ସେ ସମୟରେ ବେଙ୍ଗଲ୍ର ପ୍ରଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରୁ କେଶବଚନ୍ଦ୍ର ସେନ୍ ଥିଲେ ଅନ୍ୟତମ । ସେ ବ୍ରାହ୍ମସମାଜର ସ୍ଥାପନ କରିଥିଲେ । ଥରେ ଶ୍ରୀ ରାମକୃଷ୍ଣ ତାଙ୍କ ପାଖରେ ଥିବାବେଳେ ହଠାତ୍ ସମାଧି ଅବସ୍ଥାକୁ ଚାଲିଗଲେ; କେଶବଚନ୍ଦ୍ର ଓ ବିଦ୍ୱାନ ମଣ୍ଡଳୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଦିନେ ଶ୍ରୀ ରାମକୃଷ୍ଣଙ୍କ ମନରେ ଏକ ବିଚିତ୍ର ଅଭୀପ୍ସା ଜାଗ୍ରତ ହେଲା, “ଥରେ ସେ ଶ୍ରୀଚୈତନ୍ୟଙ୍କୁ ନିଜର ଭକ୍ତ ବୈଷ୍ଣବମଣ୍ଡଳୀଙ୍କ ସହ କୀର୍ତନ କରି ଯାଉଥିବାର ଦେଖନ୍ତେ କି?” ଆହା କେତେ ଖୁସି ସେ ହୁଅନ୍ତେ; ଆଶ୍ଚର୍ଯ୍ୟ, ସେ ଦିନେ ସତରେ ସେ ଦୃଶ୍ୟ ଅବଶ୍ୟ (ସୂକ୍ଷ୍ମ ଦୃଷ୍ଟିରେ) ଦେଖିବାକୁ ପାଇଲେ ଓ ଆନନ୍ଦବିଭୋର ହୋଇ ସମାଧିସ୍ଥ ହେଲେ । ନଭେମ୍ବର ୧୮୮୦ ର କଥା । ନରେନ୍ଦ୍ର ନାଥ (ପରେ ବିବେକାନନ୍ଦ) ନାମକ ଶିକ୍ଷିତ ଯୁବକଟିଏ ଶ୍ରୀ ରାମକୃଷ୍ଣଙ୍କୁ ଦେଖା କରିବାକୁ ଆସିଲେ । ତାଙ୍କୁ ଦେଖି ସେ ଅତି ଆନନ୍ଦିତ ହେଲେ, ନରେନ୍ଦ୍ର ନାଥ ଭାବିଲେ ବୋଧହୁଏ ସାଧୁଙ୍କର ନିଜ ବୈରାଗ୍ୟରୁ ବିଚ୍ୟୁତି ଘଟିଲା । କିନ୍ତୁ ପରେ ଧୀରେ ଧୀରେ ସେ ପ୍ରକୃତ ସତ୍ୟ ଉପଲବ୍ଧି କଲେ ଓ ତାଙ୍କ ପ୍ରତି ଗଭୀର ଭାବରେ ଆକର୍ଷିତ ହେଲେ ।
ପିତାଙ୍କର ଦେହାନ୍ତ ହୋଇଥିବା ଯୋଗୁଁ ସମଗ୍ର ପରିବାରର ଅନୁସଂସ୍ଥାନର ଦାୟିତ୍ୱ ନରେନ୍ଦ୍ର ନାଥଙ୍କ ଉପରେ ପଡିଲା । ଦୁଃଖ ଓ ଅନାଟନ ମଧ୍ୟରେ ପଡି ଥରେ ସେ ଶ୍ରୀ ରାମକୃଷ୍ଣୁଙ୍କୁ କହିଲେ ଯେ ଯେପରି ସେ ତାଙ୍କର ଦୂରାବସ୍ଥା ବିଷୟ ମା’ କାଳୀଙ୍କୁ ଜଣାନ୍ତି । ତାଙ୍କ କଥା ଶୁଣି ଶ୍ରୀ ରାମକୃଷ୍ଣ କହିଲେ, “ତୁ ନିଜେ କାହିଁକି କହୁନାହୁଁ?” ନରେନ୍ଦ୍ର ନାଥ ଧନ ପାଇଁ ପ୍ରାର୍ଥନା କରିବାକୁ ଯାଇଜ୍ଞାନ ପାଇଁ ପ୍ରାର୍ଥନା କଲେ । ସେତେବେଳର ମହାନ୍ ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ସହିତ ଦିନେ ଶ୍ରୀ ରାମକୃଷ୍ଣଙ୍କର ଭେଟ ହେଲା । ପରେ କେହି ଶ୍ରୀ ରାମକୃଷ୍ଣଙ୍କୁ ପ୍ରଶ୍ନ କଲେ ଯେ ଜ୍ଞାନ ଗ୍ରହଣ କରିବା ଲୋକ କ’ଣ କଥା କହୁଥାଏ?” ତହୁଁ ଶ୍ରୀ ରାମକୃଷ୍ଣ କହିଲେ, “କାହିଁକି କହିବ ନାହିଁ? ମଧୂପ ମଧୂପାନ କଲାବେଳେ ଶବ୍ଦ ସିନା କରେନାହିଁ, ହେଲେ ତା’ ପେଟ ପୁରିଗଲେ ସେ ପୁଣି ଗୁଞ୍ଜନ ଆରମ୍ଭ କରିଦିଏ ।” ଶ୍ରୀ ରାମକୃଷ୍ଣଙ୍କ ସହିତ ଦେଖା କରିବାକୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଆସୁଥିଲେ । ସେମାନେ ହେଲେ ବିଜୟକୃଷ୍ଣ ଗୋସ୍ୱାମୀ, ଦେବେନ୍ଦ୍ର ନାଥ ଠାକୁର, ସ୍ୱାମୀ ଦୟାନନ୍ଦ ଇତ୍ୟାଦି । ନାଟ୍ୟକାର ଗିରିଶ୍ ଚନ୍ଦ୍ର ଘୋଷ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ, ଶ୍ରୀ ରାମକୃଷ୍ଣ ତାଙ୍କ ନାଟକକୁ ବହୁତ ପ୍ରଶଂସା କରୁଥିଲେ; ତାଙ୍କୁ ଓ ତାଙ୍କ ସଂପର୍କୀୟ ଲୋକମାନଙ୍କୁ ଆଶିର୍ବାଦ ମଧ୍ୟ ଦେଉଥିଲେ ।