ମା’ଙ୍କ କଥା ଶୁଣି ସିଦ୍ଧରାମ ଖୁବ୍ ଖୁସି ହୋଇଗଲା । ସେ ଉତ୍ସାହିତ ହୋଇ କହିଲା, “ମା, ଦୀପାବଳୀ ତ ଆଉ କିଛିଦିନ ପରେ ପଡିବ । ମୁଁ ଯାଇ ମୋର ଅପା ଓ ଭିଣୋଇଙ୍କୁ ନେଇ ଆସିବି । ସେମାନଙ୍କୁ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ ।”
“ସିଦ୍ଧୁ, ତୋ ବାପାଙ୍କର ମୃତ୍ୟୁ ପରେ ଆମ ଘରେ ଆଉ କିଏ ଅଛି ଯେ ସେମାନଙ୍କୁ ଡାକିବ? ତୁ ତ ସାନ ପିଲା । ସେମାନଙ୍କ ଘରକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ହେବ । ସେ ଜଙ୍ଗଲ ପୁଣି ବାଘ, ଭାଲୁ, ସିଂହ, ସାପ ଆଦି ଜନ୍ତୁ ଜାନୁଆରରେ ପୂର୍ଣ୍ଣ । ତୁ ବଡ ହୋଇଗଲେ ସେମାନଙ୍କୁ ନିମନ୍ତ୍ରଣ କରି ଆଣିବୁ ।” ଏହା କହି ସିଦ୍ଧୁର ମା’ ତାକୁ ବୁଝାଇବାକୁ ଲାଗିଲେ । ସିଦ୍ଧରାମ ସବୁ ଶୁଣି ଚୁପ୍ ରହିଲା ।
ପରଦିନ ସକାଳୁ ବିଛଣାରୁ ଉଠିପଡି ମା’ଙ୍କୁ କିଛି ନକହି ସିଦ୍ଧୁ ଚୁପ୍ଚାପ୍ ଘରୁ ବାହାରି ପଡିଲା । ଘନ ଜଙ୍ଗଲ ଭିତରେ ହିଂସ୍ର ପଶୁଙ୍କର ବିକଟାଳ ରଡିକୁ ଖାତିର୍ ନ କରି ସେ ଆଗକୁ ଆଗକୁ ଚାଲିଲା । କିଛିବାଟ ଗଲା ପରେ ଜଙ୍ଗଲ ଶେଷ ହେଲା ଓ ଏକ ସୁନ୍ଦର ରାସ୍ତା ସେ ଦେଖି ପାରିଲା । ରାସ୍ତାରେ ଚାଲୁଥିବା ଲୋକମାନଙ୍କୁ ପଚାରି ପଚାରି ଶ୍ରୀଶୈଳମ୍ରେ ସେ ଯାଇ ପହଁଚିଲା । ସେଠାରେ ଦେଖିଲା ଅନେକ ମନ୍ଦିର ରହିଛି । ତା’ପରେ ସେ ଜଣେ ତୀର୍ଥଯାତ୍ରୀଙ୍କୁ ପଚାରିଲା, “ମହାଶୟ, ମଲ୍ଲିକାର୍ଜ୍ଜୁନ କେଉଁଠି ରହନ୍ତି?” ସେ ଯାତ୍ରୀ ଏକ ମନ୍ଦିରକୁ ସଙ୍କେତ କରି ଦେଖାଇ ଦେଲେ । ସିଦ୍ଧରାମ ମନ୍ଦିର ଭିତରକୁ ଯାଇ ଦେଖିଲା ସେଠାରେ ଶିବଲିଙ୍ଗ ବ୍ୟତୀତ ଅନ୍ୟ କିଛି ନାହିଁ ।
ଏତେ ରାସ୍ତା ଚାଲି ଚାଲି ବିଚାରା ସିଦ୍ଧରାମ ଥକି ଯାଇଥିଲା । ସେ ଶିବଲିଙ୍ଗ ନିକଟରେ ବସିପଡି ବଡ ବିକଳ ଭାବରେ କହିଲା, “ଭାଇ, ତୁମକୁ ଓ ଅପାକୁ ନେବାକୁ ମୁଁ ଆସିଛି । ମୁଁ ଅନେକ କଷ୍ଟକରି ଏଠାରେ ପହଁଚିଛି । ଏବେ ଦୀପାବଳୀ ଆସୁଛି । ସବୁ ପିଲାଙ୍କର ଭଉଣୀ ଭିଣୋଇ ଆସୁଛନ୍ତି । ମୁଁ ମଧ୍ୟ ତୁମ ଦୁହିଁଙ୍କୁ ନବାକୁ ଆସିଛି । ଏପର୍ଯ୍ୟନ୍ତ କେହିବି ତୁମକୁ ନିମନ୍ତ୍ରଣ କରି ନାହାଁନ୍ତି ବୋଲି ରାଗିଛକି? ତମେ ତ ଜାଣ ମୋ ବାପା କେବେଠାରୁ ମରିଯାଇଛନ୍ତି । ମୁଁ ତ ସାନ ପିଲା । ଆମ ଘରେ ଆଉ କିଏ ଅଛି ଯେ ତୁମକୁ ନିମନ୍ତ୍ରଣ କରିବ? ଏବେ ମୁଁ ମା’ଠାରୁ ସବୁ ଶୁଣିବାରୁ ଆସିଲି । ତେବେ ତମ ଦୁହିଁଙ୍କୁ ନ ନେଇ ମୁଁ କିନ୍ତୁ ଫେରୁନାହିଁ ।”
କୌଣସି ଉତ୍ତର ନାହିଁ । ଶବ୍ଦ ଗୁଡାକ ଯେପରି ମନ୍ଦିର କାନ୍ଥରେ ବାଜି ଫେରି ଆସୁଛି । ସେ ପୁଣି କହିଲା, “ଅପା, ତୁ ଯେତେ ବଡଲୋକ ହେଲେ କ’ଣ ହେଲା ତୁ ପରା ଆମ ଘରର ଝିଅ । ତୋର କ’ଣ ଟିକିଏବି ଦୟାମାୟା ନାହିଁ? ମୋ ସାଙ୍ଗପିଲାଙ୍କ ଆଗରେ ମୁଁ କହିଛି ଯେ, ଏଇ ଦୀପାବଳୀକୁ ମୋର ଭଉଣୀ ଭିଣୋଇ ନିଶ୍ଚୟ ଆସିବେ । ତମେମାନେ ସେଠାକୁ ନ ଗଲେ ସେମାନଙ୍କ ସାମନାରେ ମୁଁ କ’ଣ ଆଉ ମୋ ମୁହଁ ଦେଖାଇ ପାରିବି? ତା’ ଅପେକ୍ଷା ବରଂ ମରିଯିବା ବହୁତ ଭଲ । ଏବେ ତମେ ଯଦି କଥା ମଧ୍ୟ କହୁନାହଁ ତେବେ ମୁଁ ଯାଉଛି ଏହି ଶ୍ରୀଶୈଳରୁ ଡେଇଁପଡି ମରିଯିବି । ତା’ର ପାପ ତୁମକୁ ଲାଗିବ ।”
ତା’ପରେ ମଧ୍ୟ କିଛି ହେଲେ ଉତ୍ତର ନାହିଁ । ସିଦ୍ଧୁ ମନ ଦୁଃଖରେ କାନ୍ଦି କାନ୍ଦି ସେଇଠାରୁ ଡେଇଁ ପଡିବ ବୋଲି ପାହାଡ ତୀଖକୁ ଗଲା । ଠିକ୍ ସେତିକିବେଳେ ସେ ଅନୁଭବ କଲା କେହି ଯେମିତି ତା’ କାନ୍ଧ ଧରି ତାକୁ ସେ କାମରୁ ଅଟକେଇ ଦେଲା । ବୁଲିପଡି ଚାହିଁ ଦେଖିଲା ତା’ର ଏକ ପାଖରେ ଜଣେ ରୂପବାନ୍ ପୁରୁଷ ଓ ଅନ୍ୟ ପଟରେ ଜଣେ ରୂପବତୀ ସ୍ତ୍ରୀ ତା’ର ଦୁଇହାତ ଧରି ତାକୁ ଅଟକାଇଛନ୍ତି ।
ସିଦ୍ଧୁ ପଚାରିଲା, “ଆପଣମାନେ କିଏସେ?”
ତା’ପରେ ସେ ସ୍ତ୍ରୀଲୋକ ଜଣକ ମଧୁର ସ୍ୱରରେ କହିଲେ, “ସିଦ୍ଧୁ, ମୁଁ ପରା ତୋର ଅପା ଭ୍ରମରାମ୍ଭା । ଆଉ ସିଏ ତୋର ଭିଣୋଇ ମଲ୍ଲିକାର୍ଜ୍ଜୁନ । ତୁ ତ ଆମକୁ ଆଗରୁ କେବେବି ଦେଖିନାହୁଁ, ଚିହ୍ନିବୁ କିପରି? କେହି ଆମକୁ ତୋ କଥା କହିବାରୁ ଆମେ ଖୋଜି ଖୋଜି ଆସି ଏଇଠି ପହଁଚିଛୁ ।”
ସିଦ୍ଧରାମର ଆଉ ଆନନ୍ଦ ଦେଖେ କିଏ? ସେ ପ୍ରଥମେ ଭଉଣୀ ଭିଣୋଇଙ୍କୁ ପ୍ରଣାମ କରି ପକାଇଲା । ସେମାନେ ମଧ୍ୟ ସିଦ୍ଧୁକୁ ନେଇ ତାଙ୍କ ଦୁଇ ପୁତ୍ର ଓ ଗଣମାନଙ୍କ ସହିତ ପରିଚୟ କରାଇ ଦେଲେ । ସିଦ୍ଧୁ ସେ ସମସ୍ତିଙ୍କୁ ଦୀପାବଳୀ ଉତ୍ସବ ପାଇଁ ନିମନ୍ତ୍ରଣ କରି, ସେମାନଙ୍କଠାରୁ ବିଦାୟ ନେଇ ମନ ଖୁସିରେ ଘରକୁ ଫେରିଲା ।