ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତୀ ରମଣୀ

         ଧୋବଣୀ ଏହା ପରେ ଜମା ଦାର ବାବୁଙ୍କ ସଙ୍ଗରେ ଖୁବ୍ ମିଠା ମିଠା କଥା କହି ବାବୁଙ୍କର ମନକୁ ମନାଇବାକୁ ଲାଗିଲା । ଏମିତି ଗପ ସପ ଦୁହିଁଙ୍କ ମଧ୍ୟରେ ଚାଲିଛି । ୟା ମଧ୍ୟରେ ରାତି ଦଶଟା ବାଜି ଗଲା ।

         ସଙ୍ଗେ ସଙ୍ଗେ କବାଟରେ କାହାର ଠକ ଠକ ଶବ୍ଦ ଶୁଣିବାରୁ ଧୋବଣୀ ତର ତର ହୋଇ ଉଠି ଯାଇ କବାଟ ଖୋଲି ଦେଇ ଦେଖେ ତ ଥାନାର ବଡ ବାବୁ ଆସିଛନ୍ତି । ଧୋବଣୀ ହସି ଦେଇ କହିଲା – ସତରେ ବଡ ବାବୁ ମୋର କ’ଣ ବିଶ୍ୱାସ ଥିଲା ଯେ ତମେ ଆସିବ ବୋଲି ଛାର ଛିକର ମାଇପି ଲୋକ, ଛୋଟ ଜାତି, ଆମ ମାନଙ୍କ ଘରକୁ ଆସିବା ଲାଗି ମନତ ହୁଏ ନାହିଁ, ଦେଖିଲା ଠଉଁ ସିନା ମୋର ବିଶ୍ୱାସ ହେଲା । ହେଲା ହେଲା ମୋ ସପନ ସତ ହେଲା । ଆପଣ ଏହିଠି ଟିକେ ବସନ୍ତୁନା ।

         ଏହା କହି ବଡ ବାବୁଙ୍କୁ ଖଣ୍ଡିଏ ଚେୟାର୍ ଧରାଇ ଦେଇ ଧୋବଣୀ ଘର ଭିତରକୁ ଚାଲି ଗଲା । ଦେଖିଲ ଜମାଦାର ବାବୁ । କେଡେ ଛୋଟ ଆଉ କମଯୋର୍ ଏହି ବଡ ବାବୁ । ଏମିତି ଚାଲି ଆସିଲେ କ’ଣ ଆମେ ତମକୁ ସହଜରେ ଦେଇ ଦେବୁ, ତମେ ମଜ୍ଜା କରି ଚାଲି ଯିବ । ୟେ ଚାନ୍ଦ ଚାନ୍ଦମଣୀ ଧୋବଣୀଟି ।

         ହଉ ବାବୁ ଆସ । ତମ ପରି ଭଲ ବାବୁ ମୁଁ କେବେ ଦେଖି ନାହିଁ । ଆପଣ ଖାସ୍ ମୋରି ଲାଗି ସେ ବିଦେଶୀଟାକୁ ତା ରାସ୍ତା ଦେଖାଇ ଦେଲେ । ଆପଣଙ୍କର କଥା ନ ବୁଝିଲେ ସଂସାରରେ ଧର୍ମ ଅଛିତ! ଏହା ପରେ ଧୋବଣୀ ଘରୁ ବାହାରକୁ ଚାଲି ଗଲା । ଚାଲି ଯିବା ବେଳେ କହି ଗଲା – ବ୍ୟସ୍ତ ହେବେ ନାହିଁ । ମୁଁ ସଙ୍ଗେ ସଙ୍ଗେ ଆସୁଛି ।

         ଚାନ୍ଦ ଯାଇଛି ଯେ ଯାଇଛି । ଆଉ ଫେରିବାର ନାହିଁ । ଚାହିଁ ଚାହିଁ ଥାନାର ବଡ ବାବୁ ବିରକ୍ତ ହୋଇ ଗଲେ । ତହୁଁ ସେ ଉଠି ପଡି ରାଗରେ ଚାନ୍ଦର ଘରେ ଥିବା ସମସ୍ତ ଜିନିଷ ପତ୍ରକୁ ବାଡେଇ ଭାଙ୍ଗି ଦେଲେ । କବାଟ, ଝରକା, ହାଣ୍ଡି କୁଣ୍ଢେଇ ଏ ସମସ୍ତ ଭାଙ୍ଗି ସାରିବା ପରେ ତାର ନଜର ପଡି ଗଲା ଚାନ୍ଦର କୁକୁଡା ଭାଡି ଉପରେ । ରାଗରେ ବାବୁ କୁକୁଡା ଭାଡିକୁ ଯୋତା ଥିବା ପାଦରେ ଗୋଇଠା ପରେ ଗୋଇଠା ମାରିବାକୁ ଲାଗିଲେ । ଗୋଇଠା ମାଡରେ କୁକୁଡା ଭାଡି ଭାଙ୍ଗି ଯାଇ ଗୋଇଠା ଗୁଡାକ ଜମାଦାର ବାବୁଙ୍କ ଉପରେ ବାଜୁ ଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ