ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବଲୀଳା

ମହର୍ଷି ମୃକଣ୍ଡ ଭୃଗୁବଂଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ମରୁଦ୍ବତୀ ଥିଲା । ବିବାହର ବହୁ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ତେଣୁ ସେ ଦୁହେଁ ଅନେକ ଦିନ ଧରି ତପସ୍ୟା କଲେ ଓ ନାନା ତୀର୍ଥ କ୍ଷେତ୍ରରେ ବୁଲି ବୁଲି ଶେଷରେ କେଦାର ତୀର୍ଥରେ ସେମାନେ ଯାଇ ପହଁଚିଲେ । ଦିନେ ସେଠାରେ ସେ ଦୁହେଁ ବସି ଧ୍ୟାନ କରୁଥିବା ସମୟରେ ହଠାତ୍ ଏକ ଆକାଶବାଣୀ ହେଲା ଯେ, “ତୁମ ଦୁହିଁଙ୍କର ତପସ୍ୟା ପୂର୍ଣ୍ଣ ହୋଇଛି । ତେଣୁ ଏବେ ତୁମେମାନେ ତୁମ ନିଜ ଆଶ୍ରମକୁ ଫେରିଯାଅ । ଅବିଳମ୍ବେ ତୁମର ପୁତ୍ରଲାଭ ହେବ ।”

                ଏହାପରେ ସେ ଦୁହେଁ ଖୁବ୍ ଖୁସି ହୋଇ ଘରକୁ ଫେରିଲେ । ଏହି ଘଟଣାର ଠିକ୍ ବର୍ଷକ ପରେ ସେମାନଙ୍କର ଏକ ସୁନ୍ଦର ସ୍ୱାସ୍ଥ୍ୟବାନ୍ ପୁତ୍ରସନ୍ତାନଟିଏ ଜନ୍ମ ହେଲା । କିନ୍ତୁ ପିତାମାତାଙ୍କ ଏଭଳି ଆନନ୍ଦ ଆଉ ବେଶି ସମୟ ରହିଲା ନାହିଁ । ପୁନଶ୍ଚ ଆକାଶବାଣୀ ହେଲା, “ଏହି ଶିଶୁଟି ଅଳ୍ପାୟୁ, ମାତ୍ର ବାରବର୍ଷ ପର୍ଯ୍ୟନ୍ତ ସେ ବଂଚି ରହିବ ।”

ଏହି ବାଣୀ ଶୁଣି ସେ ଦୁହିଁଙ୍କର ହୃଦୟ ହାହାକାର କରି ଉଠିଲା । କିନ୍ତୁ ପରେ ସେମାନେ ଆପଣା ମନକୁ ଏହି ସାନ୍ତ୍ୱନା ଦେଲେ ଯେ, “ଏସବୁ ତ ସେହି ଦେବ ଦେବ ମହାଦେବ ଶିବଙ୍କ ଲୀଳା । ଆମେ ତ ସାଧାରଣ ପ୍ରାଣୀ କ’ଣ ବା ଆଉ କରି ପାରିବା?”

ମୁନି ମୃକଣ୍ଡ ପୁତ୍ରର ଜାତକକର୍ମ ଆଦି ଶେଷ କରି ନିଜ ନାମ ଅନୁସାରେ ସେ ତା’ର ନାମ ମାର୍କଣ୍ଡେୟ ରଖିଲେ ।

ସେ ପୁଅଟି କ୍ରମେ ବଡ ହେଲା । ଯଥା ସମୟରେ ପିତା ମୃକଣ୍ଡ ତାଙ୍କ ପୁତ୍ରର ଉପନୟନ କାର୍ଯ୍ୟ ଆଦି ଶେଷ କରି ତାକୁ ଆଚାର୍ଯ୍ୟଙ୍କ ନିକଟକୁ ଶିକ୍ଷା ପ୍ରାପ୍ତ କରିବାକୁ ପଠାଇଲେ । ଏଗାର ବର୍ଷ ବୟସରେ ସେ ମାର୍କଣ୍ଡେୟ ଗୁରୁକୂଳରୁ ଶିକ୍ଷା ସମାପ୍ତ କରି ପିତାମାତାଙ୍କ ପାଖକୁ ଲେଉଟି ଆସିଲା ।

ବ୍ରହ୍ମତେଜରେ ପ୍ରଦୀପ୍ତ ଅତ୍ୟନ୍ତ ତେଜସ୍ୱୀ ପୁତ୍ରର ମୁଖମଣ୍ଡଳ ଦେଖି ପିତାମାତାଙ୍କ ହୃଦୟ ଆନନ୍ଦମଗ୍ନ ହେବା ସଙ୍ଗେ ସଙ୍ଗେ ଦୁଃଖରେ ସେମାନଙ୍କର ମନ ପୁଣି ଭାଙ୍ଗି ପଡିଲା । ମା’ଙ୍କର ଅଶ୍ରୁଳ ମୁଖ ଦେଖି ପୁତ୍ର ତାହାର କାରଣ ପଚାରନ୍ତେ ମା’ ଅଧିକ କାନ୍ଦିବାକୁ ଲାଗିଲେ, କିନ୍ତୁ କିଛି ବି ଉତ୍ତର ଦେଲେ ନାହିଁ । ଶେଷରେ ପିତା ଏକ ଦୀର୍ଘାଶ୍ୱାସ ତ୍ୟାଗ କରି ସମସ୍ତ କଥା ମାର୍କଣ୍ଡେୟଙ୍କୁ କହିଲେ ।

ମାତାପିତାଙ୍କର ଦୁଃଖର କାରଣ ଜାଣିପାରି ମାର୍କଣ୍ଡେୟ କିଛି ସମୟ ଚିନ୍ତା କରିବାକୁ ଲାଗିଲେ ଓ ପରେ କହିଲେ, “ମା, ବାପା, ଆପଣମାନେ ମୋତେ ଆଶିର୍ବାଦ ଦିଅନ୍ତୁ, ମୁଁ ପରମ ଶିବଙ୍କୁ ତପସ୍ୟା ଦ୍ୱାରା ସନ୍ତୁଷ୍ଟ କରି ମୃତ୍ୟୁ ଉପରେ ବିଜୟ ଲାଭ କରି ପୁଣି ଆପଣମାନଙ୍କ ପାଖକୁ ଲେଉଟି ଆସିବି ।” ତା’ପରେ ସେ ତା’ପିତାମାତାଙ୍କୁ ପ୍ରଣାମ କରି ବିଦାୟ ନେଇ ଯାଉଛନ୍ତି, ଠିକ୍ ଏହି ସମୟରେ ସେଠାକୁ ଦେବର୍ଷି ନାରଦ ଆସି ପହଁଚିଲେ । ମୃକଣ୍ଡ ମୁନି ଦେବର୍ଷିଙ୍କର ଅଭ୍ୟର୍ଥନା କଲେ ଓ ତାଙ୍କୁ ସତ୍କାର କରି ସାରା ବୃତ୍ତାନ୍ତ ଜଣାଇଲେ । ନାରଦ, ମାର୍କଣ୍ଡେୟଙ୍କର ଏଭଳି ସଂକଳ୍ପର ଅନେକ ପ୍ରଶଂସା କଲେ ଓ ତାଙ୍କୁ ସେ କହିଲେ, “ବତ୍ସ ମାର୍କଣ୍ଡେୟ, ତମେ ଗୌତମୀ ନଦୀ ତଟକୁ ଯାଇ ଶିବପଂଚାକ୍ଷରୀ ମନ୍ତ୍ର ଜପ କର । ତାହେଲେ ଯାଇ ତୁମେ ଅବଶ୍ୟ ଶିବକୃପା ଲାଭ କରି ଜୀବନରେ ସଫଳ କାମ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ