କାଞ୍ଚିପୁର ଗ୍ରାମରେ ଶିବୁ ନାମରେ ମେଣ୍ଢାରଖୁଆଳଟିଏ ଥାଏ । ସେ ତା’ ମାଲିକର ମେଣ୍ଢାଗୁଡିକୁ ନେଇ ସକାଳୁ ଯାଇ ସଂଧ୍ୟାରେ ଫେରେ । ଥରେ ତା’ର କୌଣସି ଏକ କାମ ପାଇଁ ଟଙ୍କା ନିହାତି ଦରକାର ହେଲା । ମାତ୍ର ସମସ୍ତିଙ୍କୁ ମାଗି ମାଗି କେହି ବି ନ ଦେବାରୁ ଶେଷରେ ମେଣ୍ଢାଟିଏ ଲୁଚାଇ କରି ତାକୁ ସେ ବିକ୍ରୟ କରିଦେଲା । ରାତିରେ ମାଲିକ ଶିବୁକୁ ପଚାରିଲେ, “ଆରେ ଶିବୁ, ଆଜି ତ କ’ଣ ମୁଁ ଗଣି ଦେଖିଲି ଯେ, ମେଣ୍ଢାଟିଏ କମ୍ ପଡୁଛି?”
ତହୁଁ ଶିବୁ କହିଲା, “ଆଜ୍ଞା ମାଲିକ, ବାଘଟିଏ ଆସି ମେଣ୍ଢାଟିଏ ନେଇ ଯାଇଛି ।” ଏପରି କଥା ଶୁଣି ମାଲିକ ତା’ କଥାରେ ବିଶ୍ୱାସ କଲେ ଓ ତାକୁ ସାବଧାନ୍ କରାଇ କହିଲେ, “ଏଥର ଭଲକରି ମନଦେଇ ଜଗିବୁ ଯେ ଆଉ ଯେମିତି ବାଘ କେବେବି ମେଣ୍ଢା ନେଇପାରିବ ନାହିଁ ।”
ଦୁଇଦିନ ପରେ ଶିବୁ ଆଉ ଗୋଟିଏ ମେଣ୍ଢା ବିକିଦେଲା ଓ ତାକୁ ପଚାରିବାରୁ ସେ ବାଘ ନେଇଗଲା ବୋଲି କହିଲା ।
ତା’କଥା ଶୁଣି ମାଲିକ କହିଲେ “ତାହେଲେ ଠିକ୍ ଅଛି । କାଲି ମୁଁ ଶୀକାରୀକୁ ସାଙ୍ଗରେ ଧରି ନିଜେ ଯିବି ଓ ଦେଖିବି ବାଘ କିମିତି ଚାଲାଖି କରି ମେଣ୍ଢାସବୁ ନେଇଯାଉଛି ।”
ପରଦିନ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ବାଘ ଆସିଲା ନାହିଁ । ଏଣୁ ମାଲିକ ଶିବୁକୁ ପଚାରିଲେ, “କିରେ, ବାଘର ଆଜି ଏମିତି କ’ଣ ହେଲା ଯେ ସେ ଆସିଲା ନାହିଁ?”
ମାଲିକଙ୍କ ଏଭଳି ପ୍ରଶ୍ନ ଶୁଣି ଶିବୁ ଚଟାପଟ ଉତ୍ତର ଦେଲା, “ମାଲିକ, ମନେ ହେଉଛି ଆଜି ବୋଧେ ସେ ଜାଣିପାରିଲା ଯେ ଶୀକାରୀ ଆମ ସହିତ ଅଛି । ବାଘଟା ବହୁତ ଚାଲାକ୍ ।”
ଏହାପରେ ମାଲିକ ଶିବୁର ଚାଲାକି ବୁଝି ଅଳ୍ପ ହସି କହିଲେ, “ଠିକ୍ ଅଛି, କାଲିଠାରୁ ତେବେ ଏହି ଶିକାରୀ ହିଁ ମେଣ୍ଢା ଚରାଇବା ଦାୟିତ୍ୱରେ ରହୁ, ଯେତେଦିନ ପର୍ଯ୍ୟନ୍ତ ସେ ବାଘ ନ ଆସିଛି । ଅର୍ଥାତ୍ ତୋର ଆଉ ଏଠାରେ ରହିବା କିଛିବି ଦରକାର ନାହିଁ ।
ମାଲିକଙ୍କ ଏପ୍ରକାର କଥା ଶୁଣି ଶିବୁ କାନ୍ଦି କାନ୍ଦି ତାଙ୍କ ପାଦ ଧରି କହିଲା, “ମାଲିକ ମୋର ଭୁଲ୍ ହୋଇଛି । ତେଣୁ ମୋତେ କ୍ଷମା କରନ୍ତୁ ।”
ସେ ମାଲିକ ଜଣକ ସ୍ୱଭାବରେ ତ ବଡ ଦୟାଳୁ ଥିଲେ । ସୁତରାଂ ସେ କହିଲେ, “ଠିକ୍ ଅଛି । ଆଜିଠାରୁ ଭଲଭାବରେ କାମ କରିବୁ । ଯେତେବେଳେ ତୋର ଯାହା ବି ଦରକାର ତୁ ସିଧା ମୋତେ କହିବୁ । ମଝିରେ ବାଘକୁ ଡାକିବା କିଛିବି ଦରକାର ନାହିଁ ।”