“ଶୁଣ ଶୁଣ, ପ୍ରଜାମାନେ ଶୁଣ! ଆସନ୍ତା ମାର୍ଗଶୀର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ରାଜକୁମାରୀଙ୍କର ସ୍ୱୟମ୍ବର ହବ । ଏହି ସ୍ୱୟମ୍ବରରେ କଠିନ ସର୍ତ୍ତମାନ ରହିଚି । ଯୋଉ ବୀର, ଯୋଦ୍ଧା ଜ୍ଞାନୀ ଏହି ସର୍ତ୍ତରେ ଉତୀର୍ଣ୍ଣ ହେବେ, ସେ ହିଁ ରାଜକୁମାରୀଙ୍କୁ ବିବାହ କରି ଏ ରାଜସିଂହାସନ ଆରୋହଣ କରିବେ ।”
ଏ ସମ୍ବାଦ ପାଇ ସାରା ସଂସାର ଖାଲି ଉଠିଲା ଆଉ ପଡିଲା । ରାଜା, ଯୁବରାଜ, ମନ୍ତ୍ରୀପୁତ୍ର, ସେନାପତି ପୁତ୍ର ତଥା ଚାଷୀ ମୁଲିଆ ଶ୍ରେଣୀର ଯୁବକମାନେ ନିଜକୁ ପ୍ରସ୍ତୁତ କରିନେଲେ ଏହି ସ୍ୱୟମ୍ବର ନିମନ୍ତେ । କବିମାନେ ଆଉ କବିତା ନ ଲେଖି କୁସ୍ତିକସରତ୍ କରିବା ଆରମ୍ଭ କରିଦେଲେଣି । ଗାୟକମାନେ ଗୀତ ଗାଇବା ଛାଡି ତୀରଚାଳନା ଶିକ୍ଷା କରିଲେଣି । ଆଶ୍ରମ ଛାଡି ଗୁରୁମାନେ ଢିସୁମ୍-ଢାସୁମ୍ କରିବା ଆରମ୍ଭ କରିଦେଲେଣି । ଆଉ ପ୍ରେମାନା? ସେ ତାଙ୍କ ଲେଖନୀକୁ ମଜଭୁତ୍ କରି ଧରିଲେଣି ଫଳାଫଳ କ’ଣ ହବ, ତା’ପରେ କାହାଣୀ ଲେଖିବେ ।
ଛୋଟ ଏକ ଆଦିବାସୀ ପଲ୍ଲୀଗାଁ । ଶିକ୍ଷା, ସଂସ୍କୃତିରେ ଅନ୍ୟ ଗାଁ ମାନଙ୍କଠୁ ବେଶ୍ ମାର୍ଜ୍ଜିତ ସେ ଗାଁଟି । ବିକ୍ରମଗଡର ସେନାବାହିନୀରେ ଥିବା ସୈନିକମାନଙ୍କ ମଧ୍ୟରୁ ଶତକଡା ଚାଳିଶି ଭାଗ ଏଇ ଆଦିବାସୀ ଗାଁର । ଏଠିକାର ପ୍ରତ୍ୟେକ ଯୁବକ ଯୁଦ୍ଧବିଦ୍ୟା ଓ ଶିକାରରେ ରେ ପାରଙ୍ଗମ ।
ଚାରିପୁଅ ଖୁବ୍ ସାନ ହେଇଥିଲେ । ସ୍ୱାମୀକୁ ହରେଇ ଅହଲ୍ୟା ଦେବୀ ଅତ୍ୟନ୍ତ ଭାଙ୍ଗି ପଡିଥିଲେ; ତଥାପି ବି ସେ ଅହଲ୍ୟା ଦେବୀ ତାଙ୍କ ଚାରି ପୁଅଙ୍କୁ ମଣିଷପରି ଗଢିବାକୁ ଶପଥ ନେଇଥିଲେ । ଆଜି ଚାରିପୁଅ ବଡ ହେଇଛନ୍ତି । ଗୁରୁକୁଳରେ ଶିକ୍ଷା ନେଇଛନ୍ତି । ଆଜି ସେମାନେ ଯୁଦ୍ଧବିଦ୍ୟାରେ ଯେପରି ପାରଙ୍ଗମ, ଜ୍ଞାନରେ ମଧ୍ୟ ଠିକ୍ ସେମିତି ବିଚକ୍ଷଣ ।
ଜୟ, ବିଜୟ, ଅଜୟ, ସୁଜୟ, ଏ ଚାରିଜଣ ହେଉଛନ୍ତି ଅହଲ୍ୟାଦେବୀଙ୍କ ପୁଅ । ଏ ଚାରିଜଣଯାକ ସବୁ ବିଦ୍ୟାରେ ଜୟଲାଭ କରିଥାନ୍ତି । ଅହଲ୍ୟାଦେବୀଙ୍କ ବିଚାରରେ ଚାରିଜଣ ସମାନ । ମାତ୍ର ସେ ଅହଲ୍ୟାଦେବୀ ବୋଧେ ଜାଣି ନାହାଁନ୍ତି, ଈଶ୍ୱରଙ୍କ ସୃଷ୍ଟିରେ କେହି ବି କାହା ସହିତ ସମାନ ନୁହଁନ୍ତି । କିନ୍ତୁ ଏକଥା ସତ ଯେ, ମା’ର ପ୍ରେମ, ଦରଦ, ମମତା ସବୁରି ପାଇଁ ସମାନ । କେମିତି ତାଙ୍କ ମମତା ନିକଟରେ ସାନବଡ ହବ?
ପୁଅ-ମା’…ଏ ମା’ – କ’ଣ ଏତେ ସବୁ ଭାବୁଚୁ? ମୁଁ ଦେଖୁଚି ଏଇ କେଇ ସମୟ ଆଗରୁ ତୁ ଚୁପ୍ଚାପ୍ ହେଇ ବସିଚୁ ଯେପରିକି ତୋର ଅନ୍ୟଆଡେ ମୋଟେ ନିଘାନାହିଁ!
ମାଆ-ରାଜାଙ୍କ ଘୋଷଣା ଶୁଣିଲୁ ତ?
ବିଜୟ-ହଁ ମା’… । ଯିଏ ସେ ରାଜାଙ୍କ କଠିନ ସର୍ତ୍ତଗୁଡିକ ପୂରଣ କରିପାରିବ, ସେ ହିଁ ରାଜକୁମାରୀ ବନ୍ଦନାକୁ ବିବାହ କରିବ ।
ମାଆ-ତୁ କ’ଣ କହୁଚୁ?
ବିଜୟ-ଆମେ ଚାରିଭାଇ ସ୍ୱୟମ୍ବରକୁ ଯିବୁ । ମା’ ମୋର ମନ ହଉଚି ଆମେ ଚାରିଭାଇ ନିଶ୍ଚୟ ରାଜାଙ୍କ ସମସ୍ତ ସର୍ତ୍ତ ପୂରଣ କରିପାରିବୁ ।
ମାଆ-ଆରେ ପାଗଳା, ରାଜକୁମାରୀ ତ ଜଣେ; ହେଲେ ତମେ ତ ଚାରିଜଣ କିଏ ବାହା ହବ?
ବିଜୟ-ଏଁ…ସତେ ତ! ମା’ ତୁ ଏକଦମ୍ ଠିକ୍ କହିଚୁ । ହେଲେ ମା’… ଆମେ ଚାରିଭାଇ କେହି କାହାକୁ ତ ଊଣା ନୁହଁ । ତେଣୁ ମୁଁ ଭାବୁଚି, ସ୍ୱୟମ୍ବରକୁ ବଡଭାଇ ଯାଆନ୍ତୁ ।
ଜୟ-ନା ମା’, ମୁଁ ଗଲେ ଅନ୍ୟ ତିନିଜଣଙ୍କ ମନ ଭାରି କଷ୍ଟ ହବ । ତେଣୁ ଆମେ ସାଥିହେଇ ଯିବୁ ।
ସୁଜୟ-ହଁ ହଁ ମା’…, ବଡଭାଇ ଠିକ୍ କହିଛନ୍ତି । ଭାଗ୍ୟ ତ ଆଉ ସମସ୍ତଙ୍କର ସମାନ ନୁହଁ । ସମାନ ବୁଦ୍ଧି, ସମାନ ଜ୍ଞାନ ଥାଇ ମଧ୍ୟ ଆମ ସମସ୍ତଙ୍କ ଭାଗ୍ୟ ସମାନ ନୁହଁ ।
ମାଆ-ଆରେ, ସୁଜୟ ଠିକ୍ କହିଚି । ତମେ ଚାରିଜଣ ନିଜକୁ ପ୍ରସ୍ତୁତ କର ।
ଜୟ-ଏଥର ଆମ୍ଭମାନଙ୍କୁ ଆଶୀର୍ବାଦ କର ମା’! ଆମେ ଯେପରି ଜୟଲାଭ କରି ତୋ କୋଳକୁ ଫେରି ଆସିବୁ ।
ମାଆ-ଈଶ୍ୱର ତମର ମଙ୍ଗଳ କରନ୍ତୁ… ।
ମା’ଙ୍କଠାରୁ ଆଶୀର୍ବାଦ ନେଇ ସେ ଚାରିଭାଇଯାକ ବିକ୍ରମଗଡ ଅଭିମୁଖେ ଯାତ୍ରାକଲେ । ସ୍ୱୟମ୍ବରର ଦିନକ ଆଗରୁ ସେମାନେ ଯାଇ ସେଠାରେ ପହଁଚିଗଲେ ।
ପ୍ରତିଯୋଗୀମାନଙ୍କ ରହିବା ପାଇଁ ସଯତ୍ନେ ବ୍ୟବସ୍ଥା କରାଯାଇଥାଏ । ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ସମାନ ସମ୍ମାନ ଦିଆଯିବାର ବି କଡା ନିର୍ଦ୍ଧେଶ ଦିଆଯାଇଥାଏ ।