ଆପଣ ଠିକ୍ କହିଛନ୍ତି । ରାଜକୁମାରୀ ବନ୍ଦନା ଦେଖିଲାଭଳି ଝିଅଟିଏ । ପ୍ରେମ କଲାଭଳି ଝିଅଟିଏ…ବାସ୍… ।
ଦିନ କେଇଟା ଭିତରେ ରାଇଜସାରା ଚହଳ ପଡିଗଲା । ଫୁଲର ବାସ୍ନାରେ, କୋଇଲିର କୁହୁରେ, ଚୋରା ମଳୟର ଶିରା ଧମନୀରେ ଗୋଟାଏ ସ୍ୱର, ଗୋଟାଏ ଗୀତ, ରାଜକୁମାରୀ ଗୃହଯୋଗ୍ୟା ହେଲେ । ଏଣିକି ସେ ମନଖୋଲା ହସିବେ, ମହକେଇ ଦେବେ ପ୍ରତ୍ୟେକ ଯୁବକର ଚହଲା ମନକୁ । ଶୋଇପଡିଥିବା କବିମାନେ ବି କବିତା ଲେଖିବା ଆରମ୍ଭ କରିଦେବେ । ଯେମିତି ଫଗୁଣ ଉଠିଆସିବ ତା’ ଘରଛାଡି; ଆଉ ଈର୍ଷାରେ ଜଳିଯିବ ଚାନ୍ଦ । ନିଜକୁ ଲୁଚାଇ ରଖିବ ତାଳଗଛ ଆଢୁଆଳରେ । ଥୁଂଟା ବରଗଛଗୁଡା କଅଁଳେଇ ଯିବେ ରାଜକୁମାରୀଙ୍କ ଦେହର ବାସ୍ନାରେ ।
ରାଜଜ୍ୟୋତିଷେ ଗଣନା କଲେ, ରାଜକୁମାରୀ ସର୍ବଗୁଣସମ୍ପନ୍ନା ହେବେ । ତାଙ୍କୁ ଠିକ୍ ବୟସରେ ବିବାହ କରିବେ ଜଣେ ବୀର, ଯୋଦ୍ଧା, ଜ୍ଞାନୀ ତଥା ପ୍ରେମୀକୁ… । ଯଦି ରାଜକୁମାରୀ ଆସନ୍ତା ମାଘ ସପ୍ତମୀ ଦିନ ବଜରଙ୍ଗୀ ପାହାଡରେ ଥିବା ଦୟାବାନ ମହାମୁନୀଙ୍କୁ ତପସ୍ୟା କରି ସନ୍ତୁଷ୍ଟ କରିପାରିବେ, ତେବେ ସେ ନିଜ ପସନ୍ଦ ଅନୁଯାୟୀ ଯୋଗ୍ୟ ବର ନିଶ୍ଚୟ ପାଇବେ ।
ମହାରାଣୀ-ମହାରାଜ ମତେ ସ୍ମରଣ କଲେ?
ମହାରାଜ-ହଁ ମହାରାଣୀ ! ଗତ କାଲିଠୁ ମୁଁ ଗୋଟାଏ ଜରୁରୀ ବିଷୟରେ ଚିନ୍ତା କରୁଚି ।
ମହାରାଣୀ-ମହାରାଜ ବୁଝାଇ କହିଲେ-
ମହାରାଜ-ହଁ ମହାରାଣୀ, ଯେତେବେଳେ ତମକୁ ଡକାଇଚି ନିଶ୍ଚୟ କହିବି ମହାରାଣୀ…!
ମହାରାଣୀ-ମହାରାଜ…!
ମହାରାଜ-ରାଜକୁମାରୀ ବନ୍ଦନାଙ୍କୁ କେତେ ବୟସ ହେଲାଣି?
ମହାରାଣୀ-ସେ ବର୍ତ୍ତମାନ ବିବାହ ଯୋଗ୍ୟା ।
ମହାରାଜ-ରାଜକୁମାରୀ ଏ ବିଶ୍ୱର ସର୍ବଶ୍ରେଷ୍ଠା ସୁନ୍ଦରୀ । ତେଣୁ ତାଙ୍କର ବିବାହ ଜଣେ ସୁନ୍ଦର, ସ୍ୱାସ୍ଥ୍ୟବାନ, ବୀର, ବିଚାରବନ୍ତ ସହିତ ହବା ଉଚିତ୍ ।
ମହାରାଣୀ-ମୋର ବି ଏହି ଇଚ୍ଛା ମହାରାଜ… ।
ମହାରାଜ-ଆଉ ଗୋଟିଏ କଥା ମହାରାଣୀ… ।
ମହାରାଣୀ-ପ୍ରକାଶ କରନ୍ତୁ ମହାରାଜ?
ମହାରାଜ-ରାଜକୁମାରୀ ଆଉ କୌଣସି ଯୁବକକୁ ଭଲପାଇ ନାହାଁନ୍ତି ତ?
ମହାରାଣୀ-ହଠାତ୍ ଏ ପ୍ରଶ୍ନ… ।
ମହାରାଜ-ରାଜକୁମାରୀ ପସନ୍ଦ କରିଥିବା ଯୁବକ ସହିତ ହିଁ ତାଙ୍କର ବିବାହ କରିବା ଉଚିତ୍ । କାରଣ ସେ ଆମର ଏକମାତ୍ର ସନ୍ତାନ । ତାଙ୍କର ଖୁସିରେ ତ ଆମର ଖୁସିହବା ଉଚିତ୍ ।
ମହାରାଣୀ-ନା, ବନ୍ଦନା କୌଣସି ଯୁବକକୁ ନିଜର ମଣିନି । ସେ ବହୁତ ସ୍ପଷ୍ଟବାଦୀ, ମୁଁ ତା’ର ମା’ ହେଲେ ବି ସେ ମତେ ସବୁ କହେ ନିସଂକୋଚରେ ।
ମହାରାଜ-ବେଶ୍, ତେବେ ଆସନ୍ତାକାଲି ଠାରୁ ମୁଁ ସ୍ୱୟମ୍ବର ଆୟୋଜନର ବ୍ୟବସ୍ଥା କରିବି ।
ମହାରାଣୀ-ଯାହା ମହାରାଜଙ୍କ ଇଚ୍ଛା ।
ମହାରାଣୀ-ମୁଁ ଜାଣେ ମଣିମା, ଆପଣ ରାଜକୁମାରୀଙ୍କ ବିବାହ ପାଇଁ ଖୁବ୍ ବ୍ୟସ୍ତ ହେଇ ଉଠିଛନ୍ତି । ତାହେଲେ ମହାରାଜ, ରାଜକୁମାରୀଙ୍କ ସ୍ୱୟମ୍ବରର ଶୁଭ ମୁହୂର୍ତ୍ତ ଧାର୍ଯ୍ୟ କରାଯାଉ । ଆଉ ବିଶ୍ୱର ପ୍ରତ୍ୟେକ ରାଜ୍ୟରେ ଏ ଖବର ପହଁଚାଇ ଦିଆଯାଉ । ପ୍ରତିଯୋଗୀତା ନିହାତି କଠିନ ହେବା ଉଚିତ୍ । ଯାହା ଫଳରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି ହିଁ ରାଜକୁମାରୀଙ୍କ ପାଣିଗ୍ରହଣ କରିବେ ।
ମହାରାଜ-ଏଭଳି ପ୍ରସ୍ତାବ ତ ଅତି ଉତ୍ତମ । ଶୁଭ କାର୍ଯ୍ୟରେ ବିଳମ୍ବ କରାଯାଏନା ।
ରାଜକୁମାରୀଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁଥିବା ଯୁବକମାନେ ଆଶା କରୁଥିଲେ ଯେ ରାଜକୁମାରୀଙ୍କୁ ଭଲପାଇବା ପଡିଆଟା ଖୁବ୍ ଲମ୍ବା ଚଉଡା ହବ ବୋଲି; ମାତ୍ର ଛ’ମାସ ତପସ୍ୟା କରି ଫେରିଲା ପରେ ରାଜକୁମାରଙ୍କ ସୌନ୍ଦର୍ଯ୍ୟ ଦ୍ୱିଗୁଣ ହୋଇଯାଇଚି ସତ, କିନ୍ତୁ ଭଲପାଇବାର ଲକ୍ଷଣ ତାଙ୍କଠାରୁ ଲୋପ ପାଇଯାଇଚି । ପ୍ରତ୍ୟେହ ଦେବଉପାସନା କରିବା ପୂର୍ବରୁ ସେ ଆଦୌ ଜଳସ୍ପର୍ଶ କରୁନାହାଁନ୍ତି ।
ଭାବିବା ଲୋକଙ୍କ ଭାବନା ସରିଗଲା । ସ୍ୱପ୍ନ ଦେଖିବାକୁ ଭଲ ପାଉଥିବା ଲୋକଙ୍କ ସ୍ୱପ୍ନ ହଠାତ୍ ପାଣିଚିଆ ହୋଇଗଲା, ଆଉ ରାଜକୁମାରୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ହେଇ କବିତା ଲେଖୁଥିବା କବିଗୁଡା ପୋଥିରେ ଡୋରୀ ବାନ୍ଧିଦେଲେ । ପ୍ରେମାନାଙ୍କ କାହାଣୀ ଲେଖା ସରିଲାନି । ରାଜକୁମାରୀଙ୍କ ସୌନ୍ଦର୍ଯ୍ୟ ବୃଥା…ଯୌବନ ବୃଥା ।