ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ

ସେହି ସ୍କୁଲରେ ପାଠ ପଢୁଥାଏ ଗୋଟେ ଶ୍ୱେତାଙ୍ଗ ପରିବାରର କୁନି ଝିଅଟିଏ । ସେ ଥିଲା ଏକ ନିଆରା ପିଲା । ତା’ ମନରେ ମଣିଷ ମଣିଷ ଭିତରେ ଏଭଳି ବୈଷମ୍ୟବାଦ ଖୁବ୍ ଉଦ୍ବେଳନ ସୃଷ୍ଟି କରୁଥାଏ । କେବଳ ସ୍କୁଲରେ କାହିଁକି ନିଜ ପରିବାର ଲୋକଙ୍କ ଭିତରେ ବି ସେ ଏପ୍ରକାର ଚିନ୍ତାଧାରା ଦେଖି ଝିଅଟି ତା’ ମନରେ ବହୁତ ଦୁଃଖ ପ୍ରକାଶ କରୁଥାଏ । ବେଳେବେଳେ ସେ ଏହି ଅନ୍ୟାୟ ଆଚରଣ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିଲେ ମଧ୍ୟ କରିପାରେନି । କାହିଁକିନା ଏଥିପାଇଁ ତା’ର ସାହସ ଅଂଟେନି ।

ଦିନକର କଥା । ସେତେବେଳକୁ ତ ସେ କୁନି ଝିଅଟିର ବୟସ ମାତ୍ର ଆଠବର୍ଷ । ସେଦିନ ପ୍ରଧାନଶିକ୍ଷକ ସାମାନ୍ୟ ଗୋଟେ ଛୋଟିଆ କଥାକୁ କେନ୍ଦ୍ରକରି ଜଣେ କଳାରଙ୍ଗର ପିଲାକୁ ପ୍ରବଳ ମାଡ ମାରି ତାକୁ ସ୍କୁଲରୁ ସବୁଦିନ ଲାଗି ବାହାର କରିଦେଲେ । ସେଇ ପିଲାଟିର ଦୋଷ ମାତ୍ର ଏତିକି ଥିଲା ଯେ, ଗୋରା ପିଲାମାନେ ପାଣି ପିଇବା ପାଇଁ ବ୍ୟବହାର କରୁଥିବା ଗ୍ଲାସ୍ରେ ସେ ଜାଣିନପାରି ପାଣି ପିଇଦେଇଥିଲା । ଏହି ଘଟଣାଟି ସେଦିନ ସେ କୁନିଝିଅଟି ମନରେ ଦାରୁଣ ଆଘାତ ଦେଇଥିଲା । ଏହା ତାକୁ ଏତେ ବିବ୍ରତ କରିଦେଲା ଯେ, ଠିଆହୋଇ ସେ ଦି’ପଦ ମୁହଁଖୋଲି କହିବାର ସାହସ ଜୁଟାଇ ପାରିଲାନି ସିନା, ହେଲେ ପ୍ରତିବାଦସ୍ୱରୂପ ତିନିଧାଡିଆ ଚିଠିଖଣ୍ଡେ ଲେଖି ପ୍ରଧାନଶିକ୍ଷକଙ୍କ ଟେବୁଲ ଉପରେ ରଖିଦେଇ ଚାଲିଆସିଲା ।

ପ୍ରଧାନଶିକ୍ଷକ କୁଆଡୁ ଆସି ଦେଖିଲେ ସେହି ଚିଠିଟିକୁ । ସେହି ଚିଠି ପଢିଲାବେଳକୁ ସେ ଏକାବେଳେ କ୍ରୋଧାନ୍ୱିତ ହୋଇ ଯାଇଥିଲେ । ଜଣେ ଶ୍ୱେତାଙ୍ଗ କୁନି ଝିଅର ଏଭଳି ପ୍ରତିବାଦାତ୍ମକ ଚିଠି ତାଙ୍କୁ ସତେ ଯେମିତି ବ୍ୟସ୍ତବିବ୍ରତ କରିପକେଇଲା । ପ୍ରଧାନଶିକ୍ଷକ ଆଉ କିଛି ବାଟ ନ ପାଇ କିଛିଦିନ ପାଇଁ ସେଇ ଝିଅଟିକୁ ବିଦ୍ୟାଳୟରୁ ବହିଷ୍କାର କରିଦେଲେ । ତେଣେ ଏକଥା ଶୁଣି ସେ କୁନି ଝିଅଟିର ଘରେ ସମସ୍ତେ ବି ତାକୁ ଅନେକ ଗାଳିଗୁଲଜ କଲେ । ତଥାପି ମଧ୍ୟ ସେ ସତ କହିବାରୁ କେବେବି ନିବୃତ ହେଲା ନାହିଁ ।

ତା’ପରେ ସେଇ କୁନିଝିଅଟି ଠିକ୍ କଲା, ସତ କଥା ସିନା ତୁଣ୍ଡରେ କହିବା ପାଇଁ ମୋର ସାହସ ଆସୁ ନାହିଁ, ହେଲେ କଲମ ଧରିଲେ ତ ସତକଥା ପ୍ରକାଶ କରିବାରେ ଆଉ କିଛି ବି ଅସୁବିଧା ହେବ ନାହିଁ । ସୁତରାଂ ସେ ସ୍ଥିର କଲା, ତା’ର ଜୀବନସାରା କାଗଜ କଲମ ସାହାଯ୍ୟରେ ହିଁ ସେ ସତକଥା କହିବ ।

ଶେଷରେ ତାହାହିଁ ହେଲା । ଏହିଭଳି ସବୁବେଳେ ସତ ଘଟଣାମାନ ଲେଖୁଲେଖୁ ସେ ବଡ ହେଲା ପରେ ଜଣେ ପ୍ରସିଦ୍ଧ ଲେଖିକା ପାଲଟି ଗଲା । ତା’ ଲେଖାଗୁଡିକ ବର୍ଣ୍ଣ-ବୈଷମ୍ୟବାଦୀ ସରକାରକୁ ଥରାଇଦେଲା । ଫଳରେ ସରକାରଙ୍କ ଦ୍ୱାରା ତାଙ୍କର ଲେଖାଗୁଡିକ ବାଜ୍ୟାପ୍ତି କରାଗଲା ।

ତଥାପି ବି ସେଇ ଝିଅଟି ନିଜ ପଥରୁ କଦାପି ବିଚ୍ୟୁତ ହେଲା ନାହିଁ । ସେ କାଗଜ କଲମ ଜରିଆରେ ଆଗକୁ ଆଗକୁମାଡି ଚାଲିଲା ସତକଥା କହି କହି । ଶେଷରେ ସେ ପୃଥିବୀର ଶ୍ରେଷ୍ଠ ପୁରସ୍କାର ଅର୍ଥାତ୍ “ନୋବେଲ୍ ପୁରସ୍କାର” ପାଇବା ପାଇଁ ଯୋଗ୍ୟା ବିବେଚିତା ହୋଇଗଲେ । ସେହି ମହୀୟସୀ ମହିଳାଜଣକ ଆଉ କେହି ନୁହଁନ୍ତି, ସେ ଥିଲେ ପ୍ରସିଦ୍ଧ ଲେଖିକା – “ନାଦିନ୍ ଗର୍ଡିମର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ