ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ୟପାଳ ଓ ଦୁଇଶତ୍ରୁ

ମନ୍ତ୍ରୀ କହିଲେ “ଭୀଲ୍ ରାଜାକୁ ଦମନ କରିବା କେତେ ବା କଠିନ କାମ? ସୈନ୍ୟବାହିନୀ ପଠାଇ ତାଙ୍କୁ ବନ୍ଦୀ କରାଯାଇପାରେ । ତାଙ୍କ ସମର୍ଥକ ମାନଙ୍କୁ ହତ୍ୟା କରାଯାଇପାରେ ।” ସିଏ ଗୋଟାଏ କେଉଁ ରାଜ୍ୟରେ ରାଜା? ସ୍ୱାଧିନ ରାଜ୍ୟ ଗଢିବାର ସ୍ୱପ୍ନ ଦେଖୁଛି । ସେ ସ୍ୱପ୍ନ ଭାଙ୍ଗି ଦେବାକୁ କେତେ ମାତ୍ର ସମୟ ଲାଗିବ?”

ସତ୍ୟପାଳ ପଚାରିଲେ “ହୁଁ! ଆମ ରାଜ୍ୟ ଭିତରର ଦୁର୍ନୀତି ସମ୍ପର୍କରେ ଆମେ କ’ଣ କରିବା?”

ମନ୍ତ୍ରୀ କହିଲେ “ଆଗେ ବୈଦେଶିକ ବିପଦ ଦୂର ହେବା ପରେ ଯାଇ ଆମେ ଆମ ଘର ସଜାଡିବା ।”

ରାଜା ସତ୍ୟପାଳ ଅବଶ୍ୟ କିଛି କହିଲେ ନାହିଁ, କିନ୍ତୁ ପରଦିନ ସେ ଅରଣ୍ୟ ଭିତରେ ରହୁଥିବା ଜଣେ ତପସ୍ୱୀଙ୍କୁ ଗୋପନରେ ଏସବୁ ବିଷୟ ଜଣାଇ ତାଙ୍କ ଉପଦେଶ ପାଇବା ପାଇଁ ଘୋଡା ଚଢି ବାହାରି ପଡିଲେ । ସେ ସ୍ୱଭାବତଃ ଧର୍ମପରାୟଣ ଥିଲେ ଓ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ସାଧୁମାନଙ୍କ ସହିତ ଆଲୋଚନା ଓ ବିଚାର କରି ପଦକ୍ଷେପ ନେଉଥିଲେ ।

ବଣ ଭିତରେ ଘୋଡା ଚଢି ଅନ୍ୟମନସ୍କ ହୋଇ ଯାଉଥିବା ବେଳେ ହଠାତ୍ ତାଙ୍କ ଆଡକୁ ଗୋଟିଏ ଚିତା ବାଘ ଝପଟି ଆସିଲା । ଘୋଡା ସେଥିରେ ଭୀଷଣ ଚମକି ଯାଇ ଏମିତି ତୀବ୍ର ଗତିରେ ଦୌଡିଲା ଯେ ରାଜା ଆଉ ଟିକକରେ ପଡିଯାଇଥାନ୍ତେ ନହେଲେ କୌଣସି ଗଛ ଦେହରେ ଧକ୍କା ଖାଇଥାନ୍ତେ । ସେତିକିବେଳେ ଗୋଟିଏ ବିଚିତ୍ର ଧ୍ୱନି ଶୁଭିଲା । ଘୋଡା ତତ୍କ୍ଷଣାତ୍ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା । ରାଜା ଏଥିରୁ ବୁଝି ପାରିଲେ, ସେ ଧ୍ୱନି କୌଣସି ଭୀଲ୍ର । ସେମାନେ ଗୋଟାଏ ପ୍ରକାର ଶବ୍ଦ କରି ଘୋଡାକୁ ଅକ୍ତିଆର କରି ପାରନ୍ତି । ଅନ୍ୟ କୌଣସି ଲୋକକୁ ସେ ବିଦ୍ୟା ଆଦୌ ଜଣା ନ ଥାଏ । ସେଦିନ କୌଣସି ଭୀଲ୍ର ସେହି ଶବ୍ଦ ଯୋଗୁଁ ରାଜା ମହାବିପଦରୁ ରକ୍ଷା ପାଇଗଲେ ।

ରାଜା ଦେଖିଲେ ଜଣେ ଯୁବକ ତାଙ୍କ ଆଡକୁ ଆସୁଛି । ଯୁବକ ହସି ଦେଇ କହିଲା, “ହେ ଯାତ୍ରୀ, ତମେ କ୍ଳାନ୍ତ । ଏଠି ବିଶ୍ରାମ କର । ତୁମଲାଗି ମୁଁ କିଛି ଫଳ ନେଇ ଆସୁଛି ।”

ଯୁବକ ଜଣକ ଅଳ୍ପ ସମୟ ଭିତରେ କିଛି ସୁସ୍ୱାଦୁ ଫଳ ଧରି ଆସିଲା; ରାଜା ସତ୍ୟପାଳ ମୁଗ୍ଧ, କୃତଜ୍ଞ ଓ ଚମତ୍କୃତ ହୋଇ ତାକୁ ଲକ୍ଷ୍ୟ କରୁଥାନ୍ତି । ଯୁବକ କହିଲା “ତୁମେ ଏଥର ଯାଅ । ମୁଁ ବି ଯାଏଁ ।”

ରାଜା ସତ୍ୟପାଳ କହିଲେ, “ହେ ଯୁବକ ବେଶୀ ଯୁବତୀ! ତୁମ ପ୍ରତି ମୁଁ ଅତ୍ୟନ୍ତ କୃତଜ୍ଞ । ମୋର ପରିଚୟ ହେଲା, ମୁଁ ଚନ୍ଦନ ରାଜ୍ୟର ରାଜା ସତ୍ୟପାଳ । ତୁମେ ଆଉ ସେ ଭୀଲ୍ ରାଜକନ୍ୟା କୀର୍ତିମତୀ ନୁହଁ ତ?”

କୀର୍ତିମତୀ ହସିଦେଲେ ଓ କହିଲେ, “ଆପଣଙ୍କ ଅନୁମାନ ପୁରାପୁରି ଠିକ୍ । ମୋ ପ୍ରତି କୃତଜ୍ଞ ହେବା ଅପେକ୍ଷା ଆମ ଦେବୀ ସ୍ୱୟଂଶକ୍ତିଙ୍କ ପ୍ରତି କୃତଜ୍ଞତା ଜଣାନ୍ତୁ । କାରଣ ମୁଁ ତାଙ୍କୁ ପ୍ରଣାମ କରିବା ନିମନ୍ତେ ଏଠାକୁ ଆସିଥିଲି ଓ ଆପଣଙ୍କୁ ଭେଟିଲି ।” ଏହା କହି କୀର୍ତିମତୀ ସତ୍ୟପାଳଙ୍କୁ ଦେବୀ ମୂର୍ତ୍ତି ପାଖକୁ ନେଇ ଗଲେ । ସତ୍ୟପାଳ ଦେବୀଙ୍କୁ ଭକ୍ତି ଓ କୃତଜ୍ଞତା ଜଣାଇଲେ । ଦୁହେଁ ଦେବୀଙ୍କୁ ସେଠାରେ କ’ଣ ପ୍ରାର୍ଥନା କଲେ ତାହା ସେମାନେ ଜାଣନ୍ତି ।

ଉଭୟେ ପରସ୍ପର ଠାରୁ ବିଦାୟ ନେବା ବେଳକୁ ରାଜା ସତ୍ୟପାଳ ପଚାରିଲେ, “କ’ଣ ଆଉ କେବେ ଦେଖା ହେବାର କୌଣସି ଆଶା ନାହିଁ?”

କୀର୍ତିମତୀ ଇତସ୍ତତଃ କରି କହିଲେ, “ଆଜିଠାରୁ ଠିକ୍ ଦୁଇମାସ ପରେ ମୁଁ ପୁଣି ଏଠାକୁ ଆସିବି, ସେହିଦିନ ମୋର ଏଠାରେ ପୂଜା କରିବାର ଅଛି ।” ଏହାକହି ତା’ପରେ ସେ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ମଧ୍ୟ ଦେଲେ । ରାଜା ସତ୍ୟପାଳ ତାଙ୍କୁ ଧନ୍ୟବାଦ ଦେଇ ନିଜ ନଅରକୁ ଫେରିଗଲେ ।

ପରଦିନଠୁଁ ସେ ନିଜ ରାଜ୍ୟର ହାଲ୍ଚାଲ୍ ସୁଧାରିବାରେ ମନ ଦେଲେ । ସବୁ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କୁ ଚାକିରୀରୁ ବାହାର କରି ଜବଦ କରା ହେଲା । ଲୋକଙ୍କର ଯେପରି ହିତ ହେବ, ସେଥିପାଇଁ ରାଜା ସବୁ ପ୍ରକାର ଉଦ୍ୟମ କଲେ । ଅଳ୍ପ କେତେଦିନ ମଧ୍ୟରେ ତାଙ୍କ ରାଜ୍ୟରେ ଥିବା ସମସ୍ତ ପ୍ରକାର ଦୁର୍ନୀତି ବନ୍ଦ କରାଗଲା । ରାଜ୍ୟର ଆଭ୍ୟନ୍ତରିଣ ସମସ୍ୟାସବୁର ସମାଧାନ ଯଥାଶୀଘ୍ର ହୋଇଗଲା ।

ଦୁଇମାସ ପରେ ଏକ ନିର୍ଦ୍ଦିଷ୍ଟ ଦିନ ରାଜା ବଣ ଭିତରକୁ ଯିବା ବେଳକୁ କୀର୍ତିମତୀ ସେହି ପୂର୍ବୋକ୍ତ ସ୍ଥାନରେ ଅପେକ୍ଷା କରିଛନ୍ତି । କୂଶଳ ବାର୍ତ୍ତା ଆଦାନ ପ୍ରଦାନପରେ ରାଜା କହିଲେ, “ଗତଥରର ଘଟଣାରେ ତୁମେ ମୋ ଘୋଡାକୁ ଅକ୍ତିଆରକୁ ନଆଣିଥିଲେ ମୋ ଜୀବନ ବିପଦାପନ୍ନ ହୋଇଥାନ୍ତା । ତୁମର ପରୋପକାର ଓ ସଦିଚ୍ଛା ଯୋଗୁଁ ସେଦିନ ମୋ ଜୀବନ ରକ୍ଷା ହେଲା । ପରଉପକାର ମଣିଷର ପରମ ଧର୍ମ । ମୋର ସମଗ୍ର ରାଜ୍ୟରେ ପ୍ରଜାମାନଙ୍କର ଉପକାର କରିବାର ସୁଯୋଗ ଯଦି ତୁମକୁ ଦିଆଯିବ ତେବେ ତୁମେ ସେଥିରେ ସମ୍ମତ ହେବ କି? ନା ଏଥିରେ କୌଣସି ବାଧା ଅଛି?” କୀର୍ତିମତୀ ରାଜାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ କହିଲେ “ସେପରି କୌଣସି ବାଧା ନାହିଁ ବୋଲିହିଁ ଆପଣଙ୍କ ସହିତ ଦ୍ୱିତୀୟବାର ଦେଖା କରିବାକୁ ମୁଁ ସମ୍ମତ ହେଲି ।”

ରାଜା କହିଲେ, “ମୁଁ ତେବେ ତୁମ ବାପାଙ୍କ ପାଖକୁ ପ୍ରସ୍ତାବ ପଠାଉଛି!”

କୀର୍ତିମତୀ ହସିଦେଇ କହିଲେ, “ତେବେ ମୁଁ ଆପାତତଃ ଯାଉଛି ।”

ଯଥା ସମୟରେ ସାମନ୍ତ ଭୀଲ୍ ରାଜାଙ୍କ ପାଖରେ ପ୍ରସ୍ତାବ ପହଁଚିଲା । ଭୀଲ୍ ରାଜା ସେହି ପ୍ରସ୍ତାବକୁ ସ୍ୱାଗତ କଲେ । କାରଣ ଏହା ତାଙ୍କ ପାଇଁ ସ୍ୱପ୍ନର ଅତୀତ ଥିଲା । ତେଣୁ ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ସତ୍ୟପାଳଙ୍କ ସହ କୀର୍ତିମତୀଙ୍କ ବିବାହ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ