କୋଶଳ ଦେଶର ରାଜା ଶୈଳପ୍ରତାପ ଦିନେ ତାଙ୍କ ବିଦୂଷକ କିଶୋର ଉପରେ ରାଗିଗଲେ । କାରଣ ରାଜା ଯାହା କହନ୍ତି, କିଶୋର ତା’ର ବିପରୀତ କଥା କହେ ।
ରାଜା ଆଦେଶ ଦେଲେ “ତମେ ମୋ ଦରବାର ଛାଡି ଏହିକ୍ଷଣି ବାହାରି ଯାଅ! ତୁମେ ତୁମ ମୁହଁ ମୋତେ ଆଉ ମୋଟେ ଦେଖାଇବ ନାହିଁ ।” ଏହାପରେ ବିଦୂଷକ “ଯେ ଆଜ୍ଞା!” କହି ଅଭିବାଦନ କରି ସଙ୍ଗେ ସଙ୍ଗେ ସେଠାରୁ ବାହାରିଗଲା ।
ସେଦିନ ଜଣେ ସାମନ୍ତ ରାଜାଙ୍କ ବାର୍ତ୍ତା ନେଇ ଚନ୍ଦ୍ରଶେଖର ନାମକ ତାଙ୍କ ବିଦୂଷକ କୋଶଳ ଦରବାରକୁ ଆସିଥାନ୍ତି । ରାତିରେ ରାଜା ମନ୍ତ୍ରୀଙ୍କୁ କହିଲେ, “ମୋର ମନେହେଲା ଚନ୍ଦ୍ରଶେଖର ଖୁବ୍ ଭଲ ବିଦୂଷକ । ମୁଁ ଭାବୁଛି କିଶୋର ସ୍ଥାନରେ ତାକୁ ନିଯୁକ୍ତ କରିବି ।”
ମନ୍ତ୍ରୀ କହିଲେ, “ମହାରାଜ! ଅତୀତରେ ବି ଆପଣ କେତେଥର କିଶୋର ଉପରେ ରାଗି ଯାଇଛନ୍ତି, କିନ୍ତୁ ପରେ ପୁଣି ଶାନ୍ତ ହୋଇଛନ୍ତି । ଏଥର ବି ଏଡେ ଶୀଘ୍ର ତାକୁ ପଦଚ୍ୟୁତ କରିଦେବା ଉଚିତ୍ ନୁହେଁ ।”
ରାଜା ଚୁପ୍ ରହିଲେ । ରାତାରାତି ମନ୍ତ୍ରୀ କିଶୋରକୁ ଡାକି ରାଜାଙ୍କ ମନୋଭାବ ଜଣାଇ ଦେଲେ । ସକାଳେ ରାଜା ଦରବାରକୁ ଯିବେ ବୋଲି ବାହାରି ବସିଛନ୍ତି ଓ ମନ୍ତ୍ରୀଙ୍କ ସହ କିଛି ଆଲୋଚନା କରୁଛନ୍ତି, ସେତିକିବେଳେ କିଏ ଜଣେ ନିଜ ମୁହଁ ଖଣ୍ଡିଏ କନାରେ ଲୁଚାଇ ତାଙ୍କୁ ଅଭିବାଦନ କଲା ।
ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କିଏ ଏ ଜୀବ?” ତା’ପରେ ବିଦୂଷକ କିଶୋର କହିଲା, “ମହାରାଜ! ମୁଁ ଆପଣଙ୍କ ଆଦେଶ ମାନି ଚଳୁଛି । ମୁଁ ମୋ ମୁହଁ ଦେଖାଉ ନାହିଁ ।”