ସେ ଝରଣାରେ କେତେ ପାଣି ତାହା କହି ହବନି । ହେଲେ ଜୟ ତ ସନ୍ତରଣରେ ଧୂରନ୍ଧର । ତେଣୁ ସେ ପହଁରି ପହଁରି ପାରହବାକୁ ମନସ୍ଥ କଲେ । ଠିକ୍ ମଝିରେ ଏକ ଅଦ୍ଭୁତ ଜନ୍ତୁ ଜୟକୁ ଆକ୍ରମଣ କଲା । ଯାହାର ଲାଙ୍ଗୁଳ ପଚାଶ ହାତ ଲମ୍ବହବ । ମୁହଁଟା ଘୋଡାମୁହଁ ପରି ଦାନ୍ତଗୁଡା ଏତେ ବଡ ଯେ, ଯେପରି ଦେଖିଲା ମାତ୍ରକେ ଛାତି ଫାଟି ଦି’ ଫାଳ ହୋଇଯିବ ।
ଜନ୍ତୁଟା ପ୍ରଥମେ ଜୟକୁ ଲାଙ୍ଗୁଳରେ ଧରି ଗିଳିଦବାକୁ ଧାଇଁ ଆସିଲା । ଜୟ ଆଉ କାଳବିଳମ୍ବ ନକରି ଖଣ୍ଡାରେ ତା’ ବେକକୁ କାଟିଦେଲା । ଆଉ ତା’ପରେ ଛୋଟକାଟିଆ କେତେ କ’ଣ ଅସୁବିଧା… ।
ଜୟ ସେ ସବୁକୁ ବେଖାତିର କରି ଆଗେଇ ଚାଲିଲା ବଜରଙ୍ଗୀ ପର୍ବତ ନିକଟକୁ ।
ସେ ପର୍ବତର ପାଦଦେଶରେ ବିରାଟ ଏକ ଗୁମ୍ଫା । ଆଉ ସେହି ଗୁମ୍ଫା ଦ୍ୱାର ଦେଶରେ ଦି’ଟା ମହାବଳ ବାଘ । ଜୟକୁ ଦେଖି ସେ ଦି’ଟା କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।
ତା’ପରେ ସେ ଗୁମ୍ଫା ମଧ୍ୟକୁ ପ୍ରବେଶ କଲା ଜୟ । ଜୟ ଦେଖିଲା ସନ୍ନ୍ୟାସୀ ଧ୍ୟାନମଗ୍ନ । ତାଙ୍କ ପାଖରେ ପଞ୍ଜୁରୀ, ଚାରିଟା ସୁନାରଙ୍ଗିଆ ଶୁଆ । ଜୟକୁ ଦେଖି ସେ ଶୁଆଗୁଡିକ ସମସ୍ତେ ଏକ ସ୍ୱରରେ କହି ଉଠିଲେ- ମନୁଷ୍ୟ… ମନୁଷ୍ୟ…! ଗୁରୁଦେବ କିଏ ଆସିଲେଣି ଦେଖ ।
ଏକଥା ଶୁଣି ସଙ୍ଗେ ସଙ୍ଗେ ସନ୍ନ୍ୟାସୀ ନିଜର ଧ୍ୟାନଭଗ୍ନ କଲେ । ରଙ୍ଗିଲା ଆଖିରେ ଜୟକୁ ଚାହିଁଲେ ।
ସନ୍ନ୍ୟାସୀ-କିଏ ତମେ? ତମର ପରିଚୟ?
ଜୟ-ମହାତ୍ମା ମୁଁ ଜୟ । ମୋ ଘର ବିକ୍ରମଗଡ ।
ସନ୍ନ୍ୟାସୀ-ଏଠାକୁ ଆସିବାର ଅଭିପ୍ରାୟ?
ଜୟ-ସୁନାରଙ୍ଗିଆ ଶୁଆଟିଏ ନେଲେ ରାଜକୁମାରୀ ବନ୍ଦନା ତା’ର କଲିଜା ଖାଇବେ, ଯାହା ଫଳରେ କି ସେ ଚିରଯୌବନା ହେଇ ରହିବେ ।
ସନ୍ନ୍ୟାସୀ-ତମେ ତାହାହେଲେ ରାଜକୁମାରୀ ବନ୍ଦନାକୁ ବିବାହ କରିବାକୁ ଚାହୁଁଚ?
ଜୟ-ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ବନ୍ଦନା । ତା’ ବ୍ୟତୀତ ସେ ମହାରାଜଙ୍କର ଏକମାତ୍ର ସନ୍ତାନ । ସୁତରାଂ ଭବିଷ୍ୟତରେ ବିକ୍ରମଗଡଭଳି ବିତ୍ତଶାଳୀ ରାଜ୍ୟର ରାଜା ହବାଟା ସହଜ କଥା?
ସନ୍ନ୍ୟାସୀ-ମୁଁ ଯଦି ତମକୁ ରାଜକୁମାରୀ ବନ୍ଦନାଙ୍କଠାରୁ ସୁନ୍ଦରୀ ରାଜକନ୍ୟା ସହିତ ବିବାହ ଦବାକୁ ପ୍ରସ୍ତାବ ଦିଏ? ଆଉ ବିକ୍ରମଗଡ ଠାରୁ ଶହେଗୁଣ ବିତ୍ତଶାଳୀ ରାଜ୍ୟର ରାଜା କରାଇ ଦିଏ?
ଜୟ-ମାନେ!
ସନ୍ନ୍ୟାସୀ-ମାୟାନଗରୀର ରାଜକୁମାରୀ । ତମେ ତାଙ୍କୁ ବିବାହ କରିବ । ପଛକୁ ଚାହଁ, ତମର ମତାମତକୁ ରାଜକୁମାରୀ ଅପେକ୍ଷା କରିଛନ୍ତି ।
ଏକଥା ଶୁଣି ହଠାତ୍ ପଛକୁ ଫେରି ଚାହିଁଲେ ଜୟ । ଆରେ ସତେତ! ବନ୍ଦନା ଠାରୁ କୋଟିଏ ଗୁଣ ଅଧିକ ସୁନ୍ଦରୀ! ବାଃ…
ଜୟ-ତମର ନାଁ?
ଜୟଶ୍ରୀ-ଜୟଶ୍ରୀ… ।
ଜୟ-ସବୁରି ପ୍ରାଣକୁ ଚହଲାଇ ଦବାର ସୌନ୍ଦର୍ଯ୍ୟ ତମ ପାଖରେ ଅଛି । ଅନ୍ୟ ଏକ ମନକୁ ଜୟ କରିବାର ମାଦକତା ରହିଚି ତମ ଦେହର ବାସ୍ନାରେ… ।
ଆରେ ହଁ, ମୋ’ ପରିଚୟ ଦବାକୁ ଭୁଲିଗଲି । ମୁଁ ଜୟକୁମାର… । ଆମ ଚାରିଭାଇଙ୍କ ମଧ୍ୟରେ ମୁଁ ଶ୍ରେଷ୍ଠ ।
ଜୟ-ଆଚ୍ଛା ଜୟଶ୍ରୀ ! ତମେ ମତେ ବିବାହ କରିବାକୁ ପସନ୍ଦ କରିବ?
ଜୟଶ୍ରୀ-ଏ ପ୍ରଶ୍ନ ତ ମୁଁ ଆପଣଙ୍କୁ ପଚାରିବା କଥା । ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କ ଭଳି ବୀରଙ୍କୁ ସ୍ୱାମୀ ରୂପେ ପାଇବାକୁ ସ୍ୱପ୍ନ ଦେଖୁଚି ।
ଜୟ-ସ୍ୱପ୍ନ ନୁହେଁ ଜୟଶ୍ରୀ, ମୁଁ ତମକୁ ଭଲପାଏ । ବିବାହ ମଧ୍ୟ କରିବାକୁ କଥା ଦଉଚି ।
ଜୟଶ୍ରୀ-ମୁଁ ବି ଆପଣଙ୍କୁ ସ୍ୱାମୀରୂପରେ ସ୍ୱୀକାର କରିସାରିଚି ।
ଜୟ-ସେଥିପାଇଁ ଧନ୍ୟବାଦ ଜଣାଉଚି । ପ୍ରଥମେ ତ ମତେ ମୋ କାମ କରିବାକୁ ଦିଅ । ନହେଲେ ଅନ୍ୟ ତିନିଭାଇ ଭାବିବେ, ମୁଁ ଘୋର ବିପଦରେ ପଡିଛି ବୋଲି । ବିଚରା ଦୁଃଖରେ ସେମାନେ ଭାଙ୍ଗିପଡିବେ । ସୁନାରଙ୍ଗିଆ ଶୁଆଟିକୁ ରାଜକୁମାରୀ ବନ୍ଦନାଙ୍କୁ ଦେଇଦେଲା ପରେ, ମୋ ପାଦ ଆପେ ଆପେ ତମ ଆଡକୁ ନିଶ୍ଚୟ ପଡିବ ।
ଜୟଶ୍ରୀ-ବେଶ୍, ଆପଣ ମୋ ପକ୍ଷୀରାଜ ଘୋଡାକୁ ନେଇଯାଆନ୍ତୁ, ନିଜର କାର୍ଯ୍ୟ ଶେଷ କରି ପ୍ରିୟଜନମାନଙ୍କୁ ସାକ୍ଷାତ୍ କରି ଶୀଘ୍ର ଫେରି ଆସିବେ । ମୁଁ ଆପଣଙ୍କ ଫେରିବା ବାଟକୁ ଚାହିଁ ଅପେକ୍ଷା କରି ରହିଲି ।
ଜୟକୁମାର ଆଗରେ ଗୋଟାଏ ପକ୍ଷୀରାଜ ଘୋଡା ଡେଣା ଫଡଫଡ କଲା । ଜୟକୁମାର ସନ୍ନ୍ୟାସୀଙ୍କୁ କହିଲେ-ମହାଭାଗ! ଆପଣ ମୋତେ ଗୋଟାଏ ସୁନାରଙ୍ଗିଆ ଶୁଆ ଦିଅନ୍ତୁ । ମୁଁ ସମସ୍ତ କାର୍ଯ୍ୟ ଶେଷ କରି ଶୀଘ୍ର ଫେରି ଆସିବି ।
ସନ୍ନ୍ୟାସୀ-ତମ ସାମ୍ନାରେ ଚାରୋଟି ପିଞ୍ଜରାରେ ଚାରୋଟି ଶୁଆ ଅଛନ୍ତି । ଯୋଉଟାକୁ ଚାହିଁବ ନେଇ ଯାଇପାର । ମନେରଖ, ପିଞ୍ଜରା ସହ ଶୁଆଟିକୁ ନବ ।
କିଛିସମୟ ପରେ ବିକ୍ରମଗଡରେ ପହଁଚିଲେ ଜୟକୁମାର । ତାଙ୍କୁ ଦେଖି ହସର ଫୁଲଗୁଡା ଫୁଟି ଉଠିଲା ରାଜକୁମାରୀ ବନ୍ଦନାଙ୍କର ଓଠ ଧାରରେ । ଜୟକୁମାର ପିଞ୍ଜରାକୁ ବଢେଇ ଦେଲେ ରାଜକୁମାରୀଙ୍କ ହାତକୁ ।
ରାଜକୁମାରୀ-ଜୟକୁମାର, ସୁନାରଙ୍ଗିଆ ଶୁଆଟା ତ ମରିଯାଇଚି । ତା’ହେଲେ ଆପଣ ମୋ ସର୍ତ୍ତ ପୂରଣ କରି ପାରିଲେନି ।
ସର୍ତ୍ତ ପୂରଣ କରିବାରେ ଜୟକୁମାର ଅସଫଳ ହେଲା ପରେ ବିଜୟକୁମାର ସେ ବଜରଙ୍ଗୀ ପର୍ବତକୁ ଅଭିଯାନ ଆରମ୍ଭ କଲେ । ବାଟରେ ଯିବାବେଳେ ସେ କୌଣସି ସଙ୍କଟର ସମ୍ମୁଖୀନ ହୋଇ ନାହାଁନ୍ତି ।