ବ୍ରାହ୍ମଣଙ୍କ କଥା ଶୁଣି ରାଜା ଭାବିଲେ – “ଆଜି ମୋର ଭାଗ୍ୟ ଭଲ । ମୁଁ ଦାନ ଦେବା ପାଇଁ ଆସିଲା ବେଳେ ଯାହା ମନରେ ଭାବିଥିଲି ତାହା ଘଟିବାକୁ ଯାଉଚି । ଏପରି ଦାନ ଆଗରୁ ମତେ କେହି ମାଗିନଥିଲେ । ବ୍ରାହ୍ମଣ ଯାହା ମାଗୁଚନ୍ତି ମୁଁ ନିଶ୍ଚୟ ତାହା ଦେବି ।”
ମନରେ ଏହା ଠିକ୍ କରି ରାଜା ବ୍ରାହ୍ମଣଙ୍କୁ କହିଲେ – “ହେ ବ୍ରାହ୍ମଣ ! ଆପଣଙ୍କୁ ଏଠାକୁ ଆସିବା ପାଇଁ କେହି କହିଥିଲେ କି? ମୋର ଆଖି ଦାନ ମାଗିବା ପାଇଁ କେହି ଆପଣଙ୍କୁ ବତାଇଥିଲେ କି?”
ବ୍ରାହ୍ମଣ କହିଲେ – “ମତେ ଦେବତାମାନଙ୍କର ରାଜା ଇନ୍ଦ୍ର ଏଠାକୁ ପଠାଇଛନ୍ତି । ଆଖି ଦାନକରିବା ସବୁଠାରୁ ବଳି ବଡ ଦାନ । ତାହା ସମାନ ଦାନ ଏ ସଂସାରରେ ଆଉ କିଛି ନାହିଁ । ଏପରି ଦାନ ଆଗରୁ କେହି ଦେଇଥିବା କଥା ଶୁଣାନାହିଁ । ଆପଣ ସେଇ ଦାନ ମତେ ଏବେ ଦିଅନ୍ତୁ ।”
ରାଜା କହିଲେ- “ଆପଣଙ୍କର ଯାହା ମାଗୁଣି ମୁଁ ତାହା ଦେବି । ଆପଣ ତ ଗୋଟିଏ ଆଖି ମାଗିଚନ୍ତି, ମୁଁ ମୋର ଦୁଇଟିଯାକ ଆଖି ଦାନ କରିବି । ତା’ହେଲେ ଆପଣ ଭଲଭାବରେ ଦେଖିପାରିବେ । ସେଥିରେ ମୁଁ ଅଧିକ ଖୁସି ହେବି ।”
ରାଜା ବ୍ରାହ୍ମଣଙ୍କୁ ଘର ଭିତରକୁ ନେଇଗଲେ । ତା’ପରେ ସେ ତାଙ୍କର ବୈଦ୍ୟଙ୍କୁ ଡକାଇଆଣି କହିଲେ – “ଏଇ ବ୍ରାହ୍ମଣ ମୋର ଦୁଇଟିଯାକ ଆଖି ଦାନ ନେବେ । ତୁମେ ମୋର ଆଖି ଦୁଇଟି ବାହାରକରି ତାଙ୍କୁ ଦିଅ ।”