ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ୟ ବିଚାର

ଏହାପରେ ସ୍ୱପ୍ନ କଥା ଭୁଲିବାକୁ ଚେଷ୍ଟା କଲା ହେଲେ ସେ ଭୁଲିପାରିଲା ନାହିଁ । ତା’ ମୁଣ୍ଡରେ ଏଥି ମଧ୍ୟରେ ଏକ ଦୁଷ୍ଟବୁଦ୍ଧି ଆସି ପ୍ରବେଶ କଲା । ସେ ଭାବିଲା ସାଙ୍ଗଠାରୁ ସେହି ଶହେ ଟଙ୍କାଟି ନ ଆଣିବା ଯାଏଁ, ଏ ସ୍ୱପ୍ନ କଥା ଆଦୌ ଭୁଲି ହେବ ନାହିଁ । ତହୁଁ ସେ ସେହି ଦିନ ମିଛର ଆଶ୍ରୟ ନେଇ ତା’ର ସାଙ୍ଗକୁ କହିଲା, ଆରେ ତୁ ଯେଉଁ ଶହେ ଟଙ୍କା ଧାର ନେଇଥିଲୁ ସେ ଟଙ୍କା ଏବେ ତୁ ମୋତେ ଫେରେଇ ଦେ । ମୋର ଟଙ୍କାର ଆବଶ୍ୟକ ହେଲାଣି ।

ସାଙ୍ଗର ଏମିତି ଅବାନ୍ତର କଥାଶୁଣି ଲୋକଟା ହଡବଡେଇ ଗଲା । ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ । ସେ ଗରିବ ଲୋକ । ପ୍ରତିଦିନ ମଜୁରି ଲାଗିଲେ ତା’ର ଘରେ ଚୁଲି ଜଳିବ, ମଜୁରି ଲାଗିବା ବ୍ୟତୀତ ତା’ର ଆଉ କୌଣସି ରୋଜଗାର ନଥିବାରୁ ସେ ଗ୍ରାମରେ କେହି ତାକୁ ଦଶଟି ଟଙ୍କା ମଧ୍ୟ ଧାର ଦିଅନ୍ତି ନାହିଁ । ଆଜି ଏ ସାଙ୍ଗ କିପରି ଅଭିଲା କଥା କହୁଛି । ସେ ପ୍ରଥମେ ପ୍ରଥମେ ଭାବିଲା ତା’ର ସାଙ୍ଗ ଗେହ୍ଲାରେ କହୁଛି, ହେଲେ ପରେ ଯେତେବେଳେ ସେ ଜାଣିଲା ତା’ର ସାଙ୍ଗ ଜିଗର କରି ଟଙ୍କା ମାଗୁଛି, ସେତେବେଳେ ମୁଣ୍ଡରେ ତା’ର ବଜ୍ର ପଡିଗଲା । ସେ କହିଲା ସାଙ୍ଗ, ତମେ ଏପରି ମିଥ୍ୟା କଥା କହୁଛ କାହିଁକି? ତାହା ତ ମୁଁ କିଛି ବୁଝି ପାରୁନାହିଁ?

ସାଙ୍ଗ କହିଲା, ବାଃ! ତୁ ତ ଗୋଟାଏ ରଙ୍ଗ ବାହାର କଲୁଣି । ତୁ ମୋଠାରୁ ଧାର ନେଇଛୁ, ତୁ ମୋତେ ଧାର ଟଙ୍କା ଶୁଝିବୁ, ନେବା ବେଳେ କଅଁଳ କଥା କହି ଟଙ୍କାନେଲୁ, ମାଗିବା ବେଳକୁ ତ ଫାଙ୍କିଲୁଣି । ଆରେ ତୁ ମୋଠାରୁ ଟଙ୍କା ନେଇଛୁ ବୋଲି ପରା ଗ୍ରାମର ଲୋକେ ସମସ୍ତେ ଜାଣନ୍ତି । ଏଥିରେ ତୁ ମୋତେ ଫାଙ୍କି ଦେବୁ ବୋଲି ଭାବିଛୁ । ଦେଖ ସାଙ୍ଗ ତୁ ମୋତେ ମୋର ଟଙ୍କା ଫେରାଇ ନ ଦେଲେ ମୁଁ ତୋ’ ଉପରେ ନାଲିସ୍ କରି ଟଙ୍କା ଆଦାୟ କରିନେବି ।

ସାଙ୍ଗ କହିଲା – ମୁଁ ତୋଠାରୁ ଟଙ୍କା ଧାର କେବେ ନେଇନାହିଁ । ତୁ ଅଯଥାରେ ଟଙ୍କା ମାଗୁଛୁ । ସଂସାରରେ ତ ପୁଣି ଧର୍ମ ଗୋଟାଏ ଅଛି, ସବୁ ମିଛ କଥାକୁ ସେହି ଧର୍ମ ବିଚାର କରିବ । ତୁ ଯା’ ନାଲିସ୍ କର । ଯଦି ନାଲିସ୍ ବାଲାଙ୍କ ବିଚାରରେ ମୁଁ ତୋଠାରୁ ଶହେ ଟଙ୍କା ଧାର ନେଇଛି ବୋଲି ପ୍ରମାଣ ହୋଇଯିବ, ତାହା ହେଲେ ମୁଁ ତୋତେ ମିଛରେ ମାଗୁଥିଲେ ବି ମୁଁ ଶହେ ଟଙ୍କା ଦେବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ