ଦିତି ପୁଣି ଦୁଃଖିତ ହେଲେ । ସେ ପୁଣି ଏକ ପୁତ୍ର ପ୍ରାର୍ଥନା କଲେ । ସ୍ୱାମୀ କଶ୍ୟପ କହିଲେ ଏଥର ବରଂ ସେ ବ୍ରହ୍ମାଙ୍କୁ ପ୍ରାର୍ଥନା କରନ୍ତୁ । ଶେଷରେ ତାହାହିଁ ହେଲା । ବ୍ରହ୍ମାଙ୍କ ବରଦାନରୁ ଏକ ବଜ୍ରକାନ୍ତ ବିଶିଷ୍ଟ ଶିଶୁପୁତ୍ର ଦିତିଙ୍କଠାରୁ ଜନ୍ମ ହେଲା । ପିତାମାତା ତା’ର ନାମ ବଜ୍ରାଙ୍ଗ ରଖିଲେ ।
ବଜ୍ରାଙ୍ଗର ଜନ୍ମ ସଙ୍ଗେ ସଙ୍ଗେ ସାରା ପୃଥିବୀରେ ଉଲ୍କାପାତ ଓ ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟମାନ ଦେଖା ଦେଲା । ଏସବୁ ଅଶୁଭ ସଙ୍କେତ ଦେଖି ଦେବତାମାନେ ଅତ୍ୟନ୍ତ ଭୟଭୀତ ହେଲେ । ଦିତି ବଜ୍ରାଙ୍ଗକୁ ଅତି ଯତ୍ନରେ ତଥା ଆଦରରେ ପାଳନ କଲେ । ଟିକିଏ ବଡ ହୋଇଯିବା ପରେ ଦିନେ ସେ ଦିତି ତାଙ୍କ ପୁଅକୁ କହିଲେ, “ପୁଅ, ଦେବତାମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି । ସେମାନେ ତୋର ବଡଭାଇମାନଙ୍କୁ ବଧ କରିଛନ୍ତି । ତେଣୁ ତୁ ଏହାର ପ୍ରତିଶୋଧ ଦିନେନା ଦିନେ ନିଶ୍ଚୟ ନେବୁ ।”
ବଜ୍ରାଙ୍ଗର ଯୁବକ ବୟସ ହେବା ମାତ୍ରେ ସେ ଅସୁର ସେନା ସଂଗଠନ କଲା ଓ ଯୁଦ୍ଧ ଯାତ୍ରା କଲା । ମର୍ତ୍ୟ ତ ସେ ଅଚିରେ ଦଖଲ କଲା । ତା’ପରେ ସେ ସ୍ୱର୍ଗପୁର ଦଖଲ କଲା ଓ ଇନ୍ଦ୍ରଙ୍କ ସିଂହାସନରେ ଯାଇ ବସିଲା । ଏସବୁ ଶୁଣି ମାତା ଦିତି ଅତ୍ୟନ୍ତ ଆନନ୍ଦିତ ହେଲେ ।
ଅନେକ ଦେବତା ବନ୍ଦୀ ଥିଲେ । କେତେକ ଦେବତା ବ୍ରହ୍ମାଙ୍କ ପାଖରେ ପହଁଚି ନିଜର ପରାଜୟ ସମ୍ବାଦ ଦେଲେ । ବ୍ରହ୍ମା ପୁଣି କଶ୍ୟପଙ୍କୁ ସାଥିରେ ଧରି ବଜ୍ରାଙ୍ଗ ପାଖରେ ପହଁଚିଲେ । ପିତା କଶ୍ୟପ ଓ ବ୍ରହ୍ମା ଦୁହେଁ ବଜ୍ରାଙ୍ଗକୁ ଅନୁରୋଧ କଲେ ଇନ୍ଦ୍ରଙ୍କୁ ମୁକ୍ତି ଦେଇ ସ୍ୱର୍ଗ ରାଜ୍ୟ ସେମାନଙ୍କ ହାତରେ ଛାଡି ଦେବା ପାଇଁ ।
ମାତ୍ର ଏହାର ଉତ୍ତରରେ ବଜ୍ରାଙ୍ଗ କହିଲା, “ମୁଁ ରାଜ୍ୟ ବା ସମ୍ପତ୍ତିର ଲୋଭରେ ଦେବତାଙ୍କ ସହ ଯୁଦ୍ଧ କରିନାହିଁ । ଇନ୍ଦ୍ର ଅତ୍ୟନ୍ତ ଦୁଷ୍ଟ ଓ ଅତ୍ୟାଚାରୀ । ମୋ ମା’ର ଗର୍ଭସ୍ଥ ଶିଶୁକୁ ସେ ବଜ୍ର ପେଷି କାଟିଛି ଓ ମୋ ମା’ ମନରେ ସେ ଅନେକ ଦୁଃଖ ବି ଦେଇଛି । ତେଣୁ ସେ ମୁକ୍ତି ପାଇବାର ଯୋଗ୍ୟ ହିଁ ନୁହେଁ । ଆପଣମାନେ ଯେହେତୁ କହୁଛନ୍ତି ତେଣୁ ମୁଁ ତାକୁ ମୁକ୍ତ କରି ଦେଉଛି ।”
ବଜ୍ରାଙ୍ଗର ନମ୍ରତା, ଭଦ୍ରତା ଓ ଇନ୍ଦ୍ର ପ୍ରତି ଦୟା ଦେଖି ବ୍ରହ୍ମା ଅତ୍ୟନ୍ତ ଖୁସି ହେଲେ ଓ ତାକୁ ବର ମାଗିବାକୁ କହିଲେ ।
ବଜ୍ରାଙ୍ଗ ବ୍ରହ୍ମାଙ୍କୁ ନିବେଦନ କରି କହିଲା, “ପ୍ରଭୁ ମୁଁ କେବଳ ପରଂବ୍ରହ୍ମଙ୍କ ରୂପ ଦେଖିବାକୁ ଚାହେଁ; ଆଉ ପ୍ରାଣୀମାନଙ୍କ ପ୍ରତି ମୋ ହୃଦୟରେ ଯେପରି ସର୍ବଦା ଦୟା ବିରାଜମାନ କରିବ; ଏହି ଦୁଇଟି ବର ମୋତେ ଦିଅନ୍ତୁ ।”
ବଜ୍ରାଙ୍ଗର କଥାରେ ବ୍ରହ୍ମା ଆହୁରି ଆନନ୍ଦିତ ହେଲେ ଓ ବଜ୍ରାଙ୍ଗ ସହ ବରାଙ୍ଗୀ ନାମକ ଏକ ସୁନ୍ଦରୀ ରାଜକନ୍ୟାର ବିବାହ କରାଇଲେ । ତା’ପରେ ବଜ୍ରାଙ୍ଗ ଶିବଭକ୍ତ ହୋଇ ଓ ସାତ୍ତ୍ଵିକ ଭାବସମ୍ପନ୍ନ ହୋଇ ନିଜ ରାଜ୍ୟକୁ ଲେଉଟି ଆସିଲା । ସର୍ବଦା ଇଶ୍ୱର ଆରାଧନା କରି ନିଜର ଜୀବନ ବିତାଇବାକୁ ସେ ଲାଗିଲା ।
କିଛିଦିନ ପରେ ସ୍ତ୍ରୀର ସେବା ଓ ପ୍ରେମରେ ପ୍ରସନ୍ନ ହୋଇ ସେ କହିଲା, “କିଛି ଇଚ୍ଛା ଥିଲେ ପ୍ରକାଶ କର, ମୁଁ ତାହା ଅବଶ୍ୟ ପୂର୍ଣ୍ଣ କରିବି ।”
ଏକଥା ଶୁଣି ବରାଙ୍ଗୀ କହିଲା, “ଯେବେ ଆପଣ ମୋ ଉପରେ ପ୍ରସନ୍ନ ହୋଇଛନ୍ତି ତେବେ ଇନ୍ଦ୍ରାଦି ଦେବଗଣଙ୍କୁ ପରାଜିତ କରିପାରିବା ଭଳି ଏକ ଶକ୍ତିଶାଳୀ ପୁତ୍ର ମୋତେ ପ୍ରଦାନ କରନ୍ତୁ ।”
ପତ୍ନୀର ଏପରି କଥା ଶୁଣି ବଜ୍ରାଙ୍ଗ ଦୁଃଖିତ ହେଲା । କାରଣ ସେ ଜାଣିଥିଲା ଦେବତାମାନଙ୍କର ଶତୃ ରୂପରେ ଯେଉଁ ଶିଶୁ ଜନ୍ମ ନେବ ଅଳ୍ପକାଳ ମଧ୍ୟରେ ବିଷ୍ଣୁ ତାକୁ ନିଶ୍ଚୟ ସଂହାର କରିବେ । ତେଣୁ ଏପରି ଅଳ୍ପାୟୁ ପୁତ୍ରର କାମନା ବରାଙ୍ଗୀ କାହିଁକି ଯେ କଲା ଏଇ କଥା ଭାବି ସେ ଦୁଃଖିତ ହେଲା । କିନ୍ତୁ କଥା ଦେଇଛି କ’ଣ ବା ସେ କରିବ । ଏହାର ପ୍ରତିକାର ପାଇଁ ସେ ବ୍ରହ୍ମାଙ୍କୁ ପାଇବା ପାଇଁ ଘୋର୍ ତପସ୍ୟା ଆରମ୍ଭ କଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।