ବୈଦ୍ୟ ଦୁଃଖରେ କହିଲେ – “ମଣିମା ! ଆପଣ ପୁଣି ଥରେ ଭାବନ୍ତୁ । ଆଖି ହେଉଚି ମଣିଷର ଅମୂଲ୍ୟ ସଂପଦ । ତାକୁ ଦେଇଦେବା କ’ଣ ଠିକ୍ କଥା ହେବ?”
ରାଜା ଏଥର ଆଦେଶ ଦେଇ କହିଲେ – “ନା, ମୁଁ ଆଉ କିଛି କଥା ଶୁଣିବିନାହିଁ । ମୁଁ ସବୁ କଥା ଆଗରୁ ଭାବିସାରିଚି । ତୁମେ ଶୀଘ୍ର କାମ ସାର ।”
ବୈଦ୍ୟ କିଛି ଔଷଧ ଲଗାଇଦେଲେ । ରାଜାଙ୍କ ଯନ୍ତ୍ରଣା ବଢିଗଲା, ତା’ପରେ ଆଖିଟି ତା’ର ସ୍ଥାନରୁ ବାହାରକୁ ଆସିଗଲା । ବୈଦ୍ୟ ପୁଣି ଥରେ କହିଲେ – “ମଣିମା ! ଏବେ ବି ସମୟ ଅଛି । ଯଦି କହିବେ ମୁଁ ଆଉ ଏକ ଔଷଧ ଦେଇ ଆଖିକୁ ପୁଣି ତା’ ସ୍ଥାନକୁ ନେଇଯାଇପାରିବି ।”
ରାଜା ଉତ୍ତର ଦେଲେ – “ନା, ମୋର ଆଉ କିଛି ଭାବିବାକୁ ନାହିଁ । ମୋର ଆଦେଶ ମାନି କାମ କର ।”
ବୈଦ୍ୟ ଆଉଥରେ ଔଷଧ ଲଗାଇଲେ । ରାଜାଙ୍କ ଆଖି ତଳକୁ ଖସିଆସିଲା । ବୈଦ୍ୟ ତାକୁ ହାତରେ ଧରିନେଲେ । ରକ୍ତ ବୋହି ରାଜାଙ୍କ ପୋଷାକ ଓଦା ହୋଇଗଲା । ଏହା ଦେଖି ସମବେତ ଲୋକମାନେ ଉଚ୍ଚସ୍ୱରରେ କାନ୍ଦିଉଠିଲେ । ମାତ୍ର ରାଜା ଅବିଚଳିତ ରହିଲେ । ସେ ବୈଦ୍ୟକୁ କହିଲେ – “ଏଥର ଆଖିର ଶିରା କାଟିଦିଅ । ଆଖି ଅଲଗା ହୋଇଯାଉ ।”
ବୈଦ୍ୟ ଶିରା କାଟିଦେଲେ । ଆଖିକୁ ନେଇ ରାଜାଙ୍କ ହାତରେ ଦେଲେ । ଆଖିଟି ଗୋଟିଏ ନାଲିଆ ପଦ୍ମକଢ ପରି ଦିଶୁଥିଲା । ରାଜା ବାମ ଆଖିରେ ତାହା ଦେଖିଲେ । ସେ ବ୍ରାହ୍ମଣଙ୍କୁ ଡାକି କହିଲେ – “ଆଖିଟି ନିଅ । ମୁଁ ଆଖିଟି ତୁମକୁ ଦେଇ ଖୁସି ହେଉଚି । ମୁଁ ଆଜି ଗୋଟିଏ ଭଲ ଦାନ ଦେଇପାରିଚି, ଏହା ମୋର ଭାଗ୍ୟର କଥା । ମୁଁ ତୁଚ୍ଛ ଚର୍ମ ଆଖି ହରାଇଛି, ତା’ ବଦଳରେ ପାଇଛି ଗୋଟିଏ ଅଲଗା ପ୍ରକାରର ଆଖି । ଏଇ ଆଖି ତିନିଲୋକକୁ ଦେଖିପାରିବ ।”
ତାପରେ ରାଜା ବ୍ରାହ୍ମଣଙ୍କ ହାତକୁ ଆଖିଟି ବଢାଇଦେଲେ । ବ୍ରାହ୍ମଣ ତାହା ନେଇ ନିଜର ଡାହାଣ ପଟ ଆଖି-କୋଟରରେ ଖଞ୍ଜିଦେଲେ । ରାଜା ବ୍ରାହ୍ମଣଙ୍କର ନୂଆ ଆଖିକୁ ନିଜର ବାମ ଆଖିରେ ଟିକିଏ ଚାହିଁଦେଲେ ଓ ଖୁସିହେଲେ । ସେ କହିଲେ – “ବ୍ରାହ୍ମଣ ! ତୁମେ ଏବେ ସବୁ ଦେଖିପାରିବ । ମୁଁ ତୁମକୁ ମୋର ଆର ଆଖିଟିକୁ ମଧ୍ୟ ଦେଇଦେଉଚି ।”
ରାଜା ବୈଦ୍ୟଙ୍କୁ ଆଦେଶ ଦେଲେ – “ଏବେ ମୋର ବାମ ଆଖିଟି ବାହାରକରିଦିଅ ।”ବୈଦ୍ୟ ଆଦେଶ ପାଳନକଲେ । ରାଜା ସେ ଆଖିଟି ବ୍ରାହ୍ମଣଙ୍କୁ ଦେଲେ । ବ୍ରାହ୍ମଣ ତାହା ନେଇ ତାଙ୍କର ବାମ ଆଖି-କୋଟରରେ ଖଞ୍ଜିଦେଲେ । ତାପରେ ବ୍ରାହ୍ମଣ ରାଜାଙ୍କୁ ବହୁତ କଲ୍ୟାଣ କରି ଚାଲିଗଲେ ।