ବିଜୟନଗର ରାଜ୍ୟର ବ୍ରାହ୍ମଣମାନେ ସ୍ୱଭାବରେ ଅତ୍ୟନ୍ତ ଲୋଭୀ ଥିଲେ । ଯେତେବେଳେ ନାହିଁ ସେତେବେଳେ କୌଣସି ଏକ କାର୍ଯ୍ୟର ଆଳ ଦେଖାଇ ରାଜାଙ୍କ ଠାରୁ ଅର୍ଥ ଆଦୟ କରିବା ସେମାନଙ୍କର କାର୍ଯ୍ୟ ଥିଲା । ରାଜାଙ୍କର ଉଦାରତାର ସୁଯୋଗ ନେଇ ସେହି ବ୍ରାହ୍ମଣମାନେ ଖୁବ୍ ଫାଇଦା ଉଠାଉଥିଲେ । ଦିନେ ରାଜା କୃଷ୍ଣଦେବରାୟ ବ୍ରାହ୍ମଣମାନଙ୍କୁ ନିଜ ସଭାକୁ ଡାକି କହିଲେ, “ହେ ବ୍ରାହ୍ମଣ ମହାଶୟଗଣ! ମୁଁ ଆଜି ଆପଣ ମାନଙ୍କ ଠାରୁ ଏକ ବିଶେଷ ତଥ୍ୟ ବୁଝିବା ପାଇଁ ହିଁ ଆପଣମାନଙ୍କୁ ଏଠାରେ ଏକଜୁଟ୍ ହେବାପାଇଁ କହିଛି । ସେ ବିଶେଷ କଥାଟି ହେଉଛି, ମୋର ମାତା ତାଙ୍କ ମୃତ୍ୟୁ ପୂର୍ବରୁ ଆମ୍ବ ଖାଇବାକୁ ଇଚ୍ଛା କରିଥିଲେ । କିନ୍ତୁ ମୁଁ ହତଭାଗ୍ୟ ମାତାଙ୍କର ଶେଷ ଇଚ୍ଛା ଆଦୌ ପୂରଣ କରିନଥିଲି । ତେଣୁ ହେ ପଣ୍ଡିତ ଗଣ । ମୋର ମାତାଙ୍କର ଆତ୍ମା କିପରି ଶାନ୍ତି ପାଇବ ସେ ଉପାୟ ମୋତେ କୁହନ୍ତୁ ।”
ରାଜାଙ୍କର କଥା ଶୁଣି ବ୍ରାହ୍ମଣମାନଙ୍କର ମନ ପୁରା ଖୁସି । ସେମାନେ ତ’ ସବୁ ସମୟରେ ଏହିପରି ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି । ତେଣୁ ସେମାନେ ସମସ୍ତେ ଏକ ସ୍ୱରରେ କହିଲେ, “ମହାରାଜ! ଯଦି ଆପଣ ଆପଣଙ୍କ ମାତାଙ୍କ ଆତ୍ମାର ଶାନ୍ତି ପାଇଁ କିଛି କହିବାକୁ ଚାହୁଁଥାଆନ୍ତି, ତା’ହେଲେ ଆପଣ ଆମମାନଙ୍କୁ ଏକ ଏକ ସୁନାର ଆମ୍ବ ପ୍ରଦାନ କରନ୍ତୁ । କାହିଁକିନା କଥାରେ ପରା ଅଛି ସ୍ୱର୍ଗତ ଆତ୍ମାକୁ ଯାହା ଦାନ କରିବା କଥା ତାହା ବ୍ରାହ୍ମଣ ମାନଙ୍କୁ ଦାନ କଲେ ହିଁ ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇଥାଏ ।” ବ୍ରାହ୍ମଣ ମାନଙ୍କର ଏପରି କଥା ରାଜାଙ୍କ ମନକୁ ବେଶ୍ ପାଇଲା । ରାଜା ବି ସଂଗେ ସଂଗେ ଏକଶହ ଆଠଟି ସୁନାର ଆମ୍ବ ଆଣି ସେ ବ୍ରାହ୍ମଣ ମାନଙ୍କୁ ଦାନ କଲେ । ତାପରେ ସେ ବ୍ରାହ୍ମଣ ମାନେ ସୁନାର ଆମ୍ବ ନେଇ ମନ ଖୁସିରେ ନିଜ ନିଜ ଘରକୁ ଫେରିଲେ । କିନ୍ତୁ ସେ ବ୍ରାହ୍ମଣମାନଙ୍କର ଏପରି କାର୍ଯ୍ୟକଳାପ ତେନାଲୀରାମାଙ୍କୁ ଆଦୌ ଭଲ ଲାଗୁନଥାଏ । ତେଣୁ ସେ କିପରି ଏ ବ୍ରାହ୍ମଣ ମାନଙ୍କ ଉପରେ ପ୍ରତିଶୋଧ ନେବେ କେବଳ ସେହି କଥା ହିଁ ଚିନ୍ତା କରୁଥାଆନ୍ତି ।