ତା’ପରେ ସେ ତିନିଭାଇ ମେରୁପର୍ବତକୁ ଯାଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେଠାରେ କଠିନ ତପସ୍ୟା କଲେ ।
କିଛି କାଳ ଅନ୍ତେ ବ୍ରହ୍ମା ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସେମାନଙ୍କ ସମ୍ମୁଖରେ ଆବିର୍ଭୁତ ହେଲେ ଓ କହିଲେ, “ତୁମେମାନେ କି ବର ଚାହୁଁଛ?”
ସେମାନେ କହିଲେ, “ଦେବ, ଆମେ ଚାହୁଁଛୁ ଅମର ବର । ଯାହାଦ୍ୱାରା କି ଆମର କେବେ ମଧ୍ୟ ମୃତ୍ୟୁ ହିଁ ହେବ ନାହିଁ ।”
ଏକଥା ଶୁଣି ବ୍ରହ୍ମା କହିଲେ, “ସେ ବର ଦେବାର ଶକ୍ତି ମୋର ତ ନାହିଁ । କିନ୍ତୁ ତମେ ମୃତ୍ୟୁ ପାଇଁ ଯେ କୌଣସି ଏକ ସର୍ତ୍ତ ରଖି ବର ମାଗ ମୁଁ ତାହା ଅବଶ୍ୟ ଦେବି ।”
ତା’ପରେ ସେହି ତିନି ଭାଇଯାକ ସମସ୍ୱରରେ କହିଲେ, “ଦେବ, ଏମିତି ଏକ ରଥ ଥିବ ଯାହା ବାସ୍ତବ ନୁହେଁ, ଏପରି ଧନୁ ଥିବ ଯାହା ଧନୁ ନୁହେଁ, ଏପରି ଶର ଥିବ ଯାହା ଶର ନୁହେଁ – ସେହି ରଥରେ ବସି ସେହି ଧନୁ ତୀରରେ ମାରିଲେ ଯାଇ ଆମେ ମରିବୁ । ନଚେତ୍ ନୁହେଁ । ଏତଦ୍ ବ୍ୟତୀତ ସମସ୍ତ ବିଦ୍ୟା, ତେଜ, ବଳ, ଐଶ୍ୱର୍ଯ୍ୟ, ସୁଖ, ବୈଭବ, ଭୋଗ, ସମ୍ପତ୍ତି ଇତ୍ୟାଦି ତଥା ସୁନା ରୂପାରେ ତିଆରି ନଗର ଆମକୁ ଦିଅନ୍ତୁ ।” ବ୍ରହ୍ମା ‘ତଥାସ୍ତୁ’ କହି ଅଦୃଶ୍ୟ ହୋଇଗଲେ । ପରେ ବ୍ରହ୍ମାଙ୍କ ଆଦେଶରେ ବିଶ୍ୱକର୍ମା ତିନୋଟି ସୁନ୍ଦର ନଗରୀ ସେମାନଙ୍କ ପାଇଁ ନିର୍ମାଣ କଲେ । ସେଗୁଡିକୁ ତ୍ରିପୁର ବୋଲି କୁହାଯାଉଥାଏ । ଏହି ନଗରୀ ଗୁଡିକ ଆକାଶରେ ଝୁଲି ରହିଥାଏ । କିନ୍ତୁ ଏହା ବନ, ଉପବନ, ପୁଷ୍କରିଣୀ ଓ ନଦୀ ଦ୍ୱାରା ପୂର୍ଣ୍ଣ ଥାଏ । ସୁବର୍ଣ୍ଣପୁରୀରେ ତାରକାକ୍ଷ, ରଜତପୁରୀରେ କମଳାକ୍ଷ ଓ ଲୌହପୁରୀରେ ବିଦ୍ୟୁନ୍ମାଳୀ ରହୁଥାନ୍ତି । ସେମାନେ ସ୍ୱଚ୍ଛନ୍ଦରେ ସମସ୍ତ ଲୋକରେ ଗତି କରିପାରୁଥା’ନ୍ତି ।
ସେମାନେ ଶକ୍ତିଶାଳୀ ହୋଇ ଦେବତାମାନଙ୍କୁ ବହୁତ କଷ୍ଟ ଦେଲେ । ତେଣୁ ସେମାନେ ଯାଇ ବ୍ରହ୍ମାଙ୍କୁ କହିଲେ, “ତ୍ରିପୁରାସୁର ଆମକୁ ଅନେକ କଷ୍ଟ ଦେଉଛନ୍ତି । ଆପଣ ଏହାର କିଛି ପ୍ରତିକାର କରନ୍ତୁ ।”
ବ୍ରହ୍ମା କହିଲେ, “ସେମାନଙ୍କୁ ବଧ କରିବା ମହା ଦୁଷ୍କର କାମ । ଚାଲ ଏକଥା ଯାଇ ଭଗବାନ ଶିବଙ୍କୁ ଜଣାଇବା ।”
ତା’ପରେ ବ୍ରହ୍ମା ଓ ଦେବତାମାନେ ଶିବଙ୍କ ପାଖରେ ଯାଇ ପହଁଚିଲେ । ଶିବ ସବୁ କଥା ଶୁଣି କହିଲେ, “ମୁଁ ତ୍ରିପୁରାସୁରକୁ ବଧ କରିବି ନାହିଁ । ତମେ ମୋର ଅଧେ ତେଜ ନେଇ ତାକୁ ମାରିବାକୁ ଚେଷ୍ଟା କର ।” ସେ ପୁଣି ବ୍ରହ୍ମାଙ୍କୁ ଚାହିଁ କହିଲେ, “ଆପଣ ତ ଏପରି ଏକ ଅମୋଘ ବର ପ୍ରଦାନ କରିଛନ୍ତି । ଏବେ ନିଜେ ଯାଇ ସମ୍ଭାଳନ୍ତୁ ।”
ବ୍ରହ୍ମା କହିଲେ, “ଦେବ, ସେମାନଙ୍କ ମୃତ୍ୟୁର ରହସ୍ୟ ହେଉଛି ଏପରି ଏକ ରଥ ଥିବ ଯାହା ରଥ ନୁହେଁ, ଏପରି ଏକ ଧନୁ ଥିବ ଯାହା ଧନୁ ନୁହେଁ, ଏପରି ଏକ ଶର ଥିବ ଯାହା ଶର ନୁହେଁ । ସେହି ରଥରେ ଚଢି ସେହି ଧନୁଶର ନେଇ ତିନିନଗରୀ ଏକାଠି ହେବା ସମୟରେ ଯଦି କିଏ ମାରିବ ତେବେ ଯାଇ ସେମାନେ ମରିବେ ।” ଏକଥା ଶୁଣି ଶିବ ପୃଥିବୀକୁ ରଥ କଲେ; ଚାରିବେଦ ହେଲେ ଚାରୋଟି ଅଶ୍ୱ, ଚନ୍ଦ୍ର ସୂର୍ଯ୍ୟ ହେଲେ ଦୁଇ ଚକ । ମେରୁପର୍ବତ ହେଲା ଧନୁ, ଆଦିଶେଷ ହେଲେ ବାଣ, ବିଷ୍ଣୁମୂର୍ତ୍ତି ହେଲେ ନାରାୟଣୀ ଅସ୍ତ୍ର । ତା’ପରେ ସେ ଯୁଦ୍ଧ କରିବାକୁ ଗଲେ । ଯୁଦ୍ଧରେ ତ୍ରିପୁରାସୁର ବଧ ହେଲେ ।
ତା’ପରେ ଜଳନ୍ଧର ନାମକ ଏକ ଦୈତ୍ୟ ପ୍ରକଟ ହେଲା ଓ ସମସ୍ତିଙ୍କୁ ହଇରାଣ କଲା । ସେ ଥିଲା ହିରଣ୍ୟକଶିପୁର ଦଶମ ପୁତ୍ର ଅଗ୍ନିଜିହ୍ୱର ପୁତ୍ର । ସେ ମଧ୍ୟ କଠୋର ତପସ୍ୟା ଦ୍ୱାରା ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଏହି ବର ପାଇଥିଲା କି ତାହାର ମୃତ୍ୟୁ ଦେବଗଣ, ରାକ୍ଷସଗଣ, ନାଗଗଣ ବା ମାନବଗଣଙ୍କ ଦ୍ୱାରା ହେବନାହିଁ ଓ ସେ ପାଣି ମଧ୍ୟରେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବ ।
ବରପ୍ରାପ୍ତ ହୋଇ ସ୍ୱର୍ଗରୁ ସେ ଇନ୍ଦ୍ରଙ୍କୁ ବିତାଡିତ କଲା ଓ ତିନିପୁରକୁ ଶାସନ କଲା । ଶିବ ଓ ବିଷ୍ଣୁ ମଧ୍ୟ ବୁଝିପାରିଲେ ନାହିଁ କିପରି ଏହି ଅସୁରକୁ ପରାଜିତ କରାଯିବ । ଦୁହେଁ ଏହିପରି ଚିନ୍ତା କରିବା ସମୟରେ ପରମବ୍ରହ୍ମ ଶକ୍ତି ଆବିର୍ଭୁତ ହୋଇ କହିଲେ “ତୁମର ଆୟୁଧ ଚକ୍ର ଓ ତ୍ରିଶୁଳକୁ ଦୁହେଁ ଅଦଳବଦଳ କର । ତା’ପରେ ତା’ ସହିତ ଯୁଦ୍ଧ କରିବ ଏବଂ ତା’ର ମୃତ୍ୟୁ ହେବ ।” ପରମବ୍ରହ୍ମଙ୍କ କଥା ଶୁଣି ସେ ଦୁହେଁ ଦୁହିଁଙ୍କର ଆୟୁଧ ବଦଳ କରି ସାରି ଜଳନ୍ଧରର ଅପେକ୍ଷାରେ ରହିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।