ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ୟପାଳ ଓ ଦୁଇଶତ୍ରୁ

ଏହାର କେଇମାସ ପରେ ସୁନ୍ଦରପୁରର ସୈନ୍ୟଦଳ ଆସି ଚନ୍ଦନ ରାଜ୍ୟ ଆକ୍ରମଣ କଲେ । ଏଥର ରାଜ୍ୟ ଆକ୍ରମଣ କରିବାରେ ଆଉ କୌଣସି କୁଣ୍ଠା ବା ଦ୍ୱିଧା ନାହିଁ । କାରଣ ରାଜା ବିବାହ କରିବାର ଖବର ପାଇବା ପରେ ସୁନ୍ଦରପୁରର ରାଜାଙ୍କ ମନରେ ସତ୍ୟପାଳଙ୍କୁ ଜାମାତା କରିବାର ଆଶା ପ୍ରଚଣ୍ଡ କ୍ରୋଧରେ ପରିଣତ ହେଲା । ତାଙ୍କର ମନେ ହେଲା ଯେପରିକି ତାଙ୍କ କନ୍ୟାକୁ ନାପସନ୍ଦ କରି ସତ୍ୟପାଳ ଭୀଲ୍କନ୍ୟାକୁ ବିବାହ କରିଛନ୍ତି । ସେ ଜଣେ ସଂସ୍କୃତିସମ୍ପନ୍ନ ଆର୍ଯ୍ୟ । ସେପରି ସ୍ଥଳେ ମୂଢ ସତ୍ୟପାଳ କିପରି ଜଙ୍ଗଲୀ ଭୀଲ୍କନ୍ୟାକୁ ପସନ୍ଦ କଲା । ତେଣୁ ରାଜ୍ୟ ଆକ୍ରମଣ କରି ତାକୁ ଏକ ଶିକ୍ଷା ଦେବା ତାଙ୍କର ପରମ କର୍ତ୍ତବ୍ୟ ବୋଲି ସେ ଭାବିଲେ । ଘମାଘୋଟ ଯୁଦ୍ଧ ହେଲା । ରାଜା ସତ୍ୟପାଳ ତାଙ୍କ ପ୍ରାସାଦ ଉପରେ ଠିଆ ହୋଇ ଯୁଦ୍ଧ ଦେଖୁଥିଲେ – ଠିକ୍ ଏତିକିବେଳେ ଶତୃପକ୍ଷର ଗୋଟିଏ ତୀର ତାଙ୍କ ଆଡେ ଧାବିତ ହେବାର ଦେଖି ରାଣୀ କୀର୍ତିମତୀ ବିଜୁଳି ବେଗରେ ତାଙ୍କ ଆଗକୁ ଡେଇଁ ପଡିଲେ । ନିଜର ଜୀବନକୁ ଉତ୍ସର୍ଗ କରି ପୁଣି ଥରେ ସେ ରାଜାଙ୍କ ଜୀବନ ରକ୍ଷା କଲେ ।

ଏ ଦାରୁଣ ମାନସିକ ଆଘାତ ପାଇବାପରେ ରାଜା ସତ୍ୟପାଳଙ୍କ ମନ ବିଷାଦ ଓ କ୍ରୋଧରେ ଜର୍ଜରିତ ହେଲା । ସେ ପ୍ରାଣମୂର୍ଚ୍ଛା ଲଢେଇ କରି ଶତ୍ରୁ ପକ୍ଷକୁ ପରାଜିତ କରି ରାଜା ପ୍ରଚଣ୍ଡବର୍ମାଙ୍କୁ ବନ୍ଦୀ କଲେ । ଯେତେବେଳେ ବନ୍ଦୀ ରାଜାଙ୍କୁ ତାଙ୍କ ସମ୍ମୁଖକୁ ଅଣାଗଲା, ବନ୍ଦୀ ରାଜା କହିଲେ, “ମହାରାଜ ସତ୍ୟପାଳ! ମୁଁ ଅପରାଧୀ । ମୋତେ ପ୍ରାଣଦଣ୍ଡ ଦିଅ, ମୋ ରାଜ୍ୟ ମଧ୍ୟ ନିଅ । କିନ୍ତୁ ମୋର ଖାଲି ଗୋଟିଏ ଅନୁରୋଧ ରକ୍ଷା କର । ମୋର ଏକମାତ୍ର ସନ୍ତାନ, ରାଜକନ୍ୟା ମଧୁଲିତାଙ୍କୁ ପତ୍ନୀ ରୂପେ ଗ୍ରହଣ କର ।” ରାଜା କହିଲେ “ସେତିକି କଥା ତ ଅତି ସହଜରେବି ହୋଇପାରିଥା’ନ୍ତା । କିନ୍ତୁ ଏତେ ପ୍ରଜାଙ୍କର ପ୍ରାଣହାନୀ କାହିଁକି ଘଟାଇଲେ? ମୁଁ ଆପଣଙ୍କୁ ମୁକ୍ତ କରି ଦେଉଛି । କିନ୍ତୁ ଆଜିଠାରୁ ଏହି ଶପଥ କରନ୍ତୁ ଯେ କୌଣସି ରାଜ୍ୟ ସହିତ ଏପରି ବ୍ୟବହାର ଆଉ କେବେବି କରିବେ ନାହିଁ । ମଧୁଲିତା ସହିତ ମୋର ବିବାହ ହେବ ଏବଂ ମୁଁ ଓ ଆପଣଙ୍କ ଝିଅ ସିଂହାସନରେ ବସିବା ବେଳେ ଆପଣ ସାମନ୍ତ ରାଜାଙ୍କ ସହିତ ବସିବେ । ଏତିକି ମାତ୍ର ଯାହା ଅସୁନ୍ଦର କଥା ହେବ ।”

ବେତାଳ ତା’ କାହାଣୀଟି ଏଇଠାରେହିଁ ଶେଷ କରି ହଠାତ୍ ରୁକ୍ଷ ଭାବରେ ସେ ପ୍ରଶ୍ନ କଲା, “ରାଜା! ସତ୍ୟପାଳ ବୁଦ୍ଧିହୀନ ନୁହଁନ୍ତି କି? ମନ୍ତ୍ରୀଙ୍କ ପରାମର୍ଶ ମାନି ସେ ଯଦି ପ୍ରଥମରୁ ମଧୁଲିତାଙ୍କ ସହ ବିବାହ ପ୍ରସ୍ତାବ ପଠାଇଥାନ୍ତେ, ତେବେ ଏ ଯୁଦ୍ଧ ଆଦୌ ହୋଇନଥାନ୍ତା । ପୁଣି ବୃଦ୍ଧ ମନ୍ତ୍ରୀଙ୍କ ପରାମର୍ଶ ସେ ଏକାଧିକ କ୍ଷେତ୍ରରେ ଉପେକ୍ଷା କଲେ । ଏହା ତାଙ୍କ ଅବିବେକିତାର ପରିଚୟ ନୁହେଁ କି? ଅବଶ୍ୟ ଭାଗ୍ୟ ବଳରୁ ତାଙ୍କର ଜୟ ହେଲା । ପରାଜୟ ବି ତ ହୋଇପାରିଥାନ୍ତା! ଏ ବିଷୟରେ ତମେ କ’ଣ ଭାବୁଛ? ପାରିଲେ ମୋ ପ୍ରଶ୍ନର ଯଥାର୍ଥ ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଦଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ରାଜା ସତ୍ୟପାଳ ବୁଦ୍ଧିମାନ ଓ ସାହସୀ । ମଧୁଲିତା ପ୍ରଥମେ ତାଙ୍କୁ ଜୟକରି ବିବାହ ହେବାକୁ ଚାହୁଁଥିଲେ । ତାହା ତ ଅପମାନଜନକ । ରାଜକୁମାରୀ ମଧୁଲିତାଙ୍କ ପିତା ପ୍ରଚଣ୍ଡବର୍ମାଙ୍କର ବିଜୟ ପରେ ଗୋଟିଏ ଉପଢୌକନ ରୂପେ ସେ ତାଙ୍କ ଝିଅକୁ ସତ୍ୟପାଳଙ୍କୁ ଦେଇଥା’ନ୍ତେ । କିନ୍ତୁ ଭୀଲ୍କନ୍ୟା ନିଜର ପ୍ରେମ ଓ ସଦିଚ୍ଛା ଯୋଗୁଁ ସତ୍ୟପାଳଙ୍କ ହୃଦୟ ଜୟ କରିଥିଲା ଓ ତାଙ୍କ ଜୀବନପାଇଁ ନିଜ ଜୀବନ ଉତ୍ସର୍ଗ କଲା । ଯେତେବେଳେ ସେ ମଧୁଲିତାଙ୍କୁ ବିବାହ କରିବାକୁ ରାଜି ହେଲେ, ସେତେବେଳେ ସେ ନିଜେ ବିଜୟୀ । ଏହିସବୁ ଘଟଣାରୁ ସ୍ପଷ୍ଟ ଜଣାଯାଉଛି ଯେ ମଧୁଲିତା ପ୍ରଥମେ ବଡ ଉଦ୍ଧତ ଥିଲେ । ପରାଜୟ ପରେ ତାଙ୍କର ସେ ଔଦ୍ଧତ୍ୟ ଭାଙ୍ଗି ଯାଇଥିବାଟାତ ସ୍ୱାଭାବିକ୍ ।

“ମନ୍ତ୍ରୀଙ୍କ ପରାମର୍ଶ ଅପେକ୍ଷା ସତ୍ୟପାଳଙ୍କ କାର୍ଯ୍ୟ ଅଧିକ ବିବେକ-ସମ୍ମତ । ଆମେ ନିଜ ଘର ନ ସଜାଡିଲେ ଶତ୍ରୁର ମୁକାବିଲା କଦାପି ସମ୍ଭବପର ନୁହେଁ । ତେଣୁ ସତ୍ୟପାଳ ପ୍ରଥମେ ଦୁର୍ନୀତି ବିରୁଦ୍ଧରେ ନିଜର ଅଭିଯାନ କଲେ । ସାମନ୍ତ ଭୀଲ୍ ରାଜାଙ୍କୁ ବଳଦ୍ୱାରା ଦମନ କରିବା ନିମନ୍ତେ ମନ୍ତ୍ରୀ କହୁଥିଲେ । କିନ୍ତୁ ସୁସମ୍ପର୍କ ଦ୍ୱାରା ସତ୍ୟପାଳ ସାମନ୍ତ ରାଜାଙ୍କୁ ନିଜର କରିନେଲେ । ଏସବୁ ପ୍ରମାଣ କରୁଛି ଯେ, ସେ କେଡେ ଚିନ୍ତାଶୀଳ ଓ ଦକ୍ଷ ।”

ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ