ରାତିପାହିଲା ଖୁବ୍ ଶୀଘ୍ର । ରାତି ପାହିବାକ୍ଷଣି ତଡିତ୍ ବେଗରେ ରାଇଜସାରା ଖେଳିଗଲା ହସଖୁସିର ପସରା । ରାଜକୁମାରୀଙ୍କ ସ୍ୱୟମ୍ବର ଦେଖିବାପାଇଁ ଆବାଳବୃଦ୍ଧବନିତା ନିଜନିଜକୁ ସଜେଇ ନେଲେ ।
ଏଇ ନିମିଷକ ଆଗରୁ ସେ ସ୍ୱୟମ୍ବରର ପ୍ରଥମ ଦିନର ପ୍ରତିଯୋଗିତା ଶେଷ ହେଇଚି । ଚାରିଶହ ଚଉଷଠି ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ ମାତ୍ର ଆଠଜଣ ଉତୀର୍ଣ୍ଣ ହେଇଛନ୍ତି । ଆଉ ସେହି ଆଠଜଣଙ୍କ ମଧ୍ୟରୁ ଜୟ, ବିଜୟ, ଅଜୟ, ସୁଜୟ ଅନ୍ୟତମ ।
ବିଜୟ-ବଡଭାଇ ଦେଖ, ଏବେ ସ୍ୱୟମ୍ବର ପଡିଆଟା କେମିତି ନିଶୁନ୍ ଲାଗୁଚି ।
ଜୟ-ଦେଖାଯାଉ କୋଉଦିନ ସ୍ୱୟମ୍ବର ପଡିଆଟା ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯିବ ।
ବିଜୟ-ଆସନ୍ତାକାଲି କଠିନ ପରୀକ୍ଷାରେ କିଏ ଜିତିବ, କିଏ ହାରିବ ସେକଥା ତ କହିହବନି ।
ଜୟ-ଜଙ୍ଗଲରେ ଘୂରୁଥିବା ବାଘକୁ ପିଞ୍ଜରାରେ ପୂରାଇବ ।
ସୁଜୟ-ଦେଖାଯାଉ ଆସନ୍ତାକାଲି ଜିତାପଟ କାହା ଭାଗ୍ୟରେ ଅଛି । ଯିଏ ଜିତିବ, ସେ ହେବ ବିଶ୍ୱର ଶ୍ରେଷ୍ଠ ବୀର ।
ଜୟ-ଦେଖ ସୁଜୟ, ସେ ଭାଗ୍ୟବାନ ଯୁବକ ତୁ କାହିଁକି ହେଇ ନଥିବୁ? ନିଜ ଉପରେ ଦୃଢ ଆସ୍ଥା ରଖ, ଆଉ ବିଶ୍ୱାସ ରଖ ।
“ଶୁଣ ଶୁଣ ପ୍ରଜାମାନେ! ଆଜି ସ୍ୱୟମ୍ବରର ପ୍ରତ୍ୟେକ ପରୀକ୍ଷା ଶେଷ ହେଇଚି । ଜଙ୍ଗଲରେ ବୁଲୁଥିବା ବାଘକୁ ପିଞ୍ଜରାରେ ପୂରାଇବାକୁ ଯାଇ ଚାରିଜଣ ଯୁବକ ପ୍ରାଣ ହରାଇଛନ୍ତି । ମାତ୍ର ଖୁସିର କଥା ଚାରିଭାଇ ଜୟ, ବିଜୟ, ଅଜୟ ଏବଂ ସୁଜୟ ଏ ପ୍ରତିଯୋଗିତାରେ ଜୟଲାଭ କରିଛନ୍ତି ।”
ରାଜା-ତୁମମାନଙ୍କ ବଳ ବୁଦ୍ଧି ଆଉ ସାହସ ତୁମମାନଙ୍କୁ ବିଜୟ କରାଇଚି । ଜଣେ ଜଣଙ୍କୁ କୌଣସିଥିରେ ବି କମ୍ ନୁହଁ । ସୁତରାଂ ମୁଁ ତୁମ ଚାରିଜଣଙ୍କୁ ପସନ୍ଦ କରିଚି । ହେଲେ ମୋର ତ ଆଉ ଚାରୋଟି କନ୍ୟା ନାହାଁନ୍ତି । ଗୋଟିଏ କନ୍ୟାକୁ କିପରି ଚାରିଭାଇଙ୍କ ସହିତ ବିବାହ ଦେବି? ମାତ୍ର ସମସ୍ତଙ୍କ ପାଇଁ ମୋର ଋଚି ରହିଚି । କିପରି ମୁଁ ତୁମମାନଙ୍କ ମଧ୍ୟରୁ ଜଣଙ୍କୁ ଜାମାତା ରୂପେ ନିର୍ବାଚନ କରିବି? ଏତ ମହା ଧର୍ମସଙ୍କଟ କଥା । ଆଚ୍ଛା, ତୁମମାନଙ୍କ ମଧ୍ୟରେ ଆଲୋଚନା କର, କିଏ ମୋର ଜାମାତା ହେବ ।
ରାଜକୁମାରୀ-ପିତାଶ୍ରୀ…! ଏ ସମସ୍ୟାର ସମାଧାନ ଆପଣ ମୋ ଉପରେ ଛାଡିଦିଅନ୍ତୁ । ମୁଁ ନିଜେ ଚାରିଭାଇଙ୍କ ମଧ୍ୟରୁ ଜଣଙ୍କୁ ସ୍ୱାମୀରୂପେ ନିଶ୍ଚୟ ବରଣ କରିବି ।
ରାଜା-ଓହୋଃ…ତୁ ମତେ ବଂଚେଇ ଦେଲୁ ମା’…! ମୋତେ ଏ ଧର୍ମ ସଙ୍କଟରୁ ଉଦ୍ଧାର କଲୁ ।
ରାଣୀ ଅନ୍ତଃପୁରର ଏକ ସ୍ୱତନ୍ତ୍ର ମହଲ । ତାହା ବେଶ୍ ସୁସଜ୍ଜିତ । ସେଠାକାର ପରିବେଶ ବି ଖୁବ୍ ମଧୁର । କିଛିଟା ଭାବିହବ କିଛିଟା କହିହବ; ଆଉ କିଛିଟା ଅନୁଭୁତି ବି ସାଉଁଟି ହବ ।
ରାଜକୁମାରୀଙ୍କ ନିକଟରେ ବସିଥିଲେ ଜୟ, ବିଜୟ, ଅଜୟ ଏବଂ ସୁଜୟ ।
ରାଜକୁମାରୀ-ଆପଣ ଚାରିଜଣ ମୋର ସ୍ୱାମୀ ହେବାପାଇଁ ଉପଯୁକ୍ତ । ହେଲେ ମୋର ଜାଣିବା ଦରକାର-କାହାର ମୋ’ପ୍ରତି କେତେ ଆନ୍ତରିକତା ଅଛି?
ଜୟ-କାହା ହୃଦୟରେ କାହାପାଇଁ କେତେ ପ୍ରେମ, କେତେ ଦରଦ ଅଛି, ଏହା କ’ଣ ପ୍ରମାଣ କରାଯାଇ ପାରେ?
ରାଜକୁମାରୀ-ହଁ, ମୋ ପାଖରେ ଗୋଟାଏ ଉପାୟ ଅଛି । ମୋତେ ଆପଣାର କରିବାକୁ ଯାଇ ଆପଣମାନେ ମୋର ଗୋଟିଏ ସର୍ତ୍ତ ପୂରଣ କରି ପାରିବେନି?
ଜୟ-ନିଶ୍ଚୟ ପାରିବୁ । ଆମେ ପ୍ରତ୍ୟେକ ସର୍ତ୍ତ ପୂରଣ କରି ପାରିବୁ ।
ରାଜକୁମାରୀ-ତେବେ ଠିକ୍ଅଛି; ଏଥର ମୋ ସର୍ତ୍ତ ଶୁଣନ୍ତୁ । ବଜରଙ୍ଗୀ ପର୍ବତରେ ଜଣେ ମହାତ୍ମା ରହୁଛନ୍ତି । ତାଙ୍କ ପାଖରେ ଚାରୋଟି ସୁନାରଙ୍ଗିଆ ଶୁଆ ଅଛନ୍ତି । ସେଇ ସୁନାରଙ୍ଗିଆ ଶୁଆର କଲିଜାଟା ଯଦି ମୁଁ ଖାଇଦେବି, ତେବେ ମୁଁ ଆଜୀବନ ଯୌବନସମ୍ପନ୍ନା ତଥା ସୁନ୍ଦରୀ ହେଇ ରହିବି ।
ଜୟ-ଠିକ୍ଅଛି ରାଜକୁମାରୀ । ଗୋଟାଏ କ’ଣ ଚାରୋଟି ଶୁଆ ଆମେ ନେଇ ଆସିବୁ ।
ରାଜକୁମାରୀ-ହଁ ମାତ୍ର ଏତିକି ମନେରଖିବା ଉଚିତ୍, ଶୁଆଟିକୁ ନିଜେ ଜୀବିତାବସ୍ଥାରେ ଆଣିବା ଦରକାର ।
ଜୟ-ଆପଣଙ୍କ ସର୍ତ୍ତକୁ ସ୍ୱୀକାର କରୁଚୁ ରାଜକୁମାରୀ ।
ରାକୁମାରୀ-ଠିକ୍ଅଛି, ଆପଣ ଚାରି ଭାଇ ଜଣଜଣ କରି ବଜରଙ୍ଗୀ ପର୍ବତକୁ ଯାଆନ୍ତୁ ।
ଅଜୟ-ବଡଭାଇ, ଯେହେତୁ ତମେ ଆମ ଚାରିଜଣଙ୍କ ଭିତରେ ବଡ, ତେଣୁ ପ୍ରଥମେ ତମର ହିଁ ବିବାହ ହେବା ଆବଶ୍ୟକ । ତେଣୁ ସେ ବଜରଙ୍ଗୀ ପର୍ବତକୁ ତମେ ପ୍ରଥମେ ଯାଅ ।
ବିଜୟ-ଠିକ୍ କଥା ବଡଭାଇ, ଅଜୟ ଠିକ୍ କହିଚି । ଶୁଭମୁହୂର୍ତ୍ତ ଦେଖି ବଜରଙ୍ଗୀ ପର୍ବତକୁ ଯାତ୍ରାକର । ମୋର ଦୃଢ ବିଶ୍ୱାସ ତମେ ନିଶ୍ଚୟ ସେ ସୁନାରଙ୍ଗିଆ ଶୁଆକୁ ନେଇ ଆସିବ ।
ସୁଜୟ-ହେ ଈଶ୍ୱର ! ମୋ ବଡଭାଇ ବିଜୟୀହୋଇ ଫେରନ୍ତୁ ।
ପାହାଡି ଝରଣାଟା ପାର ହେଲେ ବଜରଙ୍ଗୀ ପର୍ବତ ପଡିବ । ସେ ଝରଣାଟା ତ ବହୁତ ଚଉଡା । ଝରଣା ଏପଟରେ ଛିଡାହେଲେ ବଜରଙ୍ଗୀ ପର୍ବତଟା ଏତେ ଟିକେ ଦିଶେ ।