ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବମଲ୍ଲଙ୍କ କାହାଣୀ

ଅମୃତାଙ୍କ ପତ୍ର ପଢି ବିଜୟସେନଙ୍କ କ୍ରୋଧର ଆଉ କୌଣସି ସୀମା ରହିଲା ନାହିଁ । କାହିଁକିନା ସେ ପତ୍ରଟିର ସାରାଂଶ ଏହିଭଳି ଥିଲା – “କ୍ଷମା କରିବେ । ନିକଟ ଭବିଷ୍ୟତରେ ମୋର ବିବାହ କରିବାପାଇଁ ମୋଟେ ଇଚ୍ଛା ନାହିଁ । ବଳପୂର୍ବକ ବିବାହ କରିବାର ଲାଳସା ତ୍ୟାଗ କରିବେ । ଆପଣଙ୍କର ବିଶାଳ ସୈନ୍ୟବାହିନୀ ସହାୟତାରେ, ଆମ ରାଜ୍ୟ ଉପରେ ବିଜୟ ଲାଭ କରିବା ଏକ ଆୟସମାଧ୍ୟ କାର୍ଯ୍ୟ । କିନ୍ତୁ ରାଜ୍ୟ ଜୟର ଅର୍ଥ ନୁହେଁ, ମୋର ହୃଦୟ ଜୟ । ଖୁବ୍ ଚିନ୍ତା କରି ନିଷ୍ପତି ନେବେ ।”

ଚିଠିଟିକୁ ବାରମ୍ବାର ପଢିବାପରେ ବିଜୟସେନ ନିଜର ଅହଂତାକୁ ବୁଝିପାରିଲେ । ଧୀରମନରେ ସେ ଚିନ୍ତା କଲେ, ପ୍ରକୃତରେ ପାରସ୍ପରିକ ସ୍ନେହ ଓ ଅନୁରାଗ ବିନା, ସୈନ୍ୟ ବଳର ଭୟ ଓ ଧମକ ଦେଖାଇ, ରାଜକୁମାରୀଙ୍କୁ ବିବାହ କରିବା ଅନୁଚିତ୍ । ଏହା ମଧ୍ୟ ରାଜୋଚିତ ନ୍ୟାୟ ସଂଗତ କାର୍ଯ୍ୟ ନୁହେଁ ।

ଧୀରସେନଙ୍କ ମନରେ ଭୟଥିଲା, ହୁଏତ ତାଙ୍କ କନ୍ୟାର ପତ୍ର ପଢି ବିଜୟସେନ ତାଙ୍କ ରାଜ୍ୟକୁ ତୁରନ୍ତ ଆକ୍ରମଣ କରିବେ । କିନ୍ତୁ ଏହି ଭିତରେ ଦୁଇ ତିନି ମାସ ବିତିଗଲେ ମଧ୍ୟ, ଏପରି କିଛି ନ ଘଟିବାରୁ, ସେ ମନେକଲେ, ସମ୍ଭବତଃ ବିଜୟସେନ ଅନ୍ୟକେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ ସ୍ଥିର କଲେ ।

କିନ୍ତୁ ଅମୃତା ତାଙ୍କ ପିତାଙ୍କୁ କହିଲେ, “ମୋର ଅନୁମାନ ସତ୍ୟ ହେଲା । ମୋର ଧାରଣା ଥିଲା, ବିଜୟସେନ ମୋ ପତ୍ର ପଢିବା ପରେ, ଯୁଦ୍ଧର ବିଚାର ତ୍ୟାଗ କରିବେ । ମୋ ପ୍ରତି ତାଙ୍କର ଆସକ୍ତି ଭାବ ବଢିବ । ସେହି ଅନୁରୂପ ଫଳାଫଳ ମିଳିଛି ।”

ଏହାର କିଛିଦିନ ପରେ, ଦିନେ ଅମୃତା ତାଙ୍କ ଉଦ୍ୟାନରେ ବିଚରଣ କରୁଥିବାବେଳେ ଦେଖିଲେ, ଉଦ୍ୟାନର ଦ୍ୱାରଦେଶରେ ଶିବମଲ୍ଲ ଠିଆ ହୋଇଛନ୍ତି । ରାଜକୁମାରୀ ଏପଟ ସେପଟ ବୁଲି ଉଦ୍ୟାନର ଶୋଭା ନିରୀକ୍ଷଣ କରୁଥିବା ସମୟରେ ଶୁଷ୍କପତ୍ର ଭିତରେ ଲୁଚିଥିବା ଗୋଟିଏ ସର୍ପକୁ ସେ ତାଙ୍କ ପାଦରେ ମାଡିଦେଲେ । ସର୍ପ ସଙ୍ଗେସଙ୍ଗେ ତାଙ୍କୁ ଦଂଶନ କଲା ।

ରାଜକୁମାରୀ ଆର୍ତନାଦ କରି, ଅଚେତ୍ହୋଇ ତଳେ ପଡିଗଲେ । ଶିବମଲ୍ଲ ଏଇ ଦୁର୍ଦ୍ଦଶା ଦେଖି ବିଜୁଳିବେଗରେ ଛୁଟିଆସି, ଫୁଲବୁଦା ଆଢୁଆଳରେ ଲୁଚିଯାଉଥିବା ରକ୍ତବର୍ଣ୍ଣର ସାପଟିକୁ ଖଣ୍ଡାରେ ଚୋଟ ପକେଇ ହାଣିଦେଲା ।

ଏହି ସମାଚାର ପାଇ ରାଜା,ରାଣୀ ସେଠାକୁ ଧାଇଁ ଆସିଲେ । ସେତେବେଳକୁ ଶିବମଲ୍ଲ ରାଜବୈଦ୍ୟଙ୍କୁ ଆଣି ସାରିଥିଲେ । ମୃତ ସାପଟିକୁ ଦେଖି ରାଜବୈଦ୍ୟ ସ୍ତମ୍ଭିତ ହୋଇଗଲେ । କିଛି ପତ୍ର ଛେଚି ତା’ର ରସ ରାଜକୁମାରୀଙ୍କ ପାଦରେ ବୋଳି ଦେଇ ରାଜବୈଦ୍ୟ କହିଲେ, “ମହାରାଜ, ଅଳ୍ପ ସମୟ ମଧ୍ୟରେ ରାଜକୁମାରୀ ଚେତା ଫେରିପାଇବେ । କିନ୍ତୁ ଦୁଃଖର କଥା, ସେ ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇ ବସିବେ । ତାଙ୍କୁ ଦଂଶନ କରିଥିବା ସାପ କୌଣସି ସାଧାରଣ ସାପ ନୁହେଁ, ଏହା ରକ୍ତବୀର୍ଯ୍ୟ ସର୍ପ । ଶୁଣିଛି, ପୂର୍ବ ଦିଗରେ ରକ୍ତପିପାସୀ ନାମକ ଏକ ପର୍ବତ ରହିଛି, ଯାହାକି ଏହି ଧରଣର ସର୍ପମାନଙ୍କର ବାସସ୍ଥଳୀ ଅଟେ । ଏପରି ଭୟଙ୍କର ବିଷଧାରୀ ସର୍ପ ଆମ ଉଦ୍ୟାନକୁ ଆସି ରାଜକୁମାରୀଙ୍କୁ ଦଂଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।”

ଚେତା ଫେରି ଆସୁ ଆସୁ ରାଜକୁମାରୀ ନିଜ ଆଖି ମଳିମଳି କରି କହିଲେ, “ଶିବମଲ୍ଲ, ମତେ କାହିଁକି କିଛି ଦିଶୁନାହିଁ? ମୁଁ କ’ଣ ଆଉ ଅନ୍ଧୁଣି ହୋଇଗଲି କି?” ରାଜକୁମାରୀ ଏହିକଥା ଗଦ୍ଗଦ୍ କଣ୍ଠରେ କହୁଥାନ୍ତି ।       ଶିବମଲ୍ଲ କିଂକର୍ତ୍ତବ୍ୟବିମୂଢ ହୋଇ ଠିଆ ହୋଇରହିଥାନ୍ତି । ସେ ନିଜକୁ ଦୋଷୀ ମନେ କରୁଥାନ୍ତି । ରାଣୀ ନିଜ କନ୍ୟାକୁ ତାଙ୍କ କୋଳକୁ ନେଇ କାନ୍ଦିବାକୁ ଆରମ୍ଭ କଲେ । ରାଜା ନିଜକୁ ସମ୍ଭାଳି ନେଇ ବୈଦ୍ୟବରଙ୍କୁ ପଚାରିଲେ, “ଏପରି କିଛି ଉପାୟ ନାହିଁ, ଯାହାଦ୍ୱାରାକି ରାଜକୁମାରୀ ପୁଣି ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇବେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ