ଦିନେ ନୌକାଟିଏ ଆସି ନଦୀ ତଟରେ ଲାଗିଲା । ଗଦାଧର ଦୂରରୁ ଦେଖିଲେ ଜଣେ ମହିୟସୀ ମହିଳା ସେହି ନୌକାରୁ ଓହ୍ଲାଇଲେ । ତାଙ୍କ ହାତରେ ତ୍ରିଶୁଳ, ବସ୍ତ୍ର ଗେରୁଆ, ମୁଖମଣ୍ଡଳରେ ଆଧ୍ୟାତ୍ମିକ ସାଧନାର ଅପୂର୍ବ ପ୍ରକାଶ । ସେ ଥିଲେ ତନ୍ତ୍ରବିଦ୍ୟାରେ ପ୍ରବୀଣା ଜଣେ ଭୈରବୀ । ଗଦାଧର ଭୈରବୀକୁ ମାତୃବତ୍ ଜ୍ଞାନ କରି ତାଙ୍କୁ ସାଦର ନିମନ୍ତ୍ରଣ କଲେ । ଏଥିରୁ ସେ ଭୈରବୀ ଜାଣିପାରିଲେ ଯେ ଗଦାଧର ଜଣେ ମହାପୁରୁଷ । ସେ ଗଦାଧରଙ୍କୁ ତନ୍ତ୍ରଶାସ୍ତ୍ର ସବୁରେ ସାଧନା କରାଇଲେ । ଦିନେ ଭୈରବୀ ନିଜର ଆରାଧ୍ୟା ଦେବୀଙ୍କୁ ନୈବେଦ୍ୟ ଅର୍ପଣ କରି ଧ୍ୟାନ କରିବାକୁ ଲାଗିଲେ । ଗଦାଧର ସେତିକିବେଳେ ସେଠାରେ ପହଁଚି ନୈବେଦ୍ୟ ଗୁଡିକ ଖାଇବାରେ ଲାଗିଲେ । ଭୈରବୀ ଆଖି ଖୋଲି ଏ ଦୃଶ୍ୟ ଦେଖିଲେ ଅଥଚ ରାଗିଲେ ନାହିଁ । ସେ ପରମ ସନ୍ତୋଷ ପାଇଲେ, କାରଣ ଏହା ପୂର୍ବରୁ ଗଦାଧରଙ୍କ ମଧ୍ୟରେ ହିଁ ସେ ତାଙ୍କର ଆରାଧ୍ୟା ଦେବୀଙ୍କୁ ଦେଖି ପାରିଥିଲେ । ମଥୁରବାବୁଙ୍କ ଦ୍ୱାରା ଆୟୋଜିତ ଏକ ପଣ୍ଡିତ ସଭାରେ ଭୈରବୀ ଏକ ସୁନ୍ଦର ଭାଷଣ ଦେଇ ପ୍ରମାଣିତ କଲେ ଯେ ଶ୍ରୁତି ଓ ପୁରାଣରେ ଅବତାରଙ୍କର ଯେଉଁ ସବୁ ଲକ୍ଷଣର ବର୍ଣ୍ଣନା ଅଛି ସେସବୁ ଗଦାଧରଙ୍କ ମଧ୍ୟରେ ସ୍ପଷ୍ଟ । ତେଣୁ ସେ ଜଣେ ଅବତାର ପୁରୁଷ । ତାଙ୍କ କଥାକୁ ଆଉ କେହି ବି ଖଣ୍ଡନ କରିପାରିଲେ ନାହିଁ ।
ଥରେ ଜଣେ ରାମଭକ୍ତ ସାଧୁ ଦକ୍ଷିଣେଶ୍ୱରକୁ ଆସିଲେ । ତାଙ୍କ ସହିତ ଥିଲା ବାଳକ ଶ୍ରୀରାମଙ୍କର ଏକ ମୂର୍ତ୍ତି । ସାଧୁ ସେହି ମୂର୍ତ୍ତି ସହିତ କଥା କହୁଥା’ନ୍ତି ଓ ପିଲାଟିଏ ସହିତ କୌତୁକପୂର୍ଣ୍ଣ ବ୍ୟବହାର କରିବା ପରି ତା’ ସହିତ ଚଳୁଥା’ନ୍ତି । ଏସବୁ ଗଦାଧର ଲକ୍ଷ୍ୟ କରି ବଡ ଆନନ୍ଦିତ ହୁଅନ୍ତି । ଦିନେ ସେଠାରୁ ଗଦାଧର ନିଜ ପ୍ରକୋଷ୍ଠକୁ ଫେରି ଆସି ଦେଖିଲେ ତାଙ୍କ ପଛେ ପଛେ ସୁନ୍ଦର ଛୋଟ ବାଳକ ଶ୍ରୀରାମ ଚାଲି ଆସିଛନ୍ତି । ସେ ଜାଣିପାରିଲେ ସେହି ଜୀବନ୍ତ ମୂର୍ତ୍ତି, ବାଳକ ରୂପ ଧରି ଆସିଛନ୍ତି । ତାଙ୍କୁ ସାଧୁଟି “ରାମଲାଲା” ବୋଲି ଡାକୁଥାନ୍ତି । ତାଙ୍କୁ ଦେଖି ଗଦାଧର ବହୁତ ଖୁସି ହେଲେ ।