ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଙ୍କେତର ଅର୍ଥ

ମନ୍ତ୍ରୀ ଏକଥା ଶୁଣି ଚୁପ୍ ରହିଲେ । ଏସବୁ ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ । କାରଣ ସାଧାରଣତଃ ସବୁ କଥାରେ ମନ୍ତ୍ରୀ ଉତ୍ସାହ ସହକାରେ ରାଜାଙ୍କ ମତ ସହ ଏକମତ ହୋଇଥାନ୍ତି । ଅବଶ୍ୟ ଯେତେବେଳେ ସେ କୌଣସି ଭିନ୍ନ ମତ ପୋଷଣ କରନ୍ତି, ସେତେବେଳେ ସେ ହଠାତ୍ କିଛି ନକହି ଚୁପ୍ ରହନ୍ତି । ଏଥିରୁ ସେ ରାଜା ଠିକ୍ ବୁଝିପାରିଲେ ଯେ, ସେ ନିଜେ ଯେପରି ସୁକୁମାରକୁ ସେ ପଦ ପାଇଁ ସବୁଠାରୁ ଯୋଗ୍ୟ ବୋଲି ମନେ କରୁଛନ୍ତି, କିନ୍ତୁ ମନ୍ତ୍ରୀ ସେପରି ମନେ କରୁ ନାହାଁନ୍ତି । ତେଣୁ ସେ ରାଜା ପ୍ରଶ୍ନକଲେ, “ମନ୍ତ୍ରୀବର, ଚୁପ୍ ରହିଲ କାହିଁକି? ମୁଁ ଯାହା କହୁଛି କ’ଣ ଠିକ୍ କହୁନାହିଁ?”

ତହୁଁ ମନ୍ତ୍ରୀ କହିଲେ, “ମହାରାଜ, ମୋ ଧାରଣା ଆପଣଙ୍କ ଧାରଣାଠାରୁ ସମ୍ପୂର୍ଣ୍ଣ ପୃଥକ । ତେଣୁ ଏହି ନିର୍ଦ୍ଦିଷ୍ଟ ପଦ ପାଇଁ ମୁଁ ଧୀମାନ୍କୁ ହିଁ ଅଧିକ ଯୋଗ୍ୟ ବୋଲି ଭାବୁଛି ।”

ଏକଥା ଶୁଣି ରାଜା ହସି କହିଲେ, “ମନ୍ତ୍ରୀବର, ଆଜିଯାଏଁ ତ ଆମେ ଦୁହେଁ ସବୁ କଥାରେ ଏକମତ ହୋଇ ଆସିଛୁଁ । ହେଲେ ଆଜି ଥରେ ଦ୍ୱିମତ ହେଲେ କିଛି ବି କ୍ଷତି ନାହିଁ । କିନ୍ତୁ ଏ ସମସ୍ୟାର ସମାଧାନ ହେବ କିପରି?”

ମନ୍ତ୍ରୀ କହିଲେ “ମହାରାଜ! ଏହି ପରିସ୍ଥିତିରେ ଜଣେ ତୃତୀୟ ବ୍ୟକ୍ତିଙ୍କ ମତ ଲୋଡାଯାଉ । ଆମ ଦୁଇଜଣଙ୍କ ମତ ଉପରେ ମତଦେବା ଭଳି ବ୍ୟକ୍ତି ତ ମାତ୍ର ଜଣେ । ସିଏ ହେଲେ ରାଜଗୁରୁ ।”

ରାଜା ମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କରି କହିଲେ “ବେଶ୍, ବେଶ୍ । ସୁକୁମାର ଓ ଧୀମାନ୍ ଉଭୟଙ୍କୁ ସଙ୍ଗେ ସଙ୍ଗେ ରାଜଗୁରୁଙ୍କ ନିକଟକୁ ପଠାଇ ଦିଅ । ତାଙ୍କୁ ଗୋପନରେ ଆମ ସମସ୍ୟା ବି ଜଣାଇ ଦିଅ । ସେ କ’ଣ କହୁଛନ୍ତି ଦେଖାଯାଉ ।”

ଏହାପରେ ମନ୍ତ୍ରୀ ସେ ଦୁଇ ଯୁବକଙ୍କୁ ଡକାଇ କହିଲେ, “ରାଜା ତାଙ୍କ ଗୁରୁଙ୍କ ନିକଟକୁ କିଛି ବାର୍ତ୍ତା ପଠାଇବେ । ତୁମେ ଦୁହେଁ ତାହା ନେଇଯିବ । କିନ୍ତୁ ଗୁରୁ ତୁମକୁ ଆସିବାକୁ ନ କହିବା ପର୍ଯ୍ୟନ୍ତ ସେହି ଆଶ୍ରମରେ ହିଁ ତୁମେ ଦୁହେଁ ରହିବ । ମୋଟେ ତର ତର ହେବ ନାହିଁ ।” ମନ୍ତ୍ରୀଙ୍କ କଥା ଶୁଣି ଦୁଇ ଯୁବକ ସାନନ୍ଦେ ସମ୍ମତି ଜଣାଇଲେ ଓ ଆଶ୍ରମ ଅଭିମୁଖେ ବାହାରି ପଡିଲେ ।

ଦୁଇ ଯୁବକ ଗୁରୁଙ୍କ ଆଶ୍ରମରେ ତିନିଦିନ ରହି ତା’ପରେ ସେଠାରୁ ଫେରି ଆସିଲେ । ରାଜା ସେମାନଙ୍କୁ ପଚାରିଲେ, “ଗୁରୁ କିଛି ବାର୍ତ୍ତା ଦେଇଛନ୍ତି କି?”

ଯୁବକ ଦୁଇଜଣ କହିଲେ କି ଗୁରୁ କିଛି ବାର୍ତ୍ତା ଦେଇ ନାହାଁନ୍ତି । କିନ୍ତୁ ସୁକୁମାରକୁ ଗୋଟିଏ କୁରାଢୀ ଦେଇଛନ୍ତି ଓ ଧୀମାନ୍କୁ ଛୁଂଚିଟିଏ ଦେଇଛନ୍ତି ।

ରାଜା ସେ ଦୁଇ ଯୁବକଙ୍କୁ ପଚାରିଲେ “ଏହାର ତାତ୍ପର୍ଯ୍ୟ କ’ଣ ହୋଇପାରେ?”

ଯୁବକ ଦୁଇଜଣ କହିଲେ “ମହାରାଜ, ରାଜଗୁରୁ ଆମକୁ ଏ ଜିନିଷ ଦୁଇଟି ଦେଇ ତାହା ଆଣି ଆପଣଙ୍କ ଆଗରେ ରଖିବାକୁ କହିଲେ । ଏହା ଛଡା ସେ ଆମକୁ ଆଉ କୌଣସି ବାର୍ତ୍ତା ଦେଇ ନାହାଁନ୍ତି କିମ୍ବା ଏ ପଦାର୍ଥ ଦୁଇଟି ଆମକୁ ଦେବାର ତାତ୍ପର୍ଯ୍ୟ କ’ଣ, ତାହା ମଧ୍ୟ ଜଣାଇ ନାହାଁନ୍ତି । ଆମେ ଦୁହେଁ ଆଶ୍ଚର୍ଯ୍ୟ ହେଲୁ । କିନ୍ତୁ ଗୁରୁଙ୍କୁ ଏ ବିଷୟରେ ଆମେ କିଛି ବି ପ୍ରଶ୍ନ କରିନାହୁଁ ।”

ରାଜା କହିଲେ, “ଗୁରୁ କିଛି ନ କୁହନ୍ତୁ । ତମେ ନିଜେ ନିଜେ ଏହି ଘଟଣାରୁ କ’ଣ ଭାବୁଛ?”

ସୁକୁମାର କହିଲା, “ମହାରାଜ, ମୋତେ କୁରାଢୀ ଦେବାର ତାତ୍ପର୍ଯ୍ୟ ତ ସ୍ପଷ୍ଟ । ଯାହା ବାହୁରେ ବଳ ଅଛି, କେବଳ ସେ ହିଁ କୁରାଢୀ ବ୍ୟବହାର କରିପାରେ । କାହିଁକିନା କୁରାଢୀ ଦ୍ୱାରା ଜଣେ ଗଛଲତା କାଟିକୁଟି ପଥ ପରିସ୍କାର କରିଥାଏ ।”

ରାଜା ଧୀମାନ୍କୁ ପଚାରିଲେ, “ତମେ କ’ଣ କହୁଛ?”

ଧୀମାନ୍ କହିଲା “ମହାରାଜ, କୁରାଢୀର ତାତ୍ପର୍ଯ୍ୟ ସମ୍ପର୍କରେ ସୁକୁମାର ଯାହା କହିଲେ, ମୁଁ ମଧ୍ୟ ତାଙ୍କସହ ଏକମତ । ଗୁରୁ ନିଶ୍ଚୟ ସୁକୁମାର ଭିତରେ ଶକ୍ତି ଓ ସାହସର ପରିଚୟ ପାଇଥିବେ । ମୋତେ ସେ ଛୁଂଚିଟିଏ ଦେବାର ତାତ୍ପର୍ଯ୍ୟ ମୋ ପାଇଁ ମଧ୍ୟ ସ୍ପଷ୍ଟ । ଛୁଂଚି ଦ୍ୱାରା କି କାମ କରାହୁଏ । ଛିନ୍ନ ଲୁଗାକୁ ଏକତ୍ର କରାଯାଏ । ଅର୍ଥାତ୍ ଯେଉଁଠି ବିବାଦ ବିଭେଦ ଅଛି, ସେଠାରେ ସେବା କଲାଭଳି ସାମାନ୍ୟ କିଛି ଶକ୍ତି ମୋ ଭିତରେ ଅଛି, ଗୁରୁ ଏହାହିଁ ଭାବିଥିବେ ବୋଲି ମୋର ଧାରଣା ।”

ରାଜା ଓ ମନ୍ତ୍ରୀ ଧୀମାନ୍ର ଏପରି ବ୍ୟାଖ୍ୟାରେ ଏତେ ଖୁସି ହେଲେ ଯେ ରାଜା ସଙ୍ଗେ ସଙ୍ଗେ ଧୀମାନ ଲୋକ-ପ୍ରତିନିଧି ପଦରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବୋଲି ଘୋଷଣା କରିବାକୁ ଯାଉଥିଲେ । କିନ୍ତୁ ମନ୍ତ୍ରୀ ତାଙ୍କୁ ଇଙ୍ଗିତ ଦେଇ ସେଥିରୁ ନିରସ୍ତ୍ର କଲେ । ସେ ଯୁବକ ଦୁଇଜଣଙ୍କୁ ବିଦାୟ କରି ମନ୍ତ୍ରୀ ରାଜାଙ୍କୁ କହିଲେ, “ମହାରାଜ! ଦୁଇଜଣଙ୍କୁ ଦୁଇଟି ପଦ ଦିଆଯାଉ । ଧୀମାନ୍ ଲୋକ-ପ୍ରତିନିଧି ପଦ ପାଆନ୍ତୁ । କିନ୍ତୁ ସୁକୁମାରଙ୍କୁ ଆମ କଟୁଆଳଙ୍କ ଉପଦେଷ୍ଟା ପଦ ଦିଆଯାଉ ।”

ରାଜା ବି ଏଥିରେ ନିଜର ସମ୍ମତ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ