ବ୍ରହ୍ମା ବରଦାନ କରି ଅଦୃଶ୍ୟ ହୋଇଗଲେ । ସେଠାରୁ ଫେରି ତାରକ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଯାଇ ଦେଖାକଲା । ତାରକର ଦିଗ୍ବିଜୟ ପାଇଁ ଶୁକ୍ରାଚାର୍ଯ୍ୟ ଶୁଭ ସମୟ ଗଣନା କରି କହିଲେ । ଯଥା ସମୟରେ ତାରକ ଦିଗ୍ବିଜୟରେ ବାହାରିଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ତିନିପୁର ଜୟ କଲା । ଦେବତାମାନଙ୍କୁ ସେ ତା’ ନିଜ ଅଧିକାରରେ ରଖିଲା । ତା’ପରେ ସେ ନିଜ ରାଜ୍ୟକୁ ଫେରି ଆସି ଆନନ୍ଦରେ କାଳଯାପନ କଲା ।
ଏ ସମସ୍ତ ଘଟଣା ଅତି କ୍ଷୀପ୍ର ଗତିରେ ଘଟିଗଲା । ଦେବତାମାନେ ଜଣେ ଯୁବକ ଅସୁର ହାତରେ ଏଭଳି ଦୟନୀୟ ଭାବରେ ପରାଜିତ ହେବେ ବୋଲି କେବେବି କଳ୍ପନା ସୁଦ୍ଧା କରି ନଥିଲେ । ସେମାନେ ବିମୂଢ ଭାବରେ ଇତସ୍ତତଃ ପଳାଇଗଲେ । ପରେ ପୁଣି ସେମାନେ ପରସ୍ପର ଡକାଡକି ହୋଇ ଏକତ୍ରିତ ହେଲେ । ତାରକର ଶକ୍ତି ସେମାନଙ୍କ ଭିତରେ ଅତ୍ୟନ୍ତ ବିସ୍ମୟ ଉତ୍ପାଦନ କରିଥାଏ । କ’ଣ କଲେ ପୁଣି ନିଜ ନିଜ ଦୃତ ଗୌରବ ଫେରି ପାଇବେ । ସେ ବିଷୟରେ ସେମାନେ ବହୁତ ଆଲୋଚନା କଲେ, କିନ୍ତୁ ସହଜରେ କୌଣସି ସମାଧାନ ସେମାନଙ୍କ ମୁଣ୍ଡକୁ ଜୁଟିଲା ନାହିଁ ।
ଦିନେ ନାରଦ ଯାଇ ସେଠାରେ ପହଁଚିଲେ ତାରକ ତାଙ୍କୁ ବହୁତ ଆଦର ଅଭ୍ୟର୍ଥନା କରି ନେଇ ସିଂହାସନରେ ବସାଇଲା ଓ କହିଲା, “ଦେବର୍ଷି, ଆପଣଙ୍କ କୃପାରୁ ମୁଁ ତିନିପୁର ଜୟ କରି ପାରିଛି ।”
ନାରଦ କହିଲେ, “ତାରକ, ତୁମେ ବ୍ରହ୍ମାଙ୍କଠାରୁ ଯେଉଁ ବରପ୍ରାପ୍ତ କରିଛ ସେହି ଶକ୍ତିବଳରେ ଆଜି ଏପରି ଘଟିଛି । ତେବେ ଯଦି ନିଜକୁ ପ୍ରକୃତ ଅର୍ଥରେ “ତ୍ରୈଲୋକ୍ୟାସୁର” ବୋଲାଇବାକୁ ଚାହଁ ତେବେ ବୈକୁଣ୍ଠ ଜୟ କରିବାକୁ ଯାଅ ।
ନାରଦଙ୍କ କଥା ଶୁଣି ତାରକ ତା’ର ସୈନ୍ୟସାମନ୍ତ ନେଇ ବୈକୁଣ୍ଠ ଗଲା । ବିଷ୍ଣୁ ନିଜ ଆସନରୁ ଉଠିଆସି ତାରକ ସହିତ ମିଠା କଥା କହି ତାକୁ ସେଠାରୁ ଫେରାଇ ଦେଲେ ।
ତାରକ ଫେରି ଆସିଲା ସିନା, କିନ୍ତୁ ତା’ ମନରେ ଟିକିଏ ଅସନ୍ତୋଷ ରହିଗଲା । ସତରେ, ସେ ଯଦି ବୈକୁଣ୍ଠ ଜୟ କରି ନ ପାରିଲା, ତେବେ ଆଉ କ’ଣ ହେଲା? ସେ ତ୍ରିଭୂବନ ବିଜୟୀ ବୋଲି ଗର୍ବ କରିବାର ଅବକାଶ ଆଉ କେଉଁଠି ରହିଲା?
ତାରକ ଯେତେବେଳେ ଏହି ସବୁ ଚିନ୍ତାରେ ମଗ୍ନ ରହିଥାଏ, ଦେବତାମାନେ ଦଳବଦ୍ଧ ହୋଇ ଚୁପ୍ଚାପ୍ ଯାଇ ପୁଣି ନିଜ ନିଜ ଆସନରେ ବସିଗଲେ । ତାରକ ଯେ ସେ ସମ୍ବାଦ ଜାଣି ନଥାଏ, ତାହା ନୁହେଁ, ତେବେ ସେ ସେଥିପ୍ରତି କୌଣସି ଖାତିର୍ କରୁ ନଥାଏ । କାରଣ ଯେ କୌଣସି ମୁହୂର୍ତ୍ତରେ ସେ ଯାଇ ସେମାନଙ୍କୁ ହରାଇ ଦେଇ ପାରିବେ ବୋଲି ଜାଣିଥାଏ ।
ଦିନେ କେତେଜଣ ଋଷି ବିଷ୍ଣୁଙ୍କ ନାମ ଗାଇ ବାଟରେ ଯାଉଥିବାର ତାରକ ଶୁଣିଦେଲା । ଓ ବିଷ୍ଣୁଙ୍କୁ କିପରି ପରାଭୂତ କରିବ ସେ ବିଷୟ ସେ ଚିନ୍ତା କଲା ।
ଏଣେ କୈଳାସରେ ପାର୍ବତୀ ଶିବଙ୍କର ପରିଚର୍ଯ୍ୟାରେ ବ୍ୟସ୍ତ ଥା’ନ୍ତି । ପ୍ରତ୍ୟେକ ଦିନ ସଖୀମାନଙ୍କ ସହ ସେ ପୁଷ୍ପଚୟନ କରନ୍ତି । ଜଳ, ଚନ୍ଦନ, କର୍ପୁର ଧୂପ ପୁଷ୍ପ ଆଦି ଆଣି ଶିବଙ୍କର ସେ ପୂଜା କରନ୍ତି ।
ଇତିମଧ୍ୟରେ ତାରକ ଆଉଥରେ ସ୍ୱର୍ଗକୁ ଯାଇ ଇନ୍ଦ୍ରଙ୍କୁ ସିଂହାସନରୁ ତଡି ଦେଇ ସବୁ ଦେବତାଙ୍କୁ ହଇରାଣ କରିବାକୁ ଲାଗିଲା ।
ଇନ୍ଦ୍ର ଓ ଅନ୍ୟ ଦେବତାମାନେ ବ୍ରହ୍ମାଙ୍କ ନିକଟରେ ପହଁଚି ସବୁ ଦୁଃଖ ନିବେଦନ କରି କହିଲେ, “ଏବେ ତାରକର ଅତ୍ୟନ୍ତ ଗର୍ବ ହୋଇ ଯିବାରୁ ସେ ଏପରି ସବୁ କରୁଛି । ଆପଣ ଏହାର କିଛି ପ୍ରତିକାର କରନ୍ତୁ ।”