“ବାପା! ଏଥର ମୁଣ୍ଡ ଅବନତ କର । ଆମେ ଗୁମ୍ଫାରେ ପ୍ରବେଶ କରୁଛୁଁ ।” ଏହା କହି ବିଦ୍ୟାପତିଙ୍କୁ ଭିତରକୁ ନେଇଯାଇ ବିଶ୍ୱାବସୁ ତାଙ୍କ ଆଖିରୁ ପଟି ଖୋଲିଦେଲେ ।
ସେ ଅନ୍ଧକାର ପ୍ରତି ତାଙ୍କ ଆଖି ଅଭ୍ୟସ୍ତ ହୋଇଯିବା ବେଳକୁ ବିଦ୍ୟାପତି ଦେଖିଲେ, ଗୁମ୍ଫାର ଗୋଟିଏ କୋଣରେ ଖଣ୍ଡିତ ବଡ ପଥର ଉପରେ ବିଶ୍ୱାବସୁ ଫୁଲ ଥୋଉଛନ୍ତି । ହଠାତ୍ ବିଦ୍ୟାପତିଙ୍କ ଆଖି ଝଲସି ଉଠିଲା । ସେ ଦେଖିଲେ ଏକ ନୀଳ ଆଲୋକର ଝଲକ – ତହିଁ ଭିତରେ ଶ୍ରୀକୃଷ୍ଣଙ୍କ ଅବର୍ଣ୍ଣନୀୟ ସୁନ୍ଦର ରୂପ ।
ବିଦ୍ୟାପତିଙ୍କ କଣ୍ଠରୁ ବିସ୍ମୟ ଓ ଆନନ୍ଦ ସୂଚକ ଏକ ଧ୍ୱନି ନିର୍ଗତ ହେଲା ।
ବିଶ୍ୱାବସୁ ପ୍ରଶ୍ନ କଲେ “କ’ଣ ହେଲା, ବାପା?” ବିଦ୍ୟାପତି ଆତ୍ମସମ୍ବରଣ କରି କହିଲେ, “ନା, ପିତା, କିଛି ହୋଇନାହିଁ ।”
ବିଶ୍ୱାବସୁ ତ କମ୍ କଥା କହୁଥାନ୍ତି । ସୁତରାଂ ସେ ଆଉ କିଛି ପଚାରିଲେ ନାହିଁ । ପୁଣି ବିଦ୍ୟାପତିଙ୍କ ଆଖିରେ ପଟି ବନ୍ଧା ହେଲା ଓ ବିଶ୍ୱାବସୁ ତାଙ୍କୁ ଘରକୁ ଫେରେଇ ନେଇ ଆସିଲେ ।
ଏଣେ ଲଳିତା ତ ଗଭୀର ଆଗ୍ରହରେ ପ୍ରତୀକ୍ଷା କରୁଥିଲେ । ପତିଙ୍କୁ ଦେଖି ସେ ପ୍ରଶ୍ନ କଲେ, “କ’ଣ ଦେଖିଲ?”
ବିଦ୍ୟାପତି କହିଲେ “ଏମିତି କିଛି ନୁହେଁ! ଗୋଟାଏ ସନ୍ତସନ୍ତିଆ ଅନ୍ଧାର ଗୁମ୍ଫା ଭିତରେ କ’ଣ ବା ଅଦ୍ଭୁତ ଚିଜ ଥାଇପାରେ!” ତାଙ୍କର ଯେଉଁ ଅପୂର୍ବ ଅନୁଭୂତି ହୋଇଥିଲା, ସେକଥା ସେ ଲଳିତାଙ୍କଠାରୁ ମଧ୍ୟ ଲୁଚାଇ ରଖିବାକୁ ଚାହୁଁଥିଲେ । ଏହା କମ୍ ଯନ୍ତ୍ରଣାଦାୟକ ନୁହେଁ । କିନ୍ତୁ ଗୋଟିଏ ବିଶେଷ କର୍ତ୍ତବ୍ୟ ଯଥାର୍ଥ ରୂପେ ସାଧନ କରିବାକୁ ହେଲେ ଏଭଳି ଯନ୍ତ୍ରଣା ହୁଏତ ଅନିର୍ବାଯ୍ୟ । ମହାରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ ଉପରେ ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଥିଲେ, ତାହା ତୁଲାଇବା ଅବସରରେହିଁ ସେ ଲଳିତାଙ୍କୁ ପାଇଥିଲେ । ଲଳିତାଙ୍କୁ ପାଇ ସେ ଦାୟିତ୍ୱରେ ତୃଟି କଲେ ଚଳିବ କି?
କିନ୍ତୁ ଲଳିତାଙ୍କଠୁଁ ତାଙ୍କ ଅଭିଜ୍ଞତା ଗୋପନ ରଖିବାରେହିଁ ଯଦି କଥା ଛିଣ୍ଡନ୍ତା, ତା’ହେଲେ ଚିନ୍ତାର ବିଶେଷ ହେତୁ ନଥିଲା । ଅସଲ କଥା ଆହୁରି ବହୁତ ଅଧିକ ଗୁରୁତର । ସେ ଗୁମ୍ଫାରେ ଯାହା ଦେଖିଲେ, ତାହା ବିଷ୍ଣୁଙ୍କ ବିଭୂତି ବୋଲି ସେ ବୁଝିଥିଲେ । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱପ୍ନ ସାର୍ଥକ କରିବାକୁ ହେଲେ ଗୁମ୍ଫାରୁ ସେ ଅଲୌକିକ ଦ୍ରବ୍ୟ ସମ୍ପଦ ଧରି ତାଙ୍କୁ ଚାଲିଯିବାକୁ ହେବ । ତାହା ଏକ ଦିଗରେ ତାଙ୍କ କର୍ତ୍ତବ୍ୟନିଷ୍ଠାର ପରିଚୟ ହେବ ଠିକ୍, କିନ୍ତୁ ଅନ୍ୟ ଦିଗରେ ହେବ ବିଶ୍ୱାବସୁ ତଥା ଲଳିତାଙ୍କ ପ୍ରତି ଜଘନ୍ୟ ବିଶ୍ୱାସଘାତକତା ।
ସେ ନିଜକୁ ବୁଝାଇଲେ: ବିଶ୍ୱାବସୁ ମୋତେ ବିଶ୍ୱାସ କରୁଥିଲେ କ’ଣ ଆଖିରେ ପଟି ବାନ୍ଧି ଗୁମ୍ଫାକୁ କେବେବି ନେଇ ଯାଇଥାନ୍ତେ? ଯିଏ ବିଶ୍ୱାସ କରେ ନାହିଁ, ତାହା ପ୍ରତି ବିଶ୍ୱାସଘାତକତାର ପ୍ରଶ୍ନ ପୁଣି ଉଠୁଛି କିପରି? ଏଠି ଖାଲି କିଏ କାହାକୁ ବୁଦ୍ଧି କୌଶଳରେ ବଳିଯିବ, ସେଇଟାହିଁ ମୂଳ ପ୍ରଶ୍ନ! ତା’ଛଡା ଭଗବାନଙ୍କର ଯଦି ଇଚ୍ଛା ଥାଏ ମୋ କାର୍ଯ୍ୟ ସଫଳ ହେବାକୁ ତେବେ ମୁଁ ଏଥିରେ ନିଶ୍ଚୟ କୃତକାର୍ଯ୍ୟ ହେବି । କିନ୍ତୁ ମୁଁ ତ ଏସବୁ କିଛି ମୋ ସ୍ୱାର୍ଥ ପାଇଁ କରୁନାହିଁ । ହୁଏତ ସମୟ ଆସିଛି ଯେତେବେଳେ କି ଭଗବାନ ନିଜେ ପ୍ରକଟ ହେବାକୁ ଚାହାଁନ୍ତି । ତାଙ୍କର ଯାହା ଇଚ୍ଛା ।
କିନ୍ତୁ ଯୁକ୍ତିରେ କ’ଣ ମନବୋଧ ହୁଏ? ବିଦ୍ୟାପତି ରାତି ରାତି ଧରି ନିଦରେ ଶୋଇ ପାରିଲେ ନାହିଁ । ଦିନବେଳେ ବି ସେ ଅନ୍ୟମନସ୍କ ରହୁଥାନ୍ତି । ତାଙ୍କର କ’ଣ ହୋଇଛି, ଲଳିତା ମଧ୍ୟ ତାହା ଠଉରାଇ ପାରୁ ନଥାନ୍ତି । ଜଣେ ଶବରକନ୍ୟାକୁ ବିଭା ହୋଇ ସେ ଦ୍ୱନ୍ଦ୍ୱରେ ପଡିଛନ୍ତି? ନା ରାଜାଙ୍କ ଦରବାରରେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟରୁ ବଂଚିତ ହୋଇ ସେ କାତର ହେଉଛନ୍ତି?
ଅବଶେଷରେ ଦିନେ ବିଦ୍ୟାପତି କହିଲେ “ଏହା ସୁଖ ସ୍ୱାଚ୍ଛନ୍ଦ୍ୟ କଥା ନୁହେଁ, ଲଳିତା, ମୋ ପ୍ରିୟ ପରିଜନଙ୍କ ସ୍ମୃତି ଯୋଗୁଁ ମୁଁ ବିମର୍ଷ ବୋଧ କରୁଛି । କେତେଦିନ ହେଲା ଘର ଛାଡି ସେ ଆସିଲେଣି । ମୋର କ’ଣ ହେଲା, ସେକଥା ସେମାନେ ଜାଣି ନପାରି କେତେ ଉତ୍କଣ୍ଠା ଅନୁଭବ କରୁଥିବେ । ମୁଁ ଯାଇ ସେମାନଙ୍କ ଉତ୍କଣ୍ଠା ଦୂର କରିବା ଉଚିତ୍ ନୁହେଁ କି? କିନ୍ତୁ ତୁମକୁ ଛାଡି ଚାଲିଯିବା ବି କମ୍ ଦୁଃଖର କଥା ନୁହେଁ । ତୁମକୁ ନେବି ବା କିପରି? ସେ ସମାଜ ଅଲଗା । ସେମାନଙ୍କ ଚଳଣି ଅଲଗା । ସେମାନେ ଯେପରି ସନ୍ଦେହ ଓ କୌତୁହଳ ପୂର୍ଣ୍ଣ ଦୃଷ୍ଟିରେ ତୁମ ଆଡେ ଅନାଇବେ, ସେଥିରେ ତୁମକୁ ଅସ୍ୱସ୍ତି ଲାଗିବ ।”