ଦିନକର କଥା । ସେ ଦିନ ଥିଲା ପୂର୍ଣ୍ଣମୀ । ରାଜା ଗାଧୋଇସାରି ବସିଥିଲେ । ସେ ନିଜର ଦାନ ବିଷୟରେ ଭାବିଲେ । ସେ ଭାବୁଥିଲେ – “ମୁଁ ଲୋକଙ୍କୁ ସୁନା, ରୂପା, ଟଙ୍କା, ଧାନ, ଚାଉଳ ଗହମ ଓ ଜମି ବହୁତ ଦେଲିଣି । କିନ୍ତୁ ଏ ଗୁଡାକ ତ ଅତି ସାଧାରଣ ଜିନିଷ । ଏତେ ଦେଇ କାହିଁ ମୋ ମନରେ ତ ଶାନ୍ତି ଆସୁନି? ଏଥର ମୁଁ ନିଜ ଦେହରୁ କିଛି ଦାନ ଦେବି । ଆଜି ଯଦି କେହି ଲୋକ ଆସେ ଓ ମୋ ଦେହରୁ କିଛି ମାଗେ, ତେବେ ମୁଁ ତାହା ଖୁସିରେ ଦେଇଦେବି । ମୋ କଲିଜା ବା ଦେହର ମାଂସ ଯଦି କେହି ଚାହିଁବ, ତାହା ମଧ୍ୟ ଦେବି । କେହି ଯଦି ମୋର ଆଖି ମାଗିବ, ତେବେ ମୁଁ ମୋର ଆଖି ତାଡି ଦେବି । ସେପରି ଦାନ ଦେଲେ ମୋ ମନରେ ସନ୍ତୋଷ ଆସିବ ।”
ସେଦିନ ରାଜା ଦାନ ଦେବାକୁ ବାହାରିଲେ । ପୋଷାକପତ୍ର ପିନ୍ଧି ହାତୀ ଉପରେ ବସିଲେ । ସେ ଯାଇ ଯେଉଁ ଘରେ ଦାନ ଦିଆଯିବାର କଥା ସେଇ ଘରେ ପହଁଚିଲେ ।
ଦେବତାମାନଙ୍କ ରାଜା ଇନ୍ଦ୍ର ଏକଥା ଜାଣିପାରିଲେ । ସେ ଭାବିଲେ – “ଶିବିରାଜା ବହୁତ ଦାନ କରିଚନ୍ତି । କିନ୍ତୁ ଆଜି ଯାହା ଯାହା ଦେବେ ବୋଲି ଭାବିଚନ୍ତି, ସେ ସବୁ ସତରେ କ’ଣ ରାଜା ଦେଇପାରିବେ? ରାଜା ପୁଣି କହିଚନ୍ତି ଯେ ନିଜର ଆଖି ବି ତାଡି ଦାନ କରିଦେବେ । ସେ ହୁଏତ ତାଙ୍କ କଥା ରଖିପାରିବେନି ।”
ଇନ୍ଦ୍ରଦେବତା ଠିକ୍ କଲେ ଯେ ସେ ଶିବିରାଜାଙ୍କୁ ପରୀକ୍ଷା କରିବେ । ସେ ଗୋଟିଏ ବୁଢା ବ୍ରାହ୍ମଣର ବେଶ ଧରି ରାଜାଙ୍କ ପାଖରେ ପହଁଚିଲେ । ବୁଢା ବ୍ରାହ୍ମଣ ରାଜାଙ୍କୁ କଲ୍ୟାଣକରି କହିଲେ-‘ଶିବିରାଜାଙ୍କର ଜୟହେଉ’ ।
ରାଜା ବ୍ରାହ୍ମଣଙ୍କୁ ବିନୀତଭାବେ ପଚାରିଲେ – “ବ୍ରାହ୍ମଣ ଗୋସେଇଁ ! ତୁମେ କ’ଣ ଚାହଁ?”
ବ୍ରାହ୍ମଣ କହିଲେ – “ମହାରାଜ ! ଆପଣ ବହୁତ ଦାନ ଦିଅନ୍ତି ବୋଲି ସବୁ ଲୋକ ଜାଣନ୍ତି । ମୁଁ କିଛି ମାଗିବା ପାଇଁ ଆସିଚି । ମୁଁ ଅନ୍ଧଲୋକ । ଆପଣଙ୍କର ଦୁଇଟି ଆଖିରୁ ଗୋଟିଏ ଆଖି ମତେ ଦିଅନ୍ତୁ । ଗୋଟିଏ ଆଖି ଦେଲେ ଆପଣଙ୍କର ଆଉ ଗୋଟିଏ ଆଖି ରହିବ । ସେଥିରେ ଆପଣଙ୍କ କାମ ବଳିଯିବ ।”