ବନସ୍ତରେ ବସନ୍ତ ଆସିଥାଏ । ପ୍ରକୃତିର ପ୍ରେମ ସହସ୍ର ପୁଷ୍ପ ଗୁଚ୍ଛରେ ଚହଟି ଉଠିଥାଏ । ପ୍ରକୃତିର ସେହି ସୌନ୍ଦର୍ଯ୍ୟମୟ ପରିବେଶରେ ସଖୀମାନଙ୍କ ନାଚ ଗୀତ ଓ ବନବାସୀ ସମ୍ପ୍ରଦାୟର ପୁରୋହିତଙ୍କ ତତ୍ତ୍ୱାବଧାନରେ ଲଳିତାଙ୍କ ସହ ବିଦ୍ୟାପତିଙ୍କ ବିବାହ ଅନୁଷ୍ଠିତ ହୋଇଗଲା ।
ଦିନ ବିତିଗଲା । ବିଦ୍ୟାପତି ଯେତିକି ସୁଖୀ ଥାନ୍ତି, ସେତିକି ମଧ୍ୟ ସେ ଅସୁଖୀ ଥାନ୍ତି । ଲଳିତାଙ୍କ ଯୋଗୁଁ ସେ ସୁଖୀ; କିନ୍ତୁ ନିଜ ଉଦ୍ଧେଶ୍ୟ ପୂର୍ଣ୍ଣ ହୋଇନଥିବା ଯୋଗୁଁ ସେ ଅସୁଖୀ । ଯଦି ବିଶ୍ୱାବସୁଙ୍କ ଭଳି ସେ ନିଜ କାମରେ ଏକାଗ୍ର ହୋଇ ପାରନ୍ତେ! ବିଶ୍ୱାବସୁ ସବୁଦିନ ପ୍ରଭାତରେ କୁଆଡେ ବାହାରିଯା’ନ୍ତି । ସୂର୍ଯ୍ୟୋଦୟ ପରେ ଯାଇ ସେ ଫେରନ୍ତି । ଭୀଷଣ ଝଡ ହେଉଥିଲେ ବି ସେ ତାଙ୍କ ନିଷ୍ଠାପର କର୍ତ୍ତବ୍ୟରୁ କେବେବି ବିରତ ହୁଅନ୍ତି ନାହିଁ ।
ହଠାତ୍ ବିଦ୍ୟାପତିଙ୍କ ମନରେ ଏକ ପ୍ରଶ୍ନ ଜାଗରୁକ ହେଲା; ବିଶ୍ୱାବସୁ ସବୁବେଳେ କୁଆଡେ ଯା’ନ୍ତି? ସେ ପ୍ରଶ୍ନଟି ସେ ଲଳିତାଙ୍କୁ ପଚାରିଲେ ।
ଏକଥା ଶୁଣି ଲଳିତାଙ୍କ ମୁହଁ ହଠାତ୍ ଫିକା ପଡିଗଲା । ସେ ନମ୍ର କଣ୍ଠରେ କହିଲେ, “ସେ ରହସ୍ୟ ଖୋଲିବା ମନା । କିନ୍ତୁ ତୁମଠୁଁ ବା ମୁଁ ସେ କଥା କିପରି ଗୋପନ ରଖି ପାରିବି? ଅଳ୍ପ ଦୂରରେ, ଅଗନା-ଅଗନି ବନସ୍ତ ଭିତରେ ଗୋଟିଏ ଗୁମ୍ଫା ରହିଛି । ତହିଁ ଭିତରେ ଆମ ବଂଶର ଦିଅଁ ରହିଛନ୍ତି । ବାପା ପୂଜା ଦେବା ପାଇଁ ଯା’ନ୍ତି । ତାଙ୍କ ବାପା, ଜେଜେବାପା, ଜେଜେବାପାଙ୍କ ବାପା ଜେଜେବାପା-ସମସ୍ତେ ଏହା କରି ଆସିଛନ୍ତି ।”
ବିଦ୍ୟାପତି ଗଭୀର ଆଗ୍ରହରେ ଏହା ଶୁଣୁଥାନ୍ତି । ଯେଉଁ ଅଦୃଶ୍ୟ ପ୍ରେରଣା ତାଙ୍କୁ ଏଠାକୁ ଆଣିଛି । ସେ ବର୍ତ୍ତମାନ ଆଉ କିଛି ସନ୍ଧାନ ଦେବାକୁ ତତ୍ପର କି?
ବିଦ୍ୟାପତି ପଚାରିଲେ “ଲଳିତା! ମୁଁ ଟିକେ ସେ ଦିଅଁଙ୍କୁ ଦେଖନ୍ତି ନାହିଁ?”
ସ୍ୱାମୀଙ୍କ ଏଭଳି ଜିଜ୍ଞାଶା ଜାଣି ଲଳିତା ଅଚାନକ ଚମକି ପଡିଲେ । ତା’ପରେ ସେ କହିଲେ “ନା, ନା! ଏକଥା ମୁଁ ତୁମକୁ କହିଛି ବୋଲି ଜାଣିଲେହିଁ ବାପା ଖପା ହେବେ । ତାଙ୍କୁ ଦେଖିବାର ତ ପ୍ରଶ୍ନ ହିଁ ଉଠୁନାହିଁ । ଆମ ପରିବାର ବାହାରେ ଆଉ କେହି ବି ତାଙ୍କୁ ଦେଖିବା ମନା ।”
ଏପରି କଥା ଶୁଣି ବିଦ୍ୟାପତି କ୍ଷୁବ୍ଧ କଣ୍ଠରେ କହିଲେ “ତୁମକୁ ବିଭା ହେବା ପରେ ବି ମୁଁ କ’ଣ ତୁମ ପରିବାର ପାଇଁ ପର?”
ସ୍ୱାମୀ କଥା ଶୁଣି ଲଳିତା ଚୁପ୍ ରହିଲେ । ଅବଶେଷରେ ସେ ପ୍ରତିଶୃତି ଦେଲେ ଯେ “ଆଚ୍ଛା । ଏ ବିଷୟରେ ମୁଁ ମୋ ବାପାଙ୍କୁ କହିବି ।”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ଜଗନ୍ନାଥଙ୍କ ବିଷୟରେ ଜାଣିବାପାଇଁ ଏଠାରେ କ୍ଲିକ୍ କରନ୍ତୁ ।