ମହାଭାଗ! ଆପଣଙ୍କୁ ପ୍ରାର୍ଥନା କରୁଚି, ଯଦି ଆପଣ ମତେ ଉପହାର ଦବାକୁ ଚାହୁଁଛନ୍ତି, ତେବେ ସୁନାରଙ୍ଗିଆ ଶୁଆଟିଏ ହିଁ ଦିଅନ୍ତୁ ।
ସନ୍ନ୍ୟାସୀ-ଠିକ୍ଅଛି ସୁଜୟ । ଏଇ ଦେଖ, ସୁନାରଙ୍ଗିଆ ଶୁଆ ପଞ୍ଜୁରୀ ଭିତରେ ଥାଇ ତମକୁ ଚାହିଁଚି, ତାକୁ ପଚାର ସେ ଯଦି ତମ ସହିତ ଯିବାକୁ ଚାହିଁବ, ତେବେ ସେଥିରେ ମୋର କିଛି ବି ଆପତ୍ତି ନାହିଁ ।
ସୁଜୟକୁମାର-ହେ ଅଦ୍ଭୁତ ଶୁଆ, ମୋର ପ୍ରାଣପ୍ରିୟା ବନ୍ଦନା ତମର କଲିଜାକୁ ଖାଇଲେ, ଚୀରଯୌବନା ହୋଇ ରହିବେ । ସେଇଥିପାଇଁ, ତାଙ୍କୁ ଖୁସି କରିବାପାଇଁ ମୁଁ ତୁମ ପାଖକୁ ଆସିଚି, ତମେ ମୋ ସହିତ ଯିବନା?
ସୁନାରଙ୍ଗିଆ ଶୁଆ-ଯଦି ତମେ ମୋ ଓଜନର ମାଂସ ତମ ଦେହରୁ କାଟି ଦେଇପାରିବ, ତେବେ ମୁଁ ତମ ସହିତ ଯାଇପାରେ ।
ସୁଜୟକୁମାର-ମୋ ଦେହର ମାଂସ?
ସୁନାରଙ୍ଗିଆ ଶୁଆ-ମୁଁ ଖାଇବି ।
ସୁଜୟ କୁମାର-ମୁଁ ବନ୍ଦନାକୁ ପ୍ରାଣଭରି ଭଲପାଏ । ତା’ର ଖୁସି ପାଇଁ ମୁଁ ସବୁକିଛି କରିପାରିବି । ଏପରିକି ନିଜ ଜୀବନ ଦବାକୁ ବି ପ୍ରସ୍ତୁତ ଅଛି ।
ତାପରେ ସେ ସୁଜୟ ଗୁମ୍ଫାର ଏଣେତେଣେ ଚାହିଁଲା । ଗୋଟାଏ କୋଣରେ ନିକିତିଟାଏ ଥିଲା, ତାକୁ ଆଣି ଗୋଟାଏ ପାଖ ପଲ୍ଲାରେ ସୁନାରଙ୍ଗିଆ ଶୁଆଟିକୁ ରଖି ଅନ୍ୟ ପାଖ ପଲ୍ଲାରେ ନିଜ ଦେହରୁ ପୁଳାଏ ମାଂସ କାଟି ରଖିଲା । ଦେଖିଲା ତଥାପି ସମାନ ହେଲାନି । ଏହିପରି ଦେହର ପ୍ରତ୍ୟେକ ଅଂଶରୁ ପୁଳାପୁଳା ମାଂସ କାଟିସାରିଲା ପରେ ମଧ୍ୟ ସେ ପଲ୍ଲାଟି ମୋଟେ ସମାନ ହେଲାନି ।
ସୁଜୟକୁମାର-ତମେ ଯେତେ କପଟ କଲେ ମଧ୍ୟ ମୁଁ ଜମା ଭୟଭୀତ ହେବିନି । ମୁଁ ତମକୁ ମୋ ସମ୍ପୂର୍ଣ୍ଣ ଦେହଟା ଅର୍ପଣ କରୁଚି । ପାଖକୁ ଯିବ । ସମସ୍ତ ବୃତାନ୍ତ ବୁଝାଇ କହିବ ।
ସୁଜୟକୁମାର ନିକିତିର ଗୋଟାଏ ପାଖ ପଲ୍ଲାରେ ବସିପଡିଲା । ଏଥର ଯାଇ ସେ ଶୁଆର ଓଜନ ସହିତ ସମାନ ହୋଇଗଲା ।
ସୁନାରଙ୍ଗିଆ ଶୁଆ-ଗୁରୁଦେବ! ସୁଜୟ କୁମାର ଦେହକୁ ଚଂଚୁରେ ବାରମ୍ବାର ଆଘାତ ଦେଲେ, କଷ୍ଟ ସହି ନ ପାରି ସେ ହୁଏତ ଏଠାରୁ ଚାଲିଯାଇ ପାରନ୍ତି । ତେଣୁ ୟାଙ୍କର ମୁଣ୍ଡ କାଟି ଦିଅନ୍ତୁ ।
ମହାମୁନୀ ଦୟାବାନ ଫାର୍ସାଟିଏ ଧରି ପ୍ରସ୍ତୁତ ହେଲେ । ସୁଜୟକୁମାର ଶୁଆକୁ କହିଲେ-ମୋର ପ୍ରାଣପ୍ରିୟା ବନ୍ଦନାକୁ କହିବ, ତାଙ୍କପ୍ରତି ମୋର ସମସ୍ତ ପ୍ରେମାଦରର ପ୍ରମାଣ ମୁଁ ଏଇଠି ଦଉଚି ।
ମୋର ମୃତ୍ୟୁ ଖବର ପାଇବାପରେ ସେ ଯଦି ଦୁଃଖରେ ଦି’ଟୋପା ଲୁହ ଝରାନ୍ତି, ତେବେ ତାଙ୍କପାଇଁ ମୋ ଆତ୍ମା ନିଶ୍ଚୟ ମୋକ୍ଷ ପାଇବ ।
ସେହିକ୍ଷଣି ସୁଜୟକୁମାର ରାଜକୁମାରୀ ବନ୍ଦନାଙ୍କୁ ମନେ ମନେ ସ୍ମରଣ କଲେ । ଗୁରୁଦେବ ଦୟାବାନ ସୁଜୟକୁମାରଙ୍କ ବେକରେ ଫାର୍ସା ଚୋଟ ମାରିଲେ ।
କିନ୍ତୁ ଏ କ’ଣ ହେଲା! ସୁଜୟକୁମାରଙ୍କ ବେକ ଆଦୌ କଟିଲାନି । ଓଲଟି ସେ ଫାର୍ସାଟା ଶୂନ୍ୟରେ କେଉଁଆଡେ ଉଭେଇଗଲା । ଏସବୁ ଦେଖି ଚମକି ଉଠିଲେ ଗୁରୁଦେବ ଦୟାବାନ!
ସନ୍ନ୍ୟାସୀ-ସୁଜୟ ! ତମେ ସତରେ ଜଣେ ସଚ୍ଚା ପ୍ରେମୀ । ତମର ଭଲପାଇବାର କୌଣସି ତୁଳନା ହିଁ ନାହିଁ । ତମେ ମହାନ୍… ।
ଏବେ ତମେ ତମ ପରୀକ୍ଷାରେ ଉତୀର୍ଣ୍ଣ ହେଇଚ ।
ସୁଜୟକୁମାର-ପରୀକ୍ଷା! ହେଲେ ରାଜକୁମାରୀ ବନ୍ଦନାଙ୍କ ସହିତ ତମର ସମ୍ପର୍କ କ’ଣ?
ସନ୍ନ୍ୟାସୀ-ଆଜିଠାରୁ ଠିକ୍ ପାଂଚବର୍ଷ ତଳର କଥା । ରାଜକୁମାରୀ ବନ୍ଦନା ଆସି ଏଇଠି ତପସ୍ୟା କରୁଥିଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବନଦେବୀ ତାଙ୍କୁ ଚାରୋଟି ଶୁଆ ଦେଇ କହିଥିଲେ, ଭବିଷ୍ୟତରେ ଚାରି ଜଣ ବୀର ତମ ସ୍ୱୟମ୍ବରର ପ୍ରତ୍ୟେକ ପରୀକ୍ଷାରେ ଉତୀର୍ଣ୍ଣ ହେବେ । ତାଙ୍କର ଭଲପାଇବା ପରୀକ୍ଷା ନିମନ୍ତେ ଏଇ ଶୁଆଗୁଡିକୁ ନବାପାଇଁ ଆସିବେ । ଯିଏ ତମକୁ ପ୍ରକୃତରେ ଚାହୁଁ ଥିବ, କେବଳ ସେ ହିଁ ଏ ଶୁଆକୁ ଜୀବିତ ଅବସ୍ଥାରେ ନେଇ ତମ ପାଖରେ ପହଁଚାଇବ ।
ମହାତ୍ମା ଦୟାବାନ୍ ବିକ୍ରମଗଡର କୁଳଗୁରୁ । ବନଦେବୀଙ୍କ ନିର୍ଦ୍ଧେଶମତେ ସେ ଏଇଠି ରହି ସେ ସୁନାରଙ୍ଗିଆ ଶୁଆ ଚାରୋଟିର ଯତ୍ନନେବା ସଙ୍ଗେ ସଙ୍ଗେ ଧର୍ମବାଣୀ ଶିକ୍ଷା ବି ଦଉଥିଲେ ।
ସୁଜୟକୁମାର-ମୋର ଅନ୍ୟ ତିନିଭାଇ?
ସନ୍ନ୍ୟାସୀ-ସେମାନେ ତିନିହେଁ ଏଠି ପହଁଚିଥିଲେ । ତାଙ୍କୁ ପରୀକ୍ଷା କରିବାପାଇଁ ମହାତ୍ମା ଦୟାବାନ୍ ତିନିଜଣ ସୁନ୍ଦରୀଙ୍କୁ ଭେଟିଦବା ସହିତ ରାଜା କରାଇବାର ପ୍ରଲୋଭନ ବି ଦେଖାଇଥିଲେ ।
ସେମାନେ ଯେପରି ବନ୍ଦନାଙ୍କୁ ଭୁଲିଯାଇ, ଏଇ ସୁନ୍ଦରୀମାନଙ୍କ ସହିତ ପ୍ରେମାଳାପ କରି ପାଗଳ ହେଇ ଯାଇଥିଲେ ।
ଯାହା ଫଳରେ ଶୁଆଗୁଡିକ ରାଜକୁମାରୀ ବନ୍ଦନାଙ୍କ ହାତକୁ ଯାଉ ଯାଉ ମରି ଯାଇଥିଲେ ।
ସୁନାରଙ୍ଗିଆ ଶୁଆ-ହେଲେ ତମେ? ତମେ ତ ବନ୍ଦନାଙ୍କ ପ୍ରକୃତ ପ୍ରେମୀ! ତମ ପ୍ରେମର ତ ତୁଳନା ନାହିଁ ।
-ଏବେ ତମେ ମୋତେ ସାଥିରେ ନେଇ ଯାଇପାର । ରାଜକୁମାରୀ ମୋର କଲିଜା ଖାଇବେନି; ବରଂ ସେ ଏକ ସ୍ୱତନ୍ତ୍ର ପିଞ୍ଜରାରେ ମତେ ରଖିବେ ।
ତୁମ ଦୁଇଜଣଙ୍କୁ ଦିଗ୍ଦର୍ଶନ ଦବାରେ ମୁଁ ସବୁବେଳେ ଜାଗ୍ରତ ରହିବି । ତମେ କିପରି ବିଶ୍ୱବିଜୟୀ ହବ, ସେ ଚିନ୍ତା ବି ମୁଁ କରିବି ।
ସବୁ କଥା ଣୁଣି ସୁଜୟକୁମାର ପଲ୍ଲାରୁ ଓହ୍ଲାଇ ପଡିଲେ ।
ଆରେ ସେ ଏ କ’ଣ ଦେଖୁଛନ୍ତି! ତାଙ୍କ ଦେହରୁ କଟା ଯାଇଥିବା ମାଂସ ଚାହୁଁ ଚାହୁଁ ଦେହରେ ଲାଗିଗଲା ନିମିଷକ ମଧ୍ୟରେ ।
ଏବେ ବିକ୍ରମଗଡ ଫେରି ଯିବାକୁ ମତେ ଆଦେଶ ଦିଅନ୍ତୁ ମହାମୁନୀ?
ସନ୍ନ୍ୟାସୀ-ତମେ ଯଶସ୍ୱୀ ହୁଅ ବତ୍ସ! ବିକ୍ରମଗଡର ଶ୍ରେଷ୍ଠ ରାଜାମାନଙ୍କ ମଧ୍ୟରେ ତମେ ସର୍ବଶ୍ରେଷ୍ଠ ହେଇ ରୁହ ।
-ଯାଅ ବତ୍ସ…! ଶୁଆଟିକୁ ସାଥିରେ ନେଇ ବିକ୍ରମଗଡ ଫେରିଯାଅ । ରାଜକୁମାରୀ ବନ୍ଦନା ତମର ଫେରିଲା ବାଟକୁ ଚାହିଁ ବସିଥିବେ ।