ଏହା ପରେ ପୃଥିବୀ ପୃଷ୍ଠରେ ତୁଳସୀ ଚାରାର ଆର୍ବିଭାବ ଘଟିଲା । ଏହାର ମୃଦୁ ଏବଂ ଅପୂର୍ବ ମହକ ସବୁରି ହୃଦୟରେ ସ୍ୱତଃ ଭକ୍ତି ଭାବର ଉଦ୍ରେକ କରିଥାଏ । ଦେବଦେବୀଙ୍କ ପୂଜାରେ ତୁଳସୀ ଏକ ଅମୂଲ୍ୟ ଆବଶ୍ୟକୀୟ ପଦାର୍ଥ । ଖାଲି ସେତିକି ନୁହେଁ, ମଣିଷର ନାନାଦି ରୋଗ ନିରାମୟ ଦିଗରେ ତୁଳସୀର ଭୁମିକାର କୌଣସି ପଟାନ୍ତର ନାହିଁ । ତୁଳସୀ ପତ୍ର ବା ରସ ମଣିଷ ପାଇଁ ଅତ୍ୟନ୍ତ ହିତକର ।
ଗଣ୍ଡକୀ ନଦୀରେ ଶାଳଗ୍ରାମଶିଳା ମିଳେ । ଏ ଶିଳାକୁ ବିଷ୍ଣୁଙ୍କ ପ୍ରତୀକ ଭାବରେ ପୂଜା କରାଯାଏ । ବ୍ରାହ୍ମଣମାନେ ଏହାକୁ କଣ୍ଠ ଲଗ୍ନ କରି ରଖନ୍ତି । ବିଷ୍ଣୁ କହିଥିବା ଅନୁସାରେ ଶାଳଗ୍ରାମ ଉପରେ ତୁଳସୀ ପତ୍ର ସ୍ଥାପନ କରାଯାଏ । ଯୁଗ ଯୁଗ ଧରି ଶାଳଗ୍ରାମ ଓ ତୁଳସୀ, ଏ ଉଭୟେ ଭାରତୀୟମାନଙ୍କ ପାଇଁ ପୂଜାର ଆସ୍ପଦ ହୋଇ ରହିଛନ୍ତି ।
ଶିଳାଦ ନାମରେ ଜଣେ ଋଷି ଥା’ନ୍ତି । ସେ ଗୃହସ୍ଥ ଜୀବନ ଯାପନ କରୁଥାନ୍ତି । ତାଙ୍କର କେହି ପିଲାପିଲି ନଥିବାରୁ ସେ ଶିବଙ୍କୁ ତପସ୍ୟା କଲେ । ଶିବ ତାଙ୍କ ସମ୍ମୁଖରେ ଆର୍ବିଭାବ ହୋଇ କହିଲେ, “ଶିଳାଦ, ତୁମ ଭାଗ୍ୟରେ ସନ୍ତାନ ସୁଖ ନାହିଁ । ତେବେବି ତମେ ସନ୍ତାନଟିଏ ଅବଶ୍ୟ ପାଇବ ।”
କିଛିଦିନ ପରେ ଯଜ୍ଞ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଥିବା ସ୍ଥାନରୁ ସେ ପୁଅଟିଏ ପାଇଲେ । ତା’ର ସଂସ୍କାର ଆଦି କରି ସେ ତା’ର ନାମ “ନନ୍ଦ” ରଖିଲେ । ଦିନେ ଦୁଇଜଣ ଋଷି ସେଠାକୁ ବୁଲି ଆସି ଶିଳାଦଙ୍କୁ କହିଲେ ନନ୍ଦର ଜୀବନକାଳ ବହୁତ ଅଳ୍ପ । ଏକଥା ଶୁଣି ଶିଳାଦ ପୁଣି ଦୁଃଖରେ ମଗ୍ନ ହେଲେ । ପିତାଙ୍କ ଦୁଃଖର କାରଣ ଜାଣିବା ପରେ ନନ୍ଦ ଶିବଙ୍କୁ ତପସ୍ୟା କଲେ । ନନ୍ଦଙ୍କର ଘୋର ତପସ୍ୟାରେ ଶିବ ମୁଗ୍ଧ ହୋଇ ତାଙ୍କୁ ଦୀର୍ଘାୟୁ କଲେ ଓ ତାଙ୍କୁ ନନ୍ଦୀଶ୍ୱର ଭାବରେ ନାମିତ କରି ରୁଦ୍ରଗଣ ଭାବରେ ଅଭିଷେକ କଲେ । ଅଭିଷେକରେ ଶିବ ନିଜ ଜଟାରୁ ଗଙ୍ଗାଜଳ ତାଙ୍କ ଉପରେ ଢାଳିଲେ । ତାହା ପଂଚଧାରରେ ନିର୍ଗତ ହେଲା । ସେହି ପଂଚଧାର ତ୍ରିସ୍ରୋତ, ଜଟୋଦକ, ସ୍ୱର୍ଣ୍ଣୋଦକ, ଜମ୍ବୁ ଓ ବୃଷଧ୍ୱଜ ନାମରେ ପାଂଚ ନଦୀ ଭାବରେ ପ୍ରବାହିତ ହେଲେ ।
ଶିଳାଦ ଓ ଶିବ ଦୁହେଁ ମିଳି ନନ୍ଦୀଶ୍ୱରଙ୍କୁ ମରୁତଦେବଙ୍କ କନ୍ୟା ସୁକୀର୍ତି ସହିତ ବିବାହ ଦେଲେ ।
ସୃଷ୍ଟିର ଆଦିକାଳରେ ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏକଦା କଥୋପକଥନ କରୁଥିବା ସମୟରେ ବ୍ରହ୍ମା କହିଲେ, “ମୁଁ ହିଁ ପରଂବ୍ରହ୍ମ, ଆପଣ ଦୁଇଜଣ ମୋତେ ପୂଜା କରନ୍ତୁ ।”
ଏଥିରେ ଶିବ ଅତ୍ୟନ୍ତ ରାଗିଯାଇ ହୁଙ୍କାର କଲେ । ସେହି ରୁଦ୍ରଭାବରୁ ଏକ ଭୟାନକ ମୂର୍ତ୍ତି ପ୍ରକଟ ହେଲା । ଶିବ ତାକୁ ଆଜ୍ଞା ଦେଲେ, “ତୁ ଏ ବ୍ରହ୍ମାକୁ ଦଣ୍ଡ ଦେ ।” ସେ ବ୍ରହ୍ମାଙ୍କର ପଂଚଶିରରୁ ଗୋଟିଏ କାଟି ଫିଙ୍ଗି ଦେଲା । ତାହା ଯେଉଁଠି କଟା ହେଲା ସେ ସ୍ଥାନ କାଶୀ ହେଲା ଓ ଯେଉଁଠି ଫିଙ୍ଗି ଦିଆଗଲା ତାହା ବ୍ରହ୍ମକପାଳ ହେଲା ।
ଏ କାହାଣୀର ତାତ୍ପର୍ଯ୍ୟ ହେଲା, ବ୍ରହ୍ମା ସୃଷ୍ଟିର ପ୍ରତୀକ । ସୃଷ୍ଟି ହେବା ମାତ୍ରେ ପଶୁପକ୍ଷୀ, ମଣିଷ, ସମସ୍ତଙ୍କ ଚେତନାକୁ ଅହଂ ଭାବ ଗ୍ରାସ କରେ । ଶିବ ବ୍ରହ୍ମାଙ୍କ ଗୋଟିଏ ଶୀର ଉଡାଇ ଦେବାର ଅର୍ଥ ସେହି ଅହଂ ଉପରେ ଆଘାତ ଦେବା । ଅଧିକାଂଶ ପୌରାଣିକ କାହାଣୀର ଏହିପରି ଗଭୀର ଅର୍ଥ ଥାଏ ।
ତା’ପରେ ଶିବ କାଶୀରେ ରହିବା ବେଳେ ସେଇ ଭୟାନକ ମୂର୍ତ୍ତିକୁ ସେ ନିଜର ଅଙ୍ଗରକ୍ଷୀ କରି ରଖିଲେ ଓ ତା’ର ନାମ କାଳଭୈରବ ଦେଲେ । କାଳଭୈରବ ଶିବଙ୍କ ଆଜ୍ଞାରେ ନାନା ତୀର୍ଥ ବୁଲି ଶେଷରେ କାଶୀରେ ଶିବଙ୍କ ସହିତ ବାସ କରିବାରୁ ତା’ର ବ୍ରହ୍ମହତ୍ୟା ଦୋଷ ଛାଡିଲା ।
ପ୍ରାଚୀନ କାଳରେ ବ୍ୟାଘ୍ରପାଦ ନାମରେ ଜଣେ ଋଷି ଥା’ନ୍ତି । ସେ ଓ ତାଙ୍କ ସ୍ତ୍ରୀ ଶିବପୂଜା କରି ପୁତ୍ରଟିଏ ପାଇଲେ, ସେମାନେ ତାଙ୍କ ପୁତ୍ରର ନାମ ଉପମନ୍ୟୁ ରଖିଲେ । ଉପମନ୍ୟୁ ଜନ୍ମଠାରୁ ପାଂଚବର୍ଷ ହେବା ପର୍ଯ୍ୟନ୍ତ ମା’ ସହିତ ଅଜାଘରେ ରହୁଥାଏ । ପରେ ନିଜ ଘରକୁ ଆସି ମା’କୁ ଦୁଧ ପିଇବାକୁ ମାଗିବାରୁ ମା’ କହିଲେ, “ତୋର ଅଜା ମାମୁଁ ସିନା ଧନୀ, ହେଲେ ଆମେ ଏ ଜଙ୍ଗଲରେ କୁଆଡୁ ଦୁଧ ପାଇବୁ?” ସେ କିନ୍ତୁ ଦୁଧ ପିଇବାକୁ ଜିଦ୍ କଲା । ଶେଷରେ ଏକଥା ପିତା ବ୍ୟାଘ୍ରପାଦ ଜାଣି ବହୁତ ଦୁଃଖିତ ହୋଇ ତାକୁ ଶିବ ପଂଚାକ୍ଷରୀ ଜପିବାକୁ କହିଲେ । ବାଳକ ଉପମନ୍ୟୁ ଗଭୀର ବନ ଭିତରେ ପ୍ରବେଶ କରି ଏକ ନିର୍ଜନ ସ୍ଥାନରେ ଶିବ ପଂଚାକ୍ଷରୀ ଜପିଲେ । ଶିବ ନାନା ପ୍ରକାର ରୂପ ଧରି ତାଙ୍କୁ ସେଥିରୁ କ୍ଷାନ୍ତ ହେବାକୁ ପ୍ରବର୍ତ୍ତାଇଲେ ଓ ପଶୁମାନଙ୍କର ରୂପ ଧରି ଭୟ ଦେଖାଇଲେ । କିନ୍ତୁ ସେ ଅବିଚଳିତ ଭାବରେ ଶିବ ପଂଚାକ୍ଷରୀ ଜପି ଚାଲିଲେ । ଶିବ ପାର୍ବତୀ ବାଳକ ଉପମନ୍ୟୁଙ୍କର ଏଭଳି ଅକାଟ୍ୟ
ତପସ୍ୟାରେ ମୁଗ୍ଧ ହୋଇ ତାଙ୍କୁ ବର ଦେଲେ । ସେଥିରେ ସେ ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିବା ସଙ୍ଗେ ସଙ୍ଗେ ଶିବ କୃପା ମଧ୍ୟ ଲାଭ କଲେ । ଶିବଙ୍କ ପ୍ରତି ତାଙ୍କ ଭକ୍ତି ଅଟଳ ରହିଲା ।
ଆଦିକାଳରେ ଦେବଦାନବଙ୍କର ଯୁଦ୍ଧ ହେବା ବେଳେ ଦେବତାମାନେ ଅଧିକ ସଂଖ୍ୟାରେ ମରୁଥା’ନ୍ତି । ଥରେ ଦେବତାମାନେ ବିଷ୍ଣୁଙ୍କୁ କହିଲେ, “ଭଗବାନ୍, ଏହାର କିଛି ପ୍ରତିକାର କରନ୍ତୁ । ଯେପରି ଆମର ମୃତ୍ୟୁ ନ ହୁଏ ।”
ତହୁଁ ଶ୍ରୀବିଷ୍ଣୁ କହିଲେ, “ଦେବଗଣ, କେବଳ ଅମୃତପାନ କଲେ ତୁମେମାନେ ଅମର ହେବ । ଏବେ ତୁମେମାନେ ଯାଇ ପୃଥିବୀର ସମସ୍ତ ଔଷଧକୁ କ୍ଷୀର ସାଗରରେ ପକାଇ ଦିଅ । ତା’ପରେ ମନ୍ଦରାଚଳକୁ ଦଣ୍ଡ କରି ସାଗରମନ୍ଥନ କର । ସେଥିରୁ ଅମୃତ ବାହାରିବ ଓ ତୁମେମାନେ ତାହା ପାନ କରି ଅମର ହେବ ।”
ଦେବଗଣ ଶ୍ରୀବିଷ୍ଣୁଙ୍କ କଥା ଅନୁସାରେ ସେ ମନ୍ଦରାଚଳକୁ ଉପାଡିବାକୁ ବହୁତ ଚେଷ୍ଟା କଲେ । ମାତ୍ର ତାହା ଟିକିଏ ହେଲେ ବି ହଲିଲା ନାହିଁ । ସେମାନେ ପୁଣି ବିଫଳ ମନୋରଥ ହୋଇ ଶ୍ରୀବିଷ୍ଣୁଙ୍କ ପାଖରେ ପହଁଚି ତାଙ୍କୁ ଜଣାଇଲେ, “ଆମେ ଅନେକ ଚେଷ୍ଟା କଲୁ କିନ୍ତୁ ଫଳ କିଛିବି ହେଲେ ହେଲା ନାହିଁ । ଏବେ ଆପଣ କୁହନ୍ତୁ ଆମକୁ କ’ଣ କରିବାକୁ ହେବ ।”
ସେମାନଙ୍କ କଥା ଶୁଣି ଶ୍ରୀବିଷ୍ଣୁ କହିଲେ “ଅପେକ୍ଷା କର, ଧୈର୍ଯ୍ୟ ରଖ । ସବୁକିଛି ଠିକ୍ ସମୟରେ ହେବ ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।