ଗଜପୁର ଗ୍ରାମଟି ଏକ ବଡ ନଦୀ କୂଳରେ ଅବସ୍ଥିତ । ସେହି ଗ୍ରାମରେ ନରେନ୍ଦ୍ର ନାମକ ଯୁବକ ଜଣକ ଥାଏ ଯିଏ କି ବିଚକ୍ଷଣ ସନ୍ତରଣକାରୀ ।
ସେହି ଗ୍ରାମରେ ଚମ୍ପା ନାମରେ ଜଣେ ସୁନ୍ଦର ଝିଅଟିଏ ଥାଏ । ପିଲା କାଳରୁ ତା’ର ବାପମା’ ମରିଯିବାରୁ, ତା’ର ମାମୁଁ ମାଇଁ ଆସି ତା’ ଘରେ ରହି ତାକୁ ପାଳିଲେ । କାରଣ ଚମ୍ପାର ବାପା ଥିଲେ ଧନୀ । ମାମୁଁଙ୍କ ପରିବାର ଚମ୍ପାର ଧନରେ ଅତି ଆରାମରେ ଥା’ନ୍ତି । ମାମୁଁଙ୍କର ଗୋଟିଏ ବୋଲି ପୁଅ ସୁଧୀର । ତା’ର ଭାରି ଇଚ୍ଛା ଥାଏ କି ଚମ୍ପାକୁ ବିବାହ କରି ସେ ସମସ୍ତ ସମ୍ପତ୍ତି ପାଇବ । ଚମ୍ପାର କିନ୍ତୁ ସୁଧୀରକୁ ବିବାହ କରିବାର ଇଚ୍ଛା ଆଦୌ ନଥାଏ । ମାମୁଁ ମାଇଁଙ୍କ ଢଙ୍ଗ ଦେଖି, ଚମ୍ପାର ଇଚ୍ଛା ହୁଏ ସେମାନଙ୍କୁ ଘରୁ ବାହାର କରିଦେବା ପାଇଁ; କିନ୍ତୁ ମୁହଁ ଖୋଲି ସେ କିଛି ବି କହି ପାରେ ନାହିଁ । କାହିଁକିନା ଯେତେ ଯାହା ହେଲେବି ସେମାନେ ତ ତାକୁ ଦଶବର୍ଷ ବୟସରୁ ପାଳିଛନ୍ତି ।
ଏବେ ସେ ଚମ୍ପା ଆସି ଅଠର ବର୍ଷର ଝିଅ ହେଲାଣି । ସେ ଭାବେ ଯଦି ଜଣେ ଭଲ ଯୁବକ ସହିତ ତା’ର ବିବାହ ହୋଇଯାଏ, ତେବେ ସେ କୌଶଳ କରି ଏମାନଙ୍କୁ ତଡିଦେଇ ପାରିବ । ନରେନ୍ଦ୍ର ପିଲାବେଳରୁ ଚମ୍ପାକୁ ଜାଣେ । ଦିନେ ନଦୀକୂଳରେ ଚମ୍ପା ନରେନ୍ଦ୍ର ସହିତ ଦେଖାକରି ତାକୁ ସବୁକଥା କହିଲା । ନରେନ୍ଦ୍ର ଏଥିରୁ ବୁଝିଗଲା ଯେ, ଚମ୍ପା ତାକୁ ବିବାହ କରିବାକୁ ଚାହେଁ । ନରେନ୍ଦ୍ର ମଧ୍ୟ ଖୁସି, କାରଣ ଚମ୍ପା ଅପୂର୍ବ ସୁନ୍ଦରୀ ଓ ଅନେକ ସମ୍ପତ୍ତିର ମାଲିକ । କିନ୍ତୁ ତା’ ମୁଣ୍ଡରେ ଶ୍ରେଷ୍ଠ ସନ୍ତରଣକାରୀ ହେବାର ଯେଉଁ ପୋକ ପଶିଛି, ତାହା ହୋଇ ନପାରିଲା ପର୍ଯ୍ୟନ୍ତ ସେ ତ ବିବାହ କରି ପାରିବ ନାହିଁ । ତେଣୁ ସେ ଚମ୍ପାକୁ ଆଶ୍ୱାସନା ଦେଇ କହିଲା ଯେ, ଆଉ କିଛିଦିନ ସେ ଅପେକ୍ଷା କରିଥାଉ ।