ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତୀ ସଉତୁଣୀ ମନ୍ଦିର କଥା

ସୁବର୍ଣ୍ଣର ଖଣି ପାଇ ଯିବା ପରେ ସେହି ଧନକୁ ସେହି ସାନ ରାଣୀ ଶୁଭ ଲକ୍ଷ୍ମୀ ନିଜ ରାଜ୍ୟରେ ବ୍ୟୟ କଲେ । ଏଥିରେ ସମସ୍ତ ପ୍ରଜାପାଟକ ସନ୍ତୁଷ୍ଟ ହେଲେ । ସେହି ଧନରେ ବହୁତ ଗୁଡିଏ କୋଠା ନିର୍ମାଣ କରି ଦେଲେ ଓ ନିଜର ରାଜ୍ୟକୁ ସୁଦୃଢ କରିବାକୁ ଲାଗିଲେ । ଏ ସମ୍ବାଦ ଚାରି ଆଡେ ଖେଳି ଯିବାରୁ ଅନ୍ୟାନ୍ୟ ଦେଶରୁ ଅନେକ ଶରଣାର୍ଥୀ ଆସି ସେ ରାଜ୍ୟରେ ବାସ କଲେ । ସାନ ରାଣୀ ଶୁଭ ଲକ୍ଷ୍ମୀ ଙ୍କର ଗୋଟିଏ ମାତ୍ର ପୁଅ, ସେ ବଡ ହୋଇ ଯିବାରୁ ସାନ ରାଣୀ ପୁଅ ଗୋବିନ୍ଦ ବଲ୍ଲଭଙ୍କୁ ସେ ରାଜ୍ୟର ରାଜ ଗାଦିରେ ବସାଇ  ଦେଲେ ।  ଗୋବିନ୍ଦ ବଲ୍ଲଭ ରାଜା ହେବା ପରେ ନିଜ ରାଜ୍ୟରେ ହାତୀ ଘୋଡାର ପରିମାଣ ବଢାଇ ଦେଲେ । ନିଜ ରାଜ୍ୟକୁ ଶତୃ ମାନଙ୍କର ଆକ୍ରମଣରୁ ରକ୍ଷା କରିବା ଲାଗି ବହୁ ସୈନ୍ୟଙ୍କୁ ନିଯୁକ୍ତି ମଧ୍ୟ ଦେଲେ ।

ଏହା ପରେ ସିଂହଭୂମି ରାଜାଙ୍କର ପାପର ଫଳ ଧୀରେ ଧୀରେ ବଢିବାକୁ ଲାଗିଲା । ଯେଉଁଠାରେ ପାପର ସ୍ଥାନ ସେଠାରେ ମା’ ଲକ୍ଷ୍ମୀଙ୍କର ସ୍ଥାନ ଆଦୌ ନଥାଏ । ରାଜା ପ୍ରତାପ ସିଂହଙ୍କ ମନ୍ଦ ସମୟ ଆସିଲାରୁ ରାଜା ବାହାର ଶତ୍ରୁ ମାନଙ୍କ ଠାରୁ ଯୁଦ୍ଧରେ ହାରି ପରାଜିତ ହେଲେ । ପୁଅ ମାନେ ନିଜ ପ୍ରାଣ ଆତଙ୍କରେ ସେ ରାଜ୍ୟ ଛାଡି ପଳାଇ ଗଲେ । ଆଉ ପୁଣି ଥିଲେ ସେହି ରାଜା ପ୍ରତାପ ସିଂହଙ୍କ ଅସଂଖ୍ୟ ରାଣୀ । ସେମାନେ ବିଜୟ କରିଥିବା ରାଜାଙ୍କର ଉଆସରେ ପୋଇଲି ପରି ବାସ କରିବାକୁ ଲାଗିଲେ ।

ପରାଜିତ ରାଜ୍ୟର ରାଜା ପ୍ରତାପ ସିଂହ ପରାଜିତ ହୋଇ ଅରଣ୍ୟ ମଧ୍ୟରେ ପାଗଳ ପ୍ରାୟ ଲୁଚି ଲୁଚି ବୁଲୁଥିବା ସମୟରେ ଯୋଗକୁ ଦିନେ ସେ ତାଙ୍କ ସାନରାଣୀଙ୍କର ପୁଅ ଯୁବରାଜ ଗୋବିନ୍ଦ ବଲ୍ଲଭଙ୍କ ରାଜ୍ୟରେ ଆସି ପହଁଚିଲେ ଓ ସେଠାରେ ଆଶ୍ରିତ ଭାବରେ ଜୀବନ ଯାପନ କଲେ । ଯୁବରାଜ ଗୋବିନ୍ଦ ବଲ୍ଲଭ ତାଙ୍କୁ ନିଜ ରାଜ୍ୟର ମନ୍ତ୍ରୀ ଭାବରେ ନିଯୁକ୍ତି ଦେଇ ସଙ୍ଗେ ସଙ୍ଗେ ନିଜ ମାତା ଶୁଭ ଲକ୍ଷ୍ମୀଙ୍କୁ ଏ ସମ୍ବାଦ ଦେଲେ ।

ପୁଅ ତା’ର ନିଜ ରାଜ୍ୟରେ ଜଣେ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିବା ଜାଣି ସେହି ମନ୍ତ୍ରୀଙ୍କୁ ଦେଖିବା ଉତ୍କଣ୍ଠାରେ ନିଜର ପୋଇଲି ପରିଚାରିଙ୍କୁ ଧରି ରାଜ ସଭାକୁ ଆସିଲେ । ରାଜ ସଭାରେ ନିଜର ସ୍ୱାମୀ ରାଜା ପ୍ରତାପ ସିଂହଙ୍କୁ ମନ୍ତ୍ରୀ ରୂପରେ ଦେଖି ରାଣୀ ଶୁଭ ଲକ୍ଷ୍ମୀ ଖୁବ୍ କାନ୍ଦିଲେ । ତା’ପରେ ସେ ନିଜର ସ୍ୱାମୀଙ୍କୁ ପ୍ରଣାମ କରି ପୁଅକୁ କହିଲେ – ଆରେ ପୁଅ ଗୋବିନ୍ଦ । ତୁ ଏପରି ଗୋଟେ ଭୁଲ୍ କରି ଦେଲୁ । ତୋର ଜନ୍ମଦାତା ପିତା ରାଜା ପ୍ରତାପ ସିଂହଙ୍କୁ ତୁ ନିଜେ ରାଜା ହୋଇ ତାଙ୍କୁ ମନ୍ତ୍ରୀ ପଦରେ ନିଯୁକ୍ତି ଦେଲୁ । ତୁ ତୋର ପିତାଙ୍କୁ ଚିହ୍ନି ପାରିଲୁ ନାହିଁ । ଆରେ ପୁଅ ତୁ ସିଂହାସନରୁ ଆଗ ଉଠି ଆସି ପିତାଙ୍କୁ ତୋର ପ୍ରଣାମ କର । ଅଜଣାରେ ହେଉ ଅବା ଜାଣିବାରେ ହେଉ ତୋର ପିତାଙ୍କ ନିକଟରେ ଯେଉଁ ଭୁଲ୍ ତୁ କରିଛୁ ସେ ଭୁଲ୍ ପାଇଁ ତାଙ୍କ ପାଦ ତଳେ ପଡି ତୁ ତାଙ୍କ ଠାରୁ କ୍ଷମା ଭିକ୍ଷା କର ।

ଗୋବିନ୍ଦ ବଲ୍ଲଭ ନିଜ ପିତାଙ୍କ ପାଖରେ ଯାଇ କ୍ଷମା ମାଗିବାରୁ ବୁଢା ରାଜା ନିଜ ପୁଅକୁ କୋଳକୁ ନେଇ ଖୁବ୍ ଆନନ୍ଦ ହୋଇ କାନ୍ଦି ପକାଇଲେ ଆଉ ମଧ୍ୟ କହିଲେ ମୁଁ ଧନ୍ୟ ହୋଇ ଗଲି । ସାଗର ମନ୍ଥନରୁ ଶେଷରେ ମୋତେ ଅମୃତ ତୁଲ୍ୟ ଗୁଣଜ୍ଞ ପୁଅ ମିଳି ଗଲା । ସେ ତା’ର ନୂଆ ରାଜ୍ୟର ରାଜା । ଆଜିଠାରୁ ମୁଁ ତା’ର ପରାମର୍ଶ ଦାତା ଭାବରେ ରହିଲି । ସ୍ୱାମୀଙ୍କୁ ପାଇ ରାଣୀ ଖୁବ୍ କାନ୍ଦିଲେ । ତାଙ୍କର ପାଦ ଧରି ଅନୁରୋଧ କଲେ – ଆପଣ ଏହି ରାଜ ସିଂହାସନରେ ମୁକୁଟ ପିନ୍ଧି ରାଜା ହୁଅନ୍ତୁ । ମୁଁ ସତୀ, ତୁମେ ଅନ୍ୟ ରାଣୀ ମାନଙ୍କର କୁମନ୍ତ୍ରଣାରେ ପଡି ସିନା ମୋତେ ନିର୍ବାସନ କରି ଦେଲ । ସତୀ ମାତାଙ୍କର ସୁପ୍ରଭାବରେ ପୁଅ ତୁମର ଆଜି ଏ ରାଜ ଗାଦିରେ ବସିଛି ।

ରାଜା ସାନ ରାଣୀ ଶୁଭ ଲକ୍ଷ୍ମୀ ଙ୍କର ଆଖିରୁ ଲୁହ ପୋଛି ଦେଇ ତାଙ୍କୁ କୋଳେଇ ନେଲେ । ସ୍ୱାମୀ ସ୍ତ୍ରୀ ଆଶ୍ରମ ତୁଲ୍ୟ ସ୍ୱଭାବ ନେଇ ସେହି ରାଜ୍ୟରେ କିଛି ଦିନ ରହିବା ପରେ ଉଭୟଙ୍କର ସେହିଠାରେ ହିଁ ସ୍ୱର୍ଗ ପ୍ରାପ୍ତି ହେଲା । ପୁତ୍ର ନିଜ ମାତାଙ୍କରସ୍ମୃତି ନିମନ୍ତେ ସେହିଠାରେ ଗୋଟିଏ ମନ୍ଦିର ତୋଳାଇ ମାଆଙ୍କର ପ୍ରତିମୂର୍ତ୍ତି ସ୍ଥାପନ କଲେ । ସେହି ଦିନୁ ସେ ମନ୍ଦିରର ନାମ ହେଲା ସତୀ ସଉତୁଣୀ ମନ୍ଦିର ।

_____ … _____


ଗପ ସାରଣୀ

ତାଲିକାଭୁକ୍ତ ଗପ