ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରୀଜଗନ୍ନାଥଙ୍କ କାହାଣୀ

ଏହି ଭିତରେ କେତେବର୍ଷ ଚାଲିଗଲା । ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା । କିନ୍ତୁ ଦିଅଁ କାହାନ୍ତି? ଅସଂଖ୍ୟ କଣ୍ଠରେ ଉଚ୍ଚାରିତ ହେଲା ଏହି ଗୋଟିଏ ପ୍ରଶ୍ନ ।

ଉପରକୁ ନ ଦେଖାଇଲେ ମଧ୍ୟ ରାଜା ନିଜେ ବି ଏ ପ୍ରଶ୍ନ ଉପରେ କମ୍ ବିଚଳିତ ବୋଧ କରୁ ନଥିଲେ । ଦିନେ ମନ୍ଦିରର ଗର୍ଭଗୃହ ଭିତରେ ଏକାକୀ ବସି ରହି ସେ ପ୍ରାର୍ଥନା କରି କହିଲେ, “ହେ ଭଗବାନ! କିଭଳି ରୂପରେ ତୁମେ ଏ ଦୀନ ଭକ୍ତ-ନିର୍ମିତ ଏ ମନ୍ଦିରରେ ଶୋଭା ପାଇବ? ମୋତେ ଏତକ ଜଣାଇବା ନିମନ୍ତେ କ’ଣ ଏଯାଏଁ ସମୟ ହୋଇନାହିଁ? ଆଉ କେତେଦିନ ଅପେକ୍ଷା କରିବି ପ୍ରଭୂ! ଲୋକେ ହସିବେ ଯେ! ଏତେ ବିତ୍ତ, ଏତେ ସମୟ ବ୍ୟୟ ହୋଇ ଯେଉଁ ମନ୍ଦିର ନିର୍ମିତ ହେଲା, କେତେକାଳ ସେ ଆଉ ଖାଲି ରହିବ?”

ସେହି ରାତିରେ ରାଜା ସ୍ୱପ୍ନରେ ଜାଣିଲେ, ପୂରୀଠୁଁ ଅଦୂରରେ କୌଣସି ଏକ ରୂପରେ ଲୁଚି ରହିଛନ୍ତି ଦିଅଁ – କୃଷ୍ଣଙ୍କ ଦିବ୍ୟ ଶକ୍ତି । ତାଙ୍କୁ ଖୋଜି ବାହାର କରିବାକୁ ହେବ!

ରାଜା ବୁଝିଲେ–କାମଟି ଆଦୌ ସହଜ ନୁହେଁ । କାରଣ ଲୁଚକାଳି ଖେଳରେ କୃଷ୍ଣଙ୍କୁ ବଳିଯିବ ବା କିଏ? ଯିଏ ସଚ୍ଚା ଭକ୍ତ ହେବା ସଙ୍ଗେ ସଙ୍ଗେ ଜ୍ଞାନୀ ଓ ବୁଦ୍ଧିମାନ ହୋଇଥିବ, କେବଳ ସିଏ ହିଁ ତାଙ୍କୁ ଆବିଷ୍କାର କରିପାରିବ ।

ତା’ପରେ ରାଜା ଅନେକ ଭାବିଚିନ୍ତି ଚାରିଜଣ ବିଜ୍ଞ ପଣ୍ଡିତଙ୍କୁ ଚାରି ଦିଗକୁ ପ୍ରେରଣ କଲେ ।

ସେମାନଙ୍କ ଭିତରେ ଯିଏ ସବୁଠାରୁ ବୟସରେ ତରୁଣ, ତାଙ୍କ ନାଁ ବିଦ୍ୟାପତି । ସେହି ବିଦ୍ୟାପତି ପୂର୍ବଦିଗକୁ ଚାଲିଲେ । କିଛିବାଟ ଯାଇ ସେ ପୁଣି ଉତ୍ତରକୁ ବୁଲିଲେ । କୌଣସି ଅଜଣା ପ୍ରେରଣାରେ ସେ ଚାଲିଛନ୍ତି ତ ଚାଲିଛନ୍ତି, କେତେବେଳେ ଯାଇ ଗୋଟିଏ ବନସ୍ତରେ ସେ ପ୍ରବେଶ କଲେଣି! ସେ କେବଳ ଏତିକି ଜାଣୁଥିଲେ ଯେ, ତାଙ୍କ ପାଦ ଦୁଇଟି ଆଉ ନିଜ ଅକ୍ତିଆରରେ ନାହାଁନ୍ତି!

ବନସ୍ତ କ୍ରମେ ଗାଢ ହେଲା । ସେତେବେଳେ ତାଙ୍କ ସାଙ୍ଗରେ ଦେହରକ୍ଷୀ ନାହାନ୍ତି କି ହାତରେ ଅସ୍ତ୍ର ବି ନାହିଁ । କିନ୍ତୁ ତାଙ୍କ ମନରେ ବି ଭୟ ନାହିଁ । ଆଗରେ ଗୋଟିଏ ପାହାଡ । ହଠାତ୍ ତାଙ୍କର ମନେ ହେଲା, ସେ ପାହାଡ ଯେମିତି ସଙ୍ଗୀତମୟ! ମୃଦୁ ବଂଶୀ ଓ ଢୋଲବାଦ୍ୟ–ତା’ସାଙ୍ଗକୁ ସମବେତ କରତାଳି ଓ ମଧୁର କଣ୍ଠସ୍ୱର-ପାହାଡ ଭିତରୁହିଁ ସତେଅବା ଏସବୁ ଶବ୍ଦ ଆସି ତାଙ୍କୁ ଚମତ୍କୃତ କରିଦେଲା ।

ଅବଶ୍ୟ ସେ ଅନୁମାନ କରିନେଲେ ଯେ–ଏସବୁ ଶବ୍ଦ ପାହାଡ ସେପାରିରୁ ହିଁ ଆସୁଛି ।

ତା’ପରେ ସେ ପାହାଡ ଆରୋହଣ କଲେ । ସେପଟେ ମନୋରମ ସବୁଜ ଉପତ୍ୟକା ଥିବାର ସେ ଦେଖିଲେ । ତହିଁ ଭିତରେ ନୃତ୍ୟରତ ଦଳେ ବନବାସିନୀ ତରୁଣୀ । ସେତେବେଳକୁ ତ ବିଦ୍ୟାପତି ଅତ୍ୟନ୍ତ କ୍ଳାନ୍ତ ହୋଇପଡିଥିଲେ । ତେଣୁ ଏ ସଙ୍ଗୀତ ଓ ଦୃଶ୍ୟ ତାଙ୍କଲାଗି ସଞ୍ଜିବନୀ ଭଳି କାମ ଦେଲା । ଗୋଟିଏ ଗଛ ଡାଳକୁ ଧରି ସେ ସେଆଡେ ନିର୍ନିମେଷ ନୟନରେ ଅନାଇ ରହିଲେ ।

କିନ୍ତୁ ହଠାତ୍ ସେ ଚମକି ପଡିଲେ । ଏ ଭୀଷଣ ଶବ୍ଦ କାହୁଁ ଆସିଲା? ଏହା ଭାବି ସେ ଅନାଇଲେ । ବାଘଟିଏ ତାଙ୍କୁ ଦେଖୁଛି । କିନ୍ତୁ ଖାଲି ଦେଖିବାରେ ତା’ର ଶାନ୍ତି ନଥିଲା । ସେ ତାଙ୍କ ଆଡେ ମାଡି ଆସିଲା ।

ବିଦ୍ୟାପତି ଗଛ ଚଢିବାରେ ଧୁରନ୍ଧର ନଥିଲେ କି ଦୌଡିବାରେ ବି ନୁହେଁ । ପଣ୍ଡିତ ଲୋକ କିଂକର୍ତ୍ତବ୍ୟବିମୂଢ ଭାବରେ ଶେଷରେ ସେ ଠିଆ ହୋଇ ରହିଲେ ।

“ପୂଷି! ଏଆଡେ ଆ!” ନୃତ୍ୟ ବନ୍ଦ କରି କନ୍ୟାମାନେ ସେ ଦୃଶ୍ୟ ଦେଖୁଥିଲେ । ତାଙ୍କରି ଭିତରୁ କେହି ଜଣେ ଏ ନିର୍ଦ୍ଧେଶ ଦେଲା ।

ବାଘ ଆଖି ପଲକରେ ଲମ୍ଫ ମାରି ଯାଇ ସେ କନ୍ୟାମାନଙ୍କ ଗହଣରେ ପହଁଚିଗଲା । ଯିଏ ତାକୁ ପୂଷି ବୋଲି ଡାକିଥିଲେ, ବାଘ ଯାଇ ତାଙ୍କ ପାଦ ଉପରେ ଲୋଟିଗଲା–ଠିକ୍ ପୂଷି ଭଳି ।

ସେ କନ୍ୟା ବାଘକୁ ସ୍ନେହରେ ଚାପୁଡାଟିଏ ଦେଲେ । ସମସ୍ତଙ୍କ ଭିତରେ ସେ ଦେଖୁଥିଲେ ଅପରୂପା, ଉଜ୍ଜ୍ୱଳ ।

କିନ୍ତୁ କ୍ଳାନ୍ତ ବିଦ୍ୟାପତି ଆଉ ଠିଆ ହୋଇପାରୁ ନଥିଲେ । ତେଣୁ ସେ ଲୁଥ୍ ହୋଇ ତଳେ ପଡିଗଲେ । ବାଘକୁ ପୂଷି ବନାଇଥିବା ସେହି କନ୍ୟାଙ୍କ ନିର୍ଦ୍ଧେଶରେ ଦୁଇଜଣ ତାଙ୍କ ଉପରେ ପତ୍ରକୁ ପଙ୍ଖା କରି ବିଂଚିବାକୁ ଲାଗିଲେ । ଆଉ ଜଣେ ଦୌଡିଯାଇ ଝରଣାର ପାଣି ଆଣିଲା ।

ବିଦ୍ୟାପତି ଅର୍ଦ୍ଧଚେତନ ଅବସ୍ଥାରେ ବୁଝିଲେ, ଯେଉଁ କନ୍ୟାଙ୍କୁ ସମସ୍ତେ ଏତେ ମାନ୍ୟ କରୁଛନ୍ତି, ତାଙ୍କର ନାମ ଲଳିତା ।


ଗପ ସାରଣୀ

ତାଲିକାଭୁକ୍ତ ଗପ