ଚତୁର ସହାନୁଭୂତିଶୀଳ ହୋଇ କହିଲେ “କାରାଗାରରେ ବନ୍ଦୀ ହୋଇ ରହିଲେ ସେ କିପରି କରଜ ଶୁଝିବା ପାଇଁ ସମର୍ଥ ହେବ? ବାହାରେ ରହିଲେ ସିନା, କୌଣସି ଉପାୟ କରି ଚେଷ୍ଟା କରି କରଜ ଶୁଝିବ ।”
ଜଣେ ସିପାହୀ ବୁଝାଇ ଦେଲେ “କରଜଦାର ଲୋକଙ୍କୁ ବାହାରେ ରଖିବା ପାଇଁ, ଏକଶହ ମୁଦ୍ରା ଜମାନତ ଦେବାପାଇଁ ପଡିବ । ଏଥିପାଇଁ ତା’ର ପତ୍ନୀ ଓ ପୁତ୍ର ମୋଟେ ରାଜି ହେଉ ନାହାଁନ୍ତି । ଏହା ପାଖରେ ମଧ୍ୟ ଏତିକି ଧନ ନାହିଁ । ତେଣୁ ଅନ୍ୟ କିଛି ଉପାୟ ନ ଥିବାରୁ ତାକୁ କାରାଗାରକୁ ପ୍ରେରଣ କରାଯାଉଛି ।”
ଚତୁର ସଙ୍ଗେ ସଙ୍ଗେ କହିଲେ, “ମାତ୍ର ଏକଶହ ମୁଦ୍ରା ପାଇଁ ଜଣେ ଭଦ୍ରବ୍ୟକ୍ତିଙ୍କୁ କାରାଗାରରେ ନିକ୍ଷେପ କରିବ । ରାଘବକୁ ଛାଡି ଦିଅନ୍ତୁ । ଯାହା ମୁଦ୍ରା ଆବଶ୍ୟକ ମୁଁ ପ୍ରଦାନ କରିବି ।” ଏପରି କହି ସେ ଘର ଭିତରୁ ଏକଶହ ମୁଦ୍ରା ଆଣି ସିପାହୀଙ୍କ ହାତକୁ ବଢେଇ ଦେଇ କହିଲେ, “ମୋର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ । ବଳଦ ଦୁଇଟି କିଣିବା ପାଇଁ ଏତିକି ମାତ୍ର ସଂଚିଥିଲି । କାଲି ହାଟକୁ ମୁଁ ସେହି କାରଣରୁ ଯାଇଥିଲି ମଧ୍ୟ, ମାତ୍ର ମନପସନ୍ଦର ବଳଦ ନ ମିଳିବାରୁ ମୁଦ୍ରା ଫେରସ୍ତ ଧରି ଫେରିଆସିଲି । ଭାଗ୍ୟକୁ ଏହା ରାଘବ କାମରେ ଲାଗିବ ।”
ସିପାହୀମାନେ ମୁଦ୍ରା ପାଇବାରୁ ରାଘବକୁ ଛାଡିଦେଲେ । ଏହାପରେ ଚତୁର ରାଘବ, ତାର ପତ୍ନୀ, ପୁତ୍ର ଓ ମହାଜନ ସମସ୍ତଙ୍କୁ ଏକାଠି କରି ଘଟଣାର ସମାଧାନ କରିବାକୁ ଚାହିଁଲେ । ରାଘବଙ୍କ ପରିବାର ସେମାନଙ୍କର ସ୍ୱାର୍ଥପରତା ପାଇଁ ଅନୁତାପ କଲେ । ମହାଜନ ମଧ୍ୟ ଚତୁର ଦେଇଥିବା ଜମାନତ ଟଙ୍କା ତାଙ୍କୁ ଫେରସ୍ତ କରି ଦେଲେ । ରାଘବଙ୍କର ପତ୍ନୀ ଚତୁରଙ୍କୁ କହିଲେ, “ମହାଶୟ, ଆପଣ ଏବଂ ମୋର ପତି ମଧ୍ୟରେ ବହୁଦିନ ହେଲା ଶତ୍ରୁତା ରହିଆସିଛି । ତେବେ ବି ଆପଣ ମୋ ପତିଙ୍କୁ ଏପରି ସାହାଯ୍ୟ କଲେ । ଆପଣ ଜଣେ ଉତ୍ତମ ମନୁଷ୍ୟ । ପତିଙ୍କୁ କାରାଗାର ଯାଉଥିବାର ଦେଖି ମଧ୍ୟ ନିଶ୍ଚିନ୍ତ ରହିବା ପରି ସ୍ତ୍ରୀ ମୁଁ ନୁହେଁ । ସତକଥା ହେଉଛି, ମୋ ପତିଙ୍କର ଜିଦ୍ ଥିଲା ଯେ, ସେ ପଛକେ ଦଣ୍ଡ ପାଇବେ, କିନ୍ତୁ କରଜ ଶୁଝିବେ ନାହିଁ । ତେଣୁ ଆମେ ଏପରି ବ୍ୟବହାର କଲୁ । ମାତ୍ର ଏବେ ଆପଣଙ୍କର ଶତୃ ପ୍ରତି ସଦ୍ବ୍ୟବହାର ପ୍ରଦର୍ଶନ, ତାଙ୍କ ମନରେ ପରିବର୍ତ୍ତନ ଆଣିପାରିଲା । ତେଣୁ ସେ ମହାଜନଙ୍କ ନିକଟରେ କରଜ ଶୁଝିବା ପାଇଁ ସମ୍ମତ ହେଲେ । ଏଣୁ ଆମେ ସମସ୍ତେ ଆପଣଙ୍କ ନିକଟରେ ଚିରଋଣୀ ।”
ରାଘବ ମଧ୍ୟ ଚତୁରଙ୍କୁ ପୂର୍ବର ଭେଦଭାବ ଭୁଲିଯାଇ ବନ୍ଧୁତାର ହାତ ବଢେଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲା । ଚତୁର ସେଠାରୁ ଖୁସିମନରେ ଫେରି ଆସିଲେ ।
ସେହିଦିନ ବିଦୁରଙ୍କୁ ମଧ୍ୟ ଏକ ପରୋପକାର କରିବାପାଇଁ ସୁଯୋଗ ମିଳିଲା । ବିଦୁର ତିନିଭାଇଙ୍କ ମଧ୍ୟରେ ଶକ୍ତିଶାଳୀ ଓ ତାଗ୍ଡା । ତାଙ୍କ ଗୃହ ସମ୍ମୁଖରେ ରହୁଥିବା ଜଣେ ଭଦ୍ରବ୍ୟକ୍ତିଙ୍କର ଏକ କୂଅ ଖୋଳା ହେଉଥିଲା । କିନ୍ତୁ ଏକ ବଡ ପଥର ଖଣ୍ଡ ପଡିବାରୁ, ଖୋଳିବା କାମ ସମ୍ପୂର୍ଣ୍ଣ ହୋଇପାରୁ ନଥାଏ । ଲୋକମାନେ କୁହାକୁହି ହେଉଥାନ୍ତି, ଯେଉଁ ଲୋକ ଦେହରେ ପାଂଚଜଣଙ୍କର ଶକ୍ତି ଥିବ, ସେପରି ବଳୁଆ ଲୋକର ହାତୁଡି ପାହାରରେ ଏ ପଥର ଖଣ୍ଡ ଖଣ୍ଡ ହେବ । ବିଦୁରଙ୍କ କାନରେ ଏ କଥା ପଡିଲା । ପାଖ ଗ୍ରାମକୁ ନଡିଆ ନେଇ ଯିବାର ଥାଏ । କାରଣ ଜଣେ ଗ୍ରାହକ ଭଲଦାମ୍ରେ ନଡିଆ କିଣିବା ପାଇଁ ଠିକା ଦେଇଥାନ୍ତି । ଏହି ସୁଯୋଗ ଛାଡିଦେଲେ ତାଙ୍କର ଏକଶହ ମୁଦ୍ରା କ୍ଷତି ହୋଇଯିବ ।