ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବି ଜାତକ

       ରାଜା ନିଜର ଆଖି ଦାନ କରିଦେଉଚନ୍ତି ବୋଲି ସମସ୍ତେ ଜାଣିଲେ । ଏ ଖବର ଉଆସ ଭିତରେ ପହଁଚିଲା । ରାଜାଙ୍କ କର୍ମଚାରୀମାନେ ଓ ନଅରର ସମସ୍ତେ ଦାନ ଘରକୁ ଆସିଲେ । ସେମାନେ କହିଲେ – “ମଣିମା ! ଆପଣ ଏ କ’ଣ କରିବାକୁ ଯାଉଚନ୍ତି? ଆପଣ ଆଖି ହରାଇଲେ ଆମକୁ ଆଉ କିଏ ରକ୍ଷା କରିବ? ବ୍ରାହ୍ମଣଙ୍କୁ ଆପଣ ଆଖି ଦିଅନ୍ତୁ ନାହିଁ । ତାଙ୍କୁ ଟଙ୍କା ସୁନା ଆଦି ଯାହା ମନ ଧନ ଦେଇଦିଅନ୍ତୁ – ମାତ୍ର ଆଖି ଦିଅନ୍ତୁ ନାହିଁ ।”

       ଏହା ଶୁଣି ରାଜା କହିଲେ – “ଯେଉଁ ଲୋକ କଥା ଦେଇ, ପରେ ତାହା ମାନେନାହିଁ ସେ ରାଜା ନୁହେଁ । ଯେ ଯାହା ମାଗେ ତାକୁ ତାହା ଦେବା କଥା । ମୁଁ ସେହିଭଳି ସତ୍ୟ କରିଚି । ବ୍ରାହ୍ମଣ ଟଙ୍କା ସୁନା ମାଗିନାହାଁନ୍ତି, ସେ ମାଗିଚନ୍ତି ମୋର ଆଖି । ମଁ ଆଖି ଦେଇ ମୋର ସତ୍ୟ ରଖିବି ।”

       ରାଜାଙ୍କ ପାରିଷଦମାନେ କହିଲେ – “ମଣିମା ! ବହୁଦିନ ବଂଚିବା ଓ ଭଲରେ ରହିବା ପାଇଁ ଲୋକମାନେ ଦାନ କରନ୍ତି । ଆପଣ ଏ ଜନ୍ମରେ ସବୁ କିଛି ପାଇଚନ୍ତି, ତେଣୁ ଆଉ ଦାନ ଦେବା କ’ଣ ଦରକାର? ଆର ଜନ୍ମରେ ଭଲ ହେବ ବୋଲି ଆଖି ଭଳିଆ ଜିନିଷ ଦେଇଦେବା ଠିକ୍ ହବନି । ଆପଣ ତା’ କରନ୍ତୁନାହିଁ ।”

       ରାଜା କହିଲେ – “ମୁଁ ପ୍ରଶଂସା ପାଇବାକୁ ଦାନ ଦେଉନି । ପୁଅଟିଏ ପାଇବା ଲାଗି ବା ପରଜନ୍ମ ପାଇଁ ମଧ୍ୟ ଦାନ କରୁନି । ଦାନ କରିବାକୁ ମୁନି ଋଷିମାନେ କହିଯାଇଚନ୍ତି, ତେଣୁ ମୁଁ ଦାନ ଦେଉଚି । ମୁଁ କିଛି ପାଇବା ଆଶାରେ ଦାନ କରୁନି ।”

       ରାଜାଙ୍କ କଥା ଶୁଣି ସମସ୍ତେ ତୁନି ହେଲେ । ରାଜା ପୁଣି ଥରେ ବୈଦ୍ୟଙ୍କୁ କହିଲେ – “ତୁମେ ମୋର ଜଣେ ଉପକାରୀ ବନ୍ଧୁ । ମୁଁ ଯାହା କହୁଚି ତାହା କର । ଆଖି ଦୁଇଟିକୁ ମୋ ଦେହରୁ ବାହାରକରିନେଇ ବ୍ରାହ୍ମଣଙ୍କୁ ଦିଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ