ଦେବର୍ଷି ନାରଦଙ୍କ ଆଶିର୍ବାଦ ପାଇ ବାଳକ ମାର୍କଣ୍ଡେୟ ଗୌତମୀ ତଟରେ ଯାଇ ପହଁଚିଲେ ଓ ସେଠାରେ ଏକ ଶିବଲିଙ୍ଗ ପ୍ରତିଷ୍ଠା କରି ତପସ୍ୟା କରିବାକୁ ଲାଗିଲେ ।
ଏଣେ ନାରଦ ବୁଲି ବୁଲି ଯମପୁରରେ ଯାଇ ପହଁଚିଲେ ଓ ତାଙ୍କୁ କହିଲେ, “ଯମରାଜ, ଏବେ ତୁମର ପରୀକ୍ଷା ସମୟ ଆସିଲା । ବାଳକ ମାର୍କଣ୍ଡେୟ ତା’ର ଆସନ୍ନ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଶିବଙ୍କୁ ଘୋର୍ ତପସ୍ୟା କରୁଛି ।”
ମାର୍କଣ୍ଡେୟଙ୍କର ଆୟୁର ସମୟ ଶେଷ ହୋଇଯିବା ମାତ୍ରେ ଯମ ତାଙ୍କର ଦୂତମାନଙ୍କୁ ତୁରନ୍ତ ସେଠାକୁ ପଠାଇଲେ । କିନ୍ତୁ ସେମାନେ ମାର୍କଣ୍ଡେୟଙ୍କର ତପସ୍ୟା ଶକ୍ତି ଯୋଗୁଁ ତାଙ୍କ ନିକଟକୁ ଆଦୌ ଯାଇ ନ ପାରି ସେଠାରୁ ଲେଉଟି ଆସିଲେ । ତା’ପରେ ସ୍ୱୟଂ ଯମ ମଇଁଷି ଉପରେ ବସି ହାତରେ ମୃତ୍ୟୁପାଶ ଧରି ମାର୍କଣ୍ଡେୟଙ୍କ ପାଖକୁ ଗଲେ ।
ମାର୍କଣ୍ଡେୟ ସେତେବେଳେ ଶିବଲିଙ୍ଗଙ୍କୁ ଧରି ଶିବପଂଚାକ୍ଷରୀ ମନ୍ତ୍ର ଜପ କରୁଥା’ନ୍ତି । ଯମ ତାଙ୍କ ପାଶଟି ମାର୍କଣ୍ଡେୟଙ୍କ ଉପରକୁ ଫିଙ୍ଗିବା ମାତ୍ରେ ତାହା ଶିବଲିଙ୍ଗ ସହିତ ମାର୍କଣ୍ଡେୟଙ୍କ ଉପରେ ମଧ୍ୟ ପଡିଲା । ଫଳରେ ତତ୍କ୍ଷଣାତ୍ ଶିବ ସେଠାରେ ପ୍ରବଳ ରୂଦ୍ର ରୂପ ନେଇ ପ୍ରକଟ ହେଲେ ଓ ଯମରାଜଙ୍କୁ ତ୍ରିଶୁଳ ମାରିଲେ । ସେହି ତ୍ରିଶୁଳର ଆଘାତରେ ଯମରାଜ ଭୂମିରେ ଲୋଟି ପଡିଲେ ।
ଶିବ ମାର୍କଣ୍ଡେୟଙ୍କ ମସ୍ତକରେ ନିଜର ଅଭୟ ହସ୍ତ ରଖି କହିଲେ, “ବତ୍ସ, ମୃତ୍ୟୁ ତତେ କେବେବି ମଧ୍ୟ ସ୍ପର୍ଶ କରି ପାରିବ ନାହିଁ । କଳ୍ପ କଳ୍ପ ପର୍ଯ୍ୟନ୍ତ ତୁ ଏମିତି ଜୀବିତ ରହି ଉଭୟ ଜ୍ଞାନମାର୍ଗ ଓ ଭକ୍ତିମାର୍ଗର ପ୍ରଚାର ପ୍ରଶାର କରିବୁ ।”
ଯମରାଜଙ୍କ ବିନା ପୃଥିବୀ ଅଚଳ । ତା’ପରେ ଦେବତାମାନେ ଶିବଙ୍କ ନିକଟକୁ ଯାଇ ତାଙ୍କୁ ପ୍ରାର୍ଥନା କରି କହିଲେ, “ହେ ମହାଶିବ, ଯମରାଜ ଏପରି ପଡିରହିଲେ ସାରା ସଂସାରରୁ ଧର୍ମ ଉଠିଯିବ । ତା’ଛଡା ସେ ପୁଣି ମୃତ୍ୟୁର ଦେବତା । ଏଣୁ ତାଙ୍କୁ ଆପଣ ଯଥାଶୀଘ୍ର ଶକ୍ତି ଦିଅନ୍ତୁ ।” ଶିବଙ୍କ ଶକ୍ତି ସାହାଯ୍ୟରେ ଯମରାଜ ପୁଣି ପୁନର୍ଜିବିତ ହୋଇ ଉଠିଲେ ।
ଏଣେ ମୃକଣ୍ଡ ଋଷି ଓ ତାଙ୍କ ପତ୍ନୀ ମରୁଦ୍ବତୀ ପୁତ୍ରକୁ ଏତେଦିନ ହେଲା ନ ଦେଖି ତା’ର ମୃତ୍ୟୁ ସମୟ କଥା ଭାବି ପୁତ୍ରକୁ ଖୋଜି ଖୋଜି ଆସି ସେହି ବଣରେ ପହଁଚିଲେ । ସେମାନେ ଶିବ-ଅନୁଗ୍ରହ ପ୍ରାପ୍ତ ପୁତ୍ରର ଉଜ୍ଜ୍ୱଳ ମୁଖମଣ୍ଡଳ ଦେଖି ଅତ୍ୟନ୍ତ ଆନନ୍ଦରେ ମଗ୍ନ ହେଲେ । ସେମାନେ ସମସ୍ତେ ଶିବଙ୍କ ଲୀଳାର ସ୍ତୋତ୍ରଗାନ କରୁ କରୁ ନିଜ ରାଜ୍ୟରେ ଆସି ପହଁଚିଲେ । ତା’ପରେ ମାର୍କଣ୍ଡେୟ ଶିବଙ୍କର ଭକ୍ତ ହୋଇ ଦୀର୍ଘକାଳ ଜୀବିତ ରହିଲେ ।
ରାଜା ଇନ୍ଦ୍ରଦ୍ୟୁମ୍ନ ନିଜର ଶାସନ କାଳରେ ଅପାର ଯଶ ଓ ପୁଣ୍ୟ ଲାଭ କରି ମୃତ୍ୟୁ ପରେ ସ୍ୱର୍ଗକୁ ଗଲେ । ସେହି ପୁଣ୍ୟ କ୍ଷୟ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ସୁଖରେ ବାସ କଲେ । ଅନେକ ଦିନ ପରେ ଦେବତାମାନେ ତାଙ୍କୁ କହିଲେ, “ଇନ୍ଦ୍ରଦ୍ୟୁମ୍ନ, ତୁମର ଯଶ ଓ ପୁଣ୍ୟ କ୍ରମେ କ୍ଷୀଣ ହେଉଛି । ଏବେ ପୃଥିବୀରେ ତୁମକୁ ଆଉ କେହି ବି ମନେ କରୁ ନାହାଁନ୍ତି । ତେଣୁ ତୁମେ ପୁଣି ପୃଥିବୀପୃଷ୍ଠକୁ ଫେରିଯାଅ ।”
ରାଜା ଇନ୍ଦ୍ରଦ୍ୟୁମ୍ନ ପୃଥିବୀ ପୃଷ୍ଠକୁ ଫେରି ଆସି ପ୍ରଥମେ ସେ ଯାଇ ଋଷି ମାର୍କଣ୍ଡେୟଙ୍କୁ ନିଜ ବିଷୟରେ ପଚାରିଲେ । ସେ କହିଲେ, “ଅବଶ୍ୟ ମୋର ବହୁତ ଆୟୁ । ତେବେ ମୁଁ ତ ଆପଣଙ୍କ ସମ୍ବନ୍ଧରେ ବେଶି କିଛି ଜାଣେ ନାହିଁ । ଚାଲନ୍ତୁ ପ୍ରାବାରକର୍ଣ୍ଣ ନାମକ ଏକ ଉଲ୍ଲୁକ ଅଛି ଯାହାର ଆୟୁ ମୋଠାରୁ ବି ଅଧିକା, ତାକୁ ପଚାରିବା ।”
ପ୍ରାବାରକର୍ଣ୍ଣ ସବୁକଥା ଶୁଣି କହିଲା, “ମୁଁ ତ ଆପଣଙ୍କୁ ମୋଟେ ଜାଣିନାହିଁ । ମୋ ଅପେକ୍ଷା ଅଧିକ ଆୟୁଷ ଥିବା ବଗଟିଏ ଅଛି; ତା’ ନାମ ହେଉଛି ନାଲିକଜଙ୍ଘ । ଆପଣ ସେଠାକୁ ଯାଆନ୍ତୁ ।”
ନାଲିକଜଙ୍ଘ ସବୁ ଶୁଣି କହିଲା, “ମୁଁ ତ ଆପଣଙ୍କୁ ଜାଣିନାହିଁ । ଚାଲନ୍ତୁ ମୋଠାରୁ ଅଧିକ ଆୟୁଷ ଥିବା କଚ୍ଛପ ଅକୂପାର ପାଖକୁ ଯିବା ।” ଅକୂପାର ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଖି କହିଲା, “ମହାରାଜ, ମୁଁ ତ ଆପଣଙ୍କୁ ଖୁବ୍ ଭଲ ଭାବରେ ଜାଣିଛି । ଆପଣଙ୍କ ଶାସନ କାଳରେ ଆପଣ ଅନେକ ଯଜ୍ଞ କରି ଅନେକ ଦାନ ଦେଇଥିଲେ । ଦାନ ଦେଇଥିବା ଗୋରୁମାନଙ୍କ ଖୁରାରେ ମାଟି ଉଠି ଉଠି ଖାଲ ହୋଇ ଯେଉଁ ପୁଷ୍କରିଣୀର ସୃଷ୍ଟି ହୋଇଛି ସେଇଠାରେହିଁ ମୁଁ ବାସ କରୁଛି, ଇଏ ହେଉଛି ସେହି ପୁଷ୍କରିଣୀ ।”
ଏକଥା ଶୁଣି ଦେବଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ ଓ ଦେଖିଲେ ଏବେ ମଧ୍ୟ ଇନ୍ଦ୍ରଦ୍ୟୁମ୍ନଙ୍କ କୀର୍ତ୍ତି ପୃଥିବୀରେ ବିଦ୍ୟମାନ । ତେଣୁ ସେ ତାଙ୍କୁ ଦେବବିମାନରେ ବସାଇ ସ୍ୱର୍ଗକୁ ପୁଣି ଆଉଥରେ ନେଇଗଲେ ।
ଆହୁରି ଗୋଟିଏ କଥା । ଭୀମାବତୀ ଗ୍ରାମରେ ସୋମଯାଦୀ ନାମକ ଜଣେ ଶିବଭକ୍ତ ରହୁଥାନ୍ତି । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥାଏ । ତା’ର ନାମ ସିଦ୍ଧରାମ ଥିଲା । ସେ ପୁଅଟିକୁ ମାତ୍ର ସାତ ବର୍ଷର ହୋଇଥିଲାବେଳେ ତା’ର ପିତାଙ୍କର ସ୍ୱର୍ଗବାସ ହେଲା । ମା’ ପିଲାଟିକୁ କଷ୍ଟେ ମଷ୍ଟେ ଚଳାଇଥାଏ ।
ଦୀପାବଳୀ କିଛିଦିନ ଥାଏ । କିଛି ପତ୍ର ଓ ସମିଧ ଆଣିବା ପାଇଁ ସିଦ୍ଧରାମ ସାଥୀ ବାଳକମାନଙ୍କ ସହିତ ବଣକୁ ଗଲା । ବାଳକମାନେ ସେଠାରେ ଗୋଟାଏ ବରଗଛ ତଳେ ବସି କଥାବାର୍ତ୍ତା କରୁଥାନ୍ତି । ବାଳକମାନେ କହୁଥାନ୍ତି, “ଏବେ ଦୀପାବଳୀରେ ଆମର ବଡ ଭଉଣୀ ଓ ଭିଣେଇ ଆସିବେ ଓ କେବଳ ସେଇଥିଲାଗି ଅନେକ ମିଠାଇ ତିଆରି ହେବ ।”
ସାଙ୍ଗମାନଙ୍କ କଥା ଶୁଣି ସିଦ୍ଧରାମ କହିଲା, “ମୁଁ ବି ମୋ ଭଉଣୀ ଓ ଭିଣୋଇଙ୍କୁ ନିମନ୍ତ୍ରଣ କରିବି । ଆମ ଘରେ ପାୟସ ତିଆରି ହେବ । ସେମାନେ ନୂଆ ଲୁଗା ପିନ୍ଧିବେ ।”
ଏକଥା ଶୁଣି ଅନ୍ୟ ପିଲାମାନେ ହସି ହସି ଗଡିଗଲେ ଓ କହିଲେ, “କିରେ ସିଦ୍ଧୁ, ତୋର ତ ଆଦୌ ଭଉଣୀ ନାହିଁ, ପୁଣି ଭିଣୋଇ କେଉଁଠୁ ଆସିବେ । କିଏ ତୋ ଭଉଣୀ? ତା’ ନାମ କ’ଣ?”
ଏସବୁ ପ୍ରଶ୍ନ ଶୁଣି ସେ ଖୁବ୍ ବ୍ୟଥିତ ହୋଇ କାନ୍ଦି କାନ୍ଦି ଘରକୁ ଫେରିଲା । ତାକୁ ଦେଖି ତା’ର ମା’ ଅତ୍ୟନ୍ତ ବ୍ୟସ୍ତ ହୋଇ ପଚାରିଲେ, “କିରେ ପୁଅ, ତୋର କ’ଣ ହୋଇଛି, କାହିଁକି ତୁ ଏମିତି କାନ୍ଦୁଛୁ?”
ସିଦ୍ଧରାମ ମା’ଙ୍କୁ ସବୁକଥା କହି ପଚାରିଲା, “ମା’ ମୋର ଭଉଣୀ ଭିଣୋଇ କାହାଁନ୍ତି?”
ମା’ ଏଥର ସବୁ ବୁଝିଗଲେ ଓ ଧୈର୍ଯ୍ୟର ସହିତ ବୁଝାଇଲେ, “ପୁଅ ତୁ ସେମାନଙ୍କ କଥା ମୋଟେ ଶୁଣନା, ତୋର ଭଉଣୀର ନାମ ଭ୍ରମରାମ୍ବା ଓ ତୋର ଭିଣୋଇଙ୍କ ନାମ ମଲ୍ଲିକାର୍ଜୁନ । ସେମାନେ ଶ୍ରୀଶୈଳ ଉପରେ ନିବାସ କରନ୍ତି । ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ସେମାନେ । ତାଙ୍କର କାର୍ତ୍ତିକେୟ ଓ ଗଣେଶ ନାମରେ ଦୁଇଟି ପୁତ୍ର ଅଛନ୍ତି । ତୋର ଭିଣୋଇ ଏ ସମଗ୍ର ସଂସାରର ଅଧିକାରୀ । ତୋ ଭଉଣୀ ଓ ଭିଣୋଇ ପରି ଏ ସଂସାରରେ ଆଉ କେହି ବି ନାହାଁନ୍ତି ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।