ବୁଢୀ ସନ୍ନ୍ୟାସୀଙ୍କ କଥାରେ ମୁଣିଟିକୁ ସାଇତି ରଖିଲା । ତାପର ଦିନ ସକାଳେ ରାଜ୍ୟସାରା ହୁରି ପଡିଗଲା, ରାଜାଙ୍କର ଅଷ୍ଟରତ୍ନ ଖଚିତ ସ୍ୱର୍ଣ୍ଣମୁକୁଟଟି ଚୋରି ହୋଇଯାଇଛି । ଏକଥା ଡେଙ୍ଗୁରା ବଜାଇ ଘୋଷଣା କରାଗଲା । ଯିଏ ଚୋରକୁ ଧରାଇ ମୁକୁଟର ସନ୍ଧାନ ଦେବ ତାକୁ ଉପଯୁକ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରଚାର କରାଗଲା ।
ଏଥର ରାଜ୍ୟରେ ଚୋର ଧରା ଅଭିଯାନ ଚାଲିଲା । କେତେ ଚୋର ଧରା ହେଲେ, ମାତ୍ର ମୁକୁଟ କାହା ପାଖରୁ ମିଳିଲା ନାହିଁ । ସୁତରାଂ ରାଜା ଅନ୍ୟ କିଛି ଉପାୟ ନ ଦେଖି ରାଜକର୍ମଚାରୀଙ୍କ ଦ୍ୱାରା ଘରେ ଘରେ ତଲାସୀ ଚଳାଇ ମୁକୁଟ ଖୋଜିଲେ । ଶେଷରେ ଏଇ ବୁଢୀ ଘରୁ ସନ୍ନ୍ୟାସୀଙ୍କର ସେଇ ମୁଣି ଭିତରୁ ମୁକୁଟ ମିଳିଗଲା ।
ସଂଗେ ସଂଗେ ରାଜାଙ୍କ ଆଗରେ ବୁଢୀକୁ ହାଜର କରାଗଲା । ରାଜା ବୁଢୀକୁ ପ୍ରଶ୍ନକଲେ, “ମା’ ରାଜ ମୁକୁଟଟି ତୁମ ଘରକୁ କିପରି ଗଲା?”
ଏବେ ବୁଢୀ ଗୋଟି ଗୋଟି କରି ସମସ୍ତ ଘଟଣା ବର୍ଣ୍ଣନା କରିଦେଲା । ହେଲେ ବୁଢୀର କଥାକୁ କେହି ବିଶ୍ୱାସ କଲେ ନାହିଁ । ଶେଷରେ ବୁଢୀକୁ ଫାଶୀଦଣ୍ଡ ମିଳିବ ବୋଲି ଶୁଣାଇ ଦିଆଗଲା ।
ବୁଢୀର ଢଙ୍ଗ ଢାଙ୍ଗ ଦେଖି ରାଜାଙ୍କ ମନରେ ଦୟା ଆସିଲା । ଫାଶୀଦଣ୍ଡ ଦିଆଯିବା ଆଗରୁ ପୁଣି ଥରେ ସତକଥା କହିବାକୁ ବୁଢୀକୁ ଅନୁରୋଧ କରାଗଲା । ମାତ୍ର ବୁଢୀ ସେଇ ଗୋଟିଏ କଥା କହୁଥାଏ । ଏହି ସମୟରେ ମନ୍ତ୍ରୀଙ୍କ ମୁଣ୍ଡରେ ଏକ ବୁଦ୍ଧି ପଶିଲା, ସେ ରାଜାଙ୍କୁ ଅନୁରୋଧକଲେ ମୃତ୍ୟୁ ଦଣ୍ଡପୂର୍ବରୁ ବୁଢୀକୁ ଆଉଥରେ ଶେଷ ସୁଯୋଗ ଦିଆଯାଉ ।
ଶେଷରେ ତାହାହିଁ ହେଲା । ଏକ ଅଭିନବ କୌଶଳରେ ମନ୍ତ୍ରୀ ଆଦେଶ ଦେଲେ, ଧରାପଡିଥିବା ଚୋରଙ୍କୁ ସନ୍ନ୍ୟାସୀ ବେଶରେ ସଜାଇ ଦେଇ ଠିଆ କରାଯାଉ । ତାପରେ ବୁଢୀକୁ ମନ୍ତ୍ରୀ କହିଲେ, “ମାଉସୀ ! ତୁମେ ଏଥର ଜଣ ଜଣକରି ଏମାନଙ୍କୁ ଚିହ୍ନ ତୁମ ଘରେ କିଏ ଝୁଲାମୁଣି ରଖିଥିଲା ।”
ବୁଢୀ ଏବେ ଦୁଇ ସନ୍ନ୍ୟାସୀଙ୍କୁ ଚିହ୍ନିବାରେ କିଛି ଅସୁବିଧା ହେଲା ନାହିଁ । ଏବେ ଦୁଇଚୋରଙ୍କୁ ଜେରା କରାଯାଇ ଅସଲ କଥାଟି ଜଣା ପଡିଗଲା । ଚୋରମାନେ ମଧ୍ୟ ସତ ସତ ମାନିଗଲେ । ଚୋରଙ୍କୁ ଏବେ ଫାଶୀଦଣ୍ଡାଦେଶ ହେଲା ।
ଏଣେ ବୁଢୀ ଶେଷଯାଏଁ ସତକଥା କହିଥିବାରୁ ରାଜ ଉଆସରେ ସେ ସୁଖମୟ ଜୀବନ ଯାପନ ପାଇଁ ସବୁପ୍ରକାର ବ୍ୟବସ୍ଥା ରାଜା କରିଦେଲେ । ଶେଷରେ ଚତୁର ମନ୍ତ୍ରୀଙ୍କୁ ଉପଯୁକ୍ତ ପୁରସ୍କାର ମଧ୍ୟ ପ୍ରଦାନ କଲେ ।