ତାଙ୍କ କଥାରେ ରାଜା ନିଜ ହସ ଚାପି କହିଲେ, “ହୁଁ! କିନ୍ତୁ ମୁଁ ଭାବୁଛି ତମ ସ୍ଥାନରେ ବିଦୂଷକ ଚନ୍ଦ୍ରଶେଖରକୁ ନିଯୁକ୍ତ କରିବି ।”
ଏହା ଶୁଣି ବିଦୂଷକ କିଶୋର କହିଲା “ମହାରାଜ! ସେଥିରେ ଅସୁବିଧା କ’ଣ? ସେ ତ ଆପଣଙ୍କ ସାମନ୍ତ ରାଜାଙ୍କ ଦରବାରର ଅମାତ୍ୟ । ଆପଣଙ୍କ ଅଧୀନ ।”
ରାଜା ପଚାରିଲେ, “ସେ ଜଣେ ଭଲ ବିଦୂଷକଟି?”
ତହୁଁ କିଶୋର କହିଲା “ଖୁବ୍ ଭଲ ।”
ରାଜା ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତମେ ପୁଣି ଏକଥା କହୁଛ?”
କିଶୋର କହିଲା “ମହାରାଜ, ଆପଣ ଯାହା କହିବେ, ମୁଁ ତା’ର ବିପରୀତ କଥା କହିବାରୁ ଆପଣ ଅସନ୍ତୁଷ୍ଟ । ତେଣୁ ମୁଁ ଏବେଠାରୁ ସର୍ବଦା କେବଳ ଆପଣଙ୍କୁହିଁ ସମର୍ଥନ କରିବି ବୋଲି ଠିକ୍ କରିଛି ।”
ଏହି କଥାରେ ରାଜା ଟିକିଏ ଭାବି କହିଲେ, “ଦେଖ କିଶୋର । ତମେ ଯଦି ମୋର ଗୋଟାଏ ସର୍ତ୍ତ ପୂରଣ କରିପାରିବ, ତେବେ ଯାଇ ତମ ପଦ ରହିବ । ବର୍ତ୍ତମାନ ଦରବାରରେ ତମେ ନିଜକୁ ନ୍ୟୁନ ନ କରି ଚନ୍ଦ୍ରଶେଖରକୁ ଶ୍ରେଷ୍ଠ ବିଦୂଷକ ବୋଲି କହିପାରିବ? ହଁ, ତମେ ଏଥର ମୁହଁ ଦେଖାଇ ପାର ।” ଏହା ଶୁଣି କିଶୋର “ଯେ ଆଜ୍ଞା, ମହାରାଜ!” କହିଲା ।
ରାଜା ଦରବାରକୁ ଗଲେ । କିଛି ସମୟ ପରେ କିଶୋର ସେଠାକୁ ଯାଇ କହିଲା, “ମହାରାଜ, ଆପଣଙ୍କୁ ଗୋଟିଏ ପରାମର୍ଶ ଦେବାର ଅଛି । ଯଦି କେବେ ଆପଣଙ୍କର ଏପରି ଦୁର୍ଭାଗ୍ୟ ହେବ ଯେ ଆପଣ ମୋ ଭଳି ଯୋଗ୍ୟ ବିଦୂଷକର ସେବାରୁ ବଂଚିତ ହେବେ, ତେବେ ଚନ୍ଦ୍ରଶେଖରଙ୍କୁ ବିଦୂଷକ ପଦରେ ନିଯୁକ୍ତ କରିବେ । କାରଣ ମୁଁ ଯେତେ ବିଦୂଷକଙ୍କୁ ଜାଣିଛି, ସେମାନଙ୍କ ଭିତରେ ସେ ଶ୍ରେଷ୍ଠ ।”
ରାଜା କିଶୋରର ବାକ୍ଚାତୁରୀରେ ଅତ୍ୟନ୍ତ ଖୁସି ହୋଇ ତାକୁ ପୁରସ୍କାର ଦେଲେ ।