ସ୍ୱାମୀର ଏଭଳି କଥା ଶୁଣି ନର୍ମଦା ତା’ ମନରେ ବହୁତ ଆଘାତ ପାଇଲା । ଭାବିଲା, “ଏକଥା ଯଦି ମଉସା ଶୁଣିଥିବେ ତେବେ କି ଲଜ୍ଜାର କଥା । ଆଉ ଯଦି ସେ ସବୁକଥା ତା’ବାପାଙ୍କୁ କହିଦେବେ ତ କ’ଣ ହେବ?”
ସବୁକଥା ଭାବି ସେ ତା’ ସ୍ୱାମୀକୁ କହିଲା, “ଯାହା କହୁଛ ଟିକିଏ ଆସ୍ତେ କରି କୁହ ।”
ଏକଥା ଶୁଣି ନୃସିଂହ ଆହୁରି ରାଗି ଉଠି କହିଲା, “ମୁହଁ ସଂଯତ କରି କଥା କୁହ । ଯେଉଁ ଘରେ ସ୍ତ୍ରୀ ମାଲିକ ହୁଏ ସେ ଘର ଖୁବ୍ ଅଳ୍ପ ସମୟ ମଧ୍ୟରେ ଶ୍ମଶାନ ହୋଇଯାଏ, କ’ଣ ବୁଝିଲ? ଏବେ ତମେ ଏଠାରୁ ଯାଅ ।”
ଶଙ୍କରବାବୁ ତ ସବୁକଥା ଶୁଣି ପାରିଥିଲେ । ତେଣୁ ସେ ନର୍ମଦାକୁ କହିଲେ, “ନର୍ମଦା, ଝିଅ ମୁଁ ଯାଉଛି । ତୁ କବାଟ ବନ୍ଦ କରି ଦେ ।”
ନର୍ମଦା ଲୁହ ପୋଛୁ ପୋଛୁ କବାଟ ପାଖକୁ ଆସି କହିଲା, “ମଉସା ଏଠାରେ ଯାହା କିଛି ବି ଆପଣ ଦେଖିଲେ ବା ଶୁଣିଲେ, ସେସବୁ ସମ୍ପୂର୍ଣ୍ଣ ଭୁଲିଯା’ନ୍ତୁ । ଏସବୁ କଥା ଭୁଲ୍ରେ ମଧ୍ୟ କେଉଁଠି ପ୍ରକାଶ କରିବେ ନାହିଁ ।”
“ଝିଅ ତୁ ଆଉ ମନ ଦୁଃଖ କରନା । ଶିବଙ୍କ କୃପାରୁ ତୋର ଦୁଃଖ ଦିନେନା ଦିନେ ନିଶ୍ଚୟ ଦୂର ହେବ ।” ଶଙ୍କର ମଉସା ଏହା କହିଲେ ଓ ସେଠାରୁ ଚାଲିଗଲେ ।
ଏମିତି ଏମିତି ମାସେ ଦୁଇମାସ ବିତିଗଲା । ପୁଣି ଥରେ ଶଙ୍କର ମଉସା ସେ ଗ୍ରାମକୁ କୌଣସି କାମରେ ଆସିଥା’ନ୍ତି । ସେ ନର୍ମଦା ଘରକୁ ମଧ୍ୟ ଗଲେ । ତାଙ୍କୁ ଦେଖି ନୃସିଂହ କହିଲା, “ମଉସା ଆପଣ ୟାଡେ କୁଆଡେ?”
ଶଙ୍କରବାବୁ କହିଲେ “ପୁଅ, ଆମ ଶିବ ମନ୍ଦିର ନିକଟରେ ଆମେ ଏକ ନଡିଆ ଦୋକାନ ଖୋଲିବାକୁ ଚାହୁଁ । ପାଖରେ ରହିବା ପାଇଁ ଘର ମଧ୍ୟ ବ୍ୟବସ୍ଥା ହୋଇଛି । ସେଠାରେ ନିହାତି କମ୍ରେ ଦିନକୁ ଶହେ ନଡିଆ ବିକ୍ରି ହେବ । ପର୍ବଦିନ ମାନଙ୍କରେ ତ ଆହୁରି ବହୁତ ବେଶି ବିକ୍ରି ହେବ । ଦୋକାନରେ ଫୁଲ ଓ ଧୂପ ମଧ୍ୟ ରଖାହେବ ତ ଅଧିକ ରୋଜଗାର ହେବ । ମୁଁ ଚାହେଁ ଏ କାମ ତୁମେହିଁ କର ।”
ନୃସିଂହକୁ ଏ ପ୍ରସ୍ତାବ ବହୁତ ଭଲ ଲାଗିଲା । ନର୍ମଦା ସବୁକଥା କବାଟ ସେପଟୁ ଶୁଣି ସାରିଥିଲା । କିନ୍ତୁ ନୃସିଂହ ନର୍ମଦାକୁ ଡାକି ସବୁକଥା ବୁଝାଇ କହିଲା ଓ ଶଙ୍କର ମଉସାଙ୍କ ସହିତ ବାହାରିଗଲା । ସେମାନେ ମନ୍ଦିର ପାଖରୁ କିଛି ଦୂରରେ ଥିବାବେଳେ ସୂର୍ଯ୍ୟ ଅସ୍ତ ଗଲେ । ଅନ୍ଧକାର ଘୋଟି ଆସିଲା ।
ନୃସିଂହକୁ ନୂଆ ଘର ଓ ନୂଆ ଦୋକାନ କଥା ଭାବି ବହୁତ ଖୁସି ଲାଗୁଥାଏ । ଶଙ୍କରବାବୁ କହିବା ଯୋଗୁଁ ସେମାନେ ନୂଆ ଘର ଦୋକାନ ଘର ସବୁ କିଛିର ବ୍ୟବସ୍ଥା କରି ଦେଇଥିଲେ । ଏବେ ସେ ଦୁଇଜଣ ମନ୍ଦିରକୁ ଗଲେ ଓ ପୂଜା ସାରି ବାହାରି ଆସିଲେ । ମେଘ ଘୋଟିବା ଦେଖି ଶଙ୍କର ମଉସା କହିଲେ, “ପୁଅ ଅନ୍ଧାର ତ ହୋଇଗଲାଣି, ମେଘ ମଧ୍ୟ ଘୋଟି ଆସୁଛି । ତେଣୁ ତୁମେ ଆଜି ରାତିକ ଆମ ଘରେ ରହିଯାଅ, ସକାଳୁ ଉଠି ପଛେ ଏଠାରୁ ଚାଲିଯିବ । ଶିବରାତ୍ରି ମଧ୍ୟ ଆଉ ଖୁବ୍ ଅଳ୍ପଦିନ ବାକି ରହିଲା । ସେ ବିଷୟରେ ମଧ୍ୟ ଆମେ କଥାବାର୍ତ୍ତା କରିବା । ମୁଁ କାମ ସାରି ପଛରେ ଯାଉଛି । ତମେ ଆଗ ଆମ ଘରକୁ ଚାଲିଯାଅ, ମୋ ଘର ପାଇବା କିଛି କଷ୍ଟ ନୁହେଁ । ସିଧା ଯାଇ ଛକ ପାଖରେ ଦୁଇଟି ରାସ୍ତାରୁ ବାଁ ପଟ ରାସ୍ତାରେ ଆଗେଇ ଗଲେ ଗୋଟିଏ ଓସ୍ତଗଛ ଦେଖିବ, ଠିକ୍ ତା’ରି ଆଗରେ ମୋ ଘର । ତୁମ ଆସିବା କଥା ତ ମୁଁ ବହୁ ଆଗରୁ ତୁମ ମାଉସୀଙ୍କୁ କହିଛି । ତେଣୁ ତୁମେ ଆଗେ ଆଗେ ଚାଲିଯାଅ ମୁଁ ତୁମ ପଛେ ପଛେ ଯାଉଛି ।”