ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ୟବତୀ କଥା

       ନାଗରାଜ ବିକ୍ରମାଦିତ୍ୟଙ୍କୁ ଆଦର କରି ନିଜ ମହଲକୁ ପାଛୋଟି ନେଲେ । ନିଜର ଅଦ୍ଭୂତ ମାୟାମହଲ ଏବଂ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଦେଖାଇବା ସହିତ ପାତାଳ ଲୋକ ବୁଲାଇ ସ୍ୱାଦିଷ୍ଟ ଭୋଜନ କରାଇ ଆପ୍ୟାୟିତ କଲେ । କିଛିଦିନ ପାତାଳ ଲୋକରେ ରହିବା ପରେ ଯେତେବେଳେ ବିକ୍ରମାଦିତ୍ୟ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାକୁ ଚାହିଁଲେ ସେତେବେଳେ ନାଗରାଜ କହିଲେ, “ତୁମେ ମୋର ଅତିଥି । ତୁମକୁ କ’ଣ ସେମିତି ଖାଲି ହାତରେ ଛାଡିଦେବି?” ତା’ପରେ ସେ ତାଙ୍କୁ ଚାରୋଟି ଚମତ୍କାରୀ ରତ୍ନ ଦେଖାଇଲେ । ସେଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ବୁଝାଇ ଦେଲେ ।

       “ପ୍ରଥମ ରତ୍ନଟି ଧନବାୟୀ । ଏହାକୁ ଧରି ଯେତେ ଧନ କାମନା କଲେ ସଙ୍ଗେ ସଙ୍ଗେ ମିଳିଯାଏ । ଦ୍ୱିତୀୟ ରତ୍ନଧରି ଯେଉଁ ପ୍ରକାରର ବସ୍ତ୍ର ଆଭୂଷଣ ମାଗିଲେ ମିଳେ । ତୃତୟ ରତ୍ନ ଧରି କାମନା କଲେ ହାତୀ, ଘୋଡା, ପାଲିଙ୍କି ଆଦି ମିଳିପାରେ । ଆଉ ଏଇ ଚତୁର୍ଥ ରତ୍ନ ଧର୍ମ ଓ ଯଶ ପ୍ରାପ୍ତି କରାଏ ।”

       ମହାରାଜ ବିକ୍ରମାଦିତ୍ୟ ଶେଷନାଗଙ୍କୁ ପ୍ରଣାମ କରି ତାଙ୍କଠାରୁ ଚାରୋଟି ଯାକ ମୂଲ୍ୟବାନ୍ ରତ୍ନ ଉପହାର ରୂପେ ଗ୍ରହଣ କରି, ମେଲାଣି ଘେନିଲେ । ବେତାଳମାନେ ତାଙ୍କୁ ଆଣି ଉଜ୍ଜୟିନୀରେ ଛାଡିଦେଲେ । ସେ ନିଜ ମହଲ ଆଡକୁ ଅଗ୍ରସର ହେଲାବେଳେ ଜନୈକ ସାଧୁଙ୍କ ସହିତ ଦେଖା ହୋଇଗଲା । ସେଇ ସାଧୁ ଆଗରୁ ରାଜାଙ୍କର ଯଜ୍ଞ କାର୍ଯ୍ୟ କରିଥିଲେ । ସେ ବିକ୍ରମାଦିତ୍ୟଙ୍କୁ ପ୍ରଣାମ କରି କହିଲେ, “ମହାରାଜ! ଆପଣ ଖୁବ୍ ଆନନ୍ଦିତ ଜଣା ପଡୁଛନ୍ତି । ନିଶ୍ଚିତ ଭାବରେ କିଛି ବିଶେଷ କାରଣ ରହିଛି ।”

       ମହାରାଜ ବିକ୍ରମାଦିତ୍ୟ କହିଲେ, “ଆପଣ ଠିକ୍ ଅନୁମାନ କରିଛନ୍ତି, ମୁଁ ପାତାଳ ଲୋକ ଯାଇଥିଲି । ଶେଷ ନାଗଙ୍କୁ ଦର୍ଶନ କରି ତାଙ୍କର ଆତିଥ୍ୟ ଗ୍ରହଣ କରି ସେଠାରେ କିଛିଦିନ ରହିଥିଲି । ସେ ମୋତେ ଚାରୋଟି ଚମତ୍କାରୀ ରତ୍ନ ଉପହାର ଦେଇଛନ୍ତି ।” ଏହାପରେ ସେ ରତ୍ନଗୁଡିକର ବିଶେଷତ୍ୱ ସଂପର୍କରେ ବୁଝାଇ ଦେଲେ ।

       ସାଧୁ ଜଣକ କହିଲେ, “ମହାରାଜ! ଆପଣଙ୍କର ଏଇ ବିଶେଷ ଉପହାର ଉପରେ ଆପଣଙ୍କ ପ୍ରଜାମାନଙ୍କର ମଧ୍ୟ ଅଧିକାର ରହିଛି । ନା ମୁଁ ମିଛ କହୁଛି?”

       “ନା, ଆପଣ ଠିକ୍ କହିଛନ୍ତି ସାଧୁ ମହାତ୍ମା । ମୋର ଏଇ ଚାରୋଟି ରତ୍ନ ଉପରେ ଆପଣଙ୍କ ଅଧିକାର ରହିଛି । ଏଣୁ ଆପଣ ଯୋଉଟି ଇଚ୍ଛା ନିଅନ୍ତୁ ।”

       ମହାରାଜଙ୍କ କଥା ଶୁଣି ସାଧୁ ଦ୍ୱନ୍ଦରେ ପଡିଗଲେ । ସେ କେଉଁ ରତ୍ନଟି ନେବେ ଠିକ୍ କରି ପାରିଲେ ନାହିଁ । କ’ଣ କରିବେ? ଯଦି କୌଣସି ଗୋଟିଏ ରତ୍ନ ନିଅନ୍ତି ଏବଂ ତାହାକୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ଗ୍ରହଣ କରି ନ ପାରନ୍ତି । ଏଣୁ ସେ କହିଲେ, “ମହାରାଜ! ମୋତେ କିଛି ସମୟ ଦିଅନ୍ତୁ । ମୁଁ ମୋ ପରିବାର ଲୋକଙ୍କ ସହିତ ପରାମର୍ଶ କରି ଆପଣଙ୍କଠାରୁ ମାଗିନେବି ।”

       ବିକ୍ରମାଦିତ୍ୟ କହିଲେ, “ବେଶ୍ ଠିକ୍ଅଛି । ଘରକୁ ଯାଇ ସବୁରି ସହିତ ପରାମର୍ଶ କରି ଆସନ୍ତୁ । ମୁଁ ଏଇଠି ଅପେକ୍ଷା କରୁଛି ।”

       ସାଧୁ ଜଣକ ଦ୍ରୁତ ଗତିରେ ଘରକୁ ଯାଇ ନିଜ ସ୍ତ୍ରୀ ଏବଂ ପୁଅମାନଙ୍କୁ ରତ୍ନ ଗୁଡିକ ସମ୍ପର୍କରେ କହିଲେ ଏବଂ କେଉଁଟି ଗ୍ରହଣ କଲେ ଭଲହେବ ବୋଲି ପରାମର୍ଶ ମାଗିଲେ । ସେମାନେ ବାରବାର ପ୍ରଥମ ତିନୋଟି ମଧ୍ୟରୁ ଯୋଉଟିକୁ ହେଲେ ଆଣିବାକୁ କହିଲେ । ମାତ୍ର ସାଧୁ ଭାବିଲେ ସେ ସବୁ ସାଂସାରିକ ମୋହ ମାୟାର ପ୍ରତୀକ । ଏଣୁ ସେ ଚତୁର୍ଥଟି ଆଣିବେ ଯାହା ଧର୍ମ ଓ ଯଶ ଆଣି ଦେଇପାରିବ ।

       ମହାରାଜ ଲୋଭୀ ବ୍ରାହ୍ମଣ ସାଧୁଙ୍କୁ ଦେଖି ପଚାରିଲେ, “କ’ଣ ଠିକ୍ କଲେ?” ସାଧୁ କହିଲେ ଆଜ୍ଞା! ତଥାପି ମୁଁ ସଠିକ୍ ନିଷ୍ପତି ନେଇପାରୁ ନାହିଁ । ମୋ ପରିବାର ଲୋକଙ୍କର ଇଚ୍ଛା ସହିତ ମୁଁ ଏକମତ ନୁହେଁ । ତେଣୁ….. ।”

       ମହାରାଜ ସାଧୁଙ୍କୁ ଚାରୋଟି ଯାକ ରତ୍ନଦାନ କରିଦେଇ କହିଲେ, “ଚିନ୍ତାକରନ୍ତୁ ନାହିଁ । ଆପଣ ସବୁଯାକ ନେଇ ସୁଖ ସମ୍ଭୋଗରେ କାଳ କାଟନ୍ତୁ ।”

       କାହାଣୀ ଶୁଣିସାରି ଭୋଜରାଜ ନିଜକୁ ଅସହାୟ ମଣିଲେ, ଏବଂ ରାଜ ଉଆସ ଆଡକୁ ଅଗ୍ରସର ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ