ଲଳିତା ବେଦନା ପୂର୍ଣ୍ଣ କଣ୍ଠରେ କହିଲେ “ଯିଏ ଯେଉଁ ଦୃଷ୍ଟିରେ ଅନାଉ ନା କାହିଁକି, ଯେ ପର୍ଯ୍ୟନ୍ତ ତୁମ ଦୃଷ୍ଟିରେ କୌଣସି ପରିବର୍ତ୍ତନ ନ ହୋଇଛି, ସେ ଯାଏଁ ମୋତେ ଅସ୍ୱସ୍ତି ଲାଗିବ ନାହିଁ । ମୁଁ ଅକ୍ଳେଶରେ ସେଠାରେ ରହିପାରିବି । କିନ୍ତୁ…କିନ୍ତୁ ମୋ ବାପାଙ୍କୁ ଦେଖିବ କିଏ? ତାଙ୍କୁ ଛାଡି ମୁଁ କିପରି ଯିବି?”
ବିଦ୍ୟାପତି କହିଲେ “ତୁମେ ତାଙ୍କୁ ଛାଡି ଯାଇପାରିବ ନାହିଁ । ଆଉ ତାଛଡା ଯିବାବି ଉଚିତ୍ ନୁହେଁ । ମୋତେ ଯଦି ଅନୁମତି ଦେବ, ତେବେ ମୁଁ ଯାଇ ପୁଣି ଲେଉଟି ଆସିବି ।”
ଲଳିତା ପ୍ରଶ୍ନକଲେ “ତୁମେ ଶୀଘ୍ର ଲେଉଟି ଆସିବ ବୋଲି ଶପଥ କରୁଛ?”
ବିଦ୍ୟାପତି ଉତ୍ତର ଦେଲେ “କିପରି ଲେଉଟି ନ ଆସିବି ଲଳିତା? ତୁମେ ଯେ ମୋତେ ଏଠାରେ ଅପେକ୍ଷା କରିଥିବ? ତୁମକୁ ଛାଡି ମୁଁ କ’ଣ ଆଉ କୋଉଠି ରହିପାରିବି କି?”
ଏକଥା ଶୁଣିବା ମାତ୍ରେ ଲଳିତାଙ୍କ ଆଖି ଛଳ ଛଳ ହୋଇଗଲା । ସେ କହିଲେ, “ତେବେ ଯାଅ । ତୁମେ ତୁମ ପିତା ମାତାଙ୍କୁ କହିବ – କେବେ ମୁଁ ସେମାନଙ୍କ ଆଶୀର୍ବାଦ ଲାଭ କରିବି, ସେହି ଦିନକୁ ମୁଁ ଅପେକ୍ଷା କରି ରହିଛି ।”
ବିଦ୍ୟାପତି ଘରକୁ ଯିବାକୁ ଚାହାଁନ୍ତି, ସେକଥା ବିଶ୍ୱାବସୁଙ୍କୁ ଜଣାଇ ଦିଆଗଲା । ଏଣୁ ବିଶ୍ୱାବସୁ ତାଙ୍କ ସହ ଅନେକ ଉପହାର ପଠାଇବାକୁ ଇଚ୍ଛା କଲେ । କିନ୍ତୁ ବିଦ୍ୟାପତି କହିଲେ, “ବର୍ତ୍ତମାନ ନୁହେଁ । ଯେତେବେଳେ ଲଳିତା ମୋ ସହ ଯିବେ, ଠିକ୍ ସେତେବେଳେ ଏସବୁ ମୁଁ ନେଇଯିବି । ପ୍ରଥମେ ମୋ ପିତାମାନଙ୍କୁ ଯାଇ ମୁଁ ମୋ ବିବାହ ସମ୍ବାଦ ଜଣାଏଁ ।”
ଏଥିରେ ବିଶ୍ୱାବସୁ ସମ୍ମତ ହେଲେ । ସେ ବିଦ୍ୟାପତିଙ୍କ ନିମନ୍ତେ ଗୋଟିଏ ଭଲ ଘୋଡା ସଜ କଲେ ।
ସେତେବେଳେ ତ ବର୍ଷା ଋତୁ ଆରମ୍ଭ ହୋଇଥାଏ । ଦିନେ ବିଦ୍ୟାପତି ବିଶ୍ୱାବସୁ ଓ ଲଳିତାଙ୍କ ନିକଟରୁ ବିଦାୟ ନେଇ ଘୋଡା ଚଢି ସେଠାରୁ ପ୍ରସ୍ଥାନ କଲେ ।
ସେମାନଙ୍କ ଦୃଷ୍ଟିର ଅନ୍ତରାଳକୁ ଯାଇ ସେ ତଳକୁ ଲକ୍ଷ୍ୟ କଲେ । ପ୍ରଥମ ବର୍ଷା ପରେ ପରେ ସେ ପକାଇଥିବା ସୋରିଷରୁ କଅଁଳା ପତ୍ର ବାହାରିଛି । ସେସବୁ ଲକ୍ଷ୍ୟ କରି ଗୁମ୍ଫା ଆଡେ ଅଗ୍ରସର ହେବାକୁ ତାଙ୍କୁ ଆଉ କିଛି ବିଶେଷ ଅସୁବିଧା ହେଲା ନାହିଁ । ଯଥା ସମୟରେ ସେ ଯାଇ ଗୁମ୍ଫା ଆଗରେ ପହଁଚିଲେ । ଗୁମ୍ଫାର ଦ୍ୱାର ପଥର ଖଣ୍ଡ ଦ୍ୱାରା ବନ୍ଦ କରା ହୋଇଥିଲା । ସତର୍କ ଭାବରେ ବିଦ୍ୟାପତି ତାହା ଘୁଂଚାଇଲେ ।
ଗୁମ୍ଫା ଭିତରେ, ଦିବ୍ୟ ବାତାବରଣରେ ସେ ବିହ୍ୱଳ ହୋଇ ଠିଆ ହୋଇ ରହିଲେ । ତା’ପରେ ସେ କହିଲେ, “ହେ ଭଗବାନ! ମୋର ଅର୍ନ୍ତପ୍ରେରଣା ଅନୁସାରେ ମୁଁ କାମ କରୁଛି । ସମୟ ଆସିଛି, ଯେତେବେଳେ କି ଏ ଗୋପନ ଦିବ୍ୟସତା ପ୍ରଘଟ ହେବା ଦରକାର । ତେଣୁ ମୁଁ ଏହାକୁ ନେଇ ଯାଉଛି । ଯଦି ମୁଁ କିଛି ଭୁଲ୍ କରିଥିବି, ତେବେ, ହେ ଭଗବାନ୍! ମୋତେ କ୍ଷମା କର!”
ଏହା କହି ବିଶ୍ୱାବସୁଙ୍କ ପୂଜିତ ବସ୍ତୁ ସେ ପ୍ରସ୍ତର ଖଣ୍ଡ ଉପରୁ ଉଠାଇ ନେଇ ସନ୍ତର୍ପଣରେ ନିଜ ଉତରୀୟରେ ବାନ୍ଧିଲେ । ତା’ପରେ ଗୁମ୍ଫାରୁ ବାହାରି ଘୋଡା ଉପରେ ସେ ବସିଲେ । ବଣରୁ ନିର୍ଗତ ହେବାର ରାସ୍ତା ତାଙ୍କୁ ଜଣା ନଥିଲା । କିନ୍ତୁ ସେ ବୁଝୁଥିଲେ, କୌଣସି ମହାନ୍ ଶକ୍ତି ତାଙ୍କୁ ଦିଗ୍ଦର୍ଶନ ଦେଉଛି । ତେଣୁ ତାଙ୍କର ଭୟ କରିବାର ଆଉ କୌଣସି କାରଣ ନାହିଁ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ଜଗନ୍ନାଥଙ୍କ ବିଷୟରେ ଜାଣିବାପାଇଁ ଏଠାରେ କ୍ଲିକ୍ କରନ୍ତୁ ।