ବ୍ରହ୍ମା ତାରକ ପାଖକୁ ଯାଇ ତାକୁ ବୁଝାଇଲେ, “ତୁମେ ତ ତିନିଲୋକ ଉପରେ ରାଜା । ଏବେ ତମେ ନିଜ ପୁରକୁ ଫେରିଯାଅ ଓ ଇନ୍ଦ୍ରଙ୍କୁ ତାଙ୍କ ସିଂହାସନ ଫେରାଇ ଦିଅ । ସେ ତୁମ ଅଧିକାରରେ ରହିବେ । ତମେ ଦେବତାଙ୍କ ସହ କାହିଁକି ଶତ୍ରୁତା କରୁଛ?”
ତାରକ ବ୍ରହ୍ମାଙ୍କ କଥା ସ୍ୱୀକାର କରିନେଲା ଓ ସେ ସ୍ୱର୍ଗପୁର ଛାଡି ଚାଲିଗଲା । ନିଜ ରାଜ୍ୟରେ ଥାଇ ସେ ତିନିଲୋକ ଶାସନ କରିବାରେ ଲାଗିଲା ।
ଇନ୍ଦ୍ର ତାଙ୍କର ସିଂହାସନ ଫେରି ପାଇଲେ ମଧ୍ୟ ତାରକର ଆଧିପତ୍ୟରେ ରହୁଥିବାରୁ ତାଙ୍କୁ ବହୁତ ଲଜ୍ଜା ହେଲା । ସେ ବୃହଷ୍ପତିଙ୍କୁ ଡାକି କହିଲେ, “ଗୁରୁଦେବ, ମୁଁ ତାରକର ସେବକ ବୋଲି ଭାବିବା ବେଳକୁ ମୋତେ ବଡ ଅପମାନ ହେଉଛି । ଆପଣ ତ ସର୍ବଜ୍ଞ । ତାରକର ମୃତ୍ୟୁ କି ଉପାୟରେ ହେବ କୁହନ୍ତୁ ।”
ବୃହଷ୍ପତି କହିଲେ, “ବ୍ରହ୍ମାଙ୍କ ବରରେ ସେ ଏପରି ବଳଶାଳୀ ହୋଇଛି । ତେଣୁ ଚାଲ ତାଙ୍କ ପାଖକୁ ଯାଇ ଏ ବିଷୟରେ ସବିଶେଷ ଆଲୋଚନା କରିବା ।”
ସେମାନେ ଯାଇ ବ୍ରହ୍ମାଙ୍କ ପାଖରେ ପହଁଚିଲେ । ବ୍ରହ୍ମା କହିଲେ, “କେବଳ ଶିବଙ୍କ ଅଂଶରୁ ଉତ୍ପନ୍ନ ବାଳକ ଦ୍ୱାରାହିଁ ତାରକର ମୃତ୍ୟୁ ହେବ । ସତୀଙ୍କ ମୃତ୍ୟୁ ପରେ ସେ ଦୁଃଖିତ ହୋଇ ଘୋର୍ ତପସ୍ୟାରେ ମଗ୍ନ । ଏବେ ସତୀଦେବୀ ହିମବାନଙ୍କ କନ୍ୟା ପାର୍ବତୀ ରୂପରେ ଜନ୍ମ ନେଇଛନ୍ତି । ସେ ଶିବଙ୍କର ପରିଚର୍ଯ୍ୟା କରନ୍ତି । ତମେମାନେ ଯଦି କୌଣସି ଉପାୟରେ ପାର୍ବତୀଙ୍କ ପ୍ରତି ଶିବଙ୍କର ପ୍ରସନ୍ନତା ଉଦ୍ରେକ କରାଇ ପାରିବ ତେବେ ସେ ଦୁହିଁଙ୍କର ବିବାହ ହେବ ଓ ଯେଉଁ ପୁତ୍ର ଜନ୍ମନେବ ସେହିଁ ତାରକକୁ ମାରି ପାରିବ ।”
ଇନ୍ଦ୍ର ଓ ଅନ୍ୟମାନେ ଏଥର ତାରକର ମୃତ୍ୟୁ ରହସ୍ୟ ଜାଣିବା ମାତ୍ରେ କାମଦେବଙ୍କ ପାଖରେ ଯାଇ ପହଁଚିଲେ । ଦେବତାମାନେ ସମସ୍ତ ଘଟଣା ବୁଝାଇ କହିବା ପରେ କାମଦେବଙ୍କୁ କହିଲେ, “ହେ କାମଦେବ! ଏବେ ତମେ ଯାଇ ତୁମର ପୁଷ୍ପବାଣ ଶିବଙ୍କ ଉପରେ ନିକ୍ଷେପ କର । ନଚେତ୍ ଆଉ କିଛି ଉପାୟ ନାହିଁ ।”
ଏକଥା ଶୁଣିବା ମାତ୍ରେ କାମଦେବ ଅତ୍ୟନ୍ତ ଭୟଭୀତ ହୋଇ କହିଲେ, “ଶିବଙ୍କ ଉପରେ ବାଣ ପ୍ରୟୋଗ କରିବାକୁ ମୁଁ ସାହସ କରିପାରୁ ନାହିଁ । କାରଣ ଶିବଙ୍କର ରୋଷ ସହ୍ୟ କରିବାର ଶକ୍ତି ମୋର ନାହିଁ ।”
ଏକଥା ଶୁଣି ଇନ୍ଦ୍ର ତାଙ୍କୁ ବୁଝାଇ କହିଲେ, “କାମଦେବ, ସାରା ବିଶ୍ୱବ୍ରହ୍ମାଣ୍ଡରେ ତୁମ ଶକ୍ତିରେ ବଶ ହେବନାହିଁ ଏପରି କିଏ ଅଛି? ତୁମ ପୁଷ୍ପବାଣ ସାମନାରେ କେହିବି ତିଷ୍ଠି ପାରିବେ ନାହିଁ । ତା’ଛଡା ତମେ ତ ଏ ସମସ୍ତ କାର୍ଯ୍ୟ ଦେବତାଙ୍କ ପାଇଁ କରିବ ।”
ଇନ୍ଦ୍ରଙ୍କଠାରୁ ପ୍ରଶଂସା ଶୁଣି କାମଦେବ ସେ କାର୍ଯ୍ୟ କରିବାକୁ ରାଜି ହେଲେ । ସେ ତାଙ୍କ ପତ୍ନୀ ରତୀଦେବୀଙ୍କ ସହିତ କୈଳାସର ସେହି ବନପ୍ରଦେଶକୁ ଗମନ କଲେ । ସେଠାରେ ସେମାନେ ଏକ ବୃକ୍ଷ ଶାଖାର ଅନ୍ତରାଳରେ ଲୁଚି ରହି ପାର୍ବତୀଙ୍କ ଆଗମନକୁ ଅପେକ୍ଷା କରି ରହିଲେ ।
ଅନେକ ସମୟ ପରେ ପାର୍ବତୀ ଆସିଲେ । ଏଣେ କାମଦେବଙ୍କ ଉପସ୍ଥିତିରୁ ସେହି ବନପ୍ରଦେଶରେ ଅପୂର୍ବ ବସନ୍ତ ଋତୁ ଦେଖା ଦେଲା । ଚାରିଦିଗରେ ବୃକ୍ଷଲତା ପୁଷ୍ପିତ ହୋଇ ଉଠିଲେ ଓ ମୃଦୁ ମୃଦୁ ମଳୟ ସମୀର ବହିବାକୁ ଲାଗିଲା । ପାର୍ବତୀଙ୍କ ହୃଦୟରେ ମଧୁର ଭାବର ସଂଚାର ହେଲା । ସେ ଶିବଙ୍କର ପରିଚର୍ଯ୍ୟା କରିବାରେ ଲାଗିଲେ । ଶିବ ଆଖି ଖୋଲି ପାର୍ବତୀଙ୍କ ଆଡେ ଚାହିଁଲେ । ସେଦିନ ତାଙ୍କ ଆଖିରେ ପାର୍ବତୀଙ୍କ ରୂପ ଅନ୍ୟପ୍ରକାର ଦେଖା ଦେଲା । ଶିବ ପୁଣି ଚକ୍ଷୁ ବନ୍ଦ କରି ଧ୍ୟାନମଗ୍ନ ହେଲେ । ପାର୍ବତୀ ତାଙ୍କୁ ପୁଷ୍ପ ମାଲ୍ୟ ଓ ଗନ୍ଧ ଚନ୍ଦନାଦି ଅର୍ପଣ କରି ତାଙ୍କ ସମ୍ମୁଖରେ ହାତ ଯୋଡି ଠିଆ ହୋଇଥା’ନ୍ତି । ଶିବ ପୁଣି ଥରେ ଆଖି ଖୋଲିଲେ ଏବଂ ପାର୍ବତୀଙ୍କ ଐକାନ୍ତିକ ଭକ୍ତି ଓ ସେବାରେ ମୁଗ୍ଧ ହୋଇ ସେ ତାଙ୍କରି ଆଡେ ସେମିତି ଚାହିଁ ରହିଥାନ୍ତି । ଠିକ୍ ଏହି ସମୟରେ କାମଦେବ ତାଙ୍କ ପ୍ରତି ପୁଷ୍ପବାଣ ନିକ୍ଷେପ କଲେ ।
ପ୍ରଥମେ ଶିବ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଦୃଷ୍ଟିପାତ କଲେ । ଅଚିରେ ଅଦୂରରେ ଲୁଚି ରହିଥିବା କାମଦେବଙ୍କ ଉପରେ ତାଙ୍କ ଆଖି ପଡିଲା ।
ଶିବ ହଠାତ୍ କ୍ରୁଦ୍ଧ ହୋଇ ଉଠି ପଡିଲେ ଓ କହିଲେ, “ମୋ ଉପରକୁ କିଏ ଏପରି ବାଣ ମାରିଲା?” ସେହି ମହା ରୁଦ୍ରଭାବ ଯୋଗୁଁ ତାଙ୍କ କପାଳସ୍ଥ ତୃତୀୟ ନୟନ ଖୋଲିଗଲା ଓ ସେଥିରୁ ଅଗ୍ନିବୃଷ୍ଟି ହୋଇ ତାହା କାମଦେବଙ୍କୁ ଜୀବନ୍ତ ଦଗ୍ଧ କଲା ।
ରତୀଦେବୀ ଅତ୍ୟନ୍ତ କାତର ହୋଇ ବିଳାପ କରିବାକୁ ଲାଗିଲେ । ଏପରି ଘଟଣା ଘଟିବ ବୋଲି ମଧ୍ୟ ସେ ମୋଟେ କଳ୍ପନା କରି ନଥିଲେ । କାମଦେବଙ୍କ ଭସ୍ମୀଭୁତ ଶରୀର ଦେଖି ଦେବତାମାନେ ମଧ୍ୟ ଅତ୍ୟନ୍ତ କାତର ହୋଇ ପଡିଲେ । ସେମାନଙ୍କ ଭିତରେ ଭୟଙ୍କର କୋଳାହଳ ଏବଂ ହାହାକାର ପଡିଗଲା ।
ତା’ପରେ ଇନ୍ଦ୍ରାଦି ଦେବତାମାନେ ଯାଇ ଶିବଙ୍କୁ ସ୍ତୁତିକରି ଶାନ୍ତ କରାଇଲେ ଓ ଶିବ ନିଜର ତୃତୀୟ ନେତ୍ରର ଅଗ୍ନି ସମ୍ବରଣ କଲେ । ତା’ପରେ କାମଦେବଙ୍କ ପତ୍ନୀ ରତିଦେବୀ ଆସି ଶିବଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାଶିବ, ଏହି କାର୍ଯ୍ୟରେ ମୋ ସ୍ୱାମୀଙ୍କର କିଛି ଅପରାଧ ନାହିଁ । ଦେବତାମାନେ ତାରକ ଅସୁର ଦ୍ୱାରା ଅତ୍ୟାଚାରିତ ହୋଇ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଆପଣଙ୍କ ଅଂଶ ଜାତ ପୁତ୍ରହିଁ କେବଳ ତାକୁ ମାରି ପାରିବ ବୋଲି ସେ ବର ପାଇଛି । ସେଇଥିପାଇଁ ପାର୍ବତୀଙ୍କ ପ୍ରତି ଆପଣଙ୍କୁ ଆକୃଷ୍ଟ କରିବା ପାଇଁ ମୋ ସ୍ୱାମୀ ଏପରି କରିଛନ୍ତି । ଏସବୁ ଦେବତାଙ୍କ ପାଇଁ । ଏବେ ସମସ୍ତିଙ୍କର ଦୋଷ କ୍ଷମା କରନ୍ତୁ ଓ ମୋର ସ୍ୱାମୀଙ୍କୁ ପୁନର୍ଜୀବିତ କରାନ୍ତୁ ।” ଶିବ ସବୁ ବୁଝିଗଲେ ଓ ରତିଦେବୀଙ୍କ ପ୍ରତି ପ୍ରସନ୍ନ ହୋଇ କାମଦେବଙ୍କୁ ପୁନର୍ଜୀବନ ଦେଲେ କିନ୍ତୁ ତାଙ୍କର ଦେହ ନଥିବାରୁ ସେହିଦିନଠାରୁ ସେ ‘ଅଦେହୀ’ ବା ଅତନୁ ନାମରେ ଖ୍ୟାତ ହେଲେ ।