ରାମଲାଲା ନିମିଷକ ପାଇଁ ମଧ୍ୟ ଗଦାଧରଙ୍କଠାରୁ ଅଲଗା ହୋଇ ରହୁନଥା’ନ୍ତି । ଫଳ ଆଣିଦେବାକୁ ଓ ସଙ୍ଗରେ ଖେଳିବାକୁ ରାମଲାଲା ନିତ୍ୟ ଗଦାଧରଙ୍କୁ କହୁଥା’ନ୍ତି । ସେ ବହୁତ ଜିଦ୍ କରୁଥିଲେ ଓ ନାନା ପ୍ରକାର ଦୁଷ୍ଟାମୀ କରୁଥିଲେ । କିନ୍ତୁ ସାଧୁ ଆସିଲେ ତାଙ୍କୁ ଦେଖି ସେ ଲୁଚି ପଡୁଥିଲେ । ସାଧୁ ତାଙ୍କୁ ବହୁତ ଗାଳିଦେଲେ; କିନ୍ତୁ ତାଙ୍କର କୌଣସି ପରିବର୍ତ୍ତନ ହେଲାନାହିଁ । ଗଦାଧର ସ୍ନାନ କରିବାକୁ ଗଙ୍ଗାକୁ ଗଲାବେଳେ ତାଙ୍କ ପଛେ ପଛେ ଚାଲିଥା’ନ୍ତି ରାମଲାଲା । ସେ ମଧ୍ୟ ନଦୀରେ ସ୍ନାନ କରନ୍ତି, ପାଣିରେ ନାନା ଖେଳ ଖେଳନ୍ତି । ଡାକିଲେ, ବା ବୁଝାଇ କହିଲେ କିଛିହେଲେ ବି ସେ ଶୁଣନ୍ତି ନାହିଁ । ବେଳେ ବେଳେ ଗଦାଧର ରାଗିଯା’ନ୍ତି ପରେ ପୁଣି ସେଥିପାଇଁ ଅନୁତାପ କରନ୍ତି । ଦିନେ ସାଧୁ କହିଲେ – “ବେଟା, ତୁମକୁ ରାମଲାଲା ଛାଡିକରି ଆସିବାକୁ ଚାହୁଁନାହିଁ । ଏବେ ତାକୁ ତୁମେ ନିଜ ପାଖରେ ରଖିନିଅ ।” ଏତିକି କହି ସାଧୁ ଶ୍ରୀରାମଙ୍କର ସେହି ଛୋଟ ମୂର୍ତ୍ତିଟି ଗଦାଧରଙ୍କ ହାତରେ ଦେଇ ଚାଲିଗଲେ ।
ସେ ସମୟରେ ତୋତାପୁରୀ ନାମରେ ଥା’ନ୍ତି ଜଣେ ସିଦ୍ଧ ଯୋଗୀ । ଥରେ ସେ ନଦୀକୂଳରେ ବୁଲୁ ବୁଲୁ ହଠାତ୍ ତାଙ୍କର ଦୃଷ୍ଟି ପଡିଲା ଗଦାଧରଙ୍କ ଉପରେ । ସେହିକ୍ଷଣି ସେ ଉପଲବ୍ଧି କଲେ କି ବେଦାନ୍ତ ବିଷୟରେ ଶିକ୍ଷା ଦେବାପାଇଁ ଏହି ବ୍ୟକ୍ତିଟିହିଁ ସର୍ବାପେକ୍ଷା ସୁଯୋଗ୍ୟ ବ୍ୟକ୍ତି । ସେ ମନେ ମନେ ବହୁତ ଖୁସି ହେଲେ । ତୋତାପୁରୀ ଗଦାଧରଙ୍କ ପାଖକୁ ଆସି କହିଲେ, “ବେଟା, ତୁମେ ଯୋଗବିଦ୍ୟା ଅଧ୍ୟୟନ କରିବ?” ଏକଥା ଶୁଣି ଗଦାଧର ହଠାତ୍ କହିପକାଇଲେ, “ମୁଁ ମା’ଙ୍କର ଅନୁମତି ନେଇ କରିବି ।” ତା’ପରେ ସେ କାଳୀମନ୍ଦିରରେ ପ୍ରବେଶ କରି ମା’ଙ୍କୁ ପ୍ରାର୍ଥନା କରି ଫେରି ଆସିଲେ ଓ ତୋତାପୁରୀଙ୍କୁ କହିଲେ, “ଗୁରୁଦେବ ମୁଁ ପ୍ରସ୍ତୁତ ।” ଦିନେ ପ୍ରଭାତରେ ତୋତାପୁରୀ ପବିତ୍ର ଅଗ୍ନି ଜଳାଇଲେ ଓ ସ୍ୱୟଂ ମନ୍ତ୍ର ଉଚ୍ଚାରଣ କଲେ ଓ ତତ୍ସହିତ ଗଦାଧରଙ୍କୁ ମଧ୍ୟ ସେହି ମନ୍ତ୍ର ଉଚ୍ଚାରଣ କରାଇଲେ । ସମସ୍ତ କାର୍ଯ୍ୟକ୍ରମ ପୂର୍ଣ୍ଣ ହେବା ପରେ ତୋତାପୁରୀ ଗଦାଧରଙ୍କୁ ସନ୍ନ୍ୟାସ ଦୀକ୍ଷା ଦେଲେ ଓ ତାଙ୍କର ନୂଆ ନାମ ଗୁରୁ ଦେଲେ “ରାମକୃଷ୍ଣ” ।