ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବ ପୁରାଣ

ଶ୍ରୀବିଷ୍ଣୁ ଆଦିଶେଷଙ୍କୁ ଆଦେଶ ଦେଇ କହିଲେ, “ଶେଷ, ମୁଁ ଦେବତାମାନଙ୍କର ସହାୟତା କରିବି । ତୁମେ ଯାଇ ମନ୍ଦର ପର୍ବତକୁ ଉପାଡି ନେଇ ତାହାକୁ କ୍ଷୀରସାଗରରେ ରଖ ।”

                ଆଦିଶେଷ ଶ୍ରୀବିଷ୍ଣୁଙ୍କ ଆଜ୍ଞା ପାଳନ କଲେ । କଥା ହେଲା ସାଗରମନ୍ଥନରୁ ଯେଉଁ ଅମୃତ ବାହାରିବ ସେଥିରୁ କିଛି ଅଂଶ କ୍ଷୀରସାଗରକୁ ଦିଆଯିବ ଓ ବାକିତକ ଦେବତାମାନେ ଖାଇବେ । ଅସୁରମାନଙ୍କୁ ଅନ୍ୟ କିଛି ଦେଇ ସନ୍ତୁଷ୍ଟ କରାଯିବ । କିନ୍ତୁ ମନ୍ଦର ପର୍ବତକୁ କ୍ଷୀରସାଗରରେ ପକାଇବା ମାତ୍ରେ ତାହା ଡୁବିଗଲା । ଏ ନୂତନ ସମସ୍ୟା ବିଷୟ ଶ୍ରୀବିଷ୍ଣୁଙ୍କୁ ଜଣାଇବା ମାତ୍ରେ ସେ ମହାକୁର୍ମ ରୂପ ଧରି ମନ୍ଦରାଚଳକୁ ନିଜ ପୃଷ୍ଠରେ ଧାରଣ କଲେ ।

                ଏବେ ପର୍ବତ ସ୍ଥିତ ହେବା ପରେ ରଜ୍ଜୁର ଆବଶ୍ୟକତା ପଡିଲା । ସେଥିପାଇଁ ବାସୁକୀ ପୂର୍ବରୁ ପ୍ରସ୍ତୁତ ଥିଲେ । ଏବେ ମନ୍ଥନ କାର୍ଯ୍ୟ ଦେବ ଓ ଦାନବମାନଙ୍କ ଦ୍ୱାରା ସମାହିତ ହେବ । କିନ୍ତୁ ବାସୁକିଙ୍କର ମୁହଁ ଓ ଲାଞ୍ଜ କିଏ ଧରିବ ବୋଲି ଦେବ ଦାନବ ମଧ୍ୟରେ ଝଗଡା ହେଲା । ଶେଷରେ ଦାନବମାନେ ମୁହଁ ଧରିଲେ ଓ ଦେବତାମାନେ ବାସୁକୀଙ୍କର ଲାଞ୍ଜ ଧରିଲେ ।

                ସମୁଦ୍ର ମନ୍ଥନ ସମୟରେ ବାସୁକୀ ମୁହଁରୁ ଅନର୍ଗଳ ବିଷାକ୍ତ ଧୂଆଁ ନିର୍ଗତ ହେଲା । ଦାନବମାନଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ସବୁକିଛି ସହ୍ୟ କରିନେଲେ । ଦେବତା ଓ ଦାନବଗଣ ଦୀର୍ଘକାଳ ଧରି ସମୁଦ୍ର ମନ୍ଥନ କଲେ ମଧ୍ୟ ଫଳ ଲାଭ ହେଲା ନାହିଁ । ପୁଣି କିଛିଦିନ ପରେ ସେଥିରୁ ଖାଲି କାଳକୁଟ ବିଷ ବାହାରି ସାରା ବ୍ରହ୍ମାଣ୍ଡ ଆଚ୍ଛାଦିତ କରି ପ୍ରାଣୀମାନଙ୍କୁ ବ୍ୟାକୁଳ କଲା ।

                ଏ ଘଟଣା ଦେଖି ସମସ୍ତେ ଖୁବ୍ ଭୟଭୀତ ହେଲେ । ଚତୁର୍ଦ୍ଦିଗରେ ନୀଳବର୍ଣ୍ଣର ହଳାହଳ ବ୍ୟାପି ରହିଛି । କିଛି ଉପାୟ ନପାଇ ଦେବଦାନବଗଣ କୈଳାସକୁ ଦୌଡିଲେ । ସେଠାରେ ସେମାନେ ପହଁଚି ଶିବଙ୍କୁ ପ୍ରାର୍ଥନା କରି କହିଲେ, “ହେ ଦେବାଧିଦେବ, କାଳକୂଟ ବିଷ ବିଶ୍ୱବ୍ରହ୍ମାଣ୍ଡକୁ ଜାଳି ଦେବାକୁ ବସିଛି । କେବଳ ଆପଣହିଁ ଆମକୁ ଏଥିରୁ ଉଦ୍ଧାର କରି ପାରିବେ ।”

                ସେମାନଙ୍କର ଦୀନଦଶା ଦେଖି ଶିବ ଦୟାର୍ଦ୍ଦ ହୋଇଗଲେ । ସେ ପାର୍ବତୀଙ୍କୁ କହିଲେ, “ଦେବୀ, ସାରା ଜଗତ ଏବେ ବିପଦଗ୍ରସ୍ତ । ଦେବ ଦାନବଙ୍କ ସମୁଦ୍ର ମନ୍ଥନରୁ ନିର୍ଗତ ହୋଇଥିବା ହଳାହଳ ନୀଳବର୍ଣ୍ଣ ଅଗ୍ନି ରୂପ ଧାରଣ କରି ବ୍ରହ୍ମାଣ୍ଡ ଧ୍ୱଂସ କରିବାକୁ ବସିଛି । ଏବେ ମୁଁ ଏହାକୁ ପାନ କରି ସେମାନଙ୍କୁ ରକ୍ଷା କରିବି ।”

                ଏହା କହି ପାର୍ବତୀଙ୍କଠାରୁ ବିଦାୟ ନେଇ ମହାଦେବ ଧ୍ୟାନସ୍ଥ ହେଲେ ଓ ନୀଳାଗ୍ନି ରୂପ ହଳାହଳକୁ ନିଜ ଶକ୍ତି ଦ୍ୱାରା ଆହରଣ କଲେ । ନିଜ ହାତ ଅଞ୍ଜଳୀରେ ତାହାକୁ ରଖି ଜଳପାନ କରିବା ପରି ସେ ମହାବିଷକୁ ପାନ କଲେ । କଣ୍ଠ ତାଙ୍କର ନୀଳବର୍ଣ୍ଣ ଧାରଣ କଲା । ସେହିଦିନଠାରୁ ସେ ନୀଳକଣ୍ଠ ରୂପରେ ଖ୍ୟାତ ହେଲେ ।

                ଏ ଘଟଣା ପରେ ଦେବ ଓ ଦାନବ ଶିବଙ୍କ ଦ୍ୱାରା ବିପଦ ମୁକ୍ତ ହୋଇ ପୁଣି ଯାଇ କ୍ଷୀରସାଗର ମନ୍ଥନ କଲେ । କାମଧେନୁ ବାହାରିଲା । ଯଜ୍ଞର ସାହାଯ୍ୟକାରୀ ବୋଲି ଏହାଙ୍କୁ ଋଷିମାନଙ୍କୁ ଦାନ କରାଗଲା ।

                ତା’ପରେ ସେଥିରୁ ଉଚ୍ଚୈଶ୍ରବା ଘୋଡା ବାହାରିଲେ; ତା’ପରେ ଚାରୋଟି ଦାନ୍ତ ଥିବା ଶ୍ୱେତ ହସ୍ତୀ ଐରାବତ ବାହାରିଲେ । ତାହା ଇନ୍ଦ୍ରଙ୍କୁ ଦିଆଗଲା । ତା’ପରେ ପାରାଜାତ ପୁଷ୍ପ ବାହାରିଲା । ତା’ପରେ ଅପ୍ସରାଗଣଙ୍କର ଆର୍ବିଭାବ ହେଲା । ସେମାନେ ଦେବସଭାରେ ଅବସ୍ଥାନ କଲେ । ଲକ୍ଷ୍ମୀଦେବୀଙ୍କର ଆର୍ବିଭାବ ହେବା ମାତ୍ରେ, ସ୍ୱୟଂ ଲକ୍ଷ୍ମୀଦେବୀ ବିଷ୍ଣୁଙ୍କର ସ୍ତ୍ରୀ ରୂପରେ ଅବସ୍ଥାନ କରିବାର ଇଚ୍ଛା ପ୍ରକାଶ କଲେ ଓ ତାହା ପୂର୍ଣ୍ଣ ମଧ୍ୟ ହେଲା । ତା’ପରେ ଅନେକ ଜିନିଷ ବାହାରିଲା । କିନ୍ତୁ ସର୍ବ ଶେଷରେ ଅମୃତ କଳସ ସହିତ ଧନ୍ୱନ୍ତରୀ ନିର୍ଗତ ହେଲେ । ସେ ଚିକିତ୍ସାଶାସ୍ତ୍ର ବିଶାରଦ ଥିଲେ । ସେ ବାହାରିବା ମାତ୍ରେ ଅସୁରମାନେ ତାଙ୍କ ହାତରୁ ଅମୃତ କଳସ ଛଡାଇ ନେଇ ଦୌଡି ପଳାଇଗଲେ । ଦେବତାମାନଙ୍କର ସମସ୍ତ ପରିଶ୍ରମ ବ୍ୟର୍ଥ ହେବା ଦେଖି ବିଷ୍ଣୁ କହିଲେ, “ତମେମାନେ ଚିନ୍ତା କରନାହିଁ, ମୁଁ ଏକ ମାୟାଜାଲ ରଚନା କରିବି । ଯଦ୍ୱାରା ତମେମାନେହିଁ ଅମୃତର ଅଧିକାରୀ ହେବ ।”

                ତା’ପରେ ବିଷ୍ଣୁ ମନୋମୁଗ୍ଧକାରୀ ମୋହିନୀ କନ୍ୟାର ରୂପ ଧାରଣ କରି ଦାନବମାନଙ୍କ ସମୀପରେ ଯାଇ ପହଁଚିଲେ । ଦାନବମାନେ ମୋହିନୀଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ମୋହିତ ହୋଇଗଲେ ଓ ମୋହିନୀଙ୍କ ପାଖକୁ ଆସି ସେମାନେ କହିଲେ, “ଦେଖ, ଏଇ ଅମୃତ ପାଇଁ ଆମେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛୁ । ତମେ ଏହାକୁ ସମାନ ଭାବରେ ବାଂଟି ଦିଅ ।”

                ମୋହିନୀ କହିଲେ “ନିଶ୍ଚୟ ବାଂଟି ଦେବି । କିନ୍ତୁ ତମେମାନେ ମଝିରେ କୌଣସି ବାଧା ବା ଗଣ୍ଡଗୋଳ ଆଉ ସୃଷ୍ଟି କରିବ ନାହିଁ ତ?”

                ଦାନବମାନେ ତାଙ୍କ କଥାରେ ରାଜି ହୋଇଗଲେ । ମୋହିନୀ ଦେବତା ଓ ଦାନବଙ୍କୁ ଦୁଇ ଧାଡି କରି ବସାଇଲେ । ତା’ପରେ ସେ ପ୍ରଥମେ ଦେବତାମାନଙ୍କୁ ଅମୃତ ବାଂଟି ଦେଲେ । ଦାନବମାନେ ପୂର୍ବ ସର୍ତ୍ତ ଅନୁସାରେ ଚୁପ୍ଚାପ୍ ବସି ରହିଲେ । ସବୁ ଦେବତାମାନେ ଅମୃତ ପିଇବା ପରେ ମୋହିନୀ କନ୍ୟା ପୁଣି ବିଷ୍ଣୁ ରୂପରେ ପ୍ରକଟ ହେଲେ । ସେତେବେଳେ ଦେବତାଙ୍କ ମଝିରେ ଦାନବ ରାହୁ ବସି କିଛି ଅମୃତ ପିଇଗଲା । ବିଷ୍ଣୁ ଏକଥା ଜାଣିବା ମାତ୍ରେ ତାକୁ ତାଙ୍କ ଚକ୍ରରେ ଦୁଇଖଣ୍ଡ କଲେ । କିନ୍ତୁ ଅମୃତ ପିଇଥିବାରୁ ଦୁଇଖଣ୍ଡଯାକ ରାହୁ ଓ କେତୁ ନାମରେ ବଂଚି ରହିଲେ । ଭଗବାନ ଶିବ ଯେତେବେଳେ ମୋହିନୀ କନ୍ୟା ବିଷୟରେ ଶୁଣିଲେ ତାଙ୍କ ମନରେ ତାଙ୍କୁ ଥରେ ଦେଖିବାକୁ ବଡ କୌତୁହଳ ହେଲା । ତେଣୁ ଥରେ ସେ ପାର୍ବତୀଙ୍କୁ ନେଇ ଶ୍ରୀବିଷ୍ଣୁଙ୍କ ପାଖରେ ଯାଇ ପହଁଚି କହିଲେ, “ମୁଁ ଆପଣଙ୍କର ସବୁ ଅବତାର ଦେଖିଛି । ଏବେ ମୋହିନୀ କନ୍ୟା ରୂପକୁ ମୁଁ ଥରେ ଦେଖିବାକୁ ଚାହେଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ