ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଚ୍ଚା ଶିଳ୍ପୀ

ସମିତିର ସଭାପତି କହିଲେ “ମହାରାଜ! ଏଯାଏଁ ତ ଆମେ ତାହା ସ୍ଥିର କରି ନାହୁଁ ।”

ରାଜା ପଚାରିଲେ “ବେଶ୍ । ମୋର ଜଣେ ବନ୍ଧୁ ସାଧୁ ହୋଇ ହିମାଳୟରେ ଥିଲେ । ତାଙ୍କ ନାମ ଧୀରାନନ୍ଦ । ତାଙ୍କୁ ପଠାଇବି?”

ସଭାପତି ଓ ସମ୍ପାଦକ କହିଲେ, “ମହାରାଜ! ତାହାଠୁ ବଳି ଆଉ କ’ଣ ବା ଭଲ ହୋଇପାରେ?”

ଉତ୍ସବର ଶେଷ ଦିନ ଯଥା ସମୟରେ ସ୍ୱାମୀ ଧୀରାନନ୍ଦ ଆସି ସେଠାରେ ପହଁଚିଗଲେ । ଗ୍ରାମବାସୀମାନେ ତାଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ଦେଖାଇ ସ୍ୱାଗତ କଲେ ।

ସନ୍ଧ୍ୟାରେ ନୃତ୍ୟ ଆରମ୍ଭ ହେବା ପୂର୍ବରୁ ସ୍ୱାମୀ ଧୀରାନନ୍ଦ ବକ୍ତୃତା ଦେଲେ । ତାଙ୍କୁ ସ୍ୱୟଂ ରାଜା ପଠାଇଥିବା ଯୋଗୁଁ ସବୁ ବିଶିଷ୍ଟ ଲୋକେ ସେହି ସଭାରେ ଥା’ନ୍ତି । ଆଗରେ ମାଳବିକା ମଧ୍ୟ ବସିଥାନ୍ତି ।

କିଛି ଆଧ୍ୟାତ୍ମିକ କଥା କହିସାରି ଧୀରାନନ୍ଦ କହିଲେ, “ମଣିଷର ମହତ୍ୱ ଜଣାଯାଏ ତା’ର କରୁଣା ବୋଧ କେତେଦୂର, ତହିଁରୁ । ଯେତେବେଳେ ଶିଶୁ କହେ, ‘ମା! ତମେ କାଲି କୁଆଡେ ଚାଲିଗଲ? ମୋତେ ଏକୁଟିଆ ବହୁତ ଭୟ ଲାଗିଲା!’ ସେତେବେଳେ ମା ମନେ ମନେ ସିଦ୍ଧାନ୍ତ କରେ କି ସେ ଆଉ ଶିଶୁକୁ ଏକୁଟିଆ ଛାଡି କୁଆଡେ ଯିବ ନାହିଁ । ମା ସେତେବେଳେ ଲାଭ କ୍ଷତିର ବିଚାର କରେ ନାହିଁ । ଏହି ମାତୃ-କରୁଣାହିଁ ଯେ କୌଣସି ସ୍ତ୍ରୀ ଲୋକର ସବୁଠାରୁ ବଡ ଗୁଣ । ଏହି କରୁଣା ଖାଲି ଶିଶୁ ପ୍ରତି ନୁହେଁ, ସ୍ୱାମୀ ତଥା ଅନ୍ୟ ସମସ୍ତଙ୍କ ପ୍ରତି ପ୍ରବାହିତ ହୁଏ । ସେହିପରି ଯିଏ ଗାୟୀକା ବା ନର୍ତକୀ, ସିଏ ଲାଭ କ୍ଷତିର ବିଚାର କରେ ନାହିଁ । ଭଗବାନ ତାକୁ କଳାଜ୍ଞାନ ଦେଇଛନ୍ତି । ତାକୁ ପରିବେଷଣ କରିବା ତା’ର ସ୍ୱାଭାବିକ ଧର୍ମ ବୋଲି ସେ ତାହା କରେ । ଯେତେବେଳେ ଦର୍ଶକମାନେ କହନ୍ତି, ‘ତମେ ନାଚିଲ ନାହିଁ ବୋଲି ଆନନ୍ଦରୁ ବଞ୍ଚିତ ହେଲୁ’, ସେତେବେଳେ ସଚ୍ଚା ଶିଳ୍ପୀ ନିଜକୁ ଆଉ ସମ୍ଭାଳି ପାରେ ନାହିଁ । ସେ ନିଜର ସବୁ ପ୍ରତିଭା ଖଟାଇ ନାଚେ । ଏହାହିଁ ତା’ର ମାତୃ-ହୃଦୟର ପରିଚୟ,  ମହତ୍ କରୁଣାର ପରିଚୟ । ମଣିଷ ଏହିଭଳି ମହତ୍ୱ ଯୋଗୁଁ ମଣିଷ ପଦବାଚ୍ୟ ।”

ମାଳବିକା ସ୍ତବ୍ଧ ହୋଇ ପ୍ରବଚନ ଶୁଣୁଥିଲେ । ସେ ସଭା ପରେ ଧୀରାନନ୍ଦଙ୍କୁ ଭେଟିବାକୁ ମନ୍ଦିର-ସଂଲଗ୍ନ କୋଠରୀ ଭିତରକୁ ଯାଇ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି ତ ଧୀରାନନ୍ଦ ବଦଳରେ ରାଜା ଠିଆ ହୋଇଛନ୍ତି । ସେ ବୁଝିଲେ, ରାଜାହିଁ ଧୀରାନନ୍ଦର ଛଦ୍ମବେଶରେ ଆସିଥିଲେ ।

ମାଳବିକା କାନ୍ଦି ପକାଇ କହିଲେ, “ମହାରାଜ! ମୋତେ କ୍ଷମା କରନ୍ତୁ । ଅହଂକାରର ବଶୀଭୁତ ହୋଇ ମୁଁ ମୋ କଳା ପ୍ରତି ଅସମ୍ମାନ କରିଛି । ଆପଣ ମୋର ଚକ୍ଷୁ ଖୋଲିଦେଲେ । ମୋର ମୋଟେ ପାରିଶ୍ରମିକ ଲୋଡା ନାହିଁ ।”

ଏହାର କିଛି ସମୟ ପରେ ମାଳବିକା ଯେଉଁ ନୃତ୍ୟ ପରିବେଷଣ କଲେ, ତାହା ଦେଖି ଦର୍ଶକମାନେ ଧନ୍ୟ ଧନ୍ୟ କହିଲେ । ନୃତ୍ୟ ଶେଷରେ ରାଜା ଘୋଷଣା କଲେ କି ମାଳବିକା ତେଣିକି ରାଜ୍ୟର ସମ୍ମାନିତ ନୃତ୍ୟଶିଳ୍ପୀ ରୂପେ ଗଣା ହେବେ । ସେ ରାଜକୋଷରୁ ଭତ୍ତା ପାଇବେ । ରାଜାଙ୍କ ଏ ଘୋଷଣାରେ ସମସ୍ତେ ଆନନ୍ଦିତ ହେଲେ ।

ମାଳବିକା କ୍ରମେ ନୃତ୍ୟଶିଳ୍ପୀ ହିସାବରେ ଅଧିକରୁ ଅଧିକ ଖ୍ୟାତି ଲାଭ କଲେ । ଯେଉଁ କନ୍ୟାମାନେ ନୃତ୍ୟ ଶିଖିବା ଦିଗରେ ଆଗ୍ରହ ପ୍ରକାଶ କଲେ, ସେମାନଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଲେ । କିନ୍ତୁ ସମସ୍ତଙ୍କୁ ସେ କହନ୍ତି, “କଳାର ମୂଲ୍ୟ ଟଙ୍କା ଦ୍ୱାରା ନିରୂପଣ କରିବ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ