ଏଣେ ସିଦ୍ଧୁକୁ ନ ପାଇ ତା’ ମା’ ଖୁବ୍ ବ୍ୟସ୍ତ ହୋଇ ପଡିଲେ । ଭାବିଲେ, “ମୁଁ ସିନା ତାକୁ ଭୁଲାଇବାକୁ ଏସବୁ କଥା କହିଲି । ସେ କ’ଣ ଆଉ ସତରେ ମୋ କଥାକୁ ବିଶ୍ୱାସ କରି ସେଠାକୁ ଚାଲିଗଲା କି?” କିନ୍ତୁ ବାଟରେ ହିଂସ୍ରଜନ୍ତୁ ପୂର୍ଣ୍ଣ ଘୋର ଜଙ୍ଗଲ କଥା ଭାବି ସିଦ୍ଧୁର ମା’ ଭୟରେ ଶିହରି ଉଠିଲେ ।
ସିଦ୍ଧୁ ଫେରି ଆସିଲା । ତା’ ମା’ଙ୍କର ଆନନ୍ଦ କହିଲେ ନ ସରେ । ସିଦ୍ଧୁ ନିଜର ସମସ୍ତ ଅନୁଭୂତି ମା’ଙ୍କୁ ବର୍ଣ୍ଣନା କରି କହିଲା । ଦୀପାବଳୀ ଦିନ ଦେଖାଗଲା ସେମାନଙ୍କ କୁଟୀର ବଦଳରେ ସେଠାରେ ଏକ ପ୍ରକାଣ୍ଡ ଅଟ୍ଟାଳିକା ତିଆରି ହୋଇ ରହିଛି । ତାହା ଧନ, ଦୌଲତ, ଦାସ, ଦାସୀରେ ପୂର୍ଣ୍ଣ । ସେଠାକୁ ଅତିଥି ହୋଇ ନିଜେ ଶିବ, ପାର୍ବତୀ ଓ ତାଙ୍କର ଦୁଇପୁତ୍ର ତଥା ଗଣମାନେ ଆସିଲେ । ଦୀପାବଳୀ ମହା ସମାରୋହରେ ପାଳିତ ହେଲା । ଗ୍ରାମର ଲୋକମାନେ ଏସବୁ ଘଟଣା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ଦୀପାବଳୀ ପରେ ଭଗବାନ ଶିବ ଓ ଦେବୀ ପାର୍ବତୀ ସିଦ୍ଧୁ ଓ ତା’ର ମା’ଙ୍କୁ ନିଜ ସହିତ କୈଳାସ ନେଇଗଲେ ।
ଶିବଲୀଳାର ଆଉ ଗୋଟିଏ ପ୍ରସଙ୍ଗ ଶୁଣନ୍ତୁ –
ଥରେ ଗୟାସୁର କୈଳାସ ପର୍ବତ ଉପରେ ଆକ୍ରମଣ କଲା । ଶିବ ଏଥିରେ ବିରକ୍ତ ହୋଇ ତାଙ୍କ ଜଟାରୁ ଗୋଟିଏ କେଶ ଛିଣ୍ଡାଇ ତଳେ ପକାଇ ଦେଲେ । ସେଥିରୁ ଏକ ଭୟଙ୍କର ଦୈତ୍ୟ ଉଦ୍ଭୁତ ହେଲା, ସେ ଗୟାସୁରକୁ ଆକ୍ରମଣ କଲା । ଗୟାସୁର ପ୍ରାଣ ଭୟରେ ଯାଇ ଶିବଙ୍କ ପାଖରେ ଶରଣ ପଶିଲା । ଶିବ ତାଙ୍କୁ ଶରଣ ଦେଲେ ।
କିନ୍ତୁ ଏଣେ ଭୟଙ୍କର ମୁଖ ଦୈତ୍ୟ ଚିତ୍କାର କଲା, “ଖାଇବି, ଖାଇବି ।”
ଶିବ ଆଦେଶ ଦେଲେ, “ତୁ ନିଜେ ନିଜ ଶରୀରକୁ ଖାଇ ଦେ ।”
ଶିବଙ୍କ ଆଦେଶ ମାନି ସେ ତା’ ନିଜ ଶରୀରକୁ ଖାଇଲା, ଶେଷରେ କେବଳ ତା’ର ମୁହଁ ରହିଲା । ଶିବ ତାର ନାମ “କୀର୍ତିମୁଖ” ରଖିଲେ । ସେ ପୁଣି ତାକୁ ବର ଦେଇ କହିଲେ, “ହେ କୀର୍ତିମୁଖ, ତୁ ସମସ୍ତ ଦେବତାଙ୍କ ମସ୍ତକ ଉପରେ ରହି ସେମାନଙ୍କୁ କୀର୍ତି ପ୍ରଦାନ କରିବୁ ।”
ଆଉ ଗୋଟିଏ ପ୍ରସଙ୍ଗ ଶୁଣନ୍ତୁ –
ପ୍ରାଚୀନ କାଳରେ ଦୁର୍ବାସା ମୁନି ବଦ୍ରିକାଶ୍ରମରେ ତପସ୍ୟା କରୁଥା’ନ୍ତି । ସେ ଦିନେ ହବିଷାନ୍ନରୁ କିଛି ଅଂଶ ନେଇ ହରିଣ ଛୁଆମାନଙ୍କୁ ଖାଇବାକୁ ଦେଉଥା’ନ୍ତି । ଏହି ସମୟରେ ଆକାଶ ମାର୍ଗରେ ତୁମ୍ବୁରୁ ନାମକ ଏକ କିନ୍ନର ଓ ତାଙ୍କ ସ୍ତ୍ରୀ ଉଡି ଯାଉଥା’ନ୍ତି । ହରିଣ ଛୁଆଙ୍କୁ ଦେଖି ସେ ଶୁଶୁରି ମାରିଲେ । ହରିଣ ଛୁଆମାନେ ଚମକି ପଡି ଖାଇବା ଅଧା ରଖି ବଣକୁ ପଳାଇଲେ । ଦୁର୍ବାସା ତ ତାଙ୍କ ଜନ୍ମରୁ ଭାରି ରାଗୀ । ସେ ରାଗିଯାଇ ତୁମ୍ବୁରୁଙ୍କୁ ଅଭିଶାପ ଦେଲେ, “ତମେ ମାନବ ଜନ୍ମ ନିଅ ।”
ଏକଥା ଶୁଣି ତୁମ୍ବୁରୁ ହତାଶ ହୋଇ ତଳକୁ ଓହ୍ଲାଇ ଆସି କହିଲେ, “ମୁନିବର, ମୁଁ ହରିଣଛୁଆଙ୍କୁ ଦେଖି ଖୁସିରେ ଶୁଶୁରି ବଜାଇ ଦେଇଥିଲି । ମୋର ଖୁସିଟାହିଁ ମୋ ପାଇଁ ଅଭିଶାପ ହେଲା । ତେବେ ଏତିକି ମାତ୍ର ଅନୁରୋଧ ଯେ ମୁଁ ଶିବଭକ୍ତ ହୋଇ ଜନ୍ମ ହେବି ।” ତୁମ୍ବୁରୁଙ୍କର ଇଚ୍ଛାକୁ ଦୁର୍ବାସା ସ୍ୱୀକାର କରି କହିଲେ, “ତଥାସ୍ତୁ ।”
ପରେ ସେ କାଂଚିପୁରର ଏକ ବୈଶ୍ୟ ପରିବାରରେ ଚିରୁତୋଣ୍ଡ ନାମରେ ଜନ୍ମ ନେଲେ । ତାଙ୍କ ପତ୍ନୀ ମଧ୍ୟ ଅନ୍ୟ ଏକ ପରିବାରରେ ଜନ୍ମ ନେଲେ । ତାଙ୍କ ନାମ ତିରୁବେଙ୍ଗନାଂଚି ଥିଲା । କାଳକ୍ରମେ ସେ ଦୁହିଁଙ୍କର ବିବାହ ହେଲା । ସେମାନଙ୍କର ଗୋଟିଏ ପୁଅ ବି ଜନ୍ମ ହେଲା । ତା’ର ନାମ ସେମାନେ ଶିରିୟାଲ୍ ରଖିଲେ ।
ଚିରୁତୋଣ୍ଡ ଶୈବଧର୍ମକୁ ଖୁବ୍ ମାନୁଥା’ନ୍ତି ଆଉ ସର୍ବଦା ଏକାମ୍ରନାଥଙ୍କୁ ପୂଜା କରୁଥା’ନ୍ତି । ସେ ସର୍ବଦା ଶିବଭକ୍ତମାନଙ୍କୁ ଖୁବ୍ ସତ୍କାର କରୁଥା’ନ୍ତି ।
ଦିନେ ତାଙ୍କ ଘରକୁ ଜଣେ ଶିବଭକ୍ତ ଆସିଥା’ନ୍ତି । ଚିରୁତୋଣ୍ଡ ଯଥାଯଥ ଭାବରେ ସତ୍କାର କରି ତାଙ୍କୁ ସନ୍ତୁଷ୍ଟ କରନ୍ତେ ସେ ଚିରୁତୋଣ୍ଡର ପରିବାରକୁ ଅନେକ ଆଶିର୍ବାଦ ଦେଲେ । ପରେ ସେ କହିଲେ, “ବତ୍ସ, ମୁଁ ଶିବଙ୍କୁ ପ୍ରତି ପୂର୍ଣ୍ଣିମାରେ ଆଖୁ ରସରେ ଅଭିଷେକ କରେ । ଆଜି ତୁମେ ଯଦି ପାଞ୍ଚସେର ଆଖୁ ରସ ଦେଇ ପାରନ୍ତ ତେବେ ଏହା ଅତି ଆନନ୍ଦର କଥା ହୁଅନ୍ତା ।” ଚିରୁତୋଣ୍ଡ ଆଖୁ କିଣିବାକୁ ଗଲେ । ପାଞ୍ଚସେର ରସ ପାଇଁ ତ ପୁଣି ଅନେକ ଗୁଡିଏ ଆଖୁ ଦରକାର । ଆଖୁ ଗୁଡିକ କିଣି ବାନ୍ଧିଲେ, କିନ୍ତୁ ସେଗୁଡିକ ଆଣିବା ଭାରି କଷ୍ଟ । ଜଣେ ମୁଲିଆ କାହୁଁ ଆସି ତାଙ୍କୁ ସାହାଯ୍ୟ କଲା । ବାକିତକ ସେ ନିଜେ ଆଣିଲେ । ଚିରୁତୋଣ୍ଡ ମୁଲିଆକୁ ପଇସା ଦେବା ବେଳକୁ ସେ ମୁଲିଆ ଆଉ ସେଠି ନଥିଲା ।
ତା’ପରେ ସେ ନିଜେ ସେସବୁ ଆଖୁକୁ କୋହ୍ଲିଆରେ ପକାଇ ତହିଁରୁ ରସ ବାହାର କରି ଶିବଭକ୍ତଙ୍କୁ ଦେଲେ । ଶିବ ଅଭିଷେକ ମହା ସମାରୋହରେ ସମ୍ପନ୍ନ ହେଲା ।
ଏଣେ କୈଳାସରେ ଶିବଙ୍କ ଦେହରେ ଶ୍ରମଝାଳ ଦେଖି ପାର୍ବତୀ ତା’ର କାରଣ ପଚାରିବାରୁ ଶିବ କହିଲେ, “ମୋ ଭକ୍ତକୁ ସାହାଯ୍ୟ କରିବାକୁ ଯାଇ ମୁଁ ଆଖୁ ବିଡା ଆଣିଲି, ତେଣୁ ମୋ ଦେହରୁ ଝାଳ ବୋହୁଛି ।” ପାର୍ବତୀ ଉତ୍ସାହ ସହକାରେ କହିଲେ; “କିଏ ସେହି ମହାନ୍ ଭକ୍ତ ମୁଁ ତାଙ୍କୁ ଟିକିଏ ଦେଖିବି ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।