ବିଦେଶୀ ଧୋବଣୀର ସମସ୍ତ କଥା ଶୁଣି ଖଣ୍ଡିଏ ପଞ୍ଜାବୀ ଓ ଖଣ୍ଡିଏ ଧୋତି ସଫା କରିବାକୁ ଦେଇ ଦେଲା । ଧୋବଣୀ ପଞ୍ଜାବୀ ଖଣ୍ଡିଏ ଆଉ ଧୋତି ଖଣ୍ଡିଏ ଧରି ଚାଲି ଗଲା । ପାଂଚ ଛଅ ଦିନ ବିତି ଗଲା ସିନା ସେ ଆଉ ଧର୍ମଶାଳାକୁ ଆସି ନଥିଲା । ଏଣେ ବିଦେଶୀ ବାବୁଙ୍କର ପିନ୍ଧି ଯିବା ଲାଗି ଅଧିକ ପୋଷାକ ନାହିଁ । ଏଥି ଲାଗି ସେ ବହୁତ ବ୍ୟସ୍ତ ହୋଇ ପଡି ଲୋକଙ୍କ ଠାରୁ ଧୋବଣୀର ଘର ପଚାରି ପଚାରି ଯାଇ ସେଠାରେ ପହଁଚିଲା ।
ଯୋଗକୁ ସେଠାରେ ଧୋବଣୀ ସାଥିରେ ଦେଖା ହୋଇ ଗଲା । ଧୋବଣୀକୁ ଦେଖି ବିଦେଶୀ ଜଣକ ରାଗରେ ଲାଲ୍ ହୋଇଗଲେ । ତାକୁ ପଚାରିଲେ ତୁ କିମିତିକା ଲୋକ ଯେ ଏତେ ଦିନ ହେଲା ଲୁଗା ଆଣିଲୁନି । ସଫା କରି ଦେଇଥିଲେ ମୁଁ ସିନା କୁଆଡେ ଯାଇ ଥାଆନ୍ତି ।
ଧୋବଣୀ କହିଲା ଆପଣ ମୋ ଉପରେ ବିରକ୍ତ ହେବାର କାରଣ କିଛି ନାହିଁ । କି ଲୁଗା ପୁଣି ଆପଣଙ୍କୁ ଦେଇ ଥାଆନ୍ତି ।
ଧୋବଣୀର କଥା ଶୁଣି ବିଦେଶୀ ଜଣକ ଆଶ୍ଚର୍ଯ୍ୟ ହୋଇ କହିଲା – କି ଲୁଗା? ଧୋବଣୀ କହିଲା – ଆପଣ ମୋତେ ଖଣ୍ଡିଏ ଧୋତି ସହିତ ଖଣ୍ଡିଏ ପଞ୍ଜାବୀ ଦେଇ ଥିଲେ, ମୁଁ କହିଥିଲି ଧୋତିଟିଏ ସଫା କଲେ ପଞ୍ଜାବୀ ଗୋଟିଏ ନେବି । ଆଉ ପଞ୍ଜାବୀ ଗୋଟିଏ ସଫା କରି ଦେଲେ ଧୋତିଟିଏ ନେବି । ଆପଣ ଯାହା ସଫା କରିବାକୁ ଦେଇ ଥିଲେ ଧୋଇବା ବାବଦକୁ ତ ମୁଁ ମୋର ପ୍ରାପ୍ୟ ପାଇଗଲି । ଦୁଇଟି ଯାକ ସଫା କଲି, ତା’ ବଦଳରେ ଦୁଇଟି ଯାକ ନେଇ ଗଲି । ତୁମକୁ ମୁଁ ଭଲରେ ଭଲରେ କହୁଛି । ଏମିତି କ୍ରୋଧିତ ନ ହୋଇ ନିଜ ରାସ୍ତା ଏବେ ନିଜେ ଦେଖ । ତାହା ନହେଲେ ତମେ ଅପମାନ ପାଇବ ।
ବିଦେଶୀ ଜଣକ ନିରୂପାୟ ହୋଇ ଯାଇ ନିକଟସ୍ଥ ଥାନାକୁ ଯାଇ ଜମାଦାର ବାବୁଙ୍କୁ କହିଲା – ଜମାଦାର ବାବୁ ସିପାହୀକୁ ପଠାଇ ଧୋବଣୀକୁ ଡାକି ନେଲେ ।