ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରୀଜଗନ୍ନାଥଙ୍କ କାହାଣୀ

ଲଳିତା କହିଲା “ହେ ବିଦେଶୀ! ତୁମେ କିଏ, ତୁମ ଗନ୍ତବ୍ୟ ସ୍ଥାନ କ’ଣ, ତା ତ ଆମେ ଜାଣୁନା । ବୋଧହୁଏ ତୁମେ ବାଟ ହୁଡି ଏ ବନସ୍ତ ଭିତରକୁ ଚାଲି ଆସିଛ । ସେ ଯାହାବି କିଛି ହେଉ ନା କାହିଁକି, ତୁମକୁ ଏଭଳି ଅବସ୍ଥାରେ ପରିତ୍ୟାଗ କରି ଆମେ ଚାଲିଯାଇ ପାରିବା ନାହିଁ । ମୋ ବାପା, ଏ ବନର ସର୍ଦ୍ଦାର ବିଶ୍ୱାବସୁ ତୁମକୁ ଅତିଥି ରୂପେ ସ୍ୱାଗତ କରିବେ । ଆମ ସହ ଚାଲ ।

ଲଳିତାଙ୍କ ନିମନ୍ତ୍ରଣରେ ଯେପରିକି ମନ୍ତ୍ର ଥିଲା! ସେ କିନ୍ତୁ ପ୍ରୟୋଜନଠୁଁ ଅଧିକ କଥା ମୋଟେ କହୁ ନଥିଲେ । ନୀରବରେ ବିଦ୍ୟାପତି ଉଠି ଠିଆ ହେଲେ ଓ ସେ ତରୁଣୀମାନଙ୍କୁ ଅନୁସରଣ କରିବାକୁ ପ୍ରସ୍ତୁତ ବୋଲି ସ୍ମିତ ହାସ୍ୟ ଦ୍ୱାରା ଜଣାଇ ଦେଲେ ।

ଲଳିତାଙ୍କ ଚାରିପଟେ ବୁଲି ବୁଲି ଅଗ୍ରସର ହେଉଥାଏ ତାଙ୍କ ପୂଷି–ବିଶାଳକାୟ ବାଘ । ମଧ୍ୟେ ମଧ୍ୟେ ସେ ବିଦ୍ୟାପତିଙ୍କୁ ବି ଚାଟି ଦେଉଥାଏ । ମଝିରେ ଲଳିତା ତାଙ୍କର ଜଣେ ସଖୀ କାନରେ କିଛି କହିଲେ । ତା’ପରେ ସେ ଦୌଡି ଦୌଡି ଯାଇ ଗଛଲତା ଭିତରେ କୁଆଡେ ଅଦୃଶ୍ୟ ହୋଇଗଲା । ଏସବୁ ଦେଖି ବିଦ୍ୟାପତିଙ୍କର ଧାରଣା ହେଲା ବିଶ୍ୱାବସୁଙ୍କୁ ଆଗତୁରା ଖବର ଦେବା ନିମନ୍ତେ ହିଁ ବୋଧେ ସେ ଝିଅଟି ଦୌଡିଗଲା ।

ଅଦୂରରେ, ଗୋଟିଏ ବିଶାଳ ଶିଳାଖଣ୍ଡ ଉପରେ ବିଶ୍ୱାବସୁ ଦେଖାଦେଲେ । ଗମ୍ଭୀର ଉଦାର ଓ ପ୍ରଶାନ୍ତ ଥିଲା ତାଙ୍କ ମୁଖମଣ୍ଡଳ । ବିଦ୍ୟାପତିଙ୍କ ଆଖି ତାଙ୍କ ଉପରେ ପଡିବା ମାତ୍ରେ ସେ ହାତ ଯୋଡ କରି କହିଲେ, “ସ୍ୱାଗତ!”

ବିଦ୍ୟାପତି କହିଲେ “ମହାଶୟ! ମୋର ପରିଚୟ ଦେବା ମୋର ପ୍ରଥମ କର୍ତ୍ତବ୍ୟ । ମୁଁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଦୂତ । ତେବେ ମୁଁ କାହିଁକି ରାଜା ଆଦେଶରେ ଏ ବନସ୍ତକୁ ଆସିଛି, ସେକଥା କହିବାର ଅଧିକାର ମୋର ନାହିଁ । ଏଣୁ ଆପଣ ମୋତେ କ୍ଷମା କରିବେ ବୋଲି ମୋର ଆଶା ।”

ସବୁକଥା ଶୁଣି ବିଶ୍ୱାବସୁ କହିଲେ “ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦୂତଙ୍କ ଉଦ୍ଧେଶ୍ୟ ଯାହା ବି କିଛି ହେଉନା କାହିଁକି, ତାହା ମହତ୍ ହୋଇଥିବା ତ ନିଶ୍ଚିତ । ତେବେ ତୁମେ କିଛିଦିନ ଆମ ଆତିଥ୍ୟ ଗ୍ରହଣ କରି ଆମକୁ ସୁଖୀ କର ।”

ସେତେବେଳେ ତ ଆଉ ଅରଣ୍ୟ ଭିତରେ କୌଣସି ପଣ୍ଡିତଙ୍କ ସାନ୍ନିଧ୍ୟ ପାଇବା ଏତେ ସହଜ ନଥିଲା । ତେଣୁ ବିଶ୍ୱାବସୁ ବିଦ୍ୟାପତିଙ୍କୁ ପାଖରେ ପାଇ ବହୁତ ଆନନ୍ଦିତ ହେଲେ । ଧର୍ମ, ଦର୍ଶନ, କେତେ ଜଟିଳ ବିଷୟରେ ବିଦ୍ୟାପତି ତାଙ୍କ ପ୍ରଶ୍ନର ଉତ୍ତର ଦେଉଥାନ୍ତି ।

ବିଦ୍ୟାପତିଙ୍କର ମନେ ହେଲା, ଯେଉଁ ପ୍ରେରଣା ତାଙ୍କୁ ଏତେଦୂର ନେଇ ଆସିଲା, ସେହି ପ୍ରେରଣା ଯେପରିକି ତାଙ୍କୁ କହୁଛି କି ତାଙ୍କ କାର୍ଯ୍ୟ ସିଦ୍ଧି ସେଇଠି ହିଁ ହେବ! ତାଙ୍କ ରହିବା, ବିଶ୍ରାମ, ଖାଦ୍ୟପେୟ ଇତ୍ୟାଦିରେ ଯେପରି ତିଳେ ବି ଅସୁବିଧା ନ ହେବ, ସେ କଥା ନିଜେ ଲଳିତା ଦେଖୁଥାନ୍ତି  । ତାଙ୍କର ସସ୍ନେହ  ତତ୍ତ୍ୱାବଧାନ ଯୋଗୁଁ ବିଦ୍ୟାପତିଙ୍କୁ ସେଠି ରହିବାକୁ ଏତେ ଭଲ ଲାଗୁଥିଲା କି? ଥରେ ଥରେ ବିଦ୍ୟାପତି ନିଜକୁ ଏ ପ୍ରଶ୍ନ କରୁଥାନ୍ତି । କିନ୍ତୁ ଧ୍ୟାନସ୍ଥ ହୋଇ ସେ ବୁଝୁଥାନ୍ତି, ନା, ତାଙ୍କ ଆକର୍ଷଣର ତାହାହିଁ ଏକମାତ୍ର ହେତୁ ନୁହେଁ । ଆହୁରି କିଛି ଗୂଢ କାରଣ ରହିଛି । ସେ କେଉଁ ଉଦ୍ଧେଶ୍ୟରେ ପୁରୀରୁ ବାହାରି ଆସିଥିଲେ, ସେକଥା ସେ କ୍ଷଣକ ପାଇଁ ମଧ୍ୟ ପାଶୋରି ନଥାନ୍ତି । କିନ୍ତୁ ତାଙ୍କ ଉଦ୍ଧେଶ୍ୟ ସଫଳ ହେବ ତ? ଯଦି ହେବ ତ କେବେ ହେବ?

କିନ୍ତୁ ସେସବୁ ପ୍ରଶ୍ନ କିଛିଦିନ ପାଇଁ ତାଙ୍କୁ ଭୁଲିଯିବାକୁ ପଡିଲା । କାରଣ ସେ ହଠାତ୍ ଅସୁସ୍ଥ ହେଲେ । ଅବଶ୍ୟ ରୋଗର କଷ୍ଟ ତୁଳନାରେ ଲଳିତାଙ୍କଠୁଁ ସେବା ଶୁଶ୍ରୁଷା ପାଇବାର ଆନନ୍ଦ ବହୁ ଗୁଣ ବଳିଗଲା । ସେ କ୍ରମେ ବୁଝିଲେ କି ଖାଲି ଲଳିତା ଯେ ତାଙ୍କୁ ଭଲ ପାଆନ୍ତି, ତାହା ନୁହେଁ ସେ ବି ଲଳିତାକୁ ବହୁତ ଭଲ ପାଆନ୍ତି ।

ହଠାତ୍ ଦିନେ ବିଶ୍ୱାବସୁ ଆସି ତାଙ୍କ ଶେଯ ପାଖରେ ବସି କହିଲେ, “ବିଦ୍ୟାପତି! ତମେ ମୋ କନ୍ୟାକୁ ବିଭା ହେବ?”

ତହୁଁ ବିଦ୍ୟାପତି ଆନନ୍ଦ ଭରା କଣ୍ଠରେ କହିଲେ, “ତାହା ହେବ ମୋର ସୌଭାଗ୍ୟ, ମହାଶୟ!”


ଗପ ସାରଣୀ

ତାଲିକାଭୁକ୍ତ ଗପ