ରୁଦ୍ରପୁରରେ ଗୁରୁଦାସ ନାମକ ଜଣେ ଧନୀ ଥିଲେ । ତାଙ୍କୁ କିଏ କିଛି ପଚାରିଲେ, ସିଏ ଏପରି କଥା ତାଙ୍କୁ ବତେଇ ଦିଅନ୍ତି ଯେ ଫଳ ସର୍ବଦା ଖରାପ ହୁଏ ।
ଥରେ ତାଙ୍କର ପଡୋଶୀ ଜଗନ୍ନାଥ କୌଣସି ରୋଗରେ ଶଯ୍ୟାଶାୟୀ ହୋଇ ପଡିଲେ । ବୈଦ୍ୟ ଆସି ରୋଗ ପରୀକ୍ଷା କରି କହିଲେ, “କୃଷ୍ଣତୁଳସୀର ରସରେ ଏ ରୋଗର ଚିକିତ୍ସା ହୁଏ । କେବଳ ଗୁରୁଦାସ ବାଡିରେହିଁ ଏହି କୃଷ୍ଣତୁଳସୀ ଗଛ ଅଛି ।”
ବୈଦ୍ୟଙ୍କ କଥା ଅନୁସାରେ ଔଷଧ ପାଇଁ କୃଷ୍ଣତୁଳସୀ ଆଣିବାକୁ ଜଗନ୍ନାଥଙ୍କ ପୁଅ ଶଚ୍ଚି ଗୁରୁଦାସଙ୍କ ଘରକୁ ଗଲା । ଔଷଧ କଥା ଶୁଣି ସେ କହିଲା, “କୃଷ୍ଣତୁଳସୀର ପତ୍ର ଛିଡେଇବା ମହାପାପ । ମୋ ଘରେ ଏପରି ପାପ ହେବାକୁ ମୁଁ କେବେବି ଅନୁମତି ଦେବିନାହିଁ । ଗ୍ରାମରେ ଥିବା ବଣିଆ ଦୋକାନରେ ତୁମକୁ କୃଷ୍ଣତୁଳସୀର ମଞ୍ଜି ମିଳିଯାଇ ପାରିବ । ତୁମେ ଶୀଘ୍ର ଯାଇ ମଞ୍ଜି କିଣି ବଗିଚାରେ ତାକୁ ବୁଣିଦିଅ । ଗଛ ହେଲେ ବାପାଙ୍କର ଚିକିତ୍ସା ହେବ ।”
ଏପରି ଉତ୍ତର ଶୁଣି ଶଚ୍ଚି ବଡ ନିରାଶ ହୋଇ ପଡିଲା । ଫେରିବା ବାଟରେ ଅଚାନକ ଜଣେ ସନ୍ନ୍ୟାସୀଙ୍କ ସହିତ ତାଙ୍କର ଦେଖା ହେଲା । ସେ କହିଲେ, “ପୁଅ, ଗୁରୁଦାସ ତୁମକୁ ଠିକ୍ କଥା କହିଛି । ତୁମେ ସେହିପରି କର ।”
ସନ୍ନ୍ୟାସୀଙ୍କ ଚେହେରା ବହୁତ ଉଜ୍ଜ୍ୱଳ ଥିଲା । ଶଚ୍ଚି ସେଠାରୁ ସିଧା ବଣିଆ ଦୋକାନକୁ ଯାଇ ମଞ୍ଜି କିଣି ତାକୁ ବାରିରେ ବୁଣିଦେଲା । ଆଶ୍ଚର୍ଯ୍ୟ! ଅଳ୍ପ ସମୟ ମଧ୍ୟରେ ଗଜା ହେଲା, ବେଶ୍ ବଡ ବଡ ତୁଳସୀ ଗଛ ହୋଇଗଲା । ତତ୍କ୍ଷଣାତ୍ ଶଚ୍ଚି ପତ୍ରସବୁ ତୋଳି ତା’ର ରସ କାଢି ବାପାଙ୍କୁ ଔଷଧ ଦେଲା । ଅଳ୍ପଦିନ ମଧ୍ୟରେ ଜଗନ୍ନାଥ ବି ସୁସ୍ଥ ହୋଇ ଗଲେ ।
ଦିନେ ସେହି ସନ୍ନ୍ୟାସୀଙ୍କ ସହିତ ଜଗନ୍ନାଥଙ୍କର ଭେଟ ହେଲା । ସେ କହିଲେ, “ଗୁରୁଦାସର କଥା ଯୋଗୁଁ ତୁମର ରୋଗ ଉପଶମ ହେଲା ତେଣୁ ତୁମେ ତାଙ୍କୁ ନିଜର କୃତଜ୍ଞତା ଜଣାଅ ଯେ ଧନସମ୍ପତ୍ତି ହେବା ପାଇଁ ସେ ଯଦି ତୁମକୁ କିଛି ଉପାୟ ବତାଇ ଦିଏ ତ ବହୁତ ଭଲକଥା ।”
ଜଗନ୍ନାଥ ସବୁକିଛି ସନ୍ନ୍ୟାସୀଙ୍କ କଥା ମୁତାବକ କଲେ, କିନ୍ତୁ ଜଗନ୍ନାଥ ସୁସ୍ଥ ହୋଇ ଯିବାରୁ ଗୁରୁଦାସ ଖାଲି ଈର୍ଷାରେ ଜଳିଗଲେ । ତା’ର କିଛି ଖରାପ ହେଉ ବୋଲି ଭାବୁଥିଲେ ସେତିକିବେଳେ ଜଗନ୍ନାଥ ଯାଇ ସେଠାରେ ପହଁଚିଗଲେ । ଗୁରୁଦାସ ତାଙ୍କ ସହିତ ବହୁସମୟ କଥାବାର୍ତ୍ତା କରି କହିଲେ, “ତୁମର ଟଙ୍କା ପଇସା ଯଥେଷ୍ଟ ହେଉନାହିଁ ତ? ଗୋଟାଏ ଉପାୟ କର ତୁମର ସବୁ ପଇସା କଉଡି ନେଇ ବଗିଚାରେ ଗାତ ଖୋଳି ପୋତି ପକାଅ । କିଛି ଦିନ ପରେ ସେହି ସ୍ଥାନରେ ପଇସା ଗଛ ଉଠିବ ଓ ସେଥିରେ ପଇସା ଫଳିବ । ଆଉ ଧନ ପାଇଁ ତୁମର କୌଣସି ଚିନ୍ତା ରହିବ ନାହିଁ ।”
ଜଗନ୍ନାଥ ସେଠାରୁ ଫେରି ସନ୍ନ୍ୟାସୀଙ୍କୁ ସବୁ କଥା କହିଲେ । ତା’ପରେ ସେ ଅଳ୍ପ ରାଗି ଯାଇ କହିଲେ, “ଗୁରୁଦାସ ଦୁଷ୍ଟ ଲୋକ ନହେଲେ ସେ କ’ଣ କେବେବି ଏଭଳି ପରାମର୍ଶ ଦିଅନ୍ତା? ସେ ମୋତେ କ’ଣ ବୋଲି ଭାବିଛି କି? ସେ ଚାହେଁ ମୋର ସମସ୍ତ ଧନ ନଷ୍ଟ ହୋଇଯାଉ ଓ ମୋର ପରିବାର ନଖାଇ ନପିଇ ମରନ୍ତୁ ।”