ଠିକ୍ ଏତିକିବେଳେ ପବିତ୍ରର ଗୋଡରେ କ’ଣ ଗୋଟିଏ ଗଣ୍ଠିଲି ବାଜିଲା । ସେ ଦେଖିଲା ବେଳକୁ ଟଙ୍କା ମୁଣିଟିଏ ଜାଣିଲା । ମନରେ ଭାବିଲା କାହାର ଅଜାଣତରେ ଏହା ଖସିପଡିଛି । ତହୁଁ ପବିତ୍ର ଟଙ୍କା ମୁଣିକୁ ବି କାନ୍ଧରେ କାନ୍ଧେଇ ଫେରିଲା ଘରକୁ । ଘରେ ମାଆ ପୁଅ ଦୁହେଁ ଏହାକୁ ଦେଖି ମନରେ ସ୍ଥିରକଲେ ଯାହାର ଏ ଟଙ୍କା ମୁଣି ତାକୁ ହିଁ ଫେରାଇ ଦେବାକୁ ହେବ ।
ପବିତ୍ରର ମାଆ ପୂର୍ବଦିନ ପୋଖରୀ ତୁଠରେ ଗାଧୋଇବାବେଳେ ଶୁଣିଥିଲା ଯେ ଗାଁ ମହାଜନଙ୍କର ଟଙ୍କାମୁଣିଟି କେଉଁଠାରେ ଖସି ପଡିଛି । ସେ ତାଙ୍କର ବ୍ୟବସାୟରୁ ଏହି ଟଙ୍କା ଆଦାୟ କରି ଫେରୁଥିଲା ବେଳେ ଏହି ଘଟଣା ଘଟିଥିଲା । ସୁତରାଂ ଏହା ନିଶ୍ଚୟ ସେହି ମହାଜନର ଟଙ୍କା ମୁଣି ହୋଇଥିବ ଭାବି ଠଉରେଇ ନେଲେ ।
ରାତି ପାହିଲା । ସକାଳୁ ସକାଳୁ ମାଆପୁଅ ଦୁହେଁ ଟଙ୍କା ମୁଣି ଧରି ଚାଲିଲେ ମହାଜନ ଘର ଆଡେ । ଏଣେ ମହାଜନେ ହଜିଯାଇଥିବା ଟଙ୍କା ମୁଣିପାଇ ବହୁତ ଖୁସିହେଲେ । ଆଉ ସେମାନଙ୍କର ସଚ୍ଚୋଟତା ଦେଖି ଖୁବ୍ ଆଶ୍ଚର୍ଯ୍ୟ ବି ହେଲେ । ମାଆପୁଅଙ୍କୁ ପୁରସ୍କାର ଦେବା ଲାଗି ତାଙ୍କ କର୍ମଚାରୀକୁ ବି କହିଦେଲେ ।
ମାତ୍ର ପୁରସ୍କାର ଗ୍ରହଣ କରିବାକୁ ମାଆପୁଅ ଦୁହେଁ ଅନିଚ୍ଛା ପ୍ରକାଶ କଲେ । ଏବେ ପବିତ୍ରର ମାଆ ମହାଜନଙ୍କୁ ହାତଯୋଡି କହିଲେ, ମହାଶୟ! ଆମେ ଗରିବ ସତ, ହେଲେ କାହାର ଦାନ କି ପୁରସ୍କାର ଉପରେ ଆମେ ନିର୍ଭର କରୁନାହୁଁ । ଆମେ କଠୋର ପରିଶ୍ରମ କରି ଟଙ୍କା ରୋଜଗାର କରିବା ବ୍ୟତୀତ ଅନ୍ୟ କିଛି ଜାଣୁନାହୁଁ । ଆପଣ ଯଦି ପାରିବେ ମୋ ପୁଅକୁ ଚାକିରି ଖଣ୍ଡିଏ ଦେଲେ ଆମେ ଉପକୃତ ହୁଅନ୍ତୁ । ସେ କିପରି ମଣିଷ ଭଳି ମଣିଷଟିଏ ହେବ – ଏହାହିଁ ମୋର କାମନା ।”
ଏହାଶୁଣି ବାଳକ ପବିତ୍ରକୁ ମହାଜନେ ଅତି ଆଦରରେ କୋଳେଇ ନେଲେ ଓ ତାଙ୍କର ମୁଖ୍ୟ ଗୁମାସ୍ତା ଚାକିରିରେ ନିଯୁକ୍ତ କରିଦେଲେ । ଏଥର ମାଆପୁଅ ଦୁହେଁ ତାଙ୍କର ସଚ୍ଚୋଟତା ଗୁଣ ଯୋଗୁଁ ଆନନ୍ଦରେ ରହିଲେ ।