିକିତ୍ସାଶାସ୍ତ୍ରର ପୋଥିପତ୍ର ପଢିବାକୁ ଆରମ୍ଭ କଲା । ଏଣେ ତାକୁ ବାପାଙ୍କ ରୋଗର ଉପସର୍ଗାମାନ ଭଲ କରି ଲକ୍ଷ୍ୟ କରିବାକୁ ପଡିଲା । ଶେଷରେ ତା’ର ବିଶ୍ୱାସ ହେଲା କି ସେ ରୋଗର ନିରାକରଣ ନିମନ୍ତେ ଯେଉଁ ଔଷଧ ଲୋଡା, ତାହା ସେ ନିଜେ ପ୍ରସ୍ତୁତ କରିପାରିବ । ସେହି ବିଶ୍ୱାସ ଅନୁସାରେ ସେ ଚେରମୂଳ ସଂଗ୍ରହ କଲା ଏବଂ ଔଷଧ ପ୍ରସ୍ତୁତ କରି ରାମବାବୁଙ୍କୁ ତାହା ଖୁଆଇଲା ।
ଆଶ୍ଚର୍ଯ୍ୟର କଥା, ସେ ଔଷଧ ସେବନ କରି ରାମବାବୁ ସୁସ୍ଥ ହେବାକୁ ଲାଗିଲେ । ମାସକ ପରେ ସେ ନିଜର ପୂର୍ବ ସ୍ୱାସ୍ଥ୍ୟ ଓ ବଳ ପୁଣି ଫେରି ପାଇଲେ ।
ପୁଅର ଔଷଧ କାମ କରୁଛି ଦେଖି ରାମବାବୁ ଏଡେ ଉତ୍ସାହ ଅନୁଭବ କଲେ ଯେ ସେଥିଯୋଗୁଁ ତାଙ୍କ ଆରୋଗ୍ୟ ଦୃଢତର ହେଲା । ସେ ମନେ ମନେ ନିଜ ଆରୋଗ୍ୟ ସକାଶେ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ପୁଅର ଭବିଷ୍ୟତ ଯେପରି ନିରାପଦ ଓ ଉଜ୍ଜ୍ୱଳ ହେବ, ସେଥିପାଇଁ ସେ ପ୍ରାର୍ଥନାବି କଲେ ।
ବୈଦ୍ୟ ରାମବାବୁଙ୍କୁ କହିଲେ, “ଭାଇ! ଯାହା ମୁଁ ଏବଂ ମୋ ଗୁରୁ ପାରିଲେ ନାହିଁ, ତାହା ସୁଦର୍ଶନ ପାରିଲା । ଏହା କ’ଣ କିଛି କମ୍ କଥା? ଏଥିରୁ ଯାହା ଜଣାପଡୁଛି ଯେ ସୁଦର୍ଶନର ଜ୍ଞାନ ଓ ବୁଦ୍ଧି ଅସାଧାରଣ । ତମେ ତାକୁ ନେଇଯାଇ ଶୁଭଶ୍ରୀ ବିଦ୍ୟାପୀଠରେ ଚିକିତ୍ସା ବିଦ୍ୟା ପଢାଅ । ତଦ୍ୱାରା ଦେଶର ଓ ଦଶର ବହୁତ ଉପକାର ହେବ । ମୋ ବନ୍ଧୁ ଦୀନନାଥ ସେଠି ଆୟୁର୍ବେଦ ବିଭାଗରେ କାମ କରନ୍ତି । ସେ ତୁମକୁ ଏଥିଲାଗି ନିଶ୍ଚୟ ସାହାଯ୍ୟ କରିବେ ।” ରାମବାବୁ ଆଉ ବିଳମ୍ବ ନକରି ସୁଦର୍ଶନକୁ ଧରି ସହର ଅଭିମୁଖେ ବାହାରିଲେ । ସେ ତାଙ୍କ ସାଥିରେ ପାଞ୍ଚହଜାର ଟଙ୍କା ବି ନେଲେ ।
ପ୍ରଥମ ଦିନ ବାଟ ଚାଲି ରାତିରେ ସେମାନେ ଗୋଟିଏ ଚଟିଘରେ ଆଶ୍ରୟ ନେଲେ । ସେହି ଚଟିଘରେ ସେଦିନ ଜଣେ ବଣିକ ବି ରହିଥାନ୍ତି । ସୁଦର୍ଶନ ସହ ତାଙ୍କର କଥାବାର୍ତ୍ତା ହେଲା । ସେ ସୁଦର୍ଶନର ବାଣିଜ୍ୟବୁଦ୍ଧି ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ ଓ ରାମବାବୁଙ୍କୁ କହିଲେ, “ଆପଣ ଶୁଭଶ୍ରୀ ବିଦ୍ୟାପୀଠରେ ପୁଅକୁ ଭର୍ତ୍ତି କରିବାର ସିଦ୍ଧାନ୍ତ ନେଇ ଖୁବ୍ ଭଲ କରିଛନ୍ତି । ତାକୁ ବାଣିଜ୍ୟ ବିଦ୍ୟା ପଢାଇବେ । ମୋ ସାନଭାଇ ସେ ବିଭାଗର ମୁଖ୍ୟ ଅଧ୍ୟାପକ । ତା’ ନାମ ଭଦ୍ରସେନ । ତାକୁ ମୋ ନାମ କହିଲେ ସେ ଆପଣଙ୍କ ପୁଅକୁ ସିଧାସଳଖ ଭର୍ତ୍ତି କରିନେବ ।”
ଦ୍ୱିତୀୟ ଦିନ ରାତିରେ ରାମବାବୁ ନିଜ ପୁଅ ସହ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରାତି ବିତାଇଲେ । ସେ ବନ୍ଧୁ ସୁଦର୍ଶନର ସାହିତ୍ୟ ଜ୍ଞାନ ଦେଖି ଅତ୍ୟନ୍ତ ମୁଗ୍ଧ ହେଲେ ଓ କହିଲେ, “ସୁଦର୍ଶନକୁ ସାହିତ୍ୟରେ ଅଧିକ ପଢାଅ । ଶୁଭଶ୍ରୀ ବିଦ୍ୟାପୀଠରେ ମୋର ମାମୁଁ ସାହିତ୍ୟ ବିଭାଗର ଅଧ୍ୟାପକ । ତାଙ୍କ ନାମ ଜୀବନ ଚନ୍ଦ୍ର । ତାଙ୍କୁ ମୋ କଥା କହିବ । ସେ ସବୁ ସୁବିଧା କରିଦେବେ ।”
ରାମବାବୁ ତାଙ୍କ ପୁଅକୁ କେଉଁ ବିଷୟରେ ପଢାଇବେ, ସେକଥା ସେ ସ୍ଥିର କରିପାରିଲେ ନାହିଁ । ପୁଅକୁ ପଚାରିଲେ ସେ କହେ, “ଯେ କୌଣସି ବିଷୟରେ ପଡିବାକୁ ମୁଁ ପ୍ରସ୍ତୁତ ।”
ଦୁହେଁ ଯାଇ ତୃତୀୟ ଦିନ ସହରରେ ପହଁଚିଲେ; ଗୋଟିଏ ଚଟିଘରେ ଜିନିଷପତ୍ର ରଖି ସେ ଦୁହେଁ ପ୍ରଥମେ ଯାଇ ଦୀନନାଥଙ୍କୁ ଭେଟିଲେ । ସୁଦର୍ଶନ ଚିକିତ୍ସା ବିଦ୍ୟା ପଢିବାକୁ ଇଚ୍ଛା କରୁଛି ଶୁଣି ଦୀନନାଥ ତାଚ୍ଛଲ୍ୟପୂର୍ଣ୍ଣ କଣ୍ଠରେ କହିଲେ, “ଯାହା ପରିବାରରେ କେହି କେବେ ଚିକିତ୍ସା ବିଦ୍ୟା ଅଧ୍ୟୟନ କରିନାହିଁ, ସିଏ ସେ ବିଦ୍ୟା ଆୟତ କରିବା କ’ଣ ଏତେ ସହଜ?”
ରାମବାବୁ କହିଲେ “ଆପଣ ସୁଦର୍ଶନକୁ ପରୀକ୍ଷା କରାନ୍ତୁ । ଦେଖିବେ ସେଦିଗରେ ତା’ର ହୁଏତ ଯୋଗ୍ୟତା ଅଛି!”
ଦୀନନାଥ ରୋକଠୋକ୍ ଶୁଣାଇ ଦେଲେ “ପ୍ରାର୍ଥୀର ପ୍ରଥମ ଯୋଗ୍ୟତା ହେଲା ତା’ ବାପା ଅଥବା କକେଇ ଅଥବା ମାମୁଁ ବୈଦ୍ୟ ହୋଇଥିବେ!”
ହତାଶ ହୋଇ ଦୁହେଁ ଭଦ୍ରସେନଙ୍କ ପାଖରେ ଆସି ପହଁଚିଲେ । ସେ ସୁଦର୍ଶନ ବାଣିଜ୍ୟ ବିଦ୍ୟା ପଢିବାକୁ ଚାହେଁ ବୋଲି ଶୁଣି ହାତ ହଲାଇଦେଇ କହିଲେ, “ଯେଉଁମାନେ ମଫସଲରେ ଜନ୍ମି ଗାଁ ବିଦ୍ୟାଳୟରେ ପଢିଛନ୍ତି, ସେମାନେ ବାଣିଜ୍ୟ ବିଦ୍ୟାରେ ଆଦୌ ଧୁରନ୍ଧର ହୋଇ ପାରିବେ ନାହିଁ । ବରଂ ତୁମେ ଯାଅ, ସାହିତ୍ୟ ପଢ ।”
ସେଉଠୁ ସେ ଦୁହେଁ ଜୀବନ ଚନ୍ଦ୍ରଙ୍କ ଦ୍ୱାରସ୍ଥ ହେଲେ । ଜୀବନ ଚନ୍ଦ୍ର କହିଲେ, “ସାହିତ୍ୟ ସହଜ ବୋଲି ଭାବି ଯେଉଁମାନେ ଏଠାକୁ ପଢିବାକୁ ଆସନ୍ତି, ସେମାନେ ସାହିତ୍ୟକୁ ଅପମାନ କରନ୍ତି । ସେଭଳି ପ୍ରାର୍ଥୀ ଆମର ଏଠାରେ ଲୋଡା ନାହିଁ ।”
ରାତିରେ ବାପା ପୁଅ ଚଟିଘରକୁ ଲେଉଟି ଆସିଲେ । ଚଟିଘରର ମାଲିକ ସହ ଗପସପ ହେବା ଭିତରେ ରାମବାବୁ ତାଙ୍କୁ ସବୁ କହିଲେ । ତାଙ୍କ କଥା ଶୁଣିବା ମାତ୍ରେ ସେ ଚଟିଘରର ମାଲିକ ହସି ହସି କହିଲେ, “ଆପଣ ବହୁତ ସରଳ ଲୋକ ଦେଖୁଛି । ଆପଣ ବିଦ୍ୟାପୀଠକୁ କିଛି ଟଙ୍କା ଦିଅନ୍ତୁ । ତା’ପରେ ଦେଖିବେ ସେମାନେ ଅତି ଆନନ୍ଦରେ ତୁମ ପୁଅକୁ ଗ୍ରହଣ କରିନେବେ ।”
ରାମବାବୁ ପଚାରିଲେ “କେତେ ଟଙ୍କା ଦେବାକୁ ହେବ?”
ଚଟିଘରର ମାଲିକ କହିଲେ “ହଜାରେ ଦେଲେ ବହୁତ ହେବ ।”
ରାମବାବୁ ଆଉ କିଛି କହିଲେ ନାହିଁ । ପରଦିନ ସକାଳେ ବାପା ପୁଅ ନିଜ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
ବେତାଳ ଟିକିଏ ଚୁପ୍ ରହି କହିଲା, “ରାଜା! ମୋର ଗୋଟାଏ ବିଶେଷ ସନ୍ଦେହ ରହିଯାଇଛି । ରାମବାବୁ ତ ପାଞ୍ଚହଜାର ଟଙ୍କା ଅନୁଷ୍ଠାନକୁ ଦାନ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଆସିଥିଲେ । ଶେଷକୁ ହଜାରେ ଟଙ୍କା ଦେବାକୁ ବା ସେ କାହିଁକି କୁଣ୍ଠିତ ହେଲେ? ସେ କାହିଁକି ସୁଦର୍ଶନକୁ ଶିକ୍ଷା ଲାଭରୁ ବଂଚିତ କଲେ? ପାରିଲେ ମୋ ଏସବୁ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ରାମବାବୁ ବୁଝିପାରିଲେ ଯେ ଆଚାର୍ଯ୍ୟ ବିଜୟଦେବଙ୍କ ପରେ ତାଙ୍କ ଶୁଭଶ୍ରୀ ବିଦ୍ୟାପୀଠର ଅଧୋଗତି ହୋଇଛି । ସେ ବିଦ୍ୟାପୀଠର ସୁନାମ ଯୋଗୁଁ ସେଠାରୁ ଉତୀର୍ଣ୍ଣ ଛାତ୍ରମାନେ ଭଲ ଭଲ ଚାକିରୀ ପାଆନ୍ତି ବୋଲି ବିଦ୍ୟାପୀଠର ଅଧିକାରୀମାନେ ଯୋଗ୍ୟତା ଉପରେ ଯୋର ନଦେଇ ନିଜ ମନମୁତାବକ ଛାତ୍ର ଗ୍ରହଣ କରୁଥିଲେ । ଶିକ୍ଷକମାନଙ୍କର ଯେଉଁ ନମୁନା ରାମବାବୁ ଦେଖିଲେ, ସେଥିରୁ ତାଙ୍କର ଏହି ଧାରଣା ହେଲା ଯେ, ସେ ଅନୁଷ୍ଠାନରେ ଆଉ ଉପଯୁକ୍ତ ଶିକ୍ଷାଦାନ ହେଉ ନାହିଁ । ଆଚାର୍ଯ୍ୟ ବିଜୟଦେବଙ୍କ ପ୍ରତି ଶ୍ରଦ୍ଧା ସକାଶେ ସେ ପାଞ୍ଚହଜାର ଟଙ୍କା ଧରି ଆସିଥିଲେ । ବର୍ତ୍ତମାନ ଦେଖିଲେ ଟଙ୍କା ପାଇଲେ ଛାତ୍ରଙ୍କୁ ଭର୍ତ୍ତି କରା ହେଉଛି । ସେ କ୍ଷେତ୍ରରେ ସେ ଟଙ୍କା ବାଧ୍ୟ କରି ଆଦାୟ କରାହେଉଛି । ସ୍ୱତଃସ୍ଫୁର୍ତ ଭାବରେ ଦାନ ଦେବା ଗୋଟାଏ କଥା, ଆଉ ବାଧ୍ୟ ହୋଇ ଦେବା ଭିନ୍ନ କଥା । ରାମବାବୁ ବାଧ୍ୟ ହୋଇ ଦେବାକୁ ପ୍ରସ୍ତୁତ ନଥିଲେ । ତା’ପରେ ଅନୁଷ୍ଠାନ ଉପରୁ ଯେତେବେଳେ ତାଙ୍କର ଶ୍ରଦ୍ଧା ଚାଲି ଯାଇଥିଲା, ସେତେବେଳେ ସେ ବା ଆଉ କାହିଁକି ଟଙ୍କା ଦିଅନ୍ତେ? ସୁଦର୍ଶନକୁ ସେ ଶିକ୍ଷା ଲାଭରୁ ବଂଚିତ କରି ନାହାଁନ୍ତି, ବରଂ ସେ ତାକୁ କୁଶିକ୍ଷାରୁ ବଂଚିତ କଲେ । ସୁଦର୍ଶନ ଯେପରି ପିଲା, ନିଜ ଅଧ୍ୟବସାୟ ଦ୍ୱାରା ସେ ଶିକ୍ଷାଲାଭ କରି ଚାଲିଥିବ ।”
ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।